Unknown

 

 

 

 

 

 

 

 

 

 

ଫ୍ରାନ୍‍ସର ଶ୍ରେଷ୍ଠ ଗଳ୍ପ

ଅନୁବାଦ

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

ଡକ୍ଟର କୁଞ୍ଜବିହାରୀ ଦାଶଙ୍କ

 

ସୂଚୀପତ୍ର

 

ଲକ୍ଷ୍ମୀ ନାରାୟଣ ମହାନ୍ତି

ଭୂମିକା

ଆରିୟେତ୍ ଦ୍ୟ ଭଲଟେୟାର

ଭଲ ଲଗି ମନ୍ଦ

କେମତ୍ ଦ୍ୟ କେଲାସ୍

ଚିଠି

ତେୟୋଫିଲ ଗୋତିୟେ

ଦୁଇ ଭଉଣୀ

ଏମିଲି ଜୋଲ

ସ୍ୱର୍ଗସୁଖ

ଆଲଫୋଁସ ଦୋଦେ

ଗୁପ୍ତଚର

ଆନାତୋଲ ଫ୍ରାଁସ

ବାଜିକର

ଲିଓ ଲା ପେ

ଦର୍ପଣ

ଗ୍ୟ ଦି ମୋପାସାଁ

ଦ୍ଵନ୍ଦ୍ଵଯୁଦ୍ଧ

ମୋସେ ସ୍ମିଲ୍ୟାନ୍‍ସ୍କି

ଲତିଫା

ପଲ୍ କ୍ଲେଶିୟୋ

ଚାକିରି

କାଁ-ପଲ ସାର୍ତର

କକ୍ଷ

କାଁ-ଇମାନ ୟେଲ ଚାର୍ଲସ ନଦିୟେ

କାମନା

ଆଁ ଦେ, ମରୁଆ

ଯଦି ଫେରି ଆସେ

ଶାର୍ଲ ବୋଦଲେୟାର

ଦଉଡ଼ି

ଭିକ୍ଟର ହୁଗୋ

ବସୁଧା

ରମ୍ୟାଁ ରୋଲାଁ

ଶୈଶବ

☆☆☆

 

ଭୂମିକା

 

“ଯେଉଁ ବସ୍ତୁ ସ୍ୱଚ୍ଛ ନୁହେଁ, ତାହା କଦାପି ଫରାସୀ ନୁହେଁ ।”

 

ଫରାସୀମାନେ ନିଜେ ଏହା କହନ୍ତି । ଫରାସୀ ଅବଶ୍ୟ ଚଟୁଳ ଓ ରଙ୍ଗୀନ । ଫରାସୀ ଭାଷାର ସର୍ବ ପ୍ରଧାନ ଗୁଣ ହେଉଛି ନିଜର ସ୍ୱଚ୍ଛତା ଓ ସରଳତା । ଅତିଶୟ ଗମ୍ଭୀର ବିଷୟ ଆଲୋଚନା ସମୟରେ ବି ଫରାସୀ କିଞ୍ଚିତ୍ ତରଳ ହୋଇଯାଏ ।

 

“ଇହ ଜୀବନରେ ମଣିଷର ଦେହ-ମନର ସମ୍ପର୍କ ଅବିଚ୍ଛିନ୍ନ ଓ ଅବିଚ୍ଛେଦ୍ୟ–ବୁଦ୍ଧି ଓ ଇନ୍ଦ୍ରିୟ ପରସ୍ପର ଅନୁପ୍ରବିଷ୍ଟ”,–ଏହି ଚିରନ୍ତନ ସତ୍ୟ ଉପରେ ଫରାସୀ ସାହିତ୍ୟର ବିଶେଷତ୍ୱ ଓ ଶ୍ରେଷ୍ଠତ୍ଵ ପ୍ରତିଷ୍ଠିତ । ଫରାସୀ ଜାତି ଚିନ୍ତା ରାଜ୍ୟରେ ଇନ୍ଦ୍ରିୟଜ ଜ୍ଞାନକୁ ମିଥ୍ୟା ବୋଲି କଦାପି ଉଡ଼ାଇ ଦେଇ ନାହିଁ କି ଅକିଞ୍ଚିତକର ବୋଲି ଉପେକ୍ଷା କରି ନାହିଁ । ସୁତରାଂ ଫରାସୀ ସାହିତ୍ୟ ଭିତରେ ବିଜ୍ଞାନ ଓ କଳାର ଏକତ୍ର ସମାବେଶ ପରିଦୃଷ୍ଟ ହୁଏ । ହେନେରୀ ଜେମ୍‍ସ କହିଛନ୍ତି–ଫରାସୀ ଜାତି ବିଶେଷ ଭାବରେ ସେହିସବୁ ମନୋଭାବର ଅନୁଶୀଳନ କରିଛି, ଯେଉଁଥିରେ ମଣିଷ ସହିତ ମଣିଷର ଆତ୍ମୀୟତା ଜାତ ହୁଏ । ଏହି ମହତ ଗୁଣରେ ଫରାସୀ ସଭ୍ୟତା ପରକୁ ବି ଆପଣାର କରିପାରେ ।

 

ଫରାସୀ ସାହିତ୍ୟ ପ୍ରଧାନତଃ ମାନବ ମନର ସାଧାରଣ ଧର୍ମ ଉପରେ ଆଧାରିତ ବୋଲି ତାହା ସର୍ବଲୋକଗ୍ରାହ୍ୟ ଓ ସର୍ବଜନପ୍ରିୟ । ଫରାସୀ ସଭ୍ୟତାର ବୀଜ ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍’ କୌଣସି ଧର୍ମ ମତ ଉପରେ ପର୍ଯ୍ୟବସିତ ନୁହେଁ । ମାନବ ଚରିତ୍ରର ପ୍ରତ୍ୟକ୍ଷ ଜ୍ଞାନ ଉପରେ ଫରାସୀ ମନୋଭାବ ସୁରକ୍ଷିତ, ଏବଂ ସେହି ମନୋଭାବ ଫରାସୀ ସାହିତ୍ୟ ଗଠନରେ ପ୍ରଧାନତଃ ସହାୟକ ହୋଇଛି ଫରାସୀ ମନର ଆଖି ଚିର ଦିନ ଆଲୁଅ ଆଡ଼କୁ ଚାହିଁ ରହିଛି । ଦିନର ଆଲୁଅରେ ଯାହା ସ୍ପଷ୍ଟ ଦେଖାଯାଏ ନାହିଁ, ଫରାସୀ ମନ ସ୍ଵଭାବତଃ ତାହା ଦେଖିବାକୁ ଚାହେ ନା । ଫଳରେ ଯେଉଁ ମନୋଭାବ ଅସ୍ପଷ୍ଟ ଓ ଅସ୍ଫୁଟ ଓ ଯେଉଁ ସତ୍ୟ ଧରା ଦିଏ ନା, ଖାଲି ଆଭାସ ଓ ଇଙ୍ଗିତରେ ତାର ଆତ୍ମ–ପରିଚୟ ଦିଏ, ସେହି ଅନାବିଳ ମନୋଭାବ ଓ ସତ୍ୟର ଦର୍ଶନ ଫରାସୀ ସାହିତ୍ୟରେ ପ୍ରାୟ ବିରଳ କହିଲେ ଚଳେ । ଯାହା କେବଳ ମାତ୍ର କଳ୍ପନାର ଧନ, ସେଥିରୁ ଫରାସୀ ସାହିତ୍ୟ ବହୁ ପରିମାଣରେ ବଞ୍ଚିତ । ଅପର ପକ୍ଷରେ ଏହି ଆଲୋକପ୍ରିୟତାର ଫଳରେ ଫରାସୀ ସାହିତ୍ୟ ଅପୂର୍ବ ସ୍ଵଚ୍ଛତା ଓ ଉଜ୍ଜ୍ଵଳତାର ସ୍ଵାକ୍ଷର ବହନ କରିଛି । ଏପରି ସ୍ପଷ୍ଟଭାଷୀ ସାହିତ୍ୟ ୟୁରୋପରେ ଅଦ୍ଵିତୀୟ କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ ।

 

ଫରାସୀ ସାହିତ୍ୟ ଏତେ ସ୍ପଷ୍ଟଭାଷୀ ଯେ ସେହି ସାହିତ୍ୟର ଭାଷାରେ ଜଡ଼ତା କିମ୍ବା ଅସ୍ପଷ୍ଟତାର ଲେଶ ମାତ୍ର ନାହିଁ । ଯେଉଁ ବିଷୟରେ ଲେଖକର ପରିଷ୍କାର ଧାରଣା ଅଛି, ତାହା ଅତି ପ୍ରାଞ୍ଜଳ ଭାବରେ କହିବା ହେଉଛି ଫରାସୀ ସାହିତ୍ୟିକର ଏକମାତ୍ର ଧର୍ମ । ପାଣ୍ଡିତ୍ୟ ନ ଦେଖାଇ ଅସାଧାରଣ ବିଦ୍ୟା-ବୁଦ୍ଧିର ପରିଚୟ ଏକମାତ୍ର ଫରାସୀ ଲେଖକମାନେ ହିଁ ଦେଇ ପାରନ୍ତି । ଜ୍ଞାନ-ବିଜ୍ଞାନର ଐକାନ୍ତିକ ଚର୍ଚ୍ଚାରେ ଫରାସୀ ପଣ୍ଡିତମାନଙ୍କର ସାମାଜିକ ବୁଦ୍ଧି ଓ ରସ ଜ୍ଞାନ ନଷ୍ଟ ହୁଏ ନାହିଁ । ପ୍ରକୃତ ଦାର୍ଶନିକ କି ବୈଜ୍ଞାନିକ କେବଳ ମାତ୍ର ନିଜର ବ୍ୟବସାୟ ପାଇଁ ସତ୍ୟ ଆବିଷ୍କାର କରିବାରେ ବ୍ରତୀ ହୁଅନ୍ତି ନାହିଁ । ମାନବ ଜାତି ନିକଟରେ ସତ୍ୟ ପ୍ରକାଶ ଓ ପ୍ରଚାର କରିବା ହିଁ ତାଙ୍କର ସର୍ବ ପ୍ରଧାନ ଉଦ୍ଦେଶ୍ୟ । ସୁତରାଂ ଯେଉଁ ସତ୍ୟ ସେ ଆବିଷ୍କାର କରନ୍ତି, ତାହା ପରିଷ୍କାର ଭାବରେ ଅପରକୁ ଦେଖାଇ ଦେବା ଓ ବୁଝାଇଦେବା, ଯାହା ଜଟିଳ ତାକୁ ସରଳ ଓ ସୁଗମ କରିବା, ଯାହା କଠିନ ତାକୁ ସହଜ କରିବା ତାଙ୍କ ପକ୍ଷରେ ଏକାନ୍ତ କର୍ତ୍ତବ୍ୟ । ପଦିଏ କଥାରେ–ବୈଜ୍ଞାନିକ ପକ୍ଷରେ ଶିଳ୍ପୀ ଏବଂ ଜ୍ଞାନୀ ପକ୍ଷରେ ଗୁଣୀ ହେବା ଅତ୍ୟାବଶ୍ୟକ ।

 

ସଂସ୍କୃତ ଭଳି ଫରାସୀ ସାହିତ୍ୟ ପ୍ରଧାନତଃ ବସ୍ତବବୋଧୀ । ବାହ୍ୟ ଘଟଣା ଓ ସାମାଜିକ ମନ ନେଇ ଫରାସୀ ସାହିତ୍ୟର ଅସଲ କାରବାର । ଗୋଟିଏ କଥାରେ–ଫରାସୀ ଜାତିର ଦିବ୍ୟ ଦୃଷ୍ଟି ଅପେକ୍ଷା ବହିର୍ଦୃଷ୍ଟି ଓ ଅନ୍ତର୍ଦୃଷ୍ଟି ଯଥେଷ୍ଟ ବେଶୀ ତୀକ୍ଷଣ ଓ ପ୍ରଖର । ସେହି ଚକ୍ଷୁ ମଣିଷର ଭିତର ବାହାର ଉଭୟ ସମାନ ଭାବରେ ଦେଖି ପାରେ । ତେଣୁ ଫରାସୀ ସାହିତ୍ୟରେ ବ୍ୟବହାରିକ ସତ୍ୟର ଆଲୋଚନା ଓ ଚର୍ଚ୍ଚା ଅଧିକ ହୋଇଥାଏ–ଯାହା ଇନ୍ଦ୍ରିୟର ଅଗୋଚର ଓ ବୁଦ୍ଧିର ଅଗମ୍ୟ ତାର ସନ୍ଧାନ ଫରାସୀ ସାହିତ୍ୟରେ ମିଳେନା । ସୁତରାଂ ମାନବ–ସମାଜ, ମାନବ–ମନ ଓ ମାନବ–ଚରିତ୍ରର ଜ୍ଞାନ ଲାଭ ଓ ବର୍ଣ୍ଣନା କରିବା ଫରାସୀ ସାହିତ୍ୟର ମୁଖ୍ୟ ଉଦ୍ଦେଶ୍ୟ । ବୈଜ୍ଞାନିକ ଯେଉଁ ପଦ୍ଧତି ଅନୁସରଣ କରି ଜଡ଼ ବସ୍ତୁର ତତ୍ତ୍ଵ ନିର୍ଣ୍ଣୟ କରେ, ଫରାସୀ ସାହିତ୍ୟିକ ସେହି ମାର୍ଗ ଅନୁସରଣ କରି ମାନବ–ତତ୍ତ୍ଵ ନିର୍ଦ୍ଧାରଣ କରେ ।

 

ଫରାସୀ ସାହିତ୍ୟର ଦ୍ଵିତୀୟ ବିଶେଷତ୍ୱ ହେଉଛି ତାର କଳା ନୈପୁଣ୍ୟ । ସେହି କଳା ପୁଣି କାଳ୍ପନିକ ନୁହେଁ, ଉଚ୍ଚାଙ୍ଗ । ଏହି କଳାର ଅଲୌକିକ ଗୁଣରେ ଫରାସୀ ରଚନା ଆଧୁନିକ ୟୁରୋପୀୟ ସାହିତ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି । ତା ମୂଳରେ ରହିଛି ଫରାସୀ ଲେଖକମାନଙ୍କର ଐକ୍ୟ ସାଧନ ଓ କାୟମନୋବାକ୍ୟରେ ଏକ ଆଦର୍ଶ ରୀତିର ଗଠନ । ତାହା ଛଡ଼ା ପ୍ରାଚୀନ ଫରାସୀ ଲେଖକଙ୍କ ରଚନାରେ ମଧ୍ୟ ସଂସ୍କାର ମୂଳକ ବ୍ୟଙ୍ଗ ଦେଖାଯାଏ । କିନ୍ତୁ ପ୍ରସ୍‍ପାର ମେରୈମେଙ୍କ ଠାରୁ ଫରାସୀ ଗପ ସମାଜ ଚେତନା ଗଠନ କରି ସୌନ୍ଦର୍ଯ୍ୟବାଦକୁ ମୁଖ୍ୟ ବୋଲି ବରଣ କରି ନେଇଛି । ‘କଳା ପାଇଁ କଳା’ ହେଉଛି ଫରାସୀ ସାହିତ୍ୟର ମନ୍ତ୍ରବାଣୀ । ଫରାସୀମାନେ କଦାପି ମୁଖ ବିକୃତ କରି ନିଜକୁ କୁତ୍ସିତ କରନ୍ତି ନାହିଁ । ଯେତେବେଳେ କାନ୍ଦନ୍ତି, ସେତେବେଳେ ସେମାନେ ଗୋପନରେ ଲକ୍ଷ୍ୟ ରଖି ଥାଆନ୍ତି ମୁଖ-ଭଙ୍ଗୀ ସୁନ୍ଦର ହେଉଛି କି ନା ।

 

ଊନବିଂଶ ଶତାବ୍ଦୀରେ ଫ୍ରାନ୍‍ସ ନିରବଚ୍ଛିନ୍ନ ଶାନ୍ତି ଉପଭୋଗ କରି ନାହିଁ–ଅନ୍ତର୍ବିପ୍ଲବ ଓ ବହିଃଶତ୍ରୁର ଆକ୍ରମଣରେ ଫ୍ରାନସ୍ ବାରମ୍ଵାର ପୀଡ଼ିତ ଓ ବିଧ୍ୱସ୍ତ ହୋଇଛି, ଅଥଚ ଏହି ଅଶାନ୍ତି ଓ ଉପଦ୍ରବର ମଝିରେ ବି ଫ୍ରାନ୍‍ସ ମାନବ ଜୀବନର ପ୍ରତି କ୍ଷେତ୍ରରେ ନବ ନବ ଉନ୍ମେଷଶାଳିନୀ ବୁଦ୍ଧିର ପରିଚୟ ଦେଇ ଆସିଛି । ବିଜ୍ଞାନ କ୍ଷେତ୍ରରେ ପାସ୍ତୁର ଓ ଦର୍ଶନ କ୍ଷେତ୍ରରେ ବେର୍ଗସ ଯେପରି ଯୁଗ ପ୍ରବର୍ତ୍ତକ ମହାପୁରୁଷ, ସାରସ୍ଵତ କ୍ଷେତ୍ରରେ ସେହିପରି ହୁଗୋ, ଭଲ୍‍ଟେୟାର, ଗୋତିୟେ, ମୋପାସା ପ୍ରମୁଖ ଶକ୍ତିଶାଳୀ ସାହିତ୍ୟିକ ମାନଙ୍କର ନାମ ୟୁରୋପର ଶିକ୍ଷିତ ସମାଜ ନିକଟରେ ଆଦୌ ଅବିଦିତ ନୁହେଁ ।

 

ପୃଥିବୀରେ ଛୋଟ ଗପ କ୍ଷେତ୍ରରେ ଫରାସୀ ସାହିତ୍ୟ ସର୍ବୋଚ୍ଚ ଆସନ ଅଧିକାର କରିଛି । ଛୋଟ ଗପ କହିଲାମାତ୍ରେ କେବଳ ଫରାସୀ ଗପକୁ ହିଁ ବୁଝାଏ, ଏହା ତିଳେ ହେଲେ ଅତିରଞ୍ଜନ ନୁହେଁ । ଏତେ ଅଧିକ ସଂଖ୍ୟକ ଉଚ୍ଚ ଶ୍ରେଣୀର କଥାକାର ଅନ୍ୟ କୌଣସି ସାହିତ୍ୟରେ ନାହାନ୍ତି । ଫରାସୀ ପ୍ରତିଭା ଛୋଟ ଗପରେ ବିଶେଷ ପ୍ରତିଷ୍ଠା ଅର୍ଜନ କରିଛି । ସେହି ଗପଗୁଡ଼ିକ ପୁଣି ଆଙ୍ଗିକ, ଆୟତନ, ଭାବ ଓ ରୂପାୟନରେ ଏତେ ନିଖୁଣ ଯେ ପୃଥିବୀ ସମକ୍ଷରେ ସେସବୁ ବିସ୍ମୟକର, ପଥ–ପ୍ରଦର୍ଶକ ଓ ପ୍ରେରଣାର ଅଫୁରନ୍ତ ଉତ୍ସ । ଫରାସୀ ଗପ ସର୍ବଜନ ଉପଭୋଗ୍ୟ ହେବାର ପ୍ରଧାନ କାରଣ ହେଉଛି ତାର ଘଟଣା–ମୁଖରତା, ସ୍ପଷ୍ଟତା ଓ ଉଜ୍ଜ୍ୱଳତା । ଘଟଣାର ସଂହତି, ଅଲୌକିକ ସୌନ୍ଦର୍ଯ୍ୟ ବୋଧ, ନିର୍ମଳ ଆବରଣ, ଭାଷାର ଦୀପ୍ତି ଓ ଭାବର ବୈଚିତ୍ର୍ୟ ତଥା କଥାବସ୍ତୁରେ ଅପୂର୍ବ କଳା–ଚାତୁର୍ଯ୍ୟ ଓ ସୂକ୍ଷ୍ମ ମାଧୁର୍ଯ୍ୟ ଫରାସୀ ଗପ–ସାହିତ୍ୟର ବିସ୍ମୟକର ଦାନ-। ମୋଟ ଉପରେ ଫରାସୀ ଗପର ମୂଳ ଓ ମୁଖ୍ୟ ଦାୟିତ୍ୱ ହେଲା ସୌନ୍ଦର୍ଯ୍ୟର ସୃଷ୍ଟି ।

 

ଅଷ୍ଟାଦଶ ଶତାବ୍ଦୀରେ ସ୍ଵୈରାଚାରୀ ଚତୁର୍ଦ୍ଦଶ ଲୁଇଙ୍କ ଶାସନର ପ୍ରତିକ୍ରିୟା ସ୍ୱରୂପ ଫରାସୀ ଜୀବନ ଯାତ୍ରାରେ ଯୁକ୍ତିବାଦର ଉତ୍ତାଳ ତରଙ୍ଗ ଦେଖା ଦେଇଥିଲା । ତହିଁ ସଙ୍ଗେ ସଙ୍ଗେ ଦାର୍ଶନିକ ଓ ଆଧ୍ୟାତ୍ମିକ କାହାଣୀର ଅଭ୍ୟୁଦୟ ହେଲା । ବିଶ୍ଵ ବରେଣ୍ୟ ସାହିତ୍ୟିକ, ଦାର୍ଶନିକ ଓ ଚିନ୍ତାନାୟକ ଆରିୟେତ୍ ଦ୍ୟ ଭଲ୍ଟେୟାରଙ୍କ (୧୬୯୪) ସ୍ୱରଚିତ ଅନବଦ୍ୟ ଗପର ସମ୍ଭାର ଭିତରେ ଏହି ଯୁକ୍ତିବାଦ ଓ ଆତ୍ମ–ବିଶ୍ଵାସର ସ୍ଵର ଅନୁରଣିତ ହେଲା । ତାଙ୍କର ପ୍ରତ୍ୟେକ ଗପ ସଂଘାତମୟ ଜୀବନର ଗୋଟିଏ ଗୋଟିଏ ଅସାମାନ୍ୟ ରୂପାୟନ । ଗପଗୁଡ଼ିକର ଚରିତ୍ର ତାଙ୍କର ସୁଦୃଢ଼ ଆଦର୍ଶର ଧାରକ ଓ ବାହକ–ବୁଦ୍ଧିଦୀପ୍ତ ଚେତନାରେ ସେସବୁ ସମୁଜ୍ଜ୍ଵଳ । ‘ଭଲ ଲାଗି ମନ୍ଦ’ ଗପଟି ସେହି ପରିଚୟ ବହନ କରିଛି । ପ୍ୟାରୀରେ ‘ୟାବି’–ମାନଙ୍କର କେତୋଟି ସଂଘ ଥିଲା । କୌଣସି ସରାଇଖାନାରେ କିମ୍ଵା ଅଭିନେତ୍ରୀର ଆଳୟରେ ସେସବୁର ବୈଠକ ପ୍ରାୟ ବସୁଥିଲା । ରୂପସୀ ଶ୍ରୀମତୀ ଡାଫ୍ରେସନଙ୍କ ଘରେ ଏହିପରି ଏକ ବିଶିଷ୍ଟ ସଂଘର ବୈଠକରେ ସଭ୍ୟମାନଙ୍କ ଦ୍ୱାରା ରଚିତ ଗପସବୁ ପ୍ରାୟ ପଠିତ ହେଉଥିଲା । ସେହି ସଂଘର ସଭାପତି ଥିଲେ ‘ଚିଠି’ ଗପର ରଚୟିତା କୋମତ୍ ଦ୍ୟୁ କେଲାସ (୧୬୯୨) । ତାଙ୍କର ପ୍ରଧାନ ରୋଗ ଥିଲା ପ୍ୟାରୀର ବସ୍ତିରେ ଅହରହ ଘୂରି ବୁଲିବା । ତେଣୁ ତାଙ୍କର ଗପଗୁଡ଼ିକରେ ସ୍ଥାନୀୟ ବସ୍ତି ଜୀବନର ଛବି ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି ।

 

ଊନବିଂଶ ଶତାବ୍ଦୀର ଉନ୍ମେଷରେ ଆଧୁନିକ ଗପ ସାହିତ୍ୟର ମୂଳଭିତ୍ତି ପତ୍ତନ ହେଲା । ବିଜ୍ଞାନର ଅପୂର୍ବ ଜୟଯାତ୍ରା ସହିତ ଶିଳ୍ପ ବିପ୍ଳବ ସଂଘଟିତ ହେଲା । ଠିକ୍ ସେତିକିବେଳେ ଫରାସୀ ସାହିତ୍ୟରେ ଦେଖା ଦେଇଥିଲା ତଥାକଥିତ କଳ୍ପନା–ପ୍ରବଣ ଆନ୍ଦୋଳନ । ତାର ପୁରୋଭାଗରେ ଥିଲେ ଭିକ୍ଟର ହୁଗୋ, ବେଦଲେୟାର, ଡମା, ମୃସ୍ ସେ, ସାଁ ପ୍ରମୁଖ ପ୍ରଖ୍ୟାତ କବିଗଣ । ଅତୀତ ପ୍ରତି ଥିଲା ସେମାନଙ୍କର ଉପେକ୍ଷା ଏବଂ ଅଜ୍ଞାତ ଭବିଷ୍ୟତ ପ୍ରତି ପ୍ରବଳ ଶ୍ରଦ୍ଧା ଓ ଆଶା । ବାସ୍ତବିକ ଫରାସୀ ବିପ୍ଳବ ପରେ ଦେଶରେ ଯେଉଁ ଅନ୍ଧକାର ଯୁଗ ଆସିଲା ୧୮୩୦ ଖ୍ରୀଷ୍ଟାବ୍ଦରେ ଏକ ସଫଳ ବିପ୍ଳବ ହେତୁ ତାହା ଦୂରୀଭୂତ ହେଲା । ହୁଗୋଙ୍କ (୧୮୦୨) ରଚନାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର କଲ୍ୟାଣକର ବିବର୍ତ୍ତନରେ ସାହାଯ୍ୟ କରିବା । ଶାଲ ବୋଦଲେୟାର (୧୮୨୧) ନିଜେ ଜାଣି ନ ଥିଲେ ସ୍ଵଲିଖିତ ଶତାଧିକ ଗପକୁ ନେଇ ସେ କଣ କରିବେ । ତାଙ୍କର ମୃତ୍ୟୁ ପରେ ଅବଶ୍ୟ ସେସବୁ ଗ୍ରନ୍ଥାକାରରେ ପ୍ରକାଶିତ ହୋଇଥିଲା । ‘ଦଉଡ଼ି’ ଗପଟି ସହର ଜୀବନର ଏକ ମର୍ମାନ୍ତିକ ଘଟଣାର ନଗ୍ନ ଚିତ୍ର କିମ୍ବା ଏକ ବୃହତ୍ ନଗରୀର ଅନ୍ତରର ଉନ୍ମୁକ୍ତ ଉଦ୍‍ଘାଟନ । ମାତ୍ର ତେୟୋଫିଲ ଗୋତିୟେ (୧୮୧୧) ଥିଲେ ସମ୍ପୂର୍ଣ୍ଣ ଆତ୍ମ–କେନ୍ଦ୍ରିକ । ତାଙ୍କୁ କୋଡ଼ିଏ ବର୍ଷ ବେଳେ ତାଙ୍କର ପ୍ରଥମ କବିତା–ଗୁଚ୍ଛ ଓ ଚବିଶ ବର୍ଷ ବେଳେ ପ୍ରଥମ ଉପନ୍ୟାସ ପ୍ରକାଶିତ ହୋଇଥିଲା । ବାହ୍ୟିକ ଓ ଦର୍ଶନୀୟ ସଂସାରର ସେ ଜଣେ ପ୍ରତିଷ୍ଠିତ କବି–ତାଙ୍କର ଶୈଳୀ ସ୍ୱଚ୍ଛ, ଆଳଙ୍କାରିକ ଓ ଭାବୋଦ୍ଦୀପକ । ତାଙ୍କର ଛୋଟ ଗପଗୁଡ଼ିକ ବିଦେଶୀୟ ଓ ବିଶେଷ ମାର୍ଜିତ ଧରଣର ସାହିତ୍ୟକ କୃତି । ଆଲଫୋଁସ ଦୋଦେ (୧୮୪୦) ଥିଲେ ଏକାଧାରରେ କବି, ଗାଳ୍ପିକ ଓ ଔପନ୍ୟାସିକ । ‘ଗୁପ୍ତଚର’ ତାଙ୍କର ଏକ ଜନପ୍ରିୟ ଗପ । ‘ସ୍ଵର୍ଗସୁଖ’ର ରଚୟିତ ଏମିଲି ଜୋଲା(୧୮୪୦) ନିଜକୁ ଏକ ପ୍ରାକୃତିକ ଶକ୍ତି କିମ୍ଵା ଅତି–ମାନବିକ ଉତ୍ପାଦକ ଯନ୍ତ୍ର ଭାବରେ ପ୍ରତିପାଦନ କରିଛନ୍ତି । ପ୍ରତି ବର୍ଷ ନିଜର ତୀକ୍ଷଣ ଲେଖନୀରେ ସେ ପ୍ରାୟ ଖଣ୍ଡିଏ ଲେଖାଏଁ ଉପନ୍ୟାସ ରଚନା କରୁଥିଲେ । ନିଜର ଯଶ ଓ ସମ୍ପଦ ସମ୍ବନ୍ଧରେ ସେ କୌଣସି ବିଷୟ ଗୁପ୍ତ ରଖୁ ନ ଥିଲେ । କାରଣ ସେ ବଡ଼ ରୁକ୍ଷ ଥିଲେ । ନିଜର କିମ୍ଵା ଅପରର କୈଣସି ବିଷୟ ତାଙ୍କର ଦୃଷ୍ଟି ପଥାରୁଢ଼ ହେଲା କ୍ଷଣି ସେ ତାହା ଅବିଳମ୍ବେ ନିର୍ମମ ଭାବରେ ଲିପିବଦ୍ଧ କରୁଥିଲେ । ଆନାତୋଲ ଫ୍ରାଁସ(୧୮୪୪) ଜଣେ ସଚୋଟ ସାହିତ୍ୟିକ ଥିଲେ । ଚାଳିଶ ବର୍ଷରୁ ଅଧିକ କାଳ ଅମର ଲେଖନୀ ବଳରେ ଶିକ୍ଷିତ ନାସ୍ତିକବାଦର ଦର୍ଶନରେ ସେ ନିଜର ସମସ୍ତ ଉପନ୍ୟାସ ଓ ଗପ ମଣ୍ଡନ କରିଥିଲେ-। ‘ବାଜିକର’ ହେଉଛି ଏକ ଚମତ୍କାର ମଧ୍ୟ–ଯୁଗୀୟ ପରାସୀ କାହାଣୀର ପୁନଃକଥନ ।

 

ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ପ୍ରଥମ ମହାଯୁଦ୍ଧର ପୂର୍ବ ପର୍ଯ୍ୟନ୍ତ ଫରାସୀ ଛୋଟ ଗପର ସୁବର୍ଣ୍ଣ ଯୁଗ । ଅବ୍ୟାହତ ଯନ୍ତ୍ର ଓ ବିଜ୍ଞାନର ନବ ନବ ଆବିଷ୍କାରରେ ଏହି ଯୁଗ ଯେମିତି ସମୃଦ୍ଧତର, ଠିକ୍ ସେମିତି ଛୋଟ ଗପରେ ହିଁ ଶ୍ରେଷ୍ଠତର । କିନ୍ତୁ ବିଜ୍ଞାନ ଓ ଯନ୍ତ୍ର ପ୍ରକୃତ କଲ୍ୟାଣ ଆନୟନରେ ଆପାରଗ ହେବାରୁ ପୁଣି ଚାଲିଲା ମୁକ୍ତିର ପ୍ରଚେଷ୍ଟା । କଥା–ସାହିତ୍ୟରେ ବି ଏହାର ପ୍ରବେଶ ଘଟିଲା । ଗ୍ୟଦି ମୋପାସାଁଙ୍କ (୧୮୫୦) ହାତରେ ଆଧୁନିକ ଛୋଟ ଗପ ଉତ୍କର୍ଷତା ଲାଭ କଲା । ତାଙ୍କ ପୂର୍ବରୁ ପ୍ରସପାର ମେରେମେ (୧୮୦୩) ଓ ବାଲଜାକ (୧୭୯୯) ସମେତ ବହୁ ବିଶିଷ୍ଟ ସାହିତ୍ୟିକ ଯଥେଷ୍ଟ ସାର୍ଥକ ଛୋଟ ଗପ ଲେଖିଥିଲେ । କିନ୍ତୁ ରୂପାୟନକଳା ଦିଗରୁ ସେଗୁଡ଼ିକ ମୋପାସାଁଙ୍କର ଉଜ୍ଜ୍ଵଳ କୃତି ପରି ନୁହେଁ । ମୋପାସାଁଙ୍କ ଗପର ବୈଶିଷ୍ଟ୍ୟ ବାହ୍ୟିକ ଚାକଚକ୍ୟରେ ନିହିତ ନୁହେଁ, ମାତ୍ର ସୁଠାମ ଭଙ୍ଗୀରେ । ତାଙ୍କ ଗପର ଔଜ୍ଜ୍ଵଲ୍ୟ ଆଖି ଝଲସାଇ ଦିଏ ନାହିଁ, ମାତ୍ର ମନ ପରିତୃପ୍ତ କରେ । ତାଙ୍କର ପ୍ରାୟ ସବୁ ଗପର ମୂଳ ଅତ୍ୟନ୍ତ ସରଳ, ବୁଦ୍ଧି–ଦୀପ୍ତ ବା ଭାବୋଦ୍ଦୀପକ ନୁହେଁ । ଘଟଣାର ଉପସ୍ଥାପନାରେ ଗୋଟାଏ ସ୍ଵାଭାବିକ ଆକର୍ଷଣ ଅଛି, ଯାହା ଦ୍ଵାରା ପାଠକ ଆକୃଷ୍ଟ ନ ହୋଇ ରହି ପାରିବ ନାହିଁ । ସେଥିପାଇଁ ସକଳ ସ୍ତରର ମଣିଷକୁ ତାହା ଆନନ୍ଦ ଦେଇପାରେ । ସୁଦୃଢ଼ କଥାବସ୍ତୁ, ପରିଚିତ ଘଟଣା, ସାଧାରଣ ଆରମ୍ଭ ଓ ବିସ୍ମୟକର ପରିଣତି ଉପରେ ପ୍ରତିଷ୍ଠିତ କେତୋଟି ସୁସ୍ପଷ୍ଟ ଓ ସ୍ଵାଭାବିକ ରେଖାଙ୍କନ ତାଙ୍କ ଗପର ଗତିକୁ ଦ୍ରୁତ କରିଦିଏ । ଆଜି କେବଳ ଫରାସୀମାନେ ନୁହନ୍ତି, ବିଶ୍ଵ ବ୍ରହ୍ମାଣ୍ଡ ସ୍ୱୀକାର କରେ ଯେ ମୋପାସା ହିଁ ଛୋଟ ଗପର ଆବିଷ୍କର୍ତ୍ତା । ଛୋଟ ଗପରେ ସେ ହେଉଛନ୍ତି ଆଦି ଗପ–ଗୁରୁ ବାଲ୍ମୀକି । ସେ ହିଁ ପ୍ରଥମେ ଦେଖାଇ ଦେଲେ, ଦୀର୍ଘ ଉପନ୍ୟାସ ରଚନା ନ କରି ବି ପାଠକଙ୍କୁ କିପରି ଭାବରେ କଥା–ରସରେ ଆପ୍ଳୁତ କରାଯାଏ । ‘ହନ୍ଦ୍ଵଯୁଦ୍ଧ’ ସେହି ଶାଶ୍ଵତ କଳାର ଏକ ମହନୀୟ ନିଦର୍ଶନ ।

 

ସୁପ୍ରସିଦ୍ଧ ସାହିତ୍ୟିକ ଓ ଅସ୍ତିବାଦ ଆନ୍ଦୋଳନର ଅଗ୍ରଗାମୀ ନେତା ଜାଁ–ପଲ ସାର୍ତର (୧୯୦୬) ଖ୍ରୀଷ୍ଟୀୟ ଧର୍ମ–ବିଶ୍ଵାସର ଘୋର ବିରୋଧୀ । ଗତ ମହାଯୁଦ୍ଧ ବେଳେ ତାଙ୍କର ‘ସତ୍ ଓ ଅସତ୍’ ନାମକ ଦୁରୂହ ଓ ଗୁରୁତ୍ଵପୂର୍ଣ୍ଣ ଦାର୍ଶନିକ ଗ୍ରନ୍ଥ ପ୍ରକାଶିତ ହେଲା କ୍ଷଣି ସାର୍ତର ଏ ଯୁଗର ଅନ୍ୟତମ ମହତ୍ ଚିନ୍ତା–ନାୟକ ଓ ଦାର୍ଶନିକ ରୂପେ ସ୍ଵୀକୃତ ହେଲେ । ତାପରେ ନାନା ଦାର୍ଶନିକ ଗ୍ରନ୍ଥ, ନାଟକ ଓ ପତ୍ରିକା ମାଧ୍ୟମରେ ସେ ନିଜର ନୂତନ ମତବାଦ ପ୍ରଚାର କରିବାକୁ ଲାଗିଲେ । କେତେ ବର୍ଷ ଭିତରେ ତାଙ୍କର ଜନପ୍ରିୟତା ଓ ପ୍ରଭାବ ଅତ୍ୟାଶ୍ଚର୍ଯ୍ୟଭାବରେ ବୃଦ୍ଧି ପାଇଲା । ତାଙ୍କ ମତରେ, ମାନବୀୟ ଜୀବନରେ କୌଣସି ଲୋକାତୀତ ତାତ୍ପର୍ଯ୍ୟ ବା ଉଦ୍ଦେଶ୍ୟ ନାହିଁ । ବିଜ୍ଞାନବାଦୀ ଓ ସାମ୍ୟବାଦୀମାନଙ୍କର ଲୌକିକ ସ୍ୱପ୍ନ ଓ ସୁଖବାଦ ମଧ୍ୟ ତାଙ୍କ ମତରେ ଅସାର “ମଣିଷ ମୃତ୍ୟୁ ଓ ଶୂନ୍ୟତା ଅଭିମୁଖରେ ଧାବିତ ହେଉଛି । ଧର୍ମବିଶ୍ଵାସ କିମ୍ଵା ସାମ୍ୟବାଦ ତଳେ ଆଶ୍ରୟ ନେଇ ସେ ନିଜକୁ ଖାଲି ପ୍ରତାରଣା କରେ । ଏହି ଚରମ ନୈରାଶ୍ୟର ସମ୍ମୁଖୀନ ହୋଇ ଯେଉଁ ମଣିଷ ପ୍ରକୃତରେ ନିଜର ଉଦ୍ଦେଶ୍ୟହୀନ ଅସ୍ତିତ୍ଵର ଗୋଟାଏ ମୂଲ୍ୟ ଅନୁସନ୍ଧାନ କରେ, ତାକୁ ସର୍ବାଗ୍ରେ ନିର୍ଭୀକ ଭାବରେ ସେହିସବୁ ପ୍ରଚଳିତ ମତବାଦର ଅଳୀକତା ସ୍ଵୀକାର କରିବାକୁ ହେବ । ନିଜ ନିଜର ବ୍ୟକ୍ତିସତ୍ତାର ସ୍ଵାତନ୍ତ୍ର୍ୟ ଓ ମାନବୀୟ ପୌରୁଷର ଅଭିବ୍ୟକ୍ତିରେ ତା ଜୀବନର ଗୋଟିଏ ମାତ୍ର ମୂଲ୍ୟବତ୍ତା ନିହିତ ରହିଛି ।” ସର୍ତରଙ୍କର ଏହି ନେତମୂଳକ ଜୀବନ ଦର୍ଶନର ଜନପ୍ରିୟତା ପଛରେ ଫରାସୀ ଜନସାଧାରଣଙ୍କର ବ୍ୟାପକ ହତାଶା ଓ ଅସ୍ଥିରତାର ଭାବ ଥିଲା । ତାହା ଛଡ଼ା ସେ ସକଳ ସାମାଜିକ ଓ ରାଷ୍ଟ୍ରନୀତିକ ଆଦର୍ଶ ଓ ମତବାଦ ତୀବ୍ର ଭାବରେ ସମାଲୋଚନା ଓ ନିନ୍ଦା କରୁଥିଲେ ବୋଲି ମହାଯୁଦ୍ଧର ଅବସାନ ସଙ୍ଗେ ସଙ୍ଗେ ବହୁ ଫରାସୀ ନରନାରୀ ତାଙ୍କର ଏହି ଭାଙ୍ଗିବା ମନୋଭାବରେ ବିଶ୍ୱାସୀ ହୋଇଗଲେ ଓ ଅସ୍ତିବାଦୀ ଦର୍ଶନ ସମ୍ବନ୍ଧରେ ଅନେକ ଲୋକ କିଛି ବୁଝି ନ ପାରିଥିଲେ ସୁଦ୍ଧା, ମନର ଗ୍ଳାନି ଓ ହତାଶାର ତାଡ଼ନାରେ ତାଙ୍କର ଶିଷ୍ୟତ୍ଵ ସ୍ଵୀକାର କରୁଥିଲେ । ବିଜ୍ଞାନ ଉପରେ ଯେଉଁମାନେ ଦିନେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରିଥିଲେ କିମ୍ଵା ସାମ୍ୟବାଦକୁ ଯେଉଁମାନେ ଦିନେ ଧର୍ମ ରୂପେ ଗ୍ରହଣ କରିଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ବିଜ୍ଞାନ ବା ସାମ୍ୟବାଦ ସମ୍ବନ୍ଧରେ ସେମାନଙ୍କର ଆସ୍ଥା ହରାଇ ଅସ୍ତିବାଦ ଭିତରେ ସାମୟିକ ଭାବରେ ଆଶ୍ରୟ ଲୋଡ଼ିଥିଲେ । ତାଙ୍କ ରଚନାବଳୀର ରୁଢ଼ତା ଓ ଅଶ୍ଳୀଳତା ଏବଂ ତାଙ୍କର ଉଗ୍ରବ୍ୟକ୍ତି ସ୍ଵାତନ୍ତ୍ର୍ୟ ଅନେକଙ୍କୁ ଅତିଷ୍ଠ କରି ପକାଇଛି । ତାଙ୍କ ଉସନ୍ୟାସ ଓ ଗପରେ ଜୀବନବୋଧ ବିଚିତ୍ର ରୂପେ ପ୍ରସ୍ଫୁଟିତ ହୋଇଛି । କୌତୁକାନ୍ୱିତ ସଂଶୟ, ସମ୍ଭୋଗପୃଷ୍ଟ ବୈଦଗ୍‍ଧ, ନିଃଶଙ୍କ ଜୀବନ-ଜିଜ୍ଞାସା ଏବଂ ତତୋଧିକ ନିଃଶଙ୍କୋଚ ପ୍ରକାଶର ସାମର୍ଥ୍ୟ ତାଙ୍କର ପରିଣତ ରଚନାବଳୀକୁ ସତ୍ ସାହିତ୍ୟର ପର୍ଯ୍ୟାୟଭୁକ୍ତ କରି ପାରିଛି । ଏହି ଗ୍ରନ୍ଥରେ ସଂଯୋଜିତ ‘କକ୍ଷ’ ଗପଟି ତାର ସମ୍ୟକ୍ ପରିଚୟ ଦିଏ । ୧୯୬୪ ସାଲରେ ନୋବେଲ ପୁରସ୍କାରର ଅଧିକାରୀ ହୋଇଥିଲେ ସୁଦ୍ଧା ସେ ତାହା ଅବିଳମ୍ବେ ପ୍ରତ୍ୟାଖ୍ୟାନ କରିଥିଲେ ।

 

ଫ୍ରାନ୍‍ସ ବିଳାସ ବ୍ୟସନର କେନ୍ଦ୍ରସ୍ଥଳୀ ହେଲେ ସୁଦ୍ଧା ବିଶ୍ଵ ସାହିତ୍ୟକୁ ଫରାସୀ କଥାକାରମାନଙ୍କର ଦାନ ଊଣା ନୁହେଁ । ସେହି ଅଫୁରନ୍ତ ଭଣ୍ଡାରରୁ ତିନିଜଣ ନୋବେଲ ପୁରସ୍କାରଧାରୀଙ୍କ ସମେତ ଷୋହଳ ଜଣ ବିଶିଷ୍ଟ ସାହିତ୍ୟିକଙ୍କର ନିର୍ବାଚିତ ଗପର ଅନୁବାଦ ଏହି ଗ୍ରନ୍ଥରେ ସନ୍ନିବେଶିତ ହୋଇଛି । ଏଥିରେ ନମୁନା କିମ୍ବା କାଳର ବିଭାଜନ ନାହିଁ । ସେସବୁ ନିଜେ ନିଜର ପ୍ରକୃଷ୍ଟ ପରିଚୟ ଦେବେ । ବିବିଧ ବୈଚିତ୍ର୍ୟ ଓ କଳା–ନୈପୁଣ୍ୟରେ ପରିପୂର୍ଣ୍ଣ ପ୍ରତ୍ୟେକଟି ଗପ ପାଠ କଲେ ହୃଦୟରେ ଅପୂର୍ବ ପୁଲକ ଜାତ ହୁଏ । ଅଧୁନା କର୍ମବ୍ୟସ୍ତ ମଣିଷ ପକ୍ଷରେ ସୁଦୀର୍ଘ ଉପନ୍ୟାସ ପଠନ ସମ୍ଭବ ନୁହେଁ ବୋଲି ପୃଥିବୀର ଛୋଟ ଗପର ଆଦର କ୍ରମେ କ୍ରମେ ବୃଦ୍ଧି ପାଉଛି ।

 

ଅନୁବାଦ କାର୍ଯ୍ୟରେ ଛୋଟ ଗପର ପ୍ରାଣକେନ୍ଦ୍ର ନିଜସ୍ଵ ରଚନା ଭଙ୍ଗୀ ଅକ୍ଷୁଣ୍ଣ ରଖିବାକୁ ଯଥା ସମ୍ଭବ ଯତ୍ନ କରିଛି–କୌଣସି ଅଂଶ ସଂଯୋଜନ କିମ୍ବା ବିକଳନ କରି ନା–ହିଁ । ଫରାସୀ ସହିତ୍ୟରେ ଅଗଣିତ ଉଚ୍ଚାଙ୍ଗ ଗପ ଭରପୂର ଅଛି । ତେଣୁ ସମ୍ପାଦକର ଦାୟିତ୍ଵ ଏ କ୍ଷେତ୍ରରେ ବିଶେଷ ଗୁରୁତର । ଯେଉଁ ଗପଗୁଡ଼ିକର ଆବେଦନ ଅନ୍ତରଙ୍ଗ ହେବାର ଯୋଗ୍ୟ ସେହିପରି କେତୋଟି ସରସ ଗପ ବିଶେଷ ଦକ୍ଷତା ସହକାରେ ନିର୍ବାଚିତ ଓ ଅନୁଦିତ ହୋଇଛି । ମାତ୍ର ସ୍ଥାନ ସଙ୍କୋଚନ ଦୃଷ୍ଟିରୁ ସମୟ ଶ୍ରେଣୀର ଲେଖକ ଏହି ସଂକଳନଟିରେ ସ୍ଥାନ ପାଇ ପାରିଲେ ନାହିଁ । ପରବର୍ତ୍ତୀ ଗ୍ରନ୍ଥରେ ସେମାନଙ୍କୁ ଯଥାଯଥ ଭାବରେ ଉପସ୍ଥାପିତ କରିବାର ବାସନା ଅବଶ୍ୟ ଅନ୍ତରରେ ପୋଷଣ କରିଛି ।

 

କଟକ

 

୫ ଡିସେମ୍ବର, ୧୯୬୪

ଲକ୍ଷ୍ମୀନାରାୟଣ ମହାନ୍ତି

☆☆☆

 

ଭଲ ଲାଗି ମନ୍ଦ

 

“କୌଣସି ଗୋଟିଏ ଖୁବ୍ ଭଲ କାମର ଅଜୁହାତରେ ଛୋଟ ମନ୍ଦ କାମଟିଏ ବି ଠିକ୍ ନୁହେଁ, ଏହା ଗୋଟାଏ ମିଥ୍ୟା ନୀତି ବାକ୍ୟ ।’’

 

ବିଖ୍ୟାତ ମହାପୁରୁଷ ସାଧୁ ଆଗଷ୍ଟାଇନଙ୍କର ଏହା ହିଁ ମତ । ସେ ସ୍ଵଲିଖିତ ଏକ ଭ୍ରମଣ କାହାଣୀରେ ତାହା ସ୍ପଷ୍ଟ ଭାବରେ ଲିପିବଦ୍ଧ କରିଛନ୍ତି–‘ଭଗବାନଙ୍କ ନଗରୀ’ ନାମକ ପୁସ୍ତକରେ ।

 

ହିପପୋରେ ଜଣେ ସାଧୁ ଥିଲେ । ସେ ଖ୍ରୀଷ୍ଟୀୟ ଭ୍ରାତୃ ସମ୍ପ୍ରଦାୟର ଜଣେ ବିଖ୍ୟାତ ପ୍ରତିଷ୍ଠାତା ଥିଲେ । ସେହି ଅଞ୍ଚଳର ସବୁ ସ୍ତ୍ରୀଲୋକଙ୍କର ମଧ୍ୟ ସେ ଧର୍ମପିତା ଥିଲେ । ଭଗବାନଙ୍କ ପ୍ରେରିତ ମହାପୁରୁଷ ବୋଲି ତାଙ୍କର ଯଥେଷ୍ଟ ସୁଖ୍ୟାତି ଥିଲା । ଭାଗ୍ୟ ଗଣନାରେ ବି ତାଙ୍କର ଅସାଧାରଣ ଜ୍ଞାନ ଥିଲା ।

 

ଦିନେ ଝିଅଟିଏ ତାଙ୍କ ପାଖକୁ ଆସିଲା । ତାହାର ନାମ ହେଉଛି କୋଜି ସ୍ୟାଂଟା । ସେହି ସାରା ମୁଲକରେ ଏମିତି ସୁନ୍ଦରୀ ଝିଅ ଆଉ ନ ଥିଲେ । ଝିଅଟିର ବାପ ମାଆ ଖାଣ୍ଟି ଧାର୍ମିକ-। ଝିଅଟିକୁ ସେମାନେ ସେହି ରାତିରେ ଲାଳନ ପାଳନ କରିଥିଲେ । ଅନେକ ପ୍ରେମିକ ମଧୁ ସନ୍ଧାନରେ ଆସି ତାହାର ଚାରି ପଟେ ଘୂରି ବୁଲିଲେ, କିନ୍ତୁ ଶିକ୍ଷା ଗୁଣରୁ ସେ କେବେ ହେଲେ ନିଜକୁ କାହାରି ଠାରେ ହରାଇ ଦେଲା ନାହିଁ । କେତେ ଦିନ ତଳେ କ୍ୟାପିଟୋ ନାମକ ଜଣେ ହାଡ଼ ବାହାରିଥିବା ବୁଢ଼ା ସାଙ୍ଗରେ ତାହାର ବିବାହ ହେବ ବୋଲି ସମ୍ବନ୍ଧ ସ୍ଥିର ହୋଇଗଲା । ସେ ଅବଶ୍ୟ ହିପପୋରେ ଜଣେ ବିଖ୍ୟାତ ଆଇନଜୀବୀ । ସେ ଜଣେ ଖିଟଖିଟିଆ ରୁକ୍ଷ ଲୋକ, କଥାବାର୍ତ୍ତା ଯେ ଖାଲି ଅପ୍ରୀତିକର ସେତିକି ନୁହେଁ, ତାହା ଛଡ଼ା ସେ ଜଣେ ପକ୍‍କା ଚାଲବାଜ ଓ ଫଟକାର-। ତାହାର ମୁଖରେ ବିଷ ଓ ଅମୃତ ସମାନ ଭାବରେ ରହିଥିଲା । ସେ ଜଣେ ଭୟଙ୍କର ଈର୍ଷାପରାୟଣ ଲୋକ । ନିଜର ସ୍ତ୍ରୀର କୌଣସି ବନ୍ଧୁ ସହିତ ଭଲ ବ୍ୟବହାର କରିବା ତାହା ପକ୍ଷରେ ମରିଗଲେ ବି ଆଦୌ ସମ୍ଭବପର ନ ଥିଲା । କିନ୍ତୁ ଝିଅଟି ବିଚରା ସେହି ଲୋକଟିକୁ ଭଲ ପାଇବାକୁ ପ୍ରାଣ ପଣେ ଚେଷ୍ଟାକଲା । ସେ ତ ତାହାର ସ୍ଵାମୀ ହେବ । ସେ ମନ ପ୍ରାଣ ଢାଳି ଚେଷ୍ଟା କଲା ସତ, ମାତ୍ର କୌଣସି ମତେ ସେ ନିଜର ମନକୁ ମନାଇ ପାରିଲା ନାହିଁ ।

 

ସୁତରାଂ ସେ ତାହାର ସାଧୁ ବାବାଙ୍କ ପାଖକୁ ଜାଣିବାକୁ ଆସିଲା, ଏହି ବିବାହ ହେଲେ ଭଲ ହେବ କି ନା ।

 

ବୃଦ୍ଧ ଭବିଷ୍ୟତ୍ ବାଣୀ ଶୁଣାଇ କହିଲେ–“ତୁମର ଗୁଣ ଅନେକ ବିପଦ ଡାକି ଆଣିବ । ତୁମେ ତୁମର ସ୍ଵାମୀଙ୍କ ପ୍ରତି ତିନି ଥର ଅବିଶ୍ଵାସିନୀ ହେବ ଏବଂ ସେହି ସୂତ୍ରରେ ସାଧ୍ୱୀ ନାରୀର ମହିମା ଲାଭ କରିବ ।”

 

ଏହି କଥା ଶୁଣି ସରଳା କୋଜି ସ୍ୟାଂଟା ଏକବାରେ ଭାଙ୍ଗି ପଡ଼ିଲା । କାନ୍ଦି କାନ୍ଦି ସେ ସବୁ କଥା ତାକୁ ବୁଝାଇ ଦେବାକୁ କହିଲା । କିନ୍ତୁ ଏତିକି ମାତ୍ର ସେ ଜାଣି ପାରିଲା ଯେ ତିନି ଥରର ଅର୍ଥ ଜଣେ ଲୋକ ସାଙ୍ଗରେ ନୁହେଁ, ତିନି ଥର ତିନୋଟି ବିଭିନ୍ନ ଘଟଣାରେ ।

 

କୋଜି ସ୍ୟାଂଟା ଏଥିରେ ପ୍ରବଳ ଆପତ୍ତି ଉଠାଇଲା, ଏପରିକି ସେ ସାଧୁ ବାବାଙ୍କୁ ଅପମାନ କରିବାକୁ ବି ପଛାଇଲା ନାହିଁ–ନା, ସେ କଦାପି ଏପରି ସାଧ୍ୱୀ ହେବାକୁ ଚାହେ ନା ।

 

କିଛି ଦିନ ପରେ ଖୁବ୍ ଆଡ଼ମ୍ବରରେ ତାହାର ବିଭାଘର ହୋଇଗଲା । ମୁଖ ବୁଜି ସେ ପାଖଆଖର ସବୁ ଥଟା ପରିହାସ ଭୀରୁ ଲଜ୍ଜିତ ହୃଦୟରେ ସହ୍ୟ କଲା । କେତେ ଜଣ ସୁନ୍ଦର ଯୁବକଙ୍କ ସହିତ ସେ ରାତିରେ ନାଚିଲା ଏବଂ କଣ ଭାବି ଭୋରରୁ ଉଠି ପଡ଼ିଲା । ତାହାର ଚିନ୍ତାର କାରଣ ଅବଶ୍ୟ ପ୍ରଧାନତଃ ନିଜର ସ୍ଵାମୀ ନୁହେଁ, ରାଇବଲଡ଼ଜ ନାମକ ଆଉ ଜଣେ ଯୁବକ । କେତେ ବେଳୁ ଯେ ଏହି ତରୁଣଟି ତାହାର ମନ ଭିତରେ ରାଜ୍ୟ ବିସ୍ତାର କରି ସାରିଲାଣି, ତାହା ସେ ନିଜେ ବି ଜାଣି ପାରିଲା ନାହିଁ । ରାଇବଲଡ଼ଜ ଯେମିତି ସାକ୍ଷାତ କାମଦେବଙ୍କର ପ୍ରତିମୂର୍ତ୍ତି । ତାହାର ରୂପ ପ୍ରଣୟ–ପ୍ରସ୍ଫୁଟିତ ସରଳତାରେ ପରିପୂର୍ଣ୍ଣ–ସେ ଜଣେ ଲୀଳା–ଚତୁର ପ୍ରେମିକ ଯୁବକ-। ସେ କିଞ୍ଚିତ୍ ଖିଆଲୀ ସତ, କିନ୍ତୁ ତାହା ନିଜର ଦରଦୀ ବନ୍ଧୁମାନଙ୍କ ମଧ୍ୟରେ ସୀମାବଦ୍ଧ । ସମଗ୍ର ହିପପୋରେ ସେ ହେଉଛି ବକ୍ଷର ମାଣିକ । ତାହାରି ପାଇଁ ସହରର ସବୁ ସ୍ତ୍ରୀଲୋକଙ୍କ ଭିତରେ ଲାଗି ରହିଥିଲା କଳି–ତକରାଳ ଓ ମନୋମାଳିନ୍ୟ । ହଠାତ୍ ରାଇବଲଡ଼ଜ କାହାରି କାହାରି ପ୍ରେମରେ ପଡ଼ି ଯାଉଥିଲା, କେତେକ ପରିମାଣରେ ନିଜର ଖିଆଲ ବଶତଃ । ତେବେ ସେ କୋଜି ସ୍ୟାଂଟାକୁ ପ୍ରାଣ ଦେଇ ଭଲ ପାଇବାକୁ ଲାଗିଲା ଏବଂ ଜଣେ ଦୁର୍ଲଭ ନାରୀ ବୋଲି ସେ ତା ପାଇଁ କ୍ରମେ କ୍ରମେ ପାଗଳ ହୋଇଗଲା ।

 

ଜଣେ ବୁଦ୍ଧିମାନ ବ୍ୟକ୍ତି ଭଳି ସେ ପ୍ରଥମେ ନାନା ଦିଗରୁ କୋଜି ସ୍ୟାଂଟାର ସ୍ଵାମୀ ସହିତ ଭାବ ଜମାଇବାକୁ ଚେଷ୍ଟା କଲା । ସେ ତାହାର ଚେହେରା ଓ ତୀକ୍ଷଣ ବୁଦ୍ଧିର ଖୁବ୍ ପ୍ରଶଂସା କଲା, ତାଆସ ଖେଳରେ ବସି ସେ ଇଚ୍ଛା କରି ବରାବର ହାରିଲା ଏବଂ ନିତି ବିଶ୍ଵସ୍ତ ସୂତ୍ରରେ ତାକୁ ନିଜର ଗୋପନ କଥାସବୁ କହି ଯିବାକୁ ଲାଗିଲା । କୋଜି ସ୍ୟାଂଟା ମଧ୍ୟ ରାଇବଲଡ଼ଜ ପରି ଏମିତି ସୁନ୍ଦର ପୁରୁଷ କେବେ ଦେଖି ନ ଥିଲା । ସେ ନିଜେ ସଚେତନ ଭାବରେ ଏତେ କଥା ବୁଝି ନ ପାରିଥିଲେ ବି ତାହାର ପ୍ରଣୟରେ ବୁଡ଼ି ରହିଲା । ସେ ନିଜେ କିଛି ବୁଝି ନ ଥିଲା ସତ, କିନ୍ତୁ ତାହାର ସ୍ଵାମୀ ସବୁ କଥା ବୁଝି ପାରିଥିଲା । ସ୍ଵାମୀଟି ବୁଢ଼ା ହେଲେ ସୁଦ୍ଧା ତାହାର ମନ ଭିତରେ ସାଙ୍ଘାତିକ ସନ୍ଦେହ ରହିଥିଲା–ତାହାହେଲେ ତ ଖାଲି ତାହାରି ପାଇଁ ସେ ଆସୁ ନ ଥିଲା ! କୌଣସି ଅଜହାତ ବାହାର କରି ସେ ଏଥର ଯୁବକଟି ସହିତ ଝଗଡ଼ା ଲଗାଇଲା ଏବଂ ତାକୁ ନିଜର ଘରର ସୀମା ମାଡ଼ିବାକୁ ବି ନିଷେଧ କରିଦେଲା ।

 

କୋଜି ସ୍ୟାଂଟା ଖୁବ୍ ଦୁଃଖିତ ହେଲା, କିନ୍ତୁ ମୁଖ ଖୋଲି କିଛି କହିବାକୁ ତାହାର ସାହସ ହେଲା ନାହିଁ । ରାଇବଲଡ଼ଜ ସାମନାରେ ଠିଆ ହେଲା ଗୋଟାଏ ବଡ଼ ବାଧାର ପାହାଡ଼ । କିନ୍ତୁ କ୍ରମେ କ୍ରମେ ତାହାର କାମନା ଅତ୍ୟନ୍ତ ତୀବ୍ର ହୋଇ ପଡ଼ିଲା । ସବୁ ବାଧାବିଘ୍ନ ଲଙ୍ଘନ କରି ତାକୁ ଟିକିଏ ଦେଖିବା ଲାଗି ସେ ଅଧୀର ହୋଇ ପଡ଼ିଲା । ସାଧୁ, ଫକିର, ଫେରିବାଲା, ବହୁରୂପୀ–କେତେ ପ୍ରକାରର ବେଶ ହୋଇ ଲୁଚି ଲୁଚି ସେ ତା ପାଖକୁ ଯିବାକୁ ଲାଗିଲା । ତଥାପି ତାହାର ପ୍ରିୟାର ମନରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଆଣି ପାରିଲା ନାହିଁ । ଯଦି କୋଜି ସ୍ୟାଂଟା ତାହାର ପ୍ରଣୟୀ ସହିତ ହାତ ମିଳାଇ ଚାଲୁଥାନ୍ତା, ତାହାହେଲେ ସେମାନେ ଏମିତି ବ୍ୟବସ୍ଥା ବି କରି ପାରିଥାନ୍ତେ ଯେ ସ୍ଵାମୀର ସନ୍ଦେହ କରିବାର କୌଣସି କଥା ଉଠି ପାରି ନ ଥାନ୍ତା । ଝିଅଟିର ମନ ତା ପ୍ରାଣ ବିରୁଦ୍ଧରେ ଖାଲି ମଥା ପିଟି ମରିବାକୁ ଲାଗିଲା । ମାତ୍ର ବାହାରୁ ତାହା କାହାର ବୁଝିବାର ଜୁ ନ ଥିଲା । ତାହାର ମୁଖ ଉପରେ ଖାଲି କେମିତି ଗୋଟାଏ ମଳିନ ଛାୟା ଦେଖା ଯାଉଥିଲା । ତାହାର ସ୍ଵାମୀ ତାକୁ ଜଣେ ପାପିଷ୍ଠା ରମଣୀ ବୋଲି ମନେ କରୁଥିଲା ।

 

ବୁଢ଼ା ସ୍ଵାମୀଟୀ ଅତ୍ୟନ୍ତ ବଦମେଜାଜୀ ଥିଲା । ତାହାର ସ୍ତ୍ରୀର ସତୀତ୍ଵ ଉପରେ ନିଜର ସମ୍ମାନ ପଦ୍ମ ପତ୍ର ଉପରେ ନୀର ଭଳି ଢଳଢଳ ହେଉଥିଲା । ତାହା ହୃଦୟଙ୍ଗମ କରି ସେ ସ୍ତ୍ରୀକୁ ଖୁବ୍ ଅପମାନ ଦେଲା ଏବଂ ନିଜର ଇଚ୍ଛା ଅନୁଯାୟୀ ଶାସ୍ତି ବି ଦେଲା । ତାହାର ଅପରାଧ ହେଉଛି, କାହାର ଦୃଷ୍ଟିରେ କୋଜି ସ୍ୟାଂଟା ସୁନ୍ଦର ଦିଶିଛି । ସେତେବେଳେ ସେହି ନାରୀଟିର ଅବସ୍ଥା କଣ, ଥରେ ଚିନ୍ତା କରି ଦେଖ ତ ! ଏକରେ ମିଥ୍ୟା ବଦନାମ, ତା ଉପରେ ପୁଣି ସ୍ୱାମୀର ଯଥେଚ୍ଛ ଅତ୍ୟାଚାର–ଅଥଚ ଏହି ସ୍ଵାମୀ ନିକଟରେ ସେ ଏକାନ୍ତ ବିଶ୍ଵସ୍ତ । ଅନ୍ୟ ଦିଗରେ ପ୍ରଣୟର ତୁଷାନଳରେ ସେ ନିଜ ସହିତ ଦିନ ପରେ ଦିନ ଯୁଦ୍ଧ କରି ମରୁଛି ।

 

ଯଦି ତାହାର ପ୍ରଣୟୀ ତାହା ପାଖକୁ ନ ଆସେ, ତାହାହେଲେ ତାହାର ସ୍ଵାମୀ ମଧ୍ୟ ହୁଏତ ଏମିତି ବ୍ୟବହାର କରିବ ନାହିଁ, ଏବଂ ତାହା ଛଡ଼ା ପ୍ରଣୟର କ୍ଷୁଧିତ ଶିଖା ବି ଧୀରେ ଧୀରେ ଲିଭିଯିବ । ଏହା ଭାବି ସେ ଦମ୍ଭ ଧରି ଖଣ୍ଡିଏ ଚିଠି ଲେଖିଲା ।

 

“ଆପଣଙ୍କ ଶୁଭ ବୁଦ୍ଧିକୁ ଲକ୍ଷ୍ୟ କରି ଲେଖୁଛି, ଆପଣ ମୋର ଦୁଃଖରେ ଆଉ ଇନ୍ଧନ ଯୋଗାଇବେ ନାହିଁ । ଆପଣଙ୍କର ପ୍ରେମ ହେତୁ ମୋର ସ୍ଵାମୀଙ୍କର ସନ୍ଦେହ ଜାତ ହୋଇଛି ଏବଂ ଦିନକୁ ଦିନ ତାଙ୍କର ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି । କିନ୍ତୁ ମୁଁ ଯେ ତାଙ୍କୁ ଚିର ଦିନ ପାଇଁ ମାନି ନେଇଛି । ମୋ ଜୀବନରେ ଏହା ହିଁ ହେଉଛି ଅଗ୍ନି ପରୀକ୍ଷା ! ଦୟା କରି ଆପଣ ଆଉ ଏଠାକୁ ଆସିବେ ନାହିଁ । ଯେଉଁ ପ୍ରେମ ଆପଣଙ୍କୁ ଅସୁଖୀ କରି ପକାଇଛି–ଏବଂ ମୋତେ ମଧ୍ୟ–ସେହି ପ୍ରେମକୁ ଲକ୍ଷ୍ୟ କରି ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛି ।”

 

ସରଳ ହୃଦୟା କୋଜି ସ୍ୟାଂଟା ଭାବି ପାରିଲା ନାହିଁ ତା ଚିଠିର ଫଳ କି ଆକାର ଧାରଣ କରିବ । ସତୀତ୍ୱ ପ୍ରଣୋଦିତ ହେଲେ ସୁଦ୍ଧା ଚିଠିଟି ଯେମିତି ଅତୀବ କରୁଣ ଓ ବ୍ୟର୍ଥାତୁର ହୋଇ ଯାଇଥିଲା । ତେଣୁ ଫଳ ହେଲା ବିପରୀତ । ନାରୀଟି ତାହା ବୁଝି ପାରି ନ ଥିଲା । ଯୁବକଟିର ବକ୍ଷରେ ଦୁଇ ଗୁଣ ବେଗରେ କାମନାର ନିଆଁ ଜଳି ଉଠିଲା । ତାହାର ପ୍ରଣୟିନୀକୁ ଥରେ ମାତ୍ର ପ୍ରାଣ ଭରି ଦେଖିବାର ଚେଷ୍ଟାରେ ଯଦି ତାହାର ମୃତ୍ୟୁ ହୁଏ, ବରଂ ତା ପକ୍ଷରେ ତାହା ହିଁ ହେଉଛି ଶ୍ରେୟସ୍କର ।

 

କ୍ୟାପିଟୋ ଅତିଶୟ ଧୃର୍ତ୍ତ ଥିଲା । ସବୁ ଆଡ଼େ ତାହାର କଡ଼ା ନଜର ଥିଲା । ତେଣୁ ସେ କେତେ ଜଣ ପକ୍କା ଗୋଇନ୍ଦା ରଖିଥିଲା । ଦିନେ ସେ ଜାଣି ପାରିଲା–ରାଇବଲଡ଼ଜ ଫକିର ବେଶରେ ଅନୁଗ୍ରହ ଲାଭ ଆଶାରେ ତା ସ୍ତ୍ରୀ ପାଖକୁ ଆସୁଛି । କ୍ୟାପିଟୋ ଭାବିଲା–ଏଥର ଉପାୟ-? ସାଧୁର ସତ୍କାର ଯେ ସତ୍ ସ୍ୱାମୀ ପକ୍ଷରେ ସବୁଠାରୁ ବିପଜ୍ଜନକ !

 

ରାଇବଲଡ଼ଜକୁ ମାରି ଘଉଡ଼ାଇଦେବା ପାଇଁ ସେ ଚାକର ବାକରଙ୍କୁ ନିର୍ଦ୍ଦେଶ ଦେଲା । ଯୁବକଟି ଘରେ ପ୍ରବେଶ କଲା ମାତ୍ରେ ସମସ୍ତେ ତାକୁ ମାଡ଼ିବସି ସାଦର ଅଭ୍ୟର୍ଥନା ଜଣାଇଲେ । ବିଚରା ଖାଲି ଚିତ୍କାର କରୁଥିଲା, ସାଧୁ ଫକିରମାନଙ୍କ ଉପରେ ଏପରି ଅତ୍ୟାଚାର କରୁଛ କାହିଁକି-? କିନ୍ତୁ କିଏ କାହା କଥା ଶୁଣୁଛି ? ସେ ଏତେ ମାଡ଼ ଖାଇଲା ଯେ ମୁଣ୍ଡରେ ଗୋଟାଏ ଆଘାତର ଚୋଟରେ ଦିନ ସାତଟା ପରେ ସେ ମରିଗଲା । ସହରର ସବୁ ସ୍ତ୍ରୀମାନେ ତାହା ପାଇଁ ଆଖିରୁ ଲୁହ ଗଡ଼ାଇଲେ । କୋଜି ସ୍ୟାଂଟା ବି କୌଣସି ମତେ ତାହାର ମନକୁ ଶାନ୍ତ ରଖି ପାରିଲା ନାହିଁ-। ଏପରିକି କ୍ୟାପିଟୋ ବି ଦୁଃଖିତ ହେଲା–ତାହା ଅବଶ୍ୟ ଅନ୍ୟ କାରଣରୁ । ଏହି ସୂତ୍ରରେ ସେ ଗୋଟାଏ ଅପ୍ରୀତିକର ଘଟଣାରେ ଜଡ଼ିତ ହୋଇଗଲା ।

 

ବିଚାରକ ଏସିନ୍ଦିନାସ ରାଇବଲଡ଼ଜର ଆତ୍ମୀୟ ଥିଲେ । ତେଣୁ ସେ ସ୍ଥିର କଲେ, ଏଥର ଏମିତି ବିଚାର କରିବେ ଯେ ଦେଶ ସାରା ସବୁ ଲୋକେ ଏକାବେଳେ ସ୍ତମ୍ଭୀତ ହୋଇଯିବେ-। ସମଗ୍ର ଦେଶରେ କ୍ୟାପିଟୋ ଭଳି ଧୃର୍ତ୍ତ ଓକିଲ ଆଉ ନ ଥିଲେ । ଏହି ବିଚାରକଙ୍କ ସହିତ ତାହାର ବି ଆଗରୁ ଝଗଡ଼ା ହୋଇଥିଲା । ଏଥର ସେ ତାକୁ ଯେତେବେଳେ ହାତରେ ପାଇଛନ୍ତି, ତାକୁ ଫାଶିକାଠରେ ଝୁଲାଇ ପାରିଲେ ଯାଇ ନିଜର ମନସ୍କାମନା ପୂର୍ଣ୍ଣ ହେବ ।

 

କୋଜି ସ୍ୟାଂଟାର ଆଖି ଆଗରେ ନିହତ ହେଲା ତାହାର ପ୍ରଣୟୀ, ଆଉ ବର୍ତ୍ତମାନ ଆପଣାର ସ୍ଵାମୀ ବି ଫାଶିକାଠରେ ଝୁଲିବାକୁ ଯାଉଛି । ଅପରାଧ ହେଉଛି ତାହାର ସତୀତ୍ୱ ! ଯଦି ସେ ରାଇବଲଡ଼ଜ ପ୍ରତି ଟିକିଏ ସୁଦୃଷ୍ଟି ରଖିଥାନ୍ତା, ତାହାହେଲେ ନିଜର ସ୍ୱାମୀକୁ ବୁଦ୍ଧି ବଳରେ ଫାଙ୍କି ଦେଇ ହୋଇଥାନ୍ତା ।

 

ଏହିପରି ଭାବରେ ଫଳିଗଲା ଭବିଷ୍ୟତ୍ ବାଣୀର ପ୍ରଥମ ଭାଗଟା । କୋଜି ସ୍ୟାଂଟାର ଭୟଙ୍କର ଭାବନା ହେଲା–ତାହାହେଲେ ଶେଷ ଭାଗଟା ବି ସତ୍ୟ ହେବାକୁ ଯାଉଛି ! ଚିନ୍ତା କରି କରି ସେ ଶେଷରେ ବୁଝି ପାରିଲା–ନିୟତିର ଗତି ଅଲଙ୍ଘନୀୟ ! ତେଣୁସେ ନିଜକୁ ବିଧାତାଙ୍କ ହାତରେ ଛାଡ଼ିଦେଲା ଏବଂ ବିଚିତ୍ର ଉପାୟରେ ଯଶର ରାଜ୍ୟରେ ଆସି ପହଞ୍ଚିଲା ।

 

ବିଚାରକ ଜଣକ ଥିଲେ ଲୋଭୀ ଓ କାମୁକ–ଭ୍ରଷ୍ଟ ଚରିତ୍ର । ସେ ଆଦୌ ଆଇନର ଧାର ଧାରନ୍ତି ନାହିଁ । ସେ ଖୁବ୍ ବଦମିଜାଜୀ ଭୟଙ୍କର ଲୋକ ଥିଲେ । ସୁତରାଂ ହିପପୋରେ ପ୍ରତ୍ୟେକ ନାରୀ ହିଁ ତାଙ୍କ ସହିତ କିଛି ନା କିଛି ସମ୍ବନ୍ଧ ରଖିଥିଲେ ନିଜ ନିଜର ଅମଙ୍ଗଳ ଆଶଙ୍କାରେ ।

 

ବିଚାରକ କୋଜି ସ୍ୟାଂଟାକ ଡକାଇ ପଠାଇଲେ । ସେ ଛଳଛଳ ନୟନରେ ଆସି ଉପସ୍ଥିତ ହେଲେ । ତେଣୁ ସେ ଆହୁରି ସୁନ୍ଦରୀ ଦିଶିଲା ।

 

“ଆପଣଙ୍କର ସ୍ୱାମୀ ଫାଶି ପାଇବାକୁ ଯାଉଛନ୍ତି । କିନ୍ତୁ ଆପଣ ଇଛା କଲେ, ତାକୁ ବଞ୍ଚାଇ ପାରିବେ ।”

 

‘‘ସେଥିପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ ଅଛି ।”

 

‘‘କିନ୍ତୁ ମୁଁ ତ ପ୍ରାଣ ଚାହେଁ ନି ।”

 

‘‘ତାହାହେଲେ ମୋତେ କଣ କରିବାକୁ ହେବ ?”

 

‘‘ଗୋଟିଏ ରାତି ପାଇଁ ମୁଁ ଆପଣଙ୍କୁ ଚାହେଁ ।”

 

‘‘କିନ୍ତୁ ତାହା ତ ମୋ ହାତରେ ନାହିଁ । ରାତିରେ ମୁଁ ମୋ ସ୍ୱାମୀଙ୍କର ଅଧିନ । ମୁଁ ମୋ ମୁଣ୍ଡ ଦେଇପାରେ, କିନ୍ତୁ ଇଜ୍ଜତ ଦେଇ ପାରିବି ନାହିଁ ।”

 

‘‘ଧରନ୍ତୁ, ଯଦି ଆପଣଙ୍କର ସ୍ୱାମୀ ରାଜି ହୁଏ ?”

 

‘‘ସେ ମାଲିକ । ଆପଣାର ଜିନିଷ ସେ ଯେମିତି ଖୁସି ବ୍ୟବହାର କରି ପାରନ୍ତି । କିନ୍ତୁ ମୁଁ ମୋ ସ୍ୱାମୀଙ୍କୁ ଜାଣେ । ସେ କୌଣସି ମତେ ଏଥିରେ ରାଜି ହେବେ ନାହିଁ । ବରଂ ସେ ଫାଶି ପାଇବେ, କିନ୍ତୁ ମୋ ଦେହରେ କେହି ହାତ ଦେବ ସେ ତାହା କଦାପି ସହି ପାରିବେ ନାହିଁ ।”

 

‘‘ଆଚ୍ଛା, ସେ କଥା ପରେ ଦେଖାଯିବ !” ବିଚାରକ ରାଗି ଯାଇ କହିଲେ ।

 

ତତକ୍ଷଣାତ୍ ଅସାମୀକୁ ତାଙ୍କ ସାମନାକୁ ଅଣାଗଲା । ସେ ଫାଶିକାଠରେ ଝୁଲିବାକୁ ଚାହେଁ, ନା ଭ୍ରଷ୍ଟା ନାରୀର ସ୍ୱାମୀ ହେବାକୁ ଚାହେଁ ? ଦ୍ୱିଧା ଦ୍ଵନ୍ଦ୍ୱର ଆଉ କୌଣସି ପ୍ରଶସ୍ତ କ୍ଷେତ୍ର ତା ଆଗରେ ଖୋଲା ନ ଥିଲା ।

 

ବୁଢ଼ା ଅବଶ୍ୟ ଗରରାଜି ହେଉଥିଲା । କିନ୍ତୁ ଶେଷ ଅବଧି ଏହିପରି ଅବସ୍ଥାରେ ସମସ୍ତଙ୍କର ଯାହା ହୁଏ, ତାହା ହିଁ ହେଲା ଏ କ୍ଷେତ୍ରରେ । ସ୍ତ୍ରୀ ଏହି ପ୍ରଥମ ଥର ପାଇଁ ନିଜ ଗୁଣରେ ତାହାର ସ୍ୱାମୀଙ୍କୁ ବଞ୍ଚାଇଲା ।

 

ଠିକ୍ ସେହି ଦିନ କୋଜି ସ୍ୟାଂଟାର ପୁଅ ସାଙ୍ଘାତିକ ଭାବରେ ବେମାର ପଡ଼ିଲା । ହିପପୋର କୌଣସି ଡାକ୍ତର ତାକୁ ଆରୋଗ୍ୟ କରି ପାରିଲେ ନାହିଁ । ଜଣେ ମାତ୍ର ଡାକ୍ତର ଅଛନ୍ତି, ସେ ତାକୁ ଏହି ବିପଦରୁ ଉଦ୍ଧାର କରି ପାରନ୍ତି । ସେ ଥାଆନ୍ତି ଆକିଲାରେ, ହିପାପୋ ଠାରୁ କେତେ ମାଇଲ ଦୂରରେ । ସେହି ସମୟରେ ନିୟମ ଥିଲା, କୌଣସି ଡାକ୍ତର ନିଜ ସହରର ସୀମା ବାହାରେ ବ୍ୟବସାୟ କରି ପାରିବେ ନାହିଁ । ଅନ୍ୟ କୌଣସି ଉପାୟ ନ ଦେଖି କୋଜି ସ୍ୟାଂଟା ନିଜେ ସେହି ସହର ଅଭିମୁଖରେ ଚାଲିଲା ସାଙ୍ଗରେ ଆପଣାର ଗେହ୍ଲା ଭାଇଟିକୁ ନେଇ ।

 

ବାଟରେ ଦସ୍ୟୁମାନେ ତାକୁ ଆକ୍ରମଣ କଲେ । ଦସ୍ୟୁ ସର୍ଦାରର ଆଖିରେ କୋଜି ସ୍ୟାଂଟା ଅତୀବ ସୁନ୍ଦରୀ ଦିଶିଲା । ଦସ୍ୟୁମାନେ ତା ଭାଇକୁ ଖୁନ୍ କରିବାକୁ ବସିଲେ । ଦସ୍ୟୁ ସର୍ଦାର କୋଜି ସ୍ୟାଂଟା ପାଖକୁ ଆସି କହିଲା, ଯଦି ସେ ତାକୁ ଟିକିଏ ଅନୁଗ୍ରହ କରେ ତାହାହେଲେ ତା ଭାଇର ପ୍ରାଣ ରକ୍ଷା ହୋଇ ପାରିବ । ବେଶି କିଛି ନୁହେଁ, ଟିକିଏ ମାତ୍ର ଅନୁଗ୍ରହ ! ରାଜି ହୋଇଗଲେ ଏକ୍ଷଣି ସବୁ ଠିକ୍ ହୋଇଯିବ । ଯେଉଁ ସ୍ଵାମୀକୁ ସେ ଭଲ ପାଏ ନାହିଁ, କୋଜି ସ୍ୟାଂଟା ତାହାର ଜୀବନ ରକ୍ଷା କରି ଆସିଛି, ଆଉ ବର୍ତ୍ତମାନ ତାହାର ପ୍ରାଣର ଭାଇକୁ ସେ ହରାଇବ ! ଖାଲି ଚାରିଆଡ଼କୁ ଚାହିଁ ରହି ଦେଖିବ ? ବିଶେଷତଃ ନିଜ ପୁଅର ଅବସ୍ଥା ବି ଗୁରୁତର । ଗୋଟିଏ ମୁହୂର୍ତ୍ତ ବି ବର୍ତ୍ତମାନ ବିଳମ୍ବ କରିବା ଉଚିତ ନୁହେଁ । ସୁତରାଂ ସେ ନିଜକୁ ଭଗବାନଙ୍କ ହାତରେ ସମର୍ପଣ କରିଦେଲା । ତାହାର କର୍ତ୍ତବ୍ୟ ସେ ସମାପନ କଲା । ଏହା ହେଲା ଦ୍ଵିତୀୟ ଥର ।

 

ସେହି ଦିନ ସେ ଆକିଲାର ଡାକ୍ତରଙ୍କ ପାଖରେ ଆସି ପହଞ୍ଚିଲା । ଏହି ଡାକ୍ତର ଜଣକ ଥିଲେ ଟିକିଏ ଉଚ୍ଚ ଧରଣର । ଟିକିଏ ସର୍ଦି ହେଲେ ବି ସେ ଝିଅମାନଙ୍କର ଛାତି ପରୀକ୍ଷା ନ କଲେ ଚଳେ ନାହିଁ–ଅର୍ଥାତ୍ ଯେତେବେଳେ କୌଣସି ବେମାର ନ ଥାଏ ! ସହରର ଅନେକଙ୍କର ସେ ବିଶ୍ଵସ୍ତ ବନ୍ଧୁ ଏବଂ ଅନେକ ତରୁଣୀଙ୍କର ପ୍ରଣୟୀ ! ସେ ଖୁବ୍ ଭଦ୍ର, ବିନୟୀ ଓ ଦରଦୀ ବ୍ୟକ୍ତି ଥିଲେ-। ସେ ଡାକ୍ତର ସଂଘର ସଭାପତି ଥିଲେ । ବେଳେ ବେଳେ ଲୋକେ ବି ତାଙ୍କୁ ଥଟ୍ଟା ନ କରି ଛାଡ଼ୁ ନ ଥିଲେ । କୋଜି ସ୍ୟାଂଟା ନିଜ ପୁଅର ରୋଗ ବିଷୟରେ ଡାକ୍ତରଙ୍କୁ ବୁଝାଇ କହିଲା ଏବଂ ତାଙ୍କ ହାତରେ ଖଣ୍ଡିଏ ହଜାରେ ଟଙ୍କାର ନୋଟ ଦେଲା ।

 

ଡାକ୍ତର ଦମ୍ଭ ଧରି କହିବାକୁ ଲାଗିଲେ, ‘‘କିନ୍ତୁ ଦେଖନ୍ତୁ, ପରିଶ୍ରମର ବିନିମୟରେ ମୋର ଅର୍ଥ ହିଁ କାମ୍ୟ ନୁହେଁ । ମୋର ନିଜର ସମସ୍ତ ଧନ ସମ୍ପତ୍ତି ଆପଣଙ୍କ ପାଦ ତଳେ ଅଜାଡ଼ି ଦେଇ ପାରେ, ଯଦି ଆପଣ ନିଜେ ଗୋଟାଏ ଆରୋଗ୍ୟର ବ୍ୟବସ୍ଥା କରନ୍ତି । ଆପଣଙ୍କୁ ଦେଖି ମୋ ଭିତରେ ଯେଉଁ ଉନ୍ମତ୍ତତା ଜାତ ହୋଇଛି, ତାହା ଆପଣ ଦୂର କରି ଦିଅନ୍ତୁ । ମୁଁ ବି ଆପଣଙ୍କ ପୁଅର ବେମାରି ଅଚିରେ ଭଲ କରିଦେବି ।”

 

ଏପରି ଦାବୀ ଟିକିଏ ମାତ୍ରାଧିକ ସତ ! କିନ୍ତୁ ନିୟତି ତାକୁ ବିଚିତ୍ର ଅବସ୍ଥା ଭିତରକୁ ଠେଲି ପଠାଇ ଦେଇଛି । ଡାକ୍ତର ଜଣକ ଏକଜିଦିଆ ଲୋକ–ତାଙ୍କର ଇପ୍‍ସିତ ବସ୍ତୁ ଛଡ଼ା ସେ ଆଉ କିଛି ଗ୍ରହଣ କରିବେ ନାହିଁ । କୋଜି ସ୍ୟାଂଟାର ସ୍ଵାମୀ ବି ଏକ୍ଷଣି ପାଖରେ ନାହିଁ ଯେ ସେ ତାକୁ ଥରେ ଏ କଥା ପଚାରି ବୁଝିବ । କିନ୍ତୁ ଏଣେ କିପରି ବା ସେ ନିଜର ପୁଅକୁ, ତାହାର ନୟନ ମଣିକୁ ମରଣର ମୁହଁକୁ ଜାଣୁ ଜାଣୁ ଠେଲି ଦେବ ? ନିଜେ ବା ଟିକିଏ ଚେଷ୍ଟା ସେ କାହିଁକି ନ କରିବ ? ଆଦର୍ଶ ଭଉଣୀ ପରି ସେ ଜଣେ ଆଦର୍ଶ ଜନନୀ ହେବାକୁ ଚାହେଁ । ନିର୍ଦ୍ଧାରିତ ଦାବୀର ମୂଲ୍ୟରେ ସେ ତା ପୁଅର ରୋଗମୁକ୍ତି ଲାଭ କଲା । ଏହି ଶେଷ ଥର ।

 

ସେ ଭାଇକୁ ସାଙ୍ଗରେ ଧରି ହିପପୋକୁ ଫେରି ଆସିଲା । ବାଟ ସାରା ତାହାର ଭାଇଟି ତା ଭଉଣୀର ଅପୂର୍ବ ସାହସର ପ୍ରଶଂସା କରିବାକୁ ଲାଗିଲା । କାରଣ ତା ନିଜର ଜୀବନ ସେ ବି ବଞ୍ଚାଇଛି ।

 

ଦିନେ କୋଜି ସ୍ୟାଂଟା ଅତ୍ୟଧିକ ସାଧ୍ୱୀ ହେବାକୁ ଯିବା ଫଳରେ ଡାକି ଆଣିଥିଲା ନିଜ ପ୍ରଣୟୀର ମୃତ୍ୟୁ, ସ୍ୱାମୀକୁ ବି ପ୍ରାୟ ହରାଇବାକୁ ବସିଥିଲା । କିନ୍ତୁ ବିନୀତ ହୋଇ ସେ ତାହାର ଭାଇ ଓ ପୁଅର ପ୍ରାଣ ବଞ୍ଚାଇଛି । ଏହି ନାରୀଟି ଆପଣା ସମାଜ ଭିତରେ ପାଇଲା ଅସୀମ ସମ୍ମାନ-। ମୃତ୍ୟୁ ପରେ ତାକୁ ସାଧ୍ୱୀ ସମ୍ମାନରେ ମହିମାନ୍ୱିତ କରାଗଲା । କାରଣ, ଦେହ ନିର୍ଯ୍ୟାତନର ଭିତର ଦେଇ ସେ ତା ପ୍ରିୟ ପରିବାର ଭିତରେ ମଙ୍ଗଳ ପ୍ରତିଷ୍ଠା କରିଥିଲା ।

 

ସମସ୍ତେ ମିଳି ମିଶି ତାହାର ସ୍ମୃତି ସ୍ତମ୍ଭ ନିର୍ମାଣ କଲେ, ଏବଂ ସେଥିରେ ଲିପିବଦ୍ଧ ହେଲା–

 

‘‘ମହାନ ମଙ୍ଗଳ ଉଦ୍ଦେଶ୍ୟରେ ଗୋଟାଏ ଛୋଟ ଅନ୍ୟାୟ ।’’

 

–ଆରିୟେତ୍ ଦ୍ୟ ଭଲ୍‍ଟେୟାର

☆☆☆

 

ଚିଠି

 

ମହଶୟା !

 

ଏଣୁ ତେଣୁ କଥା ରଟନା କରିବୁଲି ଯେଉଁମାନେ ଆନନ୍ଦ ପାଆନ୍ତି, ମୁଁ ସେ ଧରଣର ଲୋକ ଆଦୌ ନୁହେଁ । କୌଣସି ସମ୍ବାଦ ଉପରେ ଆଲୋଚନା କରିବାକୁ ଇଚ୍ଛା କଲେ, ସାମରିକ ବା ରାଜନୈତିକ ବିଷୟ ହିଁ ମୋତେ ସବୁ ଠାରୁ ଭଲ ଲାଗେ । କାରଣ, ଏହିସବୁ ବିଷୟ ଭିତରେ କିଛି ନା କିଛି ସାର ବସ୍ତୁ ନିହିତ ଥାଏ । ତଥାପି ସହରର କିଛି ଘଟଣା ଓ କାହାଣୀ ଆପଣଙ୍କୁ ଶୁଣାଇବି ବୋଲି ଯେଉଁ, ପ୍ରତିଶ୍ରୁତି ଦେଇଥିଲି, ତାହା ରକ୍ଷା କରିବା ପାଇଁ ମୁଁ ଏ ଚିଠି ଖଣ୍ଡିକ ଆପଣଙ୍କୁ ଲେଖୁଛି । ଯେଉଁ କାହାଣୀଟି ମୁଁ ଆଜି ଆପଣଙ୍କୁ ଶୁଣାଇବାକୁ ଯାଉଛି, ତାହା ଶୁଣି ଆପଣଙ୍କ ମନ ଭିତରେ କି ଭାବ ଜାତ ହେଲା, ତାହା ଜାଣିବା ମୋର ଦରକାର ନାହିଁ । ଖାଲି ଏତିକି ଆପଣଙ୍କୁ ଜଣାଇବା ପ୍ରୟୋଜନ ମନେ କରୁଛି ଯେ, ଯେଉଁ ଘଟଣାଟି ଆପଣଙ୍କୁ ଆଜି ଶୁଣାଉଛି, ତାହା ନିରାଟ ସତ୍ୟ ।

 

ୟାଲାସିଦୋର ଓ ମୋ ଭିତରେ କି ପ୍ରକାର ବନ୍ଧୁତା ଅଛି, ସେ କଥା ଅବଶ୍ୟ ଆପଣଙ୍କୁ ଜଣା ଅଛି । ସୁତରାଂ ସେ ଯଦି ବିଶ୍ୱାସରେ ତାଙ୍କ ମନର କିଛି ଗୋପନ କଥା ମୋତେ କହି ଥାଆନ୍ତି ଆପଣ ସେଥିରେ ନିଶ୍ଚୟ ତିଳେ ମାତ୍ର ବିସ୍ମିତ ହେବେ ନାହିଁ; କିନ୍ତୁ ମୁଁ ବିସ୍ମିତ ହୋଇଥିଲି, ଯେଉଁଦିନ ସେ ତାଙ୍କ ଈର୍ଷାର କଥା ମୋ ପାଖରେ ଖୋଲି କହିଲେ । ସତରେ, ତାଙ୍କ ମନ ଭିତରେ ଯେ ଈର୍ଷା ଜାତ ହୋଇପାରେ, ଏ କଥା ମୁଁ କଳ୍ପନାରେ ସୁଦ୍ଧା ଭାବି ପାରି ନ ଥିଲି । ଏମିତି ଫୁର୍ତ୍ତିବାଜ ଲୋକ, ଏମିତି ଖାମଖିଆଲି–ସଂସାରର ସବୁ କିଛି ସେ ଏତେ ବେଶୀ ବୁଝନ୍ତି ତଥାପି ଈର୍ଷାର ଜ୍ୱାଳାରେ ସେ ଏପରି କାତର ହୋଇ ପଡ଼ିଲେ ଯେ ମୋତେ ଭାରୀ ଆଶ୍ଚର୍ଯ୍ୟ ଲାଗିଲା । ମୋର ଧାରଣା ଥିଲା ଏହିସବୁ କଥାରେ ସେ ବୋଧହୁଏ ମୋ ଠାରୁ ଯଥେଷ୍ଟ ବେଶୀ ଦୃଢ଼; କିନ୍ତୁ ପ୍ରକୃତରେ ତାହା ନୁହେଁ । ତଥାପି ମୁଁ ତାଙ୍କୁ ତାରିଫ ନ କରି ରହିପାରୁ ନି–ଈର୍ଷାର ଜ୍ୱାଳାରେ ମନେ ମନେ କାତର ହେଲେ ସୁଦ୍ଧା ବାହାରେ ସାଧାରଣ ଲୋକ ପରି ସେ କିଛି କରି ପକାଇ ନାହାନ୍ତି ।

 

କାହାଣୀଟି ଶୁଣାଇବା ଆଗରୁ ୟାଲସିଦୋର ମୋତେ ସତର୍କ କରି କହିଲେ–ମାମୁଲି କଥା ବୋଲି ଭାବି ମୋତେ କିନ୍ତୁ ସାନ୍ତ୍ଵନା ଦେବାକୁ ଚେଷ୍ଟା କର ନାହିଁ,–ସେସବୁ ମାମୁଲି କଥା–ମୋ ପରି ଅବସ୍ଥାରେ ଅନେକ ସ୍ଵାମୀଙ୍କୁ ମୁଁ ନିଜେ କହିଛି କି ନା, ତେଣୁ ସେ ସବୁ କଥାର ମୂଲ୍ୟ କେତେ ତାହା ମୋତେ ଭଲ ଭାବରେ ଜଣା । ମୋ କଥା ଖାଲି ତୁମେ ଶୁଣିଯିବ,–ବାଧା ଦେଇ ମୋ ସ୍ତ୍ରୀର ଅବସ୍ଥା ସମ୍ବନ୍ଧରେ ମୋର ମନୋଭାବ ହାଲୁକା କରିବାକୁ ଚେଷ୍ଟା କରିବ ନାହିଁ ।

 

ମୁଁ ନୀରବରେ ତାଙ୍କ କଥା ଶୁଣିଯିବି ବୋଲି ପ୍ରତିଶ୍ରୁତି ଦେବାରୁ, ସେ କହିବାକୁ ଲାଗିଲେ–

 

ସ୍ତ୍ରୀର ପ୍ରେମରେ ଉବୁଟୁବୁ ହେବା ଭଳି ମନର ଅବସ୍ଥା ଆଉ ମୋର ନାହିଁ,–ସେ କଥା ମୁଁ ନିଜେ ସ୍ଵୀକାର କରୁଛି; କିନ୍ତୁ ତା ପ୍ରତି ଗଭୀର ଅନୁରାଗର ଭାବ ପୋଷଣ ନ କଲେ ସୁଦ୍ଧା ତାକୁ ଯେ କିଞ୍ଚିତ୍ ଶ୍ରଦ୍ଧାର ଚକ୍ଷୁରେ ମୁଁ ଦେଖୁ ନ ଥିଲି ତାହା ନୁହେଁ । ତାହାର ରୁଚି ଦେଖି ମୁଁ ସ୍ତମ୍ଭୀଭୂତ ହୋଇଛି–ଖୋଜି ଖୋଜି ଶେଷରେ ସେ ଏପରି ଜଣେ ପୁରୁଷକୁ ବାଛି ନେଲା ! ଚବିଶ ବର୍ଷର ଜଣେ ତରୁଣୀ ମହିଳା–ମୁଁ ତାହାର ସ୍ଵାମୀ, ଯେତେବେଳେ ତାକୁ ଆଉ ପ୍ରେମ ଦେଇପାରୁ ନାହିଁ,–ସେତେବେଳେ ସେ ଯଦି ଅନ୍ୟ କୌଣସି ପୁରୁଷ ଠାରୁ ତାହା ପାଇବାକୁ ଚାହେଁ,–ସେଥିରେ ବାଧା ଦେବି; ଏତେ ବଡ଼ ମୂର୍ଖ ମୁଁ ନୁହେଁ । ନା, ଜଣେ, ମଣିଷ ଉପରେ ଏତେ ବଡ଼ ଅବିଚାର ମୁଁ କୌଣସି ମତେ କରି ନ ପାରେ, ମାତ୍ର ମୋର ଆପତ୍ତି ଉଠୁଛି ତାହାର ନିର୍ବାଚନରେ–ଏତେ ଦିନ ହେଲା ତାହାର ଯେଉଁ ରୁଚିବୋଧ ଓ ବୁଦ୍ଧିଶୁଦ୍ଧି ମୁଁ ଦେଖି ଆସିଛି, ସେଥିରୁ ମୋର ମନେ ହୋଇଥିଲା ସେ ନିଶ୍ଚୟ ଜଣେ ପ୍ରକୃତ ଭଦ୍ର ଶ୍ରେଣୀର ଲୋକକୁ ନିର୍ବାଚନ କରିବ–ଯାହାକୁ ମୁଁ ଅନ୍ତତଃ ଆଦର ଅଭ୍ୟର୍ଥନା କରି ଘରେ ବସାଇ ପାରିବି । ବୁଝି ପାରୁଛ ନା, ସ୍ଵାମୀ ହେଲେ ସୁଦ୍ଧା ମୁଁ ଆଦୌ ଅବିବେକୀ ନୁହେଁ ।

 

ମୁଁ ଜବାବ ଦେଲି–ସେ କଥା ତ ବୁଝି ପାରୁଛି; କିନ୍ତୁ ମୁସ୍କିଲ ହେଉଛି ଯେ, ଯଦି ତୁମ ସ୍ତ୍ରୀ କୌଣସି ମତେ ଥରେ ନିର୍ବାଚନ କରି ସାରିଥାନ୍ତି, ତା’ ପରେ ତୁମ ରୁଚି ସାଙ୍ଗରେ ଖାପ ଖୁଆଇ ନୂଆ କରି ଆଉ ଥରେ ନିର୍ବାଚନ କରିବା ତାଙ୍କ ପକ୍ଷରେ ତ ସମ୍ଭବ ହୋଇ ନ ପାରେ ।

 

ୟାଲସିଦୋର ପୁଣି କହିଲେ–ସେ କଥା ଅବଶ୍ୟ ଠିକ୍; କିନ୍ତୁ ସତ କହିବାକୁ ଗଲେ, ମୋ ସ୍ତ୍ରୀ ଯେ ଜଣେ ପ୍ରେମିକ ମନୋନୟନ କରିଛି–ରାଗ ମୋର ସେଥିରେ ନୁହେଁ–ମୋର ରାଗ ହେଉଛି ସେହି ଲୋକଟାର ଢଙ୍ଗରଙ୍ଗ ଦେଖି । ମୋ ସାମନାରେ ସେ ଯେଉଁ ଢଙ୍ଗରେ ମୋ ସ୍ତ୍ରୀ ସାଙ୍ଗରେ କଥା କହେ, ତାହା ଦେଖି ମୋର ମନେ ହୁଏ ମୋତେ ଆଘାତ ଦେବା ହିଁ ଯେମିତି ତାହାର ମୂଳ ଲକ୍ଷ୍ୟ । ତାହାର ସେହି ଢଙ୍ଗ ଦେଖି ମୋ ମୁଣ୍ଡକୁ ପିତ୍ତ ଚଢ଼ି ଯାଏ । ଅସଲ କଥାଟା ଏତେ ଚରମ ସୀମାକୁ ଉଠିଗଲାଣି ଯେ, ସେସବୁ ନିଜ ଆଖି ଆଗରେ ଦେଖି ମିଜାଜ ଠିକ୍ ରଖିବା ମୋ ପକ୍ଷରେ ରୀତିମତ କଷ୍ଟକର ହୋଇ ଉଠୁଛି । ଖାଲି ଭୟ ହେଉଛି, ଗୋଟାଏ କିଛି କାଣ୍ଡ କରି ପକାଇଲି କି–କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଉଛି । ମୋ ସ୍ତ୍ରୀର ଚାଲିଚଳଣ ଦେଖି ମନେ ହୁଏ–ସେ ବି ମୋ ମାନସିକ ଉତ୍ତେଜନାର ଭାବ ଲକ୍ଷ୍ୟ କରିଛି । ତଥାପି ତାହାର ତିଳେ ମାତ୍ର ପରିବର୍ତ୍ତନ ମୁଁ ଦେଖି ପାରୁ ନାହିଁ । ବାସ୍ତବିକ ସେ ନିଶାରେ ଏମିତି ମତ୍ତ ହୋଇ ଯାଇଛି ଯେ ମୋ ସୁଖଦୁଃଖ କଥା ଭାବିବାକୁ ତାହାର ଟିକିଏ ଫୁରୁସତ ନାହିଁ ।

 

ବନ୍ଧୁ ପ୍ରଥମେ ମୋତେ କଥା କହିବାକୁ ବାରଣ କରି ଦେଇଥିଲେ–ତେଣୁ ମୁଁ କିଛି କଥା କହି ପାରୁ ନ ଥିଲି । ଆପଣ ତ ଜାଣନ୍ତି–କିଭଳି ଅଦ୍‍ଭୂତ ଅସାମାଜିକ ଲୋକ ସେହି ପ୍ରେମିକଟି । ଶେଷକୁ ବନ୍ଧୁଙ୍କ ସ୍ତ୍ରୀ ତାକୁ ବାଛି ନେଇଛନ୍ତି ଦେଖି ସତରେ ମୋ ମନ ଭିତରଟା କେମିତିକା ହେଉଥିଲା–ଏବଂ ସେହି କଥା ମୁଁ ବନ୍ଧୁଙ୍କୁ ଜଣାଇବାକୁ ଚାହୁଁଥିଲି; କିନ୍ତୁ ତାହା ତ ହେବାର ମୋଟେ ଉପାୟ ନାହିଁ । କହିବାକୁ ଗଲେ ବନ୍ଧୁଙ୍କର କଷ୍ଟ ବଢ଼ିବ ପଛକେ କମିବ ନାହିଁ । ୟାଲାସିଦୋର ମଧ୍ୟ ମୋର ଅବସ୍ଥା ଦେଖି ମୋ ମନ କଥା ବୁଝି ପାରି କହିଲେ–ତୁମକୁ ମୋ ରାଣ ରହିଲା, ମୋତେ କିଛି କଥା କୁହ ନାହିଁ । କାହାରି ଠାରୁ କୌଣସି ଉପଦେଶ ମୋର ଦରକାର ନାହିଁ । ମନର ଦୁଃଖ କାହାରି ଆଗରେ ପ୍ରକାଶ କରି ଅନ୍ତରର ଭାରଟା ଖାଲି ଟିକିଏ ଲାଘବ କରିବାକୁ ଚାହେ; ଆଉ ଏହି ଧରଣର କଥା ଶୁଣାଇବାକୁ ତୁମ ଠାରୁ ଆଉ ଭଲ ଲୋକ ମୋର କେହି ନାହିଁ । ସତରେ, କି କଦର୍ଯ୍ୟ ଅବସ୍ଥାରେ ଯେ ମୁଁ ପଡ଼ିଛି ଭାଇ, ସେ କଥା ତୁମକୁ କ’ଣ କହିବି ! ସେହି ନିର୍ବୋଧ ପ୍ରେମିକଟାକୁ ଘରେ ପଶିବାକୁ ଦେବା ଯେମିତି ଅପମାନଜନକ–ତାକୁ ଦେଖିଲା କ୍ଷଣି ଯେମିତି ମୋର ଆତ୍ମସମ୍ମାନରେ ଆଘାତ ଲାଗେ–, ଏ ଆତ୍ମସମ୍ମାନ ମାନେ ସାଧାରଣ ଲୋକର ଆତ୍ମସମ୍ମାନ କଥା ମୁଁ କହୁ ନାହିଁ । ତାକୁ ଦେଖିଲେ ମାର୍ଜିତ ରୁଚି ଶିକ୍ଷିତା ନାରୀମାନଙ୍କ ସାଙ୍ଗରେ ମିଳାମିଶା କରିବା ବିଷୟରେ ଉଦାର ନୀତି ପୋଷଣକାରୀ ଭଦ୍ରଲୋକର ଆତ୍ମସମ୍ମାନରେ ଆଘାତ ଲାଗେ ।

 

ପ୍ରଥମ ଦିନ ତାଙ୍କ ଠାରୁ ଏହିସବୁ କଥା ଶୁଣି ସତରେ ମୁଁ ଭାବି ପାରିଲି ନାହିଁ କ’ଣ କରାଯାଇପାରେ । ଆମେ ରାସ୍ତାରେ କଥା ହେଉଥିଲୁ । ବାଟରେ ଚାଲି କରି ଯାଉଁ ଯାଉଁ ନିଶ୍ଚିନ୍ତରେ ଓ ନିର୍ବିଘ୍ନରେ କଥା କହିବା ଲାଗି ସେ ମୋତେ ‘ୟାଲ୍ଲି ଦୁ ରୁୟେଲ’କୁ ନେଇଗଲେ । ଫେରି ଆସି ଅନେକ ଭାବିଚିନ୍ତି ମୁଁ ସ୍ଥିର କଲି ତାଙ୍କ ସ୍ତ୍ରୀ ସାଙ୍ଗରେ ଥରେ ଦେଖା କରିବା ମୋର ନିତାନ୍ତ ଦରକାର । ମୁଁ ଯେଉଁସବୁ କଥା ଜାଣିଲି, ତହିଁରୁ କିଛି ତାକୁ ଜଣାଇ ସାବଧାନ କରିଦେବାକୁ ହେବ । ତାଙ୍କ ସ୍ଵାମୀଙ୍କ ପ୍ରତି ଓ ତହିଁ ସଙ୍ଗେ ସଙ୍ଗେ ତାଙ୍କ ନିଜ ପ୍ରତି ବି କର୍ତ୍ତବ୍ୟ ସମ୍ପର୍କରେ ତାଙ୍କୁ ଟିକିଏ ସଚେତନ କରି ଦେବାକୁ ପଡ଼ିବ । ସ୍ଥିର କଲି ସିନା; କିନ୍ତୁ ଏସବୁ କଥା ତାଙ୍କୁ କହିବାର ସୁଯୋଗ ମୁଁ ଆଦୌ ପାଉ ନ ଥିଲି, ଯଦିଚ ତାଙ୍କ ସ୍ତ୍ରୀ ସାଙ୍ଗରେ ମୋର ସାକ୍ଷାତ୍ ହୁଏ । ୟାଲାସିଦୋର ସେତେବେଳେ ସେହି ଘରେ ବସିଥାନ୍ତି–ସେ କୌଣସି ମତେ ବାହାରି ଯାନ୍ତି ନାହିଁ–ସେହି ଘରୁ । ସେ ଥିବା ବେଳେ ତାଙ୍କ ସ୍ତ୍ରୀକୁ ଚୁପି ଚୁପି କୌଣସି କଥା କୁହା ଯାଇ ନ ପାରେ–କାରଣ ୟାଲାସିଦୋର ମୋତେ ନିଶ୍ଚୟ ସନ୍ଦେହ କରିବେ ।

 

ୟାଲାସିଦୋର ପ୍ରେମିକର ଆଚରଣ ସମ୍ବନ୍ଧରେ ଯାହା କହିଥିଲେ, ତାହା ମୁଁ ନିଜ ଆଖିରେ ଦେଖିବାକୁ ଲାଗିଲି । ସେ ସବୁବେଳେ ତାଙ୍କ ସ୍ତ୍ରୀ ପାଖରେ ବସିଥାଏ–ଥରେ ହେଲେ କୁଆଡ଼େ ଯାଏନା–ଅନୁଚ୍ଚ ସ୍ୱରରେ କଥା କହେ, ଏବଂ ତା ଛଡ଼ା ମହିଳାଟି ଆଡ଼କୁ ଏମିତି ଭଙ୍ଗୀରେ ଅନାଏ, ଯାହାକୁ କୌଣସି ମତେ ସମର୍ଥନ କରାଯାଇ ନ ପାରେ । ୟାଲାସିଦୋରଙ୍କ ଠାରୁ ମୁଁ ଆଗରୁ ସବୁ କଥା ଶୁଣିଛି । ତେଣୁ ପ୍ରତି ମୁହୂର୍ତ୍ତରେ ମୋର ଭୟ ହେଉଥିଲା, ଯଦି ସେ ଆତ୍ମସଂଯମ ହରାଇ ପକାନ୍ତି । ଆଖି ଆଗରେ ମୁଁ ନିଜେ ଯାହା ଦେଖିଲି, ତାହା ଦେଖିଲେ ସ୍ୱାମୀ କଥା ଛାଡ଼, ଯେ କୌଣସି ଲୋକର ଧୈର୍ଯ୍ୟଚ୍ୟୁତି ଘଟିବାର ସମ୍ଭାବନା । ତାଙ୍କ ଘରୁ ବି ମୁଁ ବୁଝି ଆସିଲି, ୟାଲାସିଦୋରଙ୍କ ଅଭିଯୋଗ ତିଳେ ହେଲେ ମିଥ୍ୟା ନୁହେଁ । ବନ୍ଧୁଙ୍କର ଧୈର୍ଯ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି, ଆଉ ତା ଠାରୁ ବେଶୀ ଆଶ୍ଚର୍ଯ୍ୟ ହେଲି ସେହି ଦୁଇ ଜଣଙ୍କର ଅବିବେଚନା ଦେଖି । ସେମାନଙ୍କର ବୁଦ୍ଧିଶୁଦ୍ଧି ଯେମିତି ଏକାବେଳକେ ଲୋପ ପାଇ ଯାଇଛି । ଏହିସବୁ କଥା ଦେଖି ଶୁଣି ମୋର କେବଳ ମନେ ହେବାକୁ ଲାଗିଲା, ଥରେ ବନ୍ଧୁ ପତ୍ନୀଙ୍କ ସହିତ ଶୀଘ୍ର ଦେଖା କରିବା ମୋର ନିହାତି ଦରକାର । ଗଲା ପହରି ଦିନ ଦିପହରେ ତାଙ୍କ ସାଙ୍ଗରେ ଦେଖା କରିବାକୁ ଯିବା ଲାଗି ଚେଷ୍ଟା କରୁଥିଲି–କାରଣ, ଭାବିଥିଲି ଏତିକି ବେଳେ ସେ ଏକା ଥାଇ ପାରନ୍ତି–ଘରୁ ବାହାରିବାକୁ ବସିଛି, ଏହି ସମୟରେ ମୋର ଚାକର ବନ୍ଧୁ ୟାଲାସିଦୋରଙ୍କୁ ସାଙ୍ଗରେ ଧରି ହାଜର ହୋଇଗଲା-। ବନ୍ଧୁ ଯେଉଁ ଚେହେରା ନେଇ ଘର ଭିତରେ ପ୍ରବେଶ କଲେ, ତାହା ଦେଖି ମୁଁ ଏକବାରେ ହଡ଼ବଡ଼େଇ ଗଲି । ତାଙ୍କ ଆଖି ଓ ମୁହଁରେ ଯେମିତି ଏକା ସାଙ୍ଗରେ ନିଦାରୁଣ ଦୁଃଖ, ଭୟ ଓ ବିଜୟର ଭାବ ଫୁଟି ଉଠିଥିଲା ।

 

ଚାକରଟି ଘରୁ ବାହାରିଯିବା ମାତ୍ରେ ମୁଁ ୟାଲାସିଦୋରଙ୍କୁ ପଚାରିଲି–କଥା କ’ଣ ? ତୁମର ଆଖି ଓ ମୁହଁର ଅବସ୍ଥା ଦେଖି ମୋତେ ତ ଭାରି ଡର ଲାଗୁଛି !

 

ଏକ ଅଦ୍ଭୁତ ବିଷାଦାଚ୍ଛନ୍ନ ପରିତୃପ୍ତିର ସ୍ୱରରେ ବନ୍ଧୁ ଉତ୍ତର ଦେଲେ–ଭାଇ, ଆଉ କୌଣସି ସନ୍ଦେହ ନାହିଁ । ମୋ କଥା ହିଁ ଠିକ୍ । ସବୁ କିଛି ପାଣି ପରି ପରିଷ୍କାର ହେଇ ଯାଇଛି । ସେହି ପ୍ରେମିକ ହିଁ ଶେଷରେ ଜୟଲାଭ କଲା । ମୁଁ ଭାବିଥିଲି, କଥାଟା ଅବଶ୍ୟ ଏମିତି କିଛି ବେଶୀ ଦୂର ଗଡ଼ି ଯାଇ ନ ଥିବ । କାରଣ, ମୋର ଧାରଣା ଥିଲା, ଯେଉଁ ମହିଳାର ତିଳେ ହେଲେ କାଣ୍ଡଜ୍ଞାନ ଥିବ ସେ କଦାପି ଏମିତି ପୁରୁଷ ସାଙ୍ଗରେ ବେଶୀ ଦିନ ଚଳି ପାରିବ ନାହିଁ । କିନ୍ତୁ ଏକ୍ଷଣି ଦେଖୁଛି, ମୋର ଧାରଣା ଭୁଲ୍, ସେହି ପ୍ରେମିକ ହିଁ ଜିତିଲା, ଏବଂ ଏଇଥିଲାଗି ଶେଷକୁ ମୋର ସ୍ତ୍ରୀକୁ ଅଶେଷ ଦୁଃଖ ଭୋଗ କରିବାକୁ ହେବ । ଏଭଳି ଘଟଣାରେ କୌଣସି ପ୍ରକାର ସୁଫଳ ତ ହୁଏନା, ବରଂ ଶେଷକୁ ଏକ ରକମ ମହାମାରୀ କାଣ୍ଡ ଘଟେ ।

 

ତା’ ପରେ ସେ ମୋ ହାତକୁ ଖଣ୍ଡିଏ ଚିଠି ବଢ଼ାଇ ଦେଇ କହିଲେ–ଏଇ ନିଅ, ପଢ଼ି ଦେଖ, ଆଉ ଠିକଣାଟା ଉପରେ ଦୃଷ୍ଟି ପକାଅ ।

 

ଦେଖିଲି ଚିଠି ଉପରେ ପ୍ରେମିକାର ନାମ ଓ ଠିକଣା ଲେଖା ହୋଇଛି । କୌଣସି କଥା ଗୋପନ ରଖିବାକୁ ତିଳେ ମାତ୍ର ଚେଷ୍ଟା ନାହିଁ ।

 

ପ୍ରାୟ ଚିତ୍କାର କରି ମୁଁ କହି ପକାଇଲି–ଏ କ’ଣ ? କ’ଣ କରିଛ ତୁମେ ? ତୁମ ହାତକୁ ଏ ଚିଠିଟା ବା କିପରି ଆସିଲା ?

 

ଏହା କହିବା ସଙ୍ଗେ ସଙ୍ଗେ ମୋର ମନେ ହେଲା‚ ବୋଧହୁଏ ବନ୍ଧୁ ତାଙ୍କ ସ୍ତ୍ରୀ କିମ୍ବା ପ୍ରେମିକାକୁ ଖୁନ୍ କରି ଆସିଛନ୍ତି ।

 

ବନ୍ଧୁ ଅତିଶୟ ଧୀର ଶାନ୍ତ କଣ୍ଠରେ ଜବାବ ଦେଲେ–ବ୍ୟସ୍ତ ହୁଅ ନାହିଁ, କହୁଛି । ଘଟଣା ଚକ୍ରରେ ଚିଠିଟା ଆସି ମୋ ହାତରେ ପଡ଼ିଛି । ପ୍ରାୟ ଘଣ୍ଟାକ ଆଗରୁ ଗୋଟାଏ ବିଶେଷ କାମରେ ମୁଁ ନିକଟସ୍ଥ ଜଣେ ଭଦ୍ରଲୋକର ଘରକୁ ଯାଉଥିଲି । ଘରଟା ପାଖରେ ଥିବାରୁ ଗାଡ଼ିରେ ନ ଯାଇ ଚାଲିକରି ଯାଉଥିଲି । ଆଜି ପାଗଟା ଖୁବ୍ ଚମତ୍କାର ଥିବାରୁ ମନ ଭିତରେ ନାନା ପ୍ରକାର କଳ୍ପନାର ମଧୁର ଚିତ୍ର ଆଙ୍କି ଯାଉଥିଲି । ହଠାତ୍ ସାମନାରେ ଜଣେ ‘ସ୍ୟାଭୟ’ ବାସୀକୁ ଦେଖିଲି, ତାହାର ହାତରେ ଖଣ୍ଡିଏ ଚିଠି । ଲୋକଟି ମୋତେ ଦେଖି କହିଲା–ଦେଖନ୍ତୁ ତ’ ମହାଶୟ, ଏ ଠିକଣାଟା, ଜାଗାଟା କେଉଁଠି କହି ପାରିବେ ? ...ତୁମେ ଟିକିଏ ଭାବି ଦେଖ ତ, ଏ ହସ୍ତାକ୍ଷର ମୋର ସ୍ତ୍ରୀର ୟା ଜାଣିପାରି ମୋର ମନର ଅବସ୍ଥା ସେତେବେଳେ କ’ଣ ହୋଇଥିବ ! ‘ସ୍ୟାଭୟ’–ବାସୀକୁ ମୋ ପଛେ ପଛେ ଆସିବାକୁ କହି ମୁଁ ଗୋଟିଏ କଫିଖାନା ଭିତରକୁ ପଶିଗଲି । ସେଠାରେ ଲେଖିବାର ସରଞ୍ଜାମସବୁ ଠିକ୍ ଭାବରେ ଥିଲା ।

 

ପଚାରିଲି–ତା ପରେ ?

 

ବନ୍ଧୁ କହିବାକୁ ଲାଗିଲେ–ଭଗବାନଙ୍କୁ ଜଣା, ଏ ଚିଠିଟା ଉତାରିବା ପାଇଁ ମୁଁ କି କଷ୍ଟ ପାଇଛି । କୌଣସି ନାରୀର ଏତେ ପ୍ରବଳ ଆବେଗଭରା ଚିଠି ବି ମୁଁ କେବେ ହେଲେ ଦେଖି ନାହିଁ । ତୁମେ ନିଜେ ଦେଖ, ପ୍ରେମରେ ପଡ଼ି ତାହାର ମୁଣ୍ଡ କିପରି ବିଗିଡ଼ି ଯାଇଛି–ନ ହେଲେ ଆଖି ଆଗରେ ଯେଉଁ ଭିକାରୀଟା ପଡ଼ିବ ତା ହାତରେ ଏମିତି ଚିଠି ପଠାଇବାକୁ କେହି କ’ଣ କେବେ ଚେଷ୍ଟା କରେ ! ...କିନ୍ତୁ କାଲି ସେହି ପ୍ରେମିକ ତା ମନକୁ ପୂରାପୂରି ଜୟ କରି ପକାଇଛି । ଚିଠିଟା ପଢ଼, ପଢ଼ିଲେ ସବୁ କଥା ବଳେ ବଳେ ଜାଣି ପାରିବ । ଆଉ ଦେଖ, ମୋ ଉପରେ କେମିତି ରାଗ ପ୍ରକାଶ କରିଛି–ମୋ ନିଜ ଘରେ ପ୍ରବେଶ କରି ମୁଁ ସେମାନଙ୍କ ପ୍ରେମାଳାପରେ ବିଘ୍ନ ଘଟାଇଛି–ଏହା ମୋର ଅପରାଧ । ...କିନ୍ତୁ ମୁଁ ବା କେମିତି ଭାବରେ ସେମାନଙ୍କର କେଉଁଥିରେ ବ୍ୟାଘାତ କଲି ବୁଝିପାରୁ ନାହିଁ । ଯେତେବେଳେ ମୁଁ ଘରେ ଗୋଡ଼ ଦେଲି, ସେତେବେଳେ ସେ ଦୁହେଁ କଥା ହେଉଥିଲେ ସତ, କିନ୍ତୁ ତାହା ତ କୌଣସି ଗୋପନୀୟ ପ୍ରେମାଳାପ ବୋଲି ମୋର ମନେ ହେଲା ନାହିଁ । ଅତି ସାଧାରଣ ମାମୁଲି ବାଜେ କଥା ସେମାନେ ହେଉଥିଲେ ବୋଲି ବରଂ ମୋର ମନେ ହେଲା...ଛାଡ଼, ଏହି ସାଙ୍ଘାତିକ ଚିଠିଟା ପୂରାପୂରି ଉତାରି ସାରି, ଅସଲ ଖଣ୍ଡିକ ରଖି, ‘ସ୍ୟାଭୟ’ ବାସୀ ଭିଖାରୀକୁ କିଛି ଅର୍ଥ ପୁରସ୍କାର ଦେଇ ତା ହାତରେ ନକଲ ଚିଠି ଖଣ୍ଡିକ ଯଥା ସ୍ଥାନକୁ ପଠାଇ ଦେଇଛି । ଏକ୍ଷଣି ବି କ’ଣ ତୁମେ କହିବାକୁ ଚାହ, ମୋର ଅଭିଯୋଗ ଭିତ୍ତିହୀନ ?

 

ତା ପରେ ମୁଁ ସେହି ସାଙ୍ଘାତିକ ଚିଠି ଖଣ୍ଡିକ ପଢ଼ି ଦେଖିଲି । ଚିଠିଟିରେ ଏମିତି ସବୁ କଥା ଲେଖା ହୋଇଛି, ଯଦ୍ଦ୍ଵାରା ଯେ କୌଣସି ସ୍ୱାମୀ ଖାଲି ମର୍ମାହତ ନୁହେଁ, ଏକବାରେ ପାଗଳହୋଇ ଯାଇପାରେ । ମୁଁ ଅବଶ୍ୟ ଚିଠି ଖଣ୍ଡିକ ବନ୍ଧୁଙ୍କୁ ଆଉ ଫେରାଇ ଦେଲି ନାହିଁ, ଆଉ ବନ୍ଧୁଙ୍କର ଯେଭଳି ଅବସ୍ଥା ସେଥିରେ ତାଙ୍କୁ ଏକା ଛାଡ଼ି ଦେବା ବି ମୁଁ ସମୀଚୀନ ବୋଧ କଲି ନାହିଁ । ସୁତରାଂ ତାଙ୍କୁ ସାଙ୍ଗରେ ନେଇ ମୁଁ ତାଙ୍କ ସ୍ତ୍ରୀ ସାଙ୍ଗରେ ଦେଖା କରିବାକୁ ଗଲି । ସେତେବେଳେ ମୋର ନିଜର ଅବସ୍ଥା କ’ଣ, ଥରେ ଭାବି ଦେଖନ୍ତୁ ତ ! .....ଦୈବ ଯୋଗକୁ ସେତେବେଳେ ଭଦ୍ର ମହିଳା ଘରେ ଉପସ୍ଥିତ ଥିଲେ । ମୋତେ ତାଙ୍କ ସ୍ଵାମୀଙ୍କ ସାଙ୍ଗରେ ଆସିବାର ଦେଖି ତାଙ୍କର ସେହି ସ୍ୱଭାବ ସୁଲଭ ମଧୁର ହସରେ ପ୍ରଫୁଲ୍ଲ ଚିତ୍ତରେ ସେ ଆମ୍ଭମାନଙ୍କ ସମ୍ବର୍ଦ୍ଧନା ଜଣାଇଲେ; କିନ୍ତୁ ତାଙ୍କର ଏହି ପ୍ରଫୁଲ୍ଲତା ଆଉ ବେଶୀ କ୍ଷଣ ରଖିବା ସମ୍ଭବ ହେଲା ନାହିଁ, କାରଣ ତାଙ୍କର ଉତ୍ତେଜିତ ସ୍ଵାମୀ ସେତେବେଳେ ତାଙ୍କୁ ପ୍ରାୟ କୁତ୍ସିତ ଭାଷାରେ ତିରସ୍କାର କରିବାକୁ ଲାଗିଲେ । ସେହି ଦୋଷାବହ ତିରସ୍କାରରେ ମର୍ମାହତ ହୋଇ ଭଦ୍ର ମହିଳା ଥରି ଥରି ଘରର ଚଟାଣରେ ଟଳି ଟଳି ପଡ଼ିଗଲେ । ସ୍ଵାମୀଙ୍କର ନିଦାରୁଣ କଟୁକ୍ତି ଶୁଣି ବେଦନାରେ ସେ ଏକାବେଳେ ସ୍ତମ୍ଭୀତ ହୋଇଯାଇଥିଲେ । ନୟନରେ ତାଙ୍କର ଠୋପାଏ ହେଲେ ଲୋତକ ନ ଥିଲା । ସେ ଅନେକ ଦୋଷରେ ଦୋଷୀ ହେଲେ ସୁଦ୍ଧା ତାଙ୍କର ଏହି ଅବସ୍ଥା ଦେଖି ମୋର କେମିତି ଅନୁକମ୍ପା ଜାତ ହେବକୁ ଲାଗିଲା–ମୁଁ ତାଙ୍କୁ ଉଠାଇ ସାନ୍ତ୍ଵନା ଦେବା ଲାଗି ତାଙ୍କ ପାଖକୁ ଗଲି ।

 

ମହିଳାଟି ମୋତେ ପାଖରେ ଦେଖି ଉତ୍ତେଜିତ କଣ୍ଠରେ ଅନୁଯୋଗର ସ୍ଵରରେ କହିଲେ–ମୋ ପାଖରେ ଠିଆ ହୋଇ ଆପଣ ମୋର ଏହି ଆପମାନ ସହ୍ୟ କରୁଛନ୍ତି ? ମୁଁ ଆଜି କେଉଁଠି ? ଆପଣଙ୍କୁ କ’ଣ ମୁଁ ବନ୍ଧୁ ବୋଲି ଦାବୀ କରିପାରେ ନା ?

 

ୟାଲାସିଦୋର ମଧ୍ୟ ତତ୍‌କ୍ଷଣାତ୍ ସେହିପରି ଉତ୍ତେଜିତ କଣ୍ଠରେ କହି ପକାଇଲେ–ହଁ, ହଁ, ସେ ଆମ ଦୁହିଁଙ୍କର ବିଚାର କରନ୍ତୁ ।

 

ଏହି କଦର୍ଯ୍ୟ ନାଟକର ଯେଉଁଥିରେ ଅବସାନ ଘଟିବ ସେହିପରି ଦୁଇ ଜଣଙ୍କ ଭିତରେ ଗୋଟିଏ ଆପୋଷ ସମାଧାନ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବାକୁ ଲାଗିଲି,ଏବଂ ମୋର ଚେଷ୍ଟାରେ କିଛି ଫଳ ହେଲା ବୋଧ ହେଲା । କିନ୍ତୁ କ୍ରୁଦ୍ଧ ୟାଲାସିଦୋରଙ୍କୁ ବନ୍ଦ କରିବା ବଡ଼ ମୁସ୍କିଲ । ସେ ତାଙ୍କ ସ୍ତ୍ରୀର ଅପରାଧର ଯେଉଁ ପ୍ରମାଣ ପାଇଛନ୍ତି, ତା’ରି ଉପରେ ବାରମ୍ଵାର ଅଭିଯୋଗ ଆଣିବାରୁ ସେ କୌଣସି ମତେ ନିବୃତ୍ତ ହେଉ ନାହାନ୍ତି । ଆଉ ଏଣେ ତାଙ୍କ ସ୍ତ୍ରୀ ବି କୌଣସି ମତେ ଦୋଷ ସ୍ଵୀକାର କରୁ ନାହାନ୍ତି । ତାଙ୍କର ଏହି ଦୃଢ଼ତା ଦେଖି ସତରେ ମୁଁ ଅବାକ ହୋଇଗଲି । ଚିଠି କଥା ଉଲ୍ଲେଖ କରାହେଲେ ସୁଦ୍ଧା ସେ ଦୃଢ଼ ସ୍ଵରରେ କହିଲେ, ସେ ନିର୍ଦ୍ଦୋଷ । ଏହି ସବୁ କଥା ଦେଖି ଶୁଣି ମୋର ମନେ ହେଲା–ଅତ୍ୟନ୍ତ କଠିନ ହେଲେ ସୁଦ୍ଧା ଏହି ମୁସ୍କିଲ ଘଟଣାରୁ ଉଦ୍ଧାର ପାଇବା ପାଇଁ ସେ କୌଣସି ଉପାୟ ବାହାର କରିଛନ୍ତି । ଅବଶେଷରେ ୟାଲାସିଦୋରଙ୍କ ବାରମ୍ଵାର ଅଭିଯୋଗ ହେତୁ ମୁଁ ତାଙ୍କୁ ଚିଠିଟି କାଢ଼ି ଦେଖାଇଲି ।

 

ବନ୍ଧୁପତ୍ନୀ ଚିଠି ଖଣ୍ଡିକ ଆଡ଼କୁ ଥରେ ମାତ୍ର ଚାହିଁ ଦେଇ ଦୃପ୍ତ କଣ୍ଡରେ କହିଲେ–ଏ ଚିଠି ମୋର ନୁହେଁ । ୟାଲାସିଦୋର ଏମିତି କଥା କିପରି ଭାବି ପାରିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି-। କିନ୍ତୁ ୟାଲାସିଦୋର ସ୍ତ୍ରୀର ଏ ଉତ୍ତର ଶୁଣି ଟିକିଏ ହେଲେ ବିସ୍ମିତ ହେଲେ ନାହିଁ । ସେ ବରଂ ମନେ କଲେ, ତାଙ୍କ ସ୍ତ୍ରୀର ପରାଜୟ ସ୍ଵୀକାର କରିନେବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ । ମୋର ନିଜର ବି ଠିକ୍ ଏହି କଥା ମନେ ହେଲା । ତଥାପି ଗତ୍ୟନ୍ତର ନ ଦେଖି ମୁଁ ତାଙ୍କ ସ୍ତ୍ରୀର ଉକ୍ତି ଉପର ଜୋର ଦେଇ କଥାବାର୍ତ୍ତା କରିବାକୁ ଲାଗିଲି । କିନ୍ତୁ ମୋତେ ବେଶୀ କିଛି କଥା ଆଉ କହିବାକୁ ପଡ଼ିଲା ନାହିଁ । ସେତେବେଳେ ବନ୍ଧୁ, ପତ୍ନୀ ମୋତେ ବାଧା ଦେଇ ଆମ ଦୁଇ ଜଣ ଶୁଣିଲା ଭଳି କରିବାକୁ ଲାଗିଲେ ।

 

‘‘ମୋ ସ୍ଵାମୀଙ୍କୁ ମୁଁ ଚିର ଦିନ ଭଲ ପାଇ ଆସିଛି । କିନ୍ତୁ ବହୁ ଦିନ ହେଲା ମୁଁ ତାଙ୍କ ଠାରୁ ଆଉ ଆଗର ସେହି ଭଲପାଇବା ପାଉ ନାହିଁ । ଏଥିପାଇଁ ମୋର ମଃନକଷ୍ଟର ସୀମା ନାହିଁ । କିନ୍ତୁ ସେ କଦାପି କହି ପାରିବେ ନାହିଁ ଯେ ଏହି ଅବହେଳା ଲାଗି ମୁଁ କେଉଁ ଦିନ ହେଲେ ତାଙ୍କୁ ଦୋଷ ଦେଇଛି । କାହିଁକି ଦେବି ? ମୁଁ ଜାଣେ, ଏଥିରେ କୌଣସି ଫଳ ହେବ ନାହିଁ । ମୋର ଏକମାତ୍ର ଦୋଷ ହେଉଛି, ତାଙ୍କ ମନ ଭିତରେ ଈର୍ଷାର ଉଦ୍ରେକ କରାଇ ତାଙ୍କ ଭଲପାଇବା ଫେରି ପାଇବାକୁ ଚେଷ୍ଟା କରିବା–ଏ ପଥରେ ବିପଦ ଅଛି ତାହା ଜାଣି ସୁଦ୍ଧା ବିପଦ କଥା ଭାବି ମୁଁ ଏପରି ଲୋକଙ୍କୁ ମୋ ପ୍ରୟୋଜନ ସିଦ୍ଧି ପାଇଁ ନିର୍ବାଚନ କରି ନେଇଥିଲି ଯେ, ଯେଉଁମାନେ ମୋତେ ଖୁବ୍ ଭଲ ଭାବରେ ଜାଣନ୍ତି । ସେମାନଙ୍କ ଭିତରୁ କେହି ଜଣେ ହେଲେ ଭାବି ପାରିବ ନାହିଁ ଯେ ଏପରି ଜଣେ ଲୋକ ଦ୍ଵାରା ମୋର କୌଣସି ଅନିଷ୍ଟ ହୋଇପାରେ । ସେହି ଭଦ୍ରଲୋକ ନିଜେ ବି ସହଜରେ ମୋର ପରିକଳ୍ପନା ଅନୁଯାୟୀ କାମ କରିବାକୁ ରାଜି ହୋଇଥିଲେ । କିନ୍ତୁ ତା’ ସାଙ୍ଗରେ ମିଳାମିଶା କରିବାରୁ ୟାଲାସିଦୋର କିପରି କଷ୍ଟ ଅନୁଭବ କରୁଛନ୍ତି–କାଲି ଯେତେବେଳେ ମୁଁ ତାହା ସ୍ୱଚକ୍ଷୁରେ ଦେଖିଲି–ତତକ୍ଷଣାତ୍ କାଲି ମୋର ଚାକରବାକରଙ୍କୁ ହୁକୁମ ଦେଇଦେଲି; ଯଦି ସେହି ଭଦ୍ରଲୋକ ମୋ ସାଙ୍ଗରେ ଦେଖା କରିବାକୁ ଆସେ ତା ହେଲେ ତାଙ୍କୁ କହିଦେବ ମୋ ସାଙ୍ଗରେ ଦେଖା ହୋଇ ପାରିବ ନାହିଁ । ଆଉ ଏ ହୁକୁମ ମଧ୍ୟ ମୁଁ ସେହି ଭଦ୍ରଲୋକ ସାମନାରେ ଦେଇଛି, ଯଦ୍ଦ୍ଵାର ସେ ମଧ୍ୟ ମୋ ମନୋଗତ ଭାବ ନ ଜାଣିବାର ଛଳନା କରି ନ ପାରୁ । ଚାକରବାକରଙ୍କୁ ଡାକି ପଚାରିଲେ ଯଦି ସେମାନେ ଏ କଥା ଅସ୍ୱୀକାର କରନ୍ତି; ତାହାହେଲେ ମୁଁ ବରଂ ଶୁଣିବାକୁ ରାଜି ଅଛି, ଏ ରକମ ଜଘନ୍ୟ ଚିଠି ମୋ ଦ୍ଵାରା ଲେଖା ସମ୍ଭବ । ହଁ, ତେବେ ଏ ହାତଲେଖାଟା ଯେ ମୋ ହସ୍ତାକ୍ଷର ପରି ସେ କଥା ମୁଁ ମାନିବାକୁ ରାଜି ଅଛି ।

 

ତା’ପରେ ମହିଳାଟି ତାଙ୍କ ସ୍ଵାମୀ ଆଡ଼କୁ ନିରତିଶୟ କଠୋର ଦୃଷ୍ଟି ନିକ୍ଷେପ କରି କହି ପକାଇଲେ–କିନ୍ତୁ ମୋର ହସ୍ତାକ୍ଷର ଓ ଏହି ଲେଖା ଭିତରେ ଯେଉଁ ପାର୍ଥକ୍ୟ ଟିକକ ରହି ଯାଇଛି, ତାହା ତ ତୁମ ଦୃଷ୍ଟିରୁ ଏଡ଼ାଇ ଯିବାର କଥା ନୁହେଁ । ....ଏକ୍ଷଣି ବି କ’ଣ ତୁମେ କହିବାକୁ ଚାହଁ–ଏ ମୋରି ହାତଲେଖା ?

 

ସହସା ୟାଲାସଦୋର କହି ପକାଇଲେ–ହାୟ ଭଗବାନ ! ଏବେ ବୁଝି ପାରିଲି । ନା, ଏ ତୁମର ହାତଲେଖା ନୁହେଁ ।

 

କିଛି କ୍ଷଣ ସମସ୍ତେ ନୀରବ ରହିଲେ । ତା’ପରେ ୟାଲାସିଦୋର ହଠାତ୍ ଉଠିପଡ଼ି ତାଙ୍କ ସ୍ତ୍ରୀର ପାଦ ଉପରେ ପଡ଼ିଯାଇ ମିନତିର ସ୍ୱରରେ କ୍ଷମା ମାଗିବାକୁ ଲାଗିଲେ । ଏହା ଦେଖି ମୁଁ ଏକବାରେ ବିସ୍ମିତ ହୋଇଗଲି । ବନ୍ଧୁ ପତ୍ନୀ ଅବଶ୍ୟ ଅତି ସହଜ ମଧୁର ଭାବରେ ତାଙ୍କର ଯଥା କର୍ତ୍ତବ୍ୟ ପାଳନ କଲେ । ତା’ପରେ ମୁଁସେମାନଙ୍କ ନିକଟରୁ ବିଦାୟ ନେବାକୁ ବସିବାରୁ, ୟାଲାସିଦୋର ଆଉ କିଛି ସମୟ ତାଙ୍କ ସ୍ତ୍ରୀ ପାଖରେ ରହିବାକୁ ମୋତେ କହିଲେ ।

 

ବନ୍ଧୁ ପତ୍ନୀ ମୋ ଆଡ଼କୁ ଅନାଇ ମୃଦୁ ହସି କହିଲେ–କିନ୍ତୁ ଏ ଯାଏ ବି କଥା ଶେଷ ହୋଇ ନାହିଁ । ଆପଣଙ୍କୁ ସବୁ ଖୋଲି କରି କହୁଛି ।

 

ଏହା ଶୁଣିବା ମାତ୍ରେ ୟାଲାସିଦୋର ବିଶେଷ ଉତ୍ତେଜନା ସହକାରେ ଦ୍ରୁତ ଗତିରେ ଘରୁ ପଳାଇଗଲେ । ଏଥର ନିର୍ବାଧରେ ସବୁ କଥା ଶୁଣି ହେବ ଭାବି ମୁଁ ବି ବନ୍ଧୁ ପତ୍ନୀଙ୍କୁ ସବୁ କଥା ଫିଟାଇ କହିବାକୁ ଅନୁରୋଧ କଲି ।

 

ତା’ପରେ ବନ୍ଧୁ ପତ୍ନୀ କହିଲେ–ମୁଁ ଆଜି ଯେଉଁ କଥା ଆପଣଙ୍କୁ କହିବାକୁ ଯାଉଛି, ସେ କଥା ଏକମାତ୍ର ଆପଣଙ୍କ ଛଡ଼ା ଅନ୍ୟ କାହାକୁ ମୁଁ କହି ନ ପାରେ । କଥାଟା ହେଉଛି–ଚିଠିଟା ଯେ ମୁଁ ଲେଖି ନାହିଁ ସେ କଥା ଜାଣିବା ଆଗରୁ ୟଲାସିଦୋରଙ୍କର ଯେମିତି ମନଃକଷ୍ଟ ହେଉଥିଲା, ଏକ୍ଷଣି ବି ତାଙ୍କର ସେମିତି ମନଦୁଃଖ ହେଉଛି ।

 

ମୁଁ ଜବାବ ଦେଲି–କଥାଟା ଠିକ୍ ଭାବରେ ବୁଝି ପାରିଲି ନାହିଁ ।

 

ଖୋଲି କରି ନ କହିଲେ ଆପଣ କିପରି ବୁଝି ପାରିବେ ? କଥାଟା ହେଉଛି–ୟାଲାସିଦୋର ଅତି ମାତ୍ରାରେ ଚେଫିସର ପ୍ରେମରେ ପଡ଼ିଛନ୍ତି । ଆଉ ଏହି ଝିଅଟି ଯେ କି ଧରଣର ତାହା ଆପଣଙ୍କୁ ନିଶ୍ଚୟ ମାଲୁମ ଥିବ । ବୁଝନ୍ତୁ, ସେହି ଝିଅଟି ଏ ଚିଠି ଲେଖିଛି । ଆମ ଦୁହିଁଙ୍କର ହସ୍ତାକ୍ଷର ପ୍ରାୟ ସମାନ–ଖୁବ୍ କମ୍ ତଫାତ୍ ଅଛି–ମୋ ସ୍ୱାମୀଙ୍କ ନଜରରେ ଏହି ପାର୍ଥକ୍ୟ ଧରା ପଡ଼ି ନାହିଁ । ଖାଲି ଈର୍ଷାରେ ତାଙ୍କ ଆଖିରେ ଧୂଆଁବାଣ ଲାଗି ଯାଇଥିଲା । ତେଣୁ ହସ୍ତାକ୍ଷରର ଏହି ମେଳ–ଉପରେ ଭଦ୍ରଲୋକର ଠିକଣା ଲେଖା ହୋଇଛି, ତା ଉପରେ ମନର ଏହି ଈର୍ଷା, ସବୁ କିଛି ମିଶିଯାଇ ମୋ କଥା ତାଙ୍କୁ ସ୍ମରଣ କରାଇ ଦେଇଥିଲା–ସେ ଚେଫିସର କଥା ଆଦୌ ଭାବି ପାରିଲେ ନାହିଁ । ଅଥଚ ଏ ସବୁ ହିଁ ତାଙ୍କରି କୀର୍ତ୍ତି ।

 

ମୁଁ ଜବାବ ଦେଲି–ଏବେ ସବୁ କଥା ବୁଝି ପାରିଲି ।

 

ମହିଳାଟି କହିଲେ–ନା, ଏକ୍ଷଣି ବି ଆପଣଙ୍କର ବୁଝିବାକୁ ଢେର୍ ବାକୀ ଅଛି । ୟା ଭିତରେ ଆହୁରି ଗୋଟିଏ କଥା ରହିଛି । ସେହି କଥାଟି ହେଉଛି, ଭଦ୍ରଲୋକଟି ଅତି ମାତ୍ରାରେ ଚେଫିସର ପ୍ରେମରେ ପଡ଼ିଛି । ବାହାରେ ଯେ ସେ ମୋ ପ୍ରତି ଅନୁରାଗ ଦେଖାଇବାର ଛଳନା କରୁଛି, ତାହା କେବଳ ନିଜର ପ୍ରେମିକା ଠାରୁ ୟାଲାସିଦୋରଙ୍କୁ ଘୁଞ୍ଚାଇ ଦେବା ପାଇଁ ଚେଷ୍ଟା ଏବଂ ଏଇଥିଯୋଗୁଁ ମୁଁ ବି ସାଙ୍ଗରେ ମିଶିବାର ଛଳନା କରୁଥିଲି । ଏକ୍ଷଣି ମୋର ଅନୁରୋଧ, ଆପଣ ଆମ ଏଠାରେ କିଛି ଦିନ ରହନ୍ତୁ । କାରଣ କୌଣସି ପୁରୁଷ ଯେତେବେଳେ କୌଣସି ନାରୀର ବିଶ୍ୱାସଘାତକତା ଦ୍ଵାରା ଆହତ ହୁଏ, ସେତେବେଳେ ଜଣେ ସଚ୍ଚା ବନ୍ଧୁର ସାହଚର୍ଯ୍ୟ ତାହାର ଏକାନ୍ତ ପ୍ରୟୋଜନ । ଗୋଟିଏ ଦିଗରୁ ୟାଲାସିଦୋର ଏକ୍ଷଣି ଶାନ୍ତ ହୋଇ ପାରିଛନ୍ତି ସତ; କିନ୍ତୁ ଆଉ ଜଣକ ସମ୍ବନ୍ଧରେ ସେ ଯେଉଁ କଥା ଜାଣି ପାରିଛନ୍ତି, ସେହି ଦିଗରୁ ସେ ମଥା ଠିକ୍ ରଖି ପାରିବେ ନାହିଁ ।

 

ଏହିପରି ଭାବରେ ବନ୍ଧୁ ପତ୍ନୀଙ୍କ ସାଙ୍ଗରେ ନାନା ପ୍ରକାର କଥା ହେଉଁ ହେଉଁ ୟାଲାସିଦୋର ଫେରି ଆସିଲେ ଏବଂ କହିଲେ–ମୁଁ ଏକ୍ଷଣି ଚେଫିସ ପାଖରୁ ଆସୁଛି । ତା’ ଚିଠି ତାକୁ ଫେରାଇଦେଇ ମୁଁ ତା’ ସାଙ୍ଗରେ ସମସ୍ତ ସମ୍ପର୍କ ତୁଟାଇ ଦେଇ ଆସିଲି । ...ଆରେ ଭାଇ, କ’ଣ କହିବି, ତାହାର ଚାକର ବାକର ମୋତେ ତା’ ଘର ଭିତରକୁ ଛାଡ଼ି ନ ଦିଅନ୍ତି । ଚେଫିସ ଘରେ ଅଛି–ସେହି ଭଦ୍ରଲୋକଟିର ଗାଡ଼ିଟା ବି ବାହାରେ ରହିଛି, ଦେଖିଲି । ମୋର ନକଲ ଚିଠିଟା ପାଇ ସେ ହୁଏତ ଭୟରେ ଧାଇଁ ଆସିଛି–ଚେଫିସକୁ ସାବଧାନ କରିଦେବାକୁ କିମ୍ବା କିଛି ପରାମର୍ଶ ଦେବାକୁ ।

 

ମୁଁ କହିଲି–ସେମାନଙ୍କ କାର୍ଯ୍ୟକଳାପରେ ମୁଁ କିନ୍ତୁ ଖୁବ୍ ଖୁସି ହୋଇଛି । ସେମାନେ ତୁମ ସାଙ୍ଗରେ ଆଉ ଦେଖା କରିବେ ନାହିଁ । ଏହା ତୁମର ମହା ସୌଭାଗ୍ୟର ବିଷୟ ।

 

ୟାଲାସିଦୋର ଟିକିଏ ଆଗରୁ ଯେଉଁ ଆଘାତ ପାଇ ଫେରି ଆସିଲେ, ତଦ୍ଦ୍ଵାରା ସେ ମୋ କଥାର ଯୌକ୍ତିକତା ଯେ ସେତେବେଳେ ଉପଲବ୍‍ଧି କରିବେ, ତାହା ଅବଶ୍ୟ ଆଶା କରାଯାଇ ନ ପାରେ । ତଥାପି ମଝିରେ ମଝିରେ ସେ ଏମିତି ଭାବ ଦେଖାଇବାକୁ ଲାଗିଲେ ଯେ ସେମାନଙ୍କର କୌଣସି କଥା ସେ ଆଉ ଗ୍ରାହ୍ୟ କରୁ ନାହାନ୍ତି । ଆଉ ସେତେବେଳେ ଚେଫିସ ପ୍ରତି ତାଙ୍କ ମନ ଭିତରେ ଯେଉଁ ଘୃଣାର ଭାବ ଜାତ ହୋଇଥିଲା, ତାକୁ ଔଦାସୀନ୍ୟରେ ରୂପାନ୍ତରିତ କରିବା ସକାଶେ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବାକୁ ଲାଗିଲି । କାରଣ ୟାଲାସିଦୋରଙ୍କ ଘୃଣା ପାଇବାର ଯୋଗ୍ୟତା ସୁଦ୍ଧା ଚେଫିସ ଠାରେ ନାହିଁ । ଅଥଚ ନିଜ ସ୍ତ୍ରୀର ତୁଳନା କରାଯାଇ ନ ପାରେ । ସ୍ଵାମୀ ଉପରେ ଅଯଥା ପ୍ରାଧାନ୍ୟ ବିସ୍ତାର କରିବାର ଇଚ୍ଛା ତାଙ୍କର କେବେ ହେଲେ ନାହିଁ । ଆଉ, ଯେଉଁ ସ୍ଵାମୀ ତାଙ୍କୁ ଅବହେଳା କରି ତାଙ୍କ ପ୍ରତି ଅନ୍ୟାୟ ଆଚରଣ କରିବାକୁ ଯାଉଥିଲେ, ସେ ତାଙ୍କ ପ୍ରତି ତିଳେ ମାତ୍ର କ୍ରୋଧ ପୋଷଣ କରି ନାହାନ୍ତି । ସେ ମନରୁ ଏସବୁ କଥା ଏକାବେଳେ ପୋଛି ପକାଇଛନ୍ତି । ମୁଁ ତାଙ୍କୁ ପ୍ରଶଂସା ନ କରି ରହି ପାରୁନି । ତାଙ୍କ ସ୍ଵାମୀଙ୍କୁ ମୁଁ ଖାଲି ସାନ୍ତ୍ଵନା ଦେଉଛି ।

 

ମହାଶୟା, ନାଗରିକ ଜୀବନ ବିଷୟରେ କୌଣସି ଗୋଟିଏ କଥା ମୋ ଠାରୁ ଆପଣ ଶୁଣିବାକୁ ଚାହିଁଥିଲେ ବୋଲି ମୁଁ ଏ ଚିଠି ଖଣ୍ଡିକ ଲେଖିଲି । ଆଶା କରେଁ, ଆପଣ ଏହାକୁ ଗୋଟିଏ ଶୁଣା କଥା ବୋଲି ମନେ କରିବେ । ଏହି ଘଟଣାରେ ମୁଁ ଏତେ ଦିନ ଯାଏ ବ୍ୟସ୍ତ ଥିଲି ।

 

–କେମତ୍ ଦ୍ୟ କେଲାସ୍

☆☆☆

 

ଦୁଇ ଭଉଣୀ

 

ଗତ ଶୀତ ଋତୁରେ ଦୁଇ ଭଉଣୀଙ୍କ ସହିତ ମୋର ପରିଚୟ ହୋଇଥିଲା । ପ୍ରାୟ ନିତି ସେମାନଙ୍କ ସହିତ ଭେଟ ହେଉଥିଲା । କେଉଁଠି ସେମାନଙ୍କ ଭିତରୁ ଜଣକୁ ଦେଖିଲେ ପରିଷ୍କାର ଭାବରେ ଠଉରାଇ ହେଉଥିଲା, ନିଶ୍ଚୟ ଅନ୍ୟଟି ନିକଟର କେଉଁଠି ଅଛି । ତେଣୁ ଲୋକେ ସେମାନଙ୍କର ନାମ ଦେଇଥିଲେ ମାଣିକଯୋଡ଼ି ।

 

ଜଣେ ଗୌରତନୁ, ଅପରଟି ଶ୍ୟାମବର୍ଣ୍ଣା । ଯଦିଚ ଯମଜ, ତଥାପି ସେମାନଙ୍କ ଭିତରେ ଏତିକି ମାତ୍ର ମେଳ ଥିଲା ଯେ, ସେମାନଙ୍କୁ ଦେଖିବା ମାତ୍ରେ ପ୍ରେମରେ ନ ପଡ଼ି ଅନ୍ୟ ଗତି ନ ଥିଲା-। କାରଣ ଏମିତି ଦୁଇଟି ଉଚ୍ଚାଟକ ଅଥଚ ପରସ୍ପର ସହିତ ଏତେ ଫରକ ଥିବା ଝିଅ ବୋଧହୁଏ ଏ ସଂସାରରେ ଆଉ କେଉଁଠି ଦେଖା ଯାଆନ୍ତି ନାହିଁ । ଆଶ୍ଚର୍ଯ୍ୟର ବିଷୟ, ତଥାପି ଦୁଇ ଜଣଙ୍କର କ୍ଷୀର-ନୀର ଭାବ ଥିଲା । ସ୍ତ୍ରୀ ଜାତି, ସୁତରାଂ ସମ୍ଭବତଃ ବିରୋଧ ଯେ କି ଅଳଙ୍କାର, ଗୋଟିକ ପାଖରେ ଅନ୍ୟଟି ଯେ କିପରି ଦିଶୁଥିଲା, ତାହା ସେମାନେ ସ୍ପଷ୍ଟ ଭାବରେ ଜାଣି ସାରିଥିଲେ; କିମ୍ଵା ହୋଇପାରେ, ସେମାନଙ୍କର ପରସ୍ପର ପ୍ରତି ପ୍ରଣୟଟା ବାସ୍ତବିକ । ତେବେ ସେତେବେଳେ ଦୁହେଁ ଏକାଠି ହେଲେ ବୈଲକ୍ଷ୍ୟ ହେତୁ ସେମାନଙ୍କର ରୂପ ବେଶି ଫୁଟି ଉଠେ, ସେତେବେଳେ ମୋ ମତରେ ସେମାନଙ୍କର ଯୋଡ଼ି ବାନ୍ଧିବାର ଭିତିରି ମୂଳ କାରଣଟା ହେଲା ସେୟା । କାରଣ ସମ-ବୟସୀ ଓ ସମାନ-ସୁନ୍ଦରୀ ଦୁଇଟି ଭଉଣୀ ଯେ ପରସ୍ପର ପରସ୍ପରର ଦୃଷ୍ଟିରେ ବିଷ ନ ଥିଲେ, ଏହା ସ୍ଵୀକାର କରିବା ବଡ଼ କଠିନ; କିନ୍ତୁ ବ୍ୟବହାରରେ ତାର ବିପରୀତ ଦେଖାଯାଏ । ଯେଉଁଠାକୁ ଯାଉଥିଲି ଦେଖି ପାରୁଥିଲି ସଦାବେଳେ ଦୁହେଁ ଏକାଠି–ଏ ଯେମିତି ତାହାର ଛାୟା; ତିଳେ ମାତ୍ର ଛାଡ଼ବାଡ଼ ନାହିଁ, କେତେବେଳେ ଘରର ଗୋଟିଏ କୋଣରେ ଦୁଇ ସଖୀ ଠେଲାଠେଲି–ଭାବ ଦେଖାଇ ଗଦଗଦ ହେଉଥିଲେ–କେତେବେଳେ ଦେହକୁ ଦେହ ଲଗାଇ ଗୋଟାଏ ଶୋଫାରେ ଆଉଜି ବସି ରହୁଥିଲେ । ମୋ ନିକଟରେ ଏହି କଥାଟି ଭାରି ଅଦ୍ଭୁତ ଜଣା ଯାଉଥିଲା । ଆମ ନବ–ଯୁବକଙ୍କ ଦଳଟି ମଧ୍ୟ ପୂରାପୂରି ହତାଶ ହୋଇ ପଡ଼ିଥିଲେ । କାରଣ ନିଶାକୁ ଏପରି ଗୋଟିଏ କଥା କୁହାଯାଇ ନ ପାରେ, ଯାହା ଦିବା ନ ଶୁଣି ପାରେ; ଆଉ ନିଶାର ଦୃଷ୍ଟି ଏଡ଼ାଇ ଦିବାର ହାତରେ ଦୁଇ ଧାଡ଼ି ଲେଖା ଗୁଞ୍ଜି ଦେବ ଓ ସାହସ କାହାର ?–ଆମ ପାଞ୍ଚ ଜଣଙ୍କର ଏହିସବୁ ନିଷ୍ଫଳ ଚେଷ୍ଟା ଦେଖି ସେମାନଙ୍କୁ ଭାରି ମଜା ଲାଗୁଥିଲା, ଅତି ଛୋଟ ଛୋଟ ଛୁଆପିଲାଙ୍କ ପରି ସେମାନେ ହସି ହସି ଗଡ଼ି ଯାଉଥିଲେ–ଏହା ହିଁ ସେମାନଙ୍କର ନିତିଦିନିଆ ଆମୋଦ ଥିଲା । ପ୍ରଥମେ ଜଣକୁ ନଚାଇ ଏବଂ ତାହାର ଆଶା ବଢ଼ାଇ, ଶେଷରେ କେଉଁଠି ଥଟ୍ଟା କରିବା, କେଉଁଠି ନାରୀ–ସୁଲଭ ରାଗ ଦେଖାଇ ସେହି ଆଶା ଭାଙ୍ଗି ଦେବା । ଯେତେବେଳେ ଏହି ହତଭାଗା ବିଚରାଟିମାନେ ମନକଥା ମନରେ ମାରି ବହୁ କଷ୍ଟରେ ଲିଖିତ ସେମାନଙ୍କର ଚତୁର୍ଦ୍ଦଶପଦୀ କବିତା କିମ୍ଵା ପ୍ରଣୟ-ଚିଟାଉ ମୁହଁ ଆମ୍ବିଳା କରି ଧୀରେ ଧୀରେ ପୁଣିପକେଟରେ ପୁରାନ୍ତି, ସେତେବେଳେ ସେମାନଙ୍କର ଚେହେରା ଦେଖିବା ଭଳି ଜିନିଷ ହୋଇଯାଏ ! ମୋର ଜଣେ ବନ୍ଧୁକୁ ସେମାନେ ଏପରି ଅପଦସ୍ଥ କରିଥିଲେ ଯେ, ତା ପରେ ହପ୍ତାଏ ଖଣ୍ଡେ ସେ ନିଜର ବେଶଭୂଷାରେ ଏତେ ବୀତରାଗ ହୋଇ ପଡ଼ିଲା ଯେ ତାକୁ ବିବାହିତ ବୋଲି ଭ୍ରମ ହେଲା । ଆଉ ପାଞ୍ଚ ଜଣଙ୍କ ପରି ମୁଁ ବି ସେମାନଙ୍କ ନିକଟରେ ପ୍ରଜାପତି ସଦୃଶ ବ୍ୟବହାର ଆମ୍ଭେ କରିଦେଲି । ଥରେ ଉଡ଼ି ଦିବା ପାଖକୁ ଯାଏ ତ, ପୁଣି ଉଡ଼ି ନିଶା ପାଖକୁ ଚାଲିଆସେ; କିନ୍ତୁ ସେହି ଉଡ଼ା ହିଁ ସାର, ଫଳ କିଛି ହେଲା ନାହିଁ-। କିନ୍ତୁ ଦିନ ପରେ ଏମିତି ଭିଡ଼ିଗଲି ଯେ, ମନେ ମନେ ବନ୍ଧୁ ଶ୍ରୀଯୁକ୍ତ–କାଳେ ନିଜର ବେଶଭୂଷାର ଚାକଚକ୍ୟରେ କାମଟା ହାସଲ କରିନେବେ, ଏହି ଭୟରେ ସେତେବେଳେ ଆଉ ମରି ହେଲା ନାହିଁ-। ତାହା ଛଡ଼ା ମୋର ନୂଆ ଆଦରର ପୋଷାକଟା ପିନ୍ଧି ଦୁଇ ଦିନ ବାହାରକୁ ନ ଯାଇ ବା କିପରି ମରନ୍ତି । –ସୁତରାଂ ମୋର ଆତ୍ମହତ୍ୟାଟା କିଛି ଦିନ ପାଇଁ ମୁଲତବି ରଖିବାକୁ ହେଲା; କିନ୍ତୁ ଆଜି ଯାଏ ବୁଝି ପାରିଲି ନାହିଁ, ସେହି କାମଟା ଠିକ୍ ହୋଇଥିଲା କି ଭୁଲ ହୋଇଥିଲା ।

 

ଦିନେ ନିଜର ମନ ଖୋଜି ପାଇଲା ବେଳକୁ ଦେଖିଲି ସର୍ବନାଶ ! ମୁଁ ଦୁଇ ଭଉଣୀଙ୍କୁ ଏକ ସାଙ୍ଗରେ ଭଲ ପାଇଛି ! କି ଲଜ୍ଜାକର କଥା; କିନ୍ତୁ କଥାଟା ସତ, ଜଣକୁ ନୁହେଁ, ଦୁଇ ଜଣଙ୍କୁ, ସମାନ ଭାବରେ । ଶ୍ରୀମତୀ–ଏ କଥା ଶୁଣିଲେ ନିଃସନ୍ଦେହରେ ଟିକିଏ ଓଠ ବଙ୍କାଇ କହିବେ–‘ପାପିଷ୍ଠ !’ କିନ୍ତୁ ଆପଣମାନେ ସମସ୍ତେ ଜାଣନ୍ତି ମୋ ପରି ଜଣେ ନିରୀହ ଲୋକ ଆଉ ଦୁନିଆରେ ନାହିଁ । ତେବେ କଥା କ’ଣ କି, ପୁରୁଷର ମନ ନାରୀ-ଜାତିର ମନ ପରି ଏଡ଼େ ବିଚିତ୍ର ଓ ଏଡ଼େ ଅଦ୍ଭୁତ ନ ହେଲେ ସୁଦ୍ଧା ଗୋଟିଏ ଅଦ୍ଭୁତ ଜିନିଷ । ସେମାନଙ୍କର ଯେ କେତେବେଳେ କି ଅବସ୍ଥା ହୁଏ, ତାହା କେହି କହି ପାରିବ ନାହିଁ । ଏପରିକି ଶ୍ରୀମତୀ ମଧ୍ୟ କହି ପାରିବେ ନାହିଁ । ହୁଏତ ମୁଁ ବି ଏହା ଚାହେଁ ଯେ ଦିନେ ନା ଦିନେ ତାହା ପ୍ରତି ପ୍ରଣୟାସକ୍ତ ହୋଇ ପାରେ ।

 

ନିଶା ଦେଖିବାକୁ ଲମ୍ବ ପାତଳ, ମଥାରୁ ପାଦ ଯାଏ ଲହ ଲହ ହେଉଛି । ଆଉ ଆଖି ! ଦୁନିଆରେ ସେ ଆଖିର ଆଉ ପଟାନ୍ତର ନାହିଁ । ଭ୍ରୂ ଦୁଇଟି ଯେମିତି ତୂଳୀରେ ଅଙ୍କିତ ! ଦିବାର ତୋଳା ନାକ । ବର୍ଣ୍ଣ ଶ୍ୟାମ; କିନ୍ତୁ ତାହା ଉଜ୍ଜଳ ଉତ୍ତପ୍ତ ଶ୍ୟାମ । ହାତ ଦୁଇଟି ନିଖୁଣ । ବାହୁ ଯୁଗଳ ଟିକିଏ କୃଶ, ଚମତ୍କାର ସୁନ୍ଦର । ଆଉ ବାହୁର ପାଖଆଖ ଏତେ ନୂତନ ବୟସରେ ଯେତେ ଦୂର ସମ୍ଭବ ପରିସ୍ପୁଟ । ଯୌବନ ବି ଦେହରେ ଭରପୁର ହୋଇ ଯିବାକୁ ଟିକିଏ ସମୟ ନିଏ । କିଏ ନ ଜାଣେ, ଥୟ ନ ଧରିଲେ ଆତ ଭଲ କରି ପାଚେ ନାହିଁ । ଗୋଟିଏ କଥାରେ, ସେ ହେଉଛି ସ୍ଵର୍ଗର ଦେବୀ ।

 

ଏପରି ଝିଅକୁ ଭଲ ପାଇ କ’ଣ ଭୁଲ କରିଥିଲି ?

 

ଆଗରୁ କହିଛି ଦିବାର ରଙ୍ଗ ଫରଶ, ଢାକାର ମଲମଲ ଭଳି ଶୁଭ୍ର, ସ୍ଵଚ୍ଛ ଓ ସୁକୁମାର । ଆଖି ଦୁଇଟି ନୀର ପରି ପରିଷ୍କାର ଓ ଗଭୀର । ମଥାଏ କେଶ, ଘନ, ଦୀର୍ଘ, ରେଶମ ପରି ଫର ଫର ସେହି କେଶ ନିଶ୍ଵାସର ଭାର ସହି ପାରୁ ନ ଥିଲା, ମୁଖର ଚାରି ପଟେ ଉଡ଼ି ଖେଳେଇ ହୋଇ ପଡ଼ୁଥିଲା । ତାହା ଛଡ଼ା ଦୁଇଟି କୋମଳ ପାଦ, ବକ୍ଷ ଓ କଟୀ । ହଠାତ୍ ଦେଖିଲେ ପରୀ ବୋଲି ଭ୍ରମ ହୁଏ ।

 

ଶୁଣି କ’ଣ ମନେ କରୁଛ ? ପ୍ରେମର ଉପଯୁକ୍ତ ପାତ୍ରୀ ନୁହେଁ କି ? ଆଉ ଦିନେ, ମନ ଭିତରେ ଭଲ ଭାବରେ ତଳେଇ ଦେଖିଲି (କଥା ଆହୁରି ଭୟାନକ) ଯେ ଦିବା ନିଶା ଦୁହିଁଙ୍କ ଭିତରୁ ଜଣକୁ ବି ମୁଁ ଭଲ ପାଏ ନାହିଁ । ଖାଲି ଦିବାକୁ ଘେନି ମୋର ମନ ମାନେ ନାହିଁ । ଭଉଣୀ ଛଡ଼ା ନିଶା ଯେମିତି ଅଲଗା ମଣିଷ ଏକବାରେ ରସ-ସ୍ଵାଦ ହୀନ, କିନ୍ତୁ ପୁଣି ଦୁହେଁ ଏକାଠି ହେଲେ ଉଭୟଙ୍କ ପ୍ରତି ମୋର ପ୍ରେମ ବି ଫେରି ଆସୁଥିଲା । ବୁଝିଲି ମୋର ମନ ଶ୍ୟାମର ରୂପରେ ଭୁଲି ନାହିଁ କି ଗୌରୀର ରୂପରେ ବି ନୁହେଁ । ଦୁଇ ଭଉଣୀଙ୍କର ଦୁଇଟି ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟର ମିଳନ ମୋର ମୋହର କାରଣ । ମୁଁ ଜଣେ ମନ–ଗଢ଼ା ଯୁବତୀର ଉପାସନା କରୁଛି । ସେ ଦିବା ନୁହେଁ କି ନିଶା ବି ନୁହେଁ; କିନ୍ତୁ ଏହାର ଅଧେ ଓ ତାହାର ଅଧେ ଦେଇ ସେ ନିର୍ମିତ । ଦୁଇଟି ସୁନ୍ଦରୀ ଯୁବତୀ–ମିଥୁନର ସହବାସ–ଜାତ ଗୋଟିଏ ବିଚିତ୍ର ମାନସୀ ସୃଷ୍ଟି । ଜଣକ ଠାରୁ ତାହାର ହସ ସଂଗ୍ରହ, ଆଉ ଅପର ଠାରୁ ତୀବ୍ର କଟାକ୍ଷ । ଗୌରୀର ବିଷାଦ ଓ ଶ୍ୟାମାର ପ୍ରଫୁଲ୍ଲତା ସେଥିରେ ଏକାଠି ମିଳିତ । ଦୁଇ ଜଣ ଏକାଠି ହେଲେ ହିଁ ଏହି ଅପୂର୍ବ ଅବର୍ଣ୍ଣନୀୟା ମାୟା–ସୁନ୍ଦରୀ ମୋତେ ଛଳନା କରିବାକୁ ଆସେ । ଦୁଇ ଭଉଣୀଙ୍କର ଯୋଡ଼ି ଭାଙ୍ଗିବା କ୍ଷଣି ସେ ହାଓ୍ୟାରେ ମିଳାଇ ଯାଏ । କ୍ରମେ କଳ୍ପନାରେ ଦୁଇ ଭଉଣୀଙ୍କୁ ଢଳାଇ କରି, ଗୋଟିଏ ଛାଞ୍ଚରେ ପକାଇ ଝିଅଟିଏ ଗଢ଼ି ତାକୁ ଭଲ ପାଇବାକୁ ଆରମ୍ଭ କଲି । ଯେଉଁଦିନ ସେମାନେ ମୋର ଭଲ ପାଇବାର ଧାରା ବୁଝି ପାରିଲେ,–କହିବା ବାହୁଲ୍ୟ ତାହା ବୁଝିବାକୁ ବେଶି ଡେରି ହେଲା ନାହିଁ, ସେହି ଦିନରୁ ସେମାନଙ୍କର ମୋ ପ୍ରତି–ଟିକିଏ ବିଶେଷ ରକମ ଆକର୍ଷଣ ଦେଖିବାକୁ ପାଇଲି । ଖୁବ୍ ଭଲ ଭାବରେ ଜଣା ଯିବାକୁ ଲାଗିଲା ଯେ, ଅନ୍ୟମାନଙ୍କ ଅପେକ୍ଷା ମୁଁ ସେମାନଙ୍କ ମନ ପାଖକୁ କେତେକ ପରିମାଣରେ ଆଗେଇ ଆସିଛି ।

 

ଇତି ମଧ୍ୟରେ ମୁଁ ଦିବା ଓ ନିଶାର ମାଆଙ୍କ ସହିତ ବନ୍ଧୁତା ସ୍ଥାପନ କରି ସାରିଥିଲି । ବେଳ ନାହିଁ ଅବେଳ ନାହିଁ, ଯେତେବେଳେ ମୋର ଖୁସି ସେମାନଙ୍କ ଘରକୁ ଯାଉଥିଲି । ସେଠାରେ ସମସ୍ତେ ମୋତେ ନାମ ଧରି ଡାକୁଥିଲେ । ଝିଅମାନେ ଛବି ଆଙ୍କୁଥିଲେ; ଆଉ ମୁଁ ତା ଉପରେ ମୋର ତୂଳୀ ଚଳାଉଥିଲି । ମୁଁ ନ ହେଲେ ସେମାନଙ୍କର ଗାନ ବାଜଣା ଜମୁ ନ ଥିଲା; କିନ୍ତୁ ମୋର ଅବସ୍ଥା ଏମିତି ହେଲା ଯେ, ମୋର ସଙ୍ଗିନୀ ଦୁଇଟି ଦେବକନ୍ୟା ହେଲେ କ’ଣ ହେବ ସେମାନଙ୍କର ବାସସ୍ଥାନ ନରକରେ ଥିଲା ।

 

ସେମାନଙ୍କର ସଙ୍ଗସୁଖ ମୋ ନିକଟରେ ଯେତିକି ମଧୁର ଥିଲା, ସେତିକି ଯନ୍ତ୍ରଣାଦାୟକ ମଧ୍ୟ । ମୁଁ ବସି ବସି ଛବି ଆଙ୍କୁଥିଲି । ଦୁଇ ଭଉଣୀ ଦୁଇ ପାଖରେ ମୋର କାନ୍ଧ ଉପରେ ଇଷତ୍ ଝୁଙ୍କି ପଡ଼ି ଏକ ମନରେ ତାହା ଦେଖୁଥିଲେ । ସେମାନଙ୍କ ଛାତିର ଧଡ଼ପଡ଼ ଶବ୍ଦ ମୋ ପଛରେ, ସେମାନଙ୍କର ନିଶ୍ୱାସ-ପ୍ରଶ୍ଵାସ ମୋର ମଥାର ବାଳ ଭିତରେ ଅନୁଭବ କରୁଥିଲି । ଜୀବନରେ ବୋଧହୁଏ ଏତେ ଖରାପ ଛବି ଆଉ କେବେ ଆଙ୍କି ନ ଥିଲି; କିନ୍ତୁ ସେମାନେ କହୁଥିଲେ ‘ଅତି ଚମତ୍କାର’ । କେତେବେଳେ ବା ଘରର କୋଣରେ, ପରଦାର ଅନ୍ତରାଳରେ, ଜଣେ ଡାହାଣରେ ତ ଅନ୍ୟଟି ବାମରେ, ମଝିରେ ମୁଁ, ତିନି ଜଣ ବସି କାକାତୁଆ ପରି ଅନର୍ଗଳ ବକି ଯାଉଥିଲୁ । କ’ଣ ଯେ କଥା ହେଉଥିଲୁ, ତାର କୌଣସି ଅର୍ଥ ନାହିଁ । ସେମାନେ ଦୁହେଁ ଯାକ ପ୍ରାୟ ଏକ ସାଙ୍ଗରେ କଥା କହୁଥିଲେ । ମୁଁ କେତେବେଳେ ନିଶାର କଥାର ଜବାବ ଦିବାକୁ ଦେଉଥିଲି ତ କେତେବେଳେ ଦିବାର କଥାର ଜବାବ ନିଶାକୁ ଦେଉଥିଲି । ହସ ଖୁସିର କଥା ଯେ ବେଶି କିଛି ହେଉଥିଲା ତାହା ବି ମନେ ହେଉ ନାହିଁ, ତଥାପି ମଝିରେ ମଝିରେ ଆମେ ହସି ହସି ଗଡ଼ି ଯାଉଥିଲୁଁ । ଏହି ଅବସରରେ ମୋର ସ୍ତ୍ରୀ ଆଉଗୋଟାଏ କୋଣରେ ବସି ପାଞ୍ଚ ବର୍ଷ ତଳର ଖଣ୍ଡିଏ ପୁରୁଣା ଖବରକାଗଜ ଏକ ମନରେ ପଢ଼ୁଥିଲା, ନୋହିଲେ ଚୌକିରେ ବସି ଟିକିଏ ଢୁଳାଇ ପଡ଼ୁଥିଲା ।

 

ନିଶ୍ଚୟ ସ୍ଵୀକାର କରିବାକୁ ହେବ ଯେ ମୋର ଅବସ୍ଥା ଦେଖି ଆଉ ପାଞ୍ଚ ଜଣଙ୍କ ଜିଭରୁ ଲାଳ ଗଡ଼ୁଥିଲା ଏବଂ ଅନ୍ୟମାନେ ହିଂସା କରୁଥିଲେ । ଏମିତି ଲୋଭନୀୟ ଅବସ୍ଥା କେହି କେବେ ସ୍ଵପ୍ନରେ ବି କଳନା କରି ନ ଥିଲେ । ମୁଁ କିନ୍ତୁ ଭିତରେ ଭିତରେ ପୁରା ମାତ୍ରାରେ ସୁଖୀ ନ ଥିଲି । ଯଦି କେତେବେଳେ ଆଦର କରି ଦିବାର ମୁଖ ଚୁମ୍ବନ କରୁଥିଲି, ମନେ ହେଉଥିଲା ଯେମିତି ଗୋଟାଏ କି ଅଭାବ ରହିଗଲା, ତାହା ଯେମିତି ଷୋଳ ଅଣା ଚୁମ୍ବନ ନୁହେଁ । ଯଦି ତତ୍‍କ୍ଷଣାତ୍ ଫେରିପଡ଼ି ନିଶାର ମୁଖ ଚୁମ୍ବନ କଲି ତ ଜଣା ଯାଉଥିଲା ତାହା କେବଳ ପୂର୍ବ ଚୁମ୍ବନର ପୁନରୁକ୍ତି । ଦୁଇଜଣଙ୍କର ମୁଖ ଏକାଠି କରିନେଇ ଏକ ବାଣରେ ଦୁଇଟି ପକ୍ଷୀ ମାରି ନ ପାରିଲେ ମୋର ଆଉ ପରିତୃପ୍ତ ହେବାର ସମ୍ଭାବନା ନ ଥିଲା; କିନ୍ତୁ ଏହି ଇଚ୍ଛା ହେବା ଯେତେ ସହଜ, ଚରିତାର୍ଥ କରିବା ଅବଶ୍ୟ ସେତେ ସହଜ ନୁହେଁ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ଦୁହିଁଙ୍କ ଭିତରେ ସଉତୁଣୀ ଭାବର ଲକ୍ଷଣ ତିଳେ ମାତ୍ର ନ ଥିଲା । ଅବଶ୍ୟ ଦୁଇ ଜଣ ଯାକ ମୋ ଠାରୁ ସମାନ ଆଦର ଯତ୍ନ ପାଉଥିଲେ । ମୋର କୌଣସି ଦିଗରେ ପକ୍ଷପାତ ନ ଥିଲା–ତଥାପି ! ଜାଣେ ନା ସେମାନେ ମୋ ଉପରେ ଯେ ଭଳି ମୋହ ବିସ୍ତାର କରୁଥିଲେ ପରସ୍ପର ପରସ୍ପର ଉପରେ ବି ସେମିତି କରୁଥିଲେ କି ନା; କିନ୍ତୁ ତାହା ଛଡ଼ା ଆଉ କି କାରଣରୁ ଉଭୟଙ୍କ ଭିତରେ ଏମିତି ସଦ୍ଭାବ ସମ୍ଭବ ହୋଇ ପାରନ୍ତା-? ଜଣକର ବିରହରେ ଅନ୍ୟଟି ଏକବାରେ ଝାଉଁଳି ପଡ଼ୁଥିଲା । ମୋର ବିଶ୍ଵାସ, ସେମାନେ ମନେ ମନେ ଦୃଢ଼ ଭାବରେ ଜାଣିଥିଲେ ଯେ ପରସ୍ପର ପରସ୍ପରର ଅଧେ ମାତ୍ର, ଦୁହେଁ ଏକାଠି ହେଲେ ଯାଇ ପୁରା ଭାବରେ ଗୋଟାଏ ଜୀବ ହେଉଥିଲା । ବୋଧହୁଏ ଯେଉଁ ରାତିରେ ମାତୃ ଗର୍ଭରେ ସେମାନଙ୍କ ଜୀବନର ପ୍ରଥମ ସୂତ୍ରପାତ ହେଲା, ଯମଜ ହେବା ବିଷୟରେ ବ୍ରହ୍ମା ଅବଦ୍ଧିତ ନ ଥିବାରୁ ଦୂତର ହାତରେ ଗୋଟିଏ ମାତ୍ର ଆତ୍ମା ପଠାଇ ଦେଇଥିଲେ; ଏବଂ ସେହି ଭଦ୍ରଲୋକ ପୃଥିବୀକୁ ଆସି ଯେତେବେଳେ ତାହାର ଭୁଲ୍ ଠଉରାଇ ପାରିଲା, ସେତେବେଳେ ପୁଣି ଏତେ ଦୂର ବ୍ରହ୍ମଲୋକକୁ ଆଉ ଗୋଟାଏ ଆତ୍ମାର ସନ୍ଧାନରେ କିଏ ଫେରି ଯାଉଛି ବୋଲି ଭାବି ଯେଉଁଟି ସାଙ୍ଗରେ ନେଇ ଆସିଥିଲା ସେଇଟିକୁ ଅଧାଅଧି ଭାଗ କରି ଦୁଇ ଜଣଙ୍କୁ ଦେଇଗଲା । ମୋ ମନ ଭିତରେ ଅନ୍ତତଃ ଏହି ସଂସ୍କାର ଏପରି ଦୃଢ଼ବଦ୍ଧ ହୋଇ ରହିଥିଲା ଯେ, ମୁଁ ସେମାନଙ୍କର ନାମ ବଦଳାଇ ଗୋଟିଏ ମାତ୍ର ନାମ ଦେଇଥିଲି ।

 

ଦିବା-ନିଶାର ମନର ଅବସ୍ଥା ବି ମୋରି ପରି ଅସହ୍ୟ ହୋଇ ଯାଉଥିଲା । ସେମାନେ ବି ବରାବର ମୋରି ପରି ଯନ୍ତ୍ରଣା ଭୋଗ କରୁଥିଲେ । ଦିନେ ଜାଣେନା ଯୁକ୍ତି ଛଳରେ କିମ୍ବା ଏମିତି ଆପଣା ଛାଆଁକୁ, ଦୁଇ ଜଣ ଦୁଇ ପାଖରୁ ନକ୍ଷତ୍ର ପରି ଖସି ଆସି ମୋର ଗଳା ବେଷ୍ଟନ କଲେ । ମୁଁ ଗୋଟାଏ ଆଡ଼କୁ ଟିକିଏ ହଲି ଜଣକୁ ଆଦର କରିବାର ଉପକ୍ରମ କରୁଛି, ଏମିତି ସମୟରେ ଦୁଇ ଭଉଣୀ ଯୁଗପତ୍ ମୋର ଦୁଇ ଗଣ୍ଡ ସ୍ଥଳରେ ଦୁଇଟି ଅଧର ସ୍ଥାପନ କଲେ । ସେ ଦିନ ସେମାନଙ୍କ ଆଖିରୁ ନିଆଁ ବାହାରୁଥିଲା । ମୋର ଛାତି ଭିତରର ହୃତପିଣ୍ଡଟା ଏମିତି ଧଡ଼ପଡ଼ ହେଉଥିଲା ଯେ ମନେ ହେଲା, ବୋଧହୁଏ ଭାଙ୍ଗିଯିବ । ସେମାନେ ତୀର ବେଗରେ ଧାଇଁ ଆସିଥିଲେ ବୋଲି ଖୁବ୍ ସମ୍ଭବତଃ ଏହିସବୁ ଲକ୍ଷଣ ଦେଖା ଦେଇଥିଲା; କିନ୍ତୁ ସେ ଦିନ ମୁଁ ଅନ୍ୟ ରକମ ବୁଝିଥିଲି । ଏମିତି ଫୁର୍ତ୍ତି ଓ ଏମିତି ଅସଂଯମର ଭାବ ମୁଁ ଆଗରୁ କେବେ ସେମାନଙ୍କ ମୁଖରେ ଦେଖି ନ ଥିଲି । ସେହି ଦୁଇଟି ଚୁମ୍ବନର ଫଳ ଗୋଟିଏ ମାତ୍ର ଅନୁଭୂତି । ଫଳରେ ସେହି ଦୁଇଟି ଚୁମ୍ବନ ଦୁଇ ନୁହେଁ, ଦୁଇ ମିଶି ଏକ; ଏ ଚୁମ୍ବନ ଦିବାର ନୁହେଁ କି ନିଶାର ବି ନୁହେଁ; କିନ୍ତୁ ଉଭୟର ମିଳନରେ ଯେଉଁ ମାୟା-କୁମାରୀଟି ସୃଷ୍ଟି ହୋଇଥିଲା, ତାହାର । ସେ ଦିନ ଖାଣ୍ଟି ସୁଖ କାହାକୁ କହନ୍ତି, ଅନ୍ତତଃ ତିନି ସେକେଣ୍ଡ ପାଇଁ ମୁଁ ତାହା ଅନୁଭବ କରିଥିଲି; କିନ୍ତୁ ହଠାତ୍ ମୋର ମନେ ପଡ଼ିଲା ଯେ ମୁଁ ପୁରୁଷ ଏବଂ ଯେଉଁ ପୁରୁଷ ତିଳେ ହେଲେ ବି ଆପଣାର ଗୁମର ବୁଝେ ସେ କଦାପି ସ୍ତ୍ରୀ ଜାତିର ଏମିତି ବିପରୀତ ରୀତିକୁ ପ୍ରଶ୍ରୟ ଦେଇ ପାରିବ ନାହିଁ । ସେତେବେଳେ ମୁଁ ଦିବାର ଗୋଟିଏ ଓ ନିଶାର ଗୋଟିଏ, ଏମିତି ଦୁଇଟି ହାତ ଆଣି ପରସ୍ପରର ଆଙ୍ଗୁଳିକୁ ଏକାଠି କରି ମୋର ମୁଖ ଉପରକୁ ନେଇ ଆସିଲି । ଏହି ଉପାୟରେ ମୁଁ ସେମାନଙ୍କ ଆଦରର ପ୍ରତିଦାନ ଦେଲି । ଦିବା ଓ ନିଶା ଏକା ସାଙ୍ଗରେ ନିଜର ହାତରେ ମୋର ଅଧରର ସ୍ପର୍ଶ ଅନୁଭବ କଲେ ।

 

ଆପଣମାନେ ବୋଧହୁଏ ମନେ ମନେ ହସୁଛନ୍ତି ଏବଂ ଭାବୁଛନ୍ତି ମୁଁ ନିତାନ୍ତ ପାଗଳ, ଆଉ ଦୁଇଟି ଷୋଡ଼ଶୀ ସୁନ୍ଦରୀର ପ୍ରେମ ଲଭିବା ସେମିତି କିଛି ବିପଦ ନୁହେଁ; କିନ୍ତୁ ମୁଁ ଜୀବନରେ ଏମିତି ଜ୍ୱାଳାରେ ଆଉ ଜଳି ନାହିଁ । ମୁଁ ଚାହିଁଥିଲେ ଦିବା ମୋର ହୋଇ ପାରିଥାନ୍ତା କିମ୍ବା ଚାହିଁଥିଲେ ନିଶା ମୋର ହୋଇ ପାରିଥାନ୍ତା; କିନ୍ତୁ ଏମାନଙ୍କ ଭିତରୁ ଜଣକୁ ନେଇ ବି ମୁଁ ସୁଖୀ ହେଇପାରି ନ ଥାନ୍ତି । ଯାହା ଅସମ୍ଭବ ମୁଁ ତାହା ହିଁ ଚାହେଁ,–ଦୁଇ ଜଣଙ୍କୁ ଏକା ସାଙ୍ଗରେ ଏକ ସମୟରେ । ଦେଖି ପାରିଥିବେ ଅବଶ୍ୟ, ସେତେବେଳେ ମୋ ମଥା ଠିକ୍ ନ ଥିଲା ।

 

ଏତିକି ବେଳେ ଇଉ-କି-ଲି ନାମରେ ଖଣ୍ଡିଏ ଚୀନା ଉପନ୍ୟାସ ମୋ ହାତରେ ଆସି ପଡ଼ିଲା । ତାର ପ୍ରଥମ ଦୁଇ ଚାରି ଭାଗ କୌଣସି ମତେ ଝାଳ ନାଳ ହୋଇ ପାର କଲି । ଖାଲି ଚାହା ପିଆଲା, ଖାଲି ବଗ ଓ ଖାଲି ସାରସର ବର୍ଣ୍ଣନା ପଢ଼ି ପଢ଼ି ପ୍ରାୟ ବେହାଲ ହୋଇ ଯାଇଥିଲି-। ତାପରେ ଯେଉଁଠି ଶ୍ରୀଯୁକ୍ତ ସୀ–ଇଉପି, ବି.ଏ. ଗୋଟିଏ ଖୁଡ଼ୁତା କି ମାମୁ ଝିଅ-ଭଉଣୀର ପ୍ରେମରେ ଅନେକ ଦିନ ହେଲା ବୁଡ଼ି ରହିଥିଲା, ଏମିତି ସମୟରେ ହ’ଓ–ମ-ଲି ନାମର ଆଉ ଗୋଟିଏ ଖୁଡ଼ୁତା କି ମାମୁଁ ଝିଅ ଉଭଣୀର ପ୍ରେମରେ ବି ପଡ଼ିଗଲା । ସେହି ଯୁଗଳ ପ୍ରେମର ଉପାଖ୍ୟାନ ମୋତେ ଏମିତି ଚମତ୍କାର ଲାଗିଲା ଯେ ସେହି ବହିଟି ଆଉ ଛାଡ଼ି ପାରିଲି ନାହିଁ-। ଶେଷଟା କ’ଣ ଜାଣିବା ପାଇଁ ଆଗ୍ରହ ସହକାରେ ଏକନିଶ୍ଵାସରେ ବହିଟି ପଢ଼ି ଯିବାକୁ ଲାଗିଲି । ଶେଷରେ ସୀ–ଇଉପି ସାଙ୍ଗରେ ଦୁଇ ଜଣଙ୍କର ବିବାହ ହୋଇଗଲା । ମୋ କଥା ଯଦି ବିଶ୍ୱାସ କରିବେ ତ ମୁଁ କହିପାରେ ଯେ, ହଠାତ୍ ଦେଖିଲି ଚୀନା ହେବାର ପ୍ରଚଣ୍ଡ ଆଗ୍ରହ ମୋର ହୋଇଛି–ଖାଲି ନିର୍ବିବାଦରେ ଦୁଇଟି ବିବାହ କରିବାର ଲୋଭରେ । ବର୍ତ୍ତମାନ ଇଉ-କି-ଲି ଭଳି ଆଉ କୌଣସି ବହି ମୋତେ ସେତେ ଭଲ ଲାଗେ ନାହିଁ । ଦଣ୍ଡେ ହେଲେ ବି ସେ ବହିଟି ମୁଁ ହାତରୁ ଛାଡ଼ିଲି ନାହିଁ । ଦିନକୁ ଦିନ ମୋର ଅବସ୍ଥା ଆହୁରି ଅସହ୍ୟ ହୋଇ ପଡ଼ିଲା । ଶେଷକୁ ଦିନେ ଏପାଖ କି ସେପାଖ ଯାହା ହେବାର ଗୋଟାଏ ହେଉ ସ୍ଥିର କରି, ସେହି ଆପଦକୁ ଦୂର କରିବା ପାଇଁ ହୁଏ ତ ଦିବା ନୋହିଲେ ନିଶା ଜଣକୁ ହେଲେ ବିବାହ କରିବି ବୋଲି ଦୃଢ଼ ସଂକଳ୍ପ ହୋଇ ସେମାନଙ୍କ ଘରେ ଯାଇ ପହଞ୍ଚିଲି । ମାଆଙ୍କ ସହିତ ସାକ୍ଷାତ ହେଲା । ତତକ୍ଷଣାତ୍ ମୁଁ ଆରମ୍ଭ କଲି–‘‘ମୋର ଇଚ୍ଛା, ଆପଣଙ୍କର ଗୋଟିଏ ଝିଅକୁ ବିଭା ହେବା; କିନ୍ତୁ ସେମାନେ ଉଭୟ ରୂପ-ଗୁଣରେ ଅତୁଳନୀୟା–ତେଣୁ ଦୁହିଁଙ୍କ ଭିତରୁ କାହାକୁ ବିବାହ କରିବି ସେତିକି ଖାଲି ସ୍ଥିର କରିପାରୁ ନାହିଁ ।”

 

‘‘ଏ ବିଷୟରେ ମୁଁ ବି ଠିକ୍ ତୁମରି ପରି । ମୁଁ ବି ଜାଣେ ନା, ଦୁହିଁଙ୍କ ଭିତରୁ କାହାକୁ ମୁଁ ବେଶି ଭଲ ପାଏ । ତେବେ ଏକ୍ଷଣି ମୋର ଝିଅମାନେ ସାନ, ଆଉ କିଛି ଦିନ ପରେ ସେମାନଙ୍କର ବିବାହ ହେଲେ କିଛି କ୍ଷତି ନାହିଁ । ଠିକ୍ ସମୟରେ ଆଶା କରେଁ, ତୁମେ ଜଣକର ବିଷୟ ସ୍ଥିର କରିବ ।”

 

ସେ ଦିନ ସେଇଠି ମୁଁ ଅଟକି ଗଲି । ତିନି ମାସ ଗଲା, ଚାରି ମାସ ଗଲା, ମୁଁ କୌଣସି ମତେ ମୋର ମତ ସ୍ଥିର କରି ପାରିଲି ନାହିଁ । ବଡ଼ ଅଡ଼ୁଆରେ ପଡ଼ିଗଲି । ଏମିତି ହେଲା ଯେ, ଯାହାକୁ ହେଲେ ଜଣକୁ ବିବାହ ନ କଲେ ମୋର ଆଉ ଚଳିବ ନାହିଁ, ଅଥଚ କାହାକୁ ବିବାହ କରିବି ତାହା ବି ସ୍ଥିର କରି ପାରିଲି ନାହିଁ । ସୁତରାଂ ଦେଶ ଭ୍ରମଣରେ ବାହାରି ପଡ଼ିବାକୁ ମନସ୍ଥ କଲି । ଝିଅମାନେ ଏହା ଶୁଣି ଆଖିରୁ ଲୁହ ଗଡ଼ାଇଲେ । ମାଆ ମୋ ଆଡ଼କୁ ଖାଲି କରୁଣା ଦୃଷ୍ଟିରେ ଢେର୍ ବେଳ ଯାଏ ଅନାଇ ରହିଲେ । ସେହି ଚାହାଣି ମୁଁ ଜୀବନରେ ପାସୋରି ପାରିବି ନାହିଁ । ସେହି ଚାହାଣିର ଅର୍ଥ–ମୁଁ ତୁମର ଅବସ୍ଥା ବୁଝି ପାରିଛି, ତୁମେ ବିଚରା କି ବିପଦରେ ପଡ଼ିଛ । ଯେତେବେଳେ ମୁଁ ଚାଲି ଆସିଲି, ସେତେବେଳେ ଝିଅମାନେ ମୋ ସାଙ୍ଗରେ ଦାଣ୍ଡ ଦୁଆର ଯାଏ ଆସିଲେ, ଏବଂ ଦୁହେଁ ନିଜ ନିଜର ମଥାରୁ ଦୁଇ ଗୋଛା କେଶ ଆଣି ମୋ ହାତରେ ଦେଲେ । ମୋ ଆଖିରୁ କେବେ ଲୁହ ବହେ ନାହିଁ,–ସେ ଦିନ ବି ବହିଲା ନାହିଁ, କିନ୍ତୁ–ଛାଡ଼ ସେ ସବୁ ଇତିହାସ କହି ଆଉ କ’ଣ ହେବ ? ମୁଁ ଯେଉଁ ଛଅ ମାସ ବିଦେଶରେ ଥିଲି ସେହି କେଶ ଗୁଚ୍ଛ ଛାତିରେ ଧରି ବୁଲୁଥିଲି ।

 

ଫେରିଆସି ଶୁଣିଲି, ଦୁହିଁଙ୍କର ବିବାହ ହୋଇ ଯାଇଛି । ଜଣକର ସ୍ଵାମୀ ପଇଁଚାଳିଶ ବର୍ଷ ବୟସ୍କ ଜଣେ ଜମିଦାର,–ପ୍ରକାଣ୍ଡ ପୁରୁଷ, ଯେମିତି ଲମ୍ବା, ସେମିତି ମୋଟା,–ଆଉ ଆରଟି ଜଣେ ଜଜ କି ମାଜିଷ୍ଟ୍ରେଟ, କିମ୍ବା ସେହି ରକମ ଆଉ କେଉଁ ମଣିଷର ହାତରେ ପଡ଼ିଛି । ଶୁଣିବାକୁ ପାଇଲି, ତାହାର ଆଖି ଓ ନାକ ଠିକ୍ ଜବା ଫୁଲ ପରି ।

 

କହିବା ବାହୁଲ୍ୟ, ଏହି ଦୁଇଟି ପଶୁଙ୍କ ବିଷୟରେ ସେତେବେଳେ କଥା କହେଁ, ସେତେବେଳେ ମୋର ଭାଷାଟା ଠିକ୍ ଭଦ୍ର ଧରଣର ହୁଏ ନାହିଁ । ଗୋଟିଏ ଆତ୍ମା ଓ ଦୁଇଟି ଦେହରେ ଗଠିତ ଏହି ସୁନ୍ଦରୀ ଯୁଗଳକୁ ବିଛିନ୍ନ କରିବାରେ ପାପିଷ୍ଠମାନଙ୍କର ତିଳେ ହେଲେ ଦ୍ୱିଧା ଜାତ ହେଲା ନାହିଁ । ଶେଷ କଥା, ଇହ ଜଗତରେ କବିତ୍ଵ ବୋଲି ଗୋଟାଏ ଜିନିଷ ଆଉ ନାହିଁ । ପୃଥିବୀଟା ଯେତେ ସବୁ ଆରସିକଙ୍କ ହାତରେ ପଡ଼ିଛି ।

 

–ତେୟୋଫିଲ ଗୋତିୟେ

☆☆☆

 

ସ୍ୱର୍ଗସୁଖ

 

ମୋ ମାଉସୀ ମୋତେ ଗୋଟିଏ ବିରାଡ଼ି ଉପହାର ଦେଇଥିଲେ । ଏଭଳି ଖରାପ ଜୀବ ସାତ ଜନ୍ମରେ ବି କେହି ଦେଖି ନ ଥିବେ ।

 

ଶୀତ କାଳ । ସନ୍ଧ୍ୟା ବେଳେ ଚୁଲି କତିରେ ବସି ନିଆଁ ପୋହୁଛି, ସେହି ବିରାଡ଼ିଟି ମୋ ଆଗରେ ତାର ଗୋଟିଏ ମନୋରମ କାହାଣୀ ବର୍ଣନା କଲା ।

 

–୧–

 

ସେତେବେଳେ ମୋର ବୟସ ଦୁଇ ବର୍ଷ ହେବ । ମୁଁ ବେଶ ମୋଟାସୋଟା ଓ ନିରୀହ ଦିଶୁଥିଲି । ବୟସ କମ ହେଲେ କଣ ହେବ, ବଡ଼ ବଡ଼ ଜାନୁଆରଙ୍କ ପରି ମୋର ବି ଘରେ ଦଣ୍ଡେ ହେଲେ ରହିବାକୁ ମନ ଟେକୁ ନଥିଲା । ତଥାପି ମୋର କପାଳ ଖୁବ୍ ଭଲ ଯେ ତୁମର ମାଉସୀଙ୍କର ଆଶ୍ରୟ ପାଇଥିଲି । ବୁଢ଼ୀଟି ଖୁବ୍ ଭଲ ଲୋକ । ସେ ମୋତେ ଅଶେଷ ଆଦର ଯତ୍ନ କରୁଥିଲେ । ଆଲମାରୀର ଉପର ଥାକରେ ମୋର ଚମତ୍କାର ନରମ ଶେଯ ପଡ଼ିଥିଲା ଏବଂ ତା ଉପରେ ତିନି ପରସ୍ତ ହୋଇ ଚାଦର ବିଛା ଯାଇଥିଲା । ସେହି ଘରର ଭଲ ଭଲ ଖାଇବା ଜିନିଷ ବି ମୋତେ ବରାବର ଦିଆ ଯାଉଥିଲା–ରୋଟି, ଝୋଳ, ଇତ୍ୟାଦି । ସେସବୁ କଥା କହି ଆଉ କି ଫଳ ହେବ ? ଖାଲି ମାଂସ, ସୁସ୍ୱାଦୁ ତଟକା ମାଂସ ନିତି ମୋ କପାଳରେ ଜୁଟୁଥିଲା ।

 

ହଁ, ମାତ୍ର ଏହି ବିଳାସ ବ୍ୟସନର ପ୍ରାଚୁର୍ଯ୍ୟରେ ରହି ସୁଦ୍ଧା ମୋର ଜୀବନରେ ଗୋଟାଏ ଆଶା ଓ ଗୋଟାଏ ସ୍ଵପ୍ନ ଥିଲା । ଖାଲି ଅନବରତ ମୁଁ ଭାବୁଥିଲି ମନେ ମନେ, ଖୋଲା ଝରକା ବାଟେ କୌଣସି ମତେ ଖସି ପଳାଇଲେ ଛାତ ଉପରେ ମନ ସୁଖରେ ଘୂରି ବୁଲି ପାରନ୍ତି ! ଏଠିକାର ଆଦର-ଯତ୍ନ ମୋତେ ଆଉ ଆଦୌ ଭଲ ଲାଗୁ ନ ଥିଲା । କୋମଳ ବିଛଣା ମୋତେ ବିଷ ଭଳି ମାଲୁମ ହେଉଥିଲା । ମୋର ମୋଟା ସୋଟା ଚେହେରା ମୋତେ ପୀଡ଼ା ଦେଉଥିଲା । ସୁଖରେ ଦିନ କାଟୁଥିଲେ ସୁଦ୍ଧା ପ୍ରତି ମୁହୂର୍ତ୍ତରେ ମୁଁ ଗୋଟାଏ ଆଶ୍ୱସ୍ତି ବୋଧ କରୁଥିଲି ।

 

ଦିନେ ଝରକା ବାଟେ ମୁଣ୍ଡ ଗଳାଇ ପଡ଼ିଶା ଘରର ଛାତରେ ଯାହା ଦେଖିଲି, ତୁମକୁ କହୁଛି । ଦେଖିଲି, ଆନନ୍ଦରେ ଆତ୍ମହରା ହୋଇ ଚାରିଟା ବିରାଡ଼ି ଲାଞ୍ଜ ଟେକି ନିଜ ନିଜ ଭିତରେ ମରାମରି ଗଡ଼ାଗଡ଼ି ହେଉଛନ୍ତି । ମୁଁ କେବେ ହେଲେ କଳ୍ପନା ବି କରି ନଥିଲି ଯେ ଏହିପରି ଗୋଟାଏ ଦୃଶ୍ୟ ଦିନେ ଦେଖିବି । ସେହି ଦିନ ଠାରୁ ମୋ ମନ ଭିତରେ ଗୋଟାଏ ଦୃଢ଼ ଧାରଣା ଜାତ ହେଲା ଯେ ଏହି ଆବଦ୍ଧ ଝରକାର ସେ ପଟେ ଖୋଲା ଛାତ ଉପରେ ହିଁ ରହିଛି ଜୀବନର ଯେତେସବୁ ସୁଖ ସମ୍ପଦ ।

 

ତେଣୁ ଏଠାରୁ ଖସି ପଳାଇବା ପାଇଁ ମନେ ମନେ ଫନ୍ଦି ପାଞ୍ଚିବାକୁ ଲାଗିଲି । ତଟକା ମାଂସ ଛଡ଼ା ବି ଜୀବନର ଆଉ ଗୋଟାଏ ଦିଗ ଅଛି–ଅଛି ସେହି ଅଜଣା ରାଜ୍ୟ ଓ ଅଛି ସେହି ମହତ୍ ଆଦର୍ଶ ।

 

ଦିନେ ଘରର ଲୋକେ ହାଣ୍ଡିଶାଳର ଝରକା ବନ୍ଦ କରିବାକୁ ଭୁଲି ଯାଇଥିଲେ । ସେହି ସୁଯୋଗରେ ମୁଁ ପଡ଼ିଶା ଘରର ଛାତ ଉପରକୁ ଡେଇଁ ପଡ଼ିଲି ।

 

–୨–

 

ଆଃ, କି ଚମତ୍କାର ଛାତ ସେ ! କାର୍ନିଶ ପାଖରେ ଲମ୍ବା ଲମ୍ବା ପାଣି ନଳରୁ ମନ ମତାଣିଆ ବାସନା ଆସୁଥାଏ । ସେହି ନଳ ପାଖକୁ ମୁଁ ଚାଲିଗଲି । ସେଠାର ନରମ କାଦୁଅ ଉପରେ ମୋର ପାଦ ଲାଖି ଯାଉଥିଲା । ସେତେବେଳେ ମୋର ମନେ ହେଉଥିଲା, ମୁଁ ଯେମିତି ମଖମଲ ଶେଯ ଉପରେ ବିଚରଣ କରୁଛି ।

 

ତୁମ ପାଖରେ କୌଣସି କଥା ଲୁଚାଇବି ନାହିଁ । ସତରେ ସେହି ଅପୂର୍ବ ଆନନ୍ଦ ମୋର ସର୍ବାଙ୍ଗରେ ଶୀହରଣ ଆଣିଦେଲା । ଏବେ ବି ମୋର ମନେ ଅଛି, ହଠାତ୍ ଡରରେ ଥରେ ଓଲଟି ପଡ଼ିବା ଉପରେ ହୋଇ ଯାଇଥିଲି ! ଛାତ-ଘରର ଉପରୁ କେମିତିକା ଗୋଟାଏ ଘର୍ ଘର୍ ଶବ୍ଦ କରି ତିନିଟା ବିରାଡ଼ି ମାଡ଼ି ଆସିଲେ । ଭୟରେ ତ ମୁଁ ପ୍ରାୟ ମୂର୍ଚ୍ଛା ଯିବା ଉପରେ ଥିଲି । ସେମାନେ ମୋତେ ନିପଟ ବୋକା ଭାବି ଠିକ୍ ମୋ ମୁହଁ ସାମନାରେ ଆସି ମ୍ୟାଉଁ ମ୍ୟାଉଁ କରିବାକୁ ଲାଗିଲେ-। ଏହି ଆମୋଦ ପ୍ରିୟ ବିରାଡ଼ିଙ୍କ ଭିତରୁ କେହି ହେଲେ ମୋପରି ଅଳସୁଆ ବା ମୋଟାସୋଟା ନ ଥିଲେ । ଖରାରେ ତତଲା ଛାତରେ ମୁଁ ପେଣ୍ଡୁ ପରି ଗଡ଼ାଗଡ଼ି ହେଉଥାଏ, ଆଉ ସେମାନେ ମୋତେ କେନ୍ଦ୍ର କରି ଥଟ୍ଟା ପରିହାସ କରିବାରେ ଲାଗିଥାନ୍ତି । କିନ୍ତୁ ସେହି ଦଳର ଗୋଟାଏ ବିଜ୍ଞ ବିରାଡ଼ି ସହିତ ମୋର ଖୁବ୍ ଭାବ ହୋଇଗଲା । ମୋର ସବୁ ରକମ ଶିକ୍ଷାର ଭାର ସେ ଆଗ୍ରହରେ ଗ୍ରହଣ କଲା । ମୁଁ ମଧ୍ୟ ତାହାର ସବୁ ପ୍ରସ୍ତାବକୁ କୃତଜ୍ଞତା ସହକାରେ ସମର୍ଥନ କଲି-

 

କେଉଁଠି ରହିଲା ତୁମ ମାଉସୀର ଆଦର ? ବର୍ତ୍ତମାନ ନର୍ଦ୍ଦମାରୁ ଖାଦ୍ୟ ଖୁଣ୍ଟି ଖାଇବାକୁ ଲାଗିଲି । କିନ୍ତୁ ଚିନି ମିଶା ଦୁଧ ତ କେବେହେଲେ ଏମିତି ମିଠା ଓ ସୁଆଦିଆ ଲାଗୁ ନ ଥିଲା ! ଦିନେ ମୁଁ ଖାଦ୍ୟ ଖୋଜୁଛି, ଏତିକି ବେଳେ ହଠାତ୍ ଗୋଟାଏ ମାଈ ବିରାଡ଼ି ମୋ ପାଖ ଦେଇ ଚାଲିଗଲା । କି ଲୋଭନୀୟ ତାହାର ଚେହେରା ! ତାକୁ ଦେଖିଲା କ୍ଷଣି ମୋ ମନ ଭିତରେ ଯେ କଣ ହେବାକୁ ଲାଗିଲା, ମୁଁ ତାହା ତୁମକୁ ବୁଝାଇ କହି ପାରିବି ନାହିଁ । ଏପରି ସୁନ୍ଦର ଜୀବ କେବଳ ସ୍ଵପ୍ନରେ ଦେଖିଛି, ବାସ୍ତବରେ ଯେ ତାହା ହୋଇପାରେ ମୁଁ ତାହା କଳ୍ପନା କରି ନ ଥିଲି ।

 

ଏହି ଆଗନ୍ତୁକକୁ ଅଭ୍ୟର୍ଥନା କରିବା ପାଇଁ ମୁଁ ଆଗେଇ ଗଲି । ମୋର ତିନି ସାଥୀ ବି ମୋ ସାଙ୍ଗରେ ଥିଲେ । ସମସ୍ତଙ୍କ ଆଗରେ ମୁଁ ଚାଲିଥାଏ ବିରାଡ଼ି ସୁନ୍ଦରୀକୁ ସମ୍ମାନ ଜଣାଇବା ପାଇଁ, ଠିକ୍ ଏତିକିବେଳେ କିଏ ମୋର ବେକଟା କାମୁଡ଼ି ଧରିଲା । ଯନ୍ତ୍ରଣାରେ ମୁଁ ଚିତ୍କାର କରିବାକୁ ଲାଗିଲି ।

 

ଏହି ଘଟଣାର ଟିକିଏ ପରେ ମୋତେ ଅନ୍ୟ ଜାଗାକୁ ଡାକି ନେଇ ସେହି ବିଜ୍ଞ ବିରାଡ଼ିଟି କହିଲା, ‘‘ଏମିତି କେତେ ସୁନ୍ଦରୀ ଦେଖିବାକୁ ପାଇବ, ଟିକିଏ ଥୟ ଧର !”

 

–୩–

 

ଘଣ୍ଟାଏ ଖଣ୍ଡେ ଏପଟ ସେପଟ ଚଲାବୁଲା କରିବା ଫଳରେ ମୋତେ ଭୋକ ଲାଗିଲା–ପ୍ରଚଣ୍ଡ ଭୋକ । ବନ୍ଧୁକୁ ପଚାରିଲି–ରୋଷେଇ ଘରେ କିଛି ଖାଇବା ଜିନିଷ ଅଛି ?

 

ସେ ଗମ୍ଭୀର ଭାବରେ ଜବାବ ଦେଲା–ତୁମ ନଜରରେ କିଛି ପଡ଼ିଛି ?

 

ତାହାର କଥା ଶୁଣି ମୁଁ ମହା ଭାବନାରେ ପଡ଼ିଗଲି । ଚାରିଆଡ଼େ ତନ୍ନତନ୍ନ କରି ଖୋଜିଲେ ସୁଦ୍ଧା ମୁଁ କିଛି ଦେଖିବାକୁ ପାଇଲି ନାହିଁ । ଶେଷରେ ଦେଖିଲି–ରୋଷେଇ ଘରେ ବସି ଜଣେ ସ୍ତ୍ରୀ ଲୋକ ଖାଦ୍ୟ ସାମଗ୍ରୀ ତିଆରି କରୁଛି, ଆଉ ତା ପାଖରେ ଟେବୁଲ ଉପରେ ଗୋଟାଏ ଚିଙ୍ଗୁଡ଼ି ମାଛର କାଟଲେଟ ପଡ଼ି ରହିଛି । ଦେଖିଲେ ଯେ କୌଣସି ଲୋକର ପାଟିରୁ ଲାଳ ଗଡ଼ିବ । ‘ଏଥର ଗୋଟାଏ ଜିନିଷ ମିଳିଲା’, ମନେ ମନେ ଏହା ଭାବି ଟେବୁଲ ଉପରକୁ କୁଦି ପଡ଼ି କାଟଲେଟଟି ଧରି ମୁଁ ଚମ୍ପଟ ମାରିଲି । କିନ୍ତୁ ସ୍ତ୍ରୀ ଲୋକଟି ମୋତେ ଦେଖିଲା ମାତ୍ରେ ଗୋଟାଏ ଛାଞ୍ଚୁଣୀରେ ବଡ଼ ଜୋରରେ ପାହାରେ ପକାଇଲା । କାଟଲେଟଟା ସେଇଠି ଛାଡ଼ିଦେଇ ମୁଁ ପ୍ରାଣ ବିକଳରେ ଦୌଡ଼ି ପଳାଇଗଲି ।

 

ପ୍ରବୀଣ ବିରାଡ଼ିଟା ମୋତେ କହିଲା–ନିଜର ଇଲାକା ବାହାରକୁ ଯାଅ କାହିଁକି-? ଟେବୁଲ ଉପରେ ସେହି ଯେ ଚପ୍ କାଟଲେଟ ଦେଖୁଛ, ସେସବୁ ତ ଆଉ ଆମ୍ଭମାନଙ୍କ ପାଇଁ ନୁହେଁ-। ତୁମର ଖାଇବା ଜିନିଷ ରହିଛି ସେହି ନର୍ଦ୍ଦମାରେ ।

 

ମୁଁ ଆଗରୁ ବୁଝି ନ ଥିଲି, ସେହି ସବୁ ଉପାଦେୟ ଖାଦ୍ୟପଦାର୍ଥଗୁଡ଼ିକ ଆମ ପାଇଁ ନୁହେଁ । ଭୋକରେ ମୋର ପେଟ ପୋଡ଼ି ଯାଉଥିଲା । ବନ୍ଧୁଟିର କଥା ଶୁଣି ମୁଁ ଆହୁରି ହତାଶ ହୋଇ ପଡ଼ିଲି ।

 

ସେହି ବନ୍ଧୁଟି ପୁଣି ଜଣେ ଦାର୍ଶନିକ ପରି ନିର୍ବିକାର ଚିତ୍ତରେ କହି ଯିବାକୁ ଲାଗିଲା–ରାତି ଯାଏ କିଛି ନ ଖାଇ ରହିବାକୁ ପଡ଼ିବ । ତାପରେ ରାସ୍ତା କଡ଼ରେ ଅଳିଆ ଗଦା ଘାଣ୍ଟି ଯଦି କିଛି ଖାଦ୍ୟ ପଦାର୍ଥ ମିଳେ, ତାହାହେଲେ ତାହା ସୌଭାଗ୍ୟ ବୋଲି ମନେ କରିବାକୁ ହେବ ।

 

ଏଣେ ମୋର ଦଶା କାହିଲ ହେବା ଉପରେ । ଏତେ ବେଳ ଯାଏ ନ ଖାଇ ଉପାସରେ ରହିବାକୁ ପଡ଼ିବ, ଭାବିଲା କ୍ଷଣି ମୁଁ ପ୍ରାୟ ମୂର୍ଚ୍ଛାଯିବା ଉପରେ ହୋଇଗଲି !

 

–୪–

 

ରାତି ହୋଇଗଲା । ବାହାରେ ଟପ ଟପ ହୋଇ ମେଘ ପଡ଼ୁଥାଏ । ଟିକିଏ ହେମାଳ ବି ଜଣା ଯାଉଥାଏ । ହଠାତ୍ ଦମକାଏ ପବନ ଆସି ମେଘକୁ କୁଆଡ଼େ ଉଡ଼ାଇ ନେଇଗଲା ।

 

ଆମେ ଛାତ ଉପରୁ ତଳକୁ ଓହ୍ଲାଇ ଆସିଲୁ । କି ଜଘନ୍ୟ କଦର୍ଯ୍ୟ ରାସ୍ତା ! କେଉଁଠି ସେହି ଦିନର ଆଲୁଅ ଆଉ ଖରା ପଡ଼ିଥିବା ଛାତ–ଆରାମରେ ଛାତ ଉପରେ ବସି ସେହି ଖରା ପୋହିଁବା ବା କାହିଁ ! ସନ୍ତସନ୍ତିଆ ଖସଡ଼ା ରାସ୍ତାରେ ବରାବର ଗୋଡ଼ ଖସରି ଯାଉଥିଲା ।

 

ଆଗର ସେହି ନରମ ଶେଯ କଥା ମନେ ପଡ଼ିବା ମାତ୍ରେ ମୋର ଅନୁଶୋଚନା ଜାତ ହେଲା । ରାସ୍ତାରେ ଗୋଡ଼ ଦେଲା କ୍ଷଣି ମୋର ବନ୍ଧୁ ଭୟରେ ଭୀତତ୍ରସ୍ତ ହୋଇଗଲା । ତାହାର ଶରୀର ଥରିବାକୁ ଲାଗିଲା । ସେ ଏକା କୁଦାକେ ଗୋଟିଏ ଘର ଭିତରକୁ ପଶିଗଲା । ମୋତେ ବି ତାହାର ପଛେ ପଛେ ଯିବାକୁ ପଡ଼ିଲା । ତାପରେ ଗୋଟାଏ ଅନ୍ଧକାର କୋଣରେ ଲୁଚି ଯାଇ ସେ ଆରାମରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଲା ।

 

ମୁଁ ବନ୍ଧୁକୁ ପଚାରିଲି–ପଳାଇ ଆସିଲ କାହିଁକି ?

 

ମଥାରେ ଝୁଡ଼ି ଓ ହାତରେ ଲାଠି ଧରି ସେହି ଯେ ଲୋକଟି ଏଣେ ଆସୁଛି, ଦେଖି ପାରିଲ ନାହିଁ ?

 

ମୁଁ ଜବାବ ଦେଲି–ହଁ, ଦେଖିଛି ।

 

କିନ୍ତୁ ଆମକୁ ଦେଖି ପାରିଥିଲେ ସେ ଗୋଟାଏ ପାହାରରେ ମଥାଟା ଦୁଇ ଫାଳ କରି ଦେଇଥାନ୍ତା ଏବଂ ତାପରେ ନେଇଯାଇ ରାନ୍ଧି ଖାଇଥାନ୍ତା ।

 

ଏଁ, ରାନ୍ଧି ଖାଇଥାନ୍ତା ! –ମୁଁ ଭୟରେ ଚମକି ପଡ଼ିଲି । ତାହାହେଲେ ଏହିସବୁ ରାସ୍ତା ଆମ ପାଇଁ ନୁହେଁ ? ସବୁ ସେମାନଙ୍କର ? ଆମେ ନ ଖାଇ ମରୁଛୁ, ଆଉ ସେମାନେ ଆମକୁ ରାନ୍ଧି ଖାଇବେ ?

 

–୫–

 

ପ୍ରତି ଘର ସାମନାରେ ପାହାଡ଼ ଆକାରରେ ଅଳିଆ ଗଦା ହୋଇଥିଲା । ଗଭୀର ନୈରାଶ୍ୟରେ ସେଠାକୁ ଗଲି କିଛି ଖାଇବା ଜିନିଷ ଖୋଜି ବାହାର କରିବା ପାଇଁ । ଅନେକ କଷ୍ଟରେ ଖଣ୍ଡିଏ ଦୁଇ ଖଣ୍ଡ ହାଡ଼ ତା ଭିତରୁ ଟାଣି ବାହାର କଲି । କିନ୍ତୁ ସେଥିରେ ରଞ୍ଚେ ହେଲେ ମାଂସ ନ ଥିଲା । ସେତେବେଳେ ମର୍ମେ ମର୍ମେ ମନେ ଅନୁଭବ କଲି, ଦୁଧ ଓ ମାଂସ କି ସୁସ୍ୱାଦୁ !

 

କିନ୍ତୁ ମୋର ବନ୍ଧୁଟି ଅତି ଉତ୍ସାହରେ ସେହି ଆଳିଆ ଗଦା ଘାଣ୍ଟି ଘାଣ୍ଟି ଫେରି ଆସିଲା । ଭୋର ଯାଏ ଖୋଜି ଖୋଜି ମୁଁ ହଇରାଣ ହୋଇଗଲି । ପ୍ରତି ଗଳି କନ୍ଦିରେ ପଶି ଦେଖିଲି, ସବୁଠି ସେହି ଏକ ଅବସ୍ଥା । ପ୍ରାୟ ଦଶ ଘଣ୍ଟା ମୁଁ ଅନବରତ ବର୍ଷାରେ ଭିଜିଲି । ଶୀତରେ ଦେହଟା କମ୍ପୁଥାଏ । ଚୁଲିକି ଯାଉ ଏ ବାଟ, ଚୁଲିକି ଯାଉ ଏମିତି ସ୍ଵାଧୀନତା । ଯଦି ସେହି ବନ୍ଦୀ ଜୀବନ ପୁଣି ଫେରି ପାଆନ୍ତି !

 

ମୁଁ ଏହିପରି ଭାବିବାକୁ ଲାଗିଲି ।

 

ସାରା ରାତିର କ୍ଳାନ୍ତିରେ ମୋର ଗୋଡ଼ ଟଳୁଥିଲା ।

 

ଗୋଟାଏ ଅଦ୍ଭୁତ ଭଙ୍ଗୀରେ ଚାହିଁ ବନ୍ଧୁଟି ମୋତେ ପଚାରିଲା–କି ହେ, ପେଟ ପୂରିଲା ତ ?

 

ଭୋର ହେଉ ନ ହେଉଣୁ ତାହାର ଏହି ପ୍ରଥମ ପ୍ରଶ୍ନ ଶୁଣି ମୁଁ ବିସ୍ମିତ ହୋଇଗଲି ।

 

ମୁଁ ଜବାବ ଦେଲି–ହଁ, ପୂରିଛି ।

 

ତାହାହେଲେ ଏଥର ଘରକୁ ଫେରିଯିବ ?

 

ଯିବି, ନିଶ୍ଚୟ ଯିବି । କିନ୍ତୁ ଏକ୍ଷଣି ଘର ଖୋଜି ପାଇବି କିପରି ?

 

ହଁ ଯାଅ । ତୁମର ଏହି ବିପୁଳ ବପୁ ଦେଖି ମୁଁ ମୂଳରୁ ଠିକ୍ ଠଉରାଇ ପାରିଥିଲି, ଏପରି ସ୍ଵାଧୀନ ଜୀବନ ତୁମ ପକ୍ଷରେ ଅସହ୍ୟ ହେବ । ତୁମର ଘର ମୁଁ ଦେଖିଛି । ଚାଲ, ପହୁଞ୍ଚାଇ ଦେଇ ଆସିବି–ସେହି ବିଜ୍ଞ ବିରାଡ଼ିଟି ସ୍ଵାଭାବିକ ଭାବରେ କହି ଯାଉଥିଲା ।

 

ସେହି ଘରର ଦୁଆର ମୁହଁରେ ପହଞ୍ଚି ସେ କହିଲା–ତାହାହେଲେ ମୁଁ ଯାଉଛି ।

 

ନା, ନା, ତୁମେ ଚାଲିଗଲେ ହେବ ? ଏମିତି ଭାବରେ କଣ ତୁମ ବିନା ବଞ୍ଚି ହେବ ? ତୁମକୁ ମୋ ସଙ୍ଗରେ ଆସିବାକୁ ହେବ । ଆମେ ଦୁହେଁ ଏକାଠି ରହିବା । ତଟକା ମାଂସ ଖାଇବାକୁ ପାଇବା । ଆସ । ମୋର ମୁନିବ ଭାରି ଭଲ ଲୋକ ।

 

କିନ୍ତୁ ବନ୍ଧୁ ହଠାତ୍ ମୋତେ ଅଟକାଇ ଦେଇ ରୁଷ ଭାବରେ କହି ପକାଇଲେ–ଚୁପ୍ କର-। ତୁମେ ଗୋଟାଏ ମୂର୍ଖ । ତୁମର ସେହି ନରମ ଗଦି ଶେଯ ମୋ ପକ୍ଷରେ ଅପମୃତ୍ୟୁ ସାଙ୍ଗରେ ସମାନ । ଏମିତି ଜୀବନ ତୁମ ପରି ପୋଷ ବିରାଡ଼ିଙ୍କୁ ସାଜେ । ସ୍ଵାଧୀନ ବିରାଡ଼ିମାନେ ବନ୍ଦୀ ଜୀବନର ବିନିମୟରେ ତଟକା ମାଂସ ଓ ନରମ ବିଛଣାକୁ ନିତାନ୍ତ ତୁଛ ମାନେ କରନ୍ତି l ଥାଅ ବନ୍ଧୁ ମୁଁ ଯାଉଛି ।

 

ପୁଣି ସେ ଚଢ଼ିଗଲା ସେହି ଛାତ ଉପରକୁ । ନବୋଦିତ ସୂର୍ଯ୍ୟଙ୍କର ଉଜ୍ଜ୍ଵଳ କିରଣରେ ତାହାର ଦୀର୍ଘ ଶୀର୍ଣ୍ଣ ଦେହ ଝଲସି ଉଠିଲା । ମୁଁ ତାକୁ ଅନାଇ ଦେଖୁଥିଲି ।

 

ଘରେ ଗୋଡ଼ ଦେଲାକ୍ଷଣି ତୁମର ମାଉସୀ ମୋତେ ଗୋଟାଏ ବେତରେ ନିର୍ଧୂମ ପିଟିବାକୁ ଲାଗିଲେ । କିନ୍ତୁ ସେହି ପ୍ରହାର ମୋତେ ଆଦର ପରି ବୋଧ ହେଉଥିଲା । ଆରାମରେ ରହିବାକୁ ପାଇଲେ ମାଡ଼ ଖାଇବା ଯେ କିପରି ସୁଖକର, ତାହା ତୁମେ ଅନୁଭବ କରି ପାରିବ ନାହିଁ-!

 

ତାଙ୍କର ପ୍ରତି ଆଘାତର ସାଙ୍ଗେ ସାଙ୍ଗେ ଲୁବ୍‍ଧଭାବରେ ମୋର ମନେ ପଡ଼ୁଥିଲା, ଏହା ପରେ ତା ସେ ବଳେ ବଳେ ମୋତେ ମାଂସ ଖାଇବାକୁ ଦେବେ !

 

ଏଥର ବିରାଡ଼ିଟି ଖରାରେ ଦେହ ଦେଖାଇ କହି ପକାଇଲା–ପ୍ରକୃତ ସୁଖ ବା ଈପ୍‍ସିତ ସ୍ୱର୍ଗ ଅଛି ସେହି ରୁଦ୍ଧ ଘରେ; ଯେଉଁଠି ମାଡ଼ ଖାଇଲା ପରେ ବି ଜୁଟେ ତଟକା ମାଂସ ।

 

–ମୁଁ ବିରାଡ଼ି ସହିତ ଏକମତ !

 

–ଏମିଲି ଜୋଲା

☆☆☆

 

ଗୁପ୍ତଚର

 

ତାହାର ନାମ ଷ୍ଟେନି । ପ୍ୟାରୀ ସହରର ବାଳକଟିଏ । ଦେଖିବାକୁ ଧୂସର ଓ ରୋଗଣା ଏବଂ ବୟସ ଅନ୍ଦାଜ ଦଶ କି ପନ୍ଦର । ତାହାର ମାଆ ମରିଯାଇଛି, ମାତ୍ର ବାପା ଜୀବିତ ଅଛି । ଯୌବନରେ ବାପା ନୌବାହିନୀରେ କାର୍ଯ୍ୟ କରୁଥିଲା, ବର୍ତ୍ତମାନ ସେ ବାର୍ଦ୍ଧକ୍ୟରେ ଟେମ୍ପଲ ପାର୍କର ରକ୍ଷୀ ହୋଇଛି । ସହରର ଗାଡ଼ି ଘୋଡ଼ାର ଦାଉରୁ ରକ୍ଷା ପାଇବା ପାଇଁ ଯେଉଁମାନେ ଏହି ପାର୍କରେ ପ୍ରବେଶ କରନ୍ତି, ସେମାନେ ବୃଦ୍ଧ ଷ୍ଟେନିକୁ ଚିହ୍ନନ୍ତି । ଲମ୍ବ ଦାଢ଼ିବାଲା ଏହି ଷ୍ଟେନି କୁକୁର ଓ ଦୁଷ୍ଟ ପିଲାଙ୍କର ଏକ ଯମ !

 

ଷ୍ଟେନି ତାହାର ପୁଅକୁ ଖୁବ୍‍ ଭଲ ପାଉଥିଲା । ବିଦ୍ୟାଳୟରୁ ଫେରି ସନ୍ଧ୍ୟା ବେଳେ ସନ ଷ୍ଟେନି ତାହାର ବାପାକୁ ନେଇ ଯିବାକୁ ଆସିଲେ, ବୁଢ଼ାର ଆଖିରେ–ମୁହଁରେ ଅପୂର୍ବ ଆନନ୍ଦ ପ୍ରକଟୁଥିଲା ! ପୁଅର ହାତ ଧରି ଫେରିବା ବେଳେ ପାର୍କର ଆସନଗୁଡ଼ିକରେ ବସିଥିବା ଚିହ୍ନା ଲୋକମାନଙ୍କୁ ଅଭିବାଦନ ଜଣାଇ ଜଣାଇ ସେ ନିଜର ଘରକୁ ଫେରି ଆସୁଥିଲା ! କିନ୍ତୁ ସେହି ସବୁ ଦିନ ଏକ୍ଷଣି ବଦଳି ଯାଇଛି । ଜର୍ମାନମାନେ ପ୍ୟାରୀ ଆକ୍ରମଣ କରି ଦଖଲ କରି ଗଲେଣି । ବୁଢ଼ା ଷ୍ଟେନିର ଆଉ ପାର୍କର କାମ ନାହିଁ । ବର୍ତ୍ତମାନ ପାର୍କଟା ପେଟ୍ରୋଲ ରଖିବାର ଜାଗା ହୋଇଛି । ବୁଢ଼ାର ମନରେ ଅଶାନ୍ତି ଓ ଦୁର୍ଭାବନା । ତାହାର ପୁଅ ନିତି ଘରକୁ ଫେରିବା ବେଳକୁ ରାତି ହୋଇ ଯାଇଥାଏ । ତଥାପି ଘରକୁ ଫେରି ଆସିଲେ ବୁଢ଼ା ଟିକିଏ ସାନ୍ତ୍ୱନା ପାଏ, ପୁଅ ପାଖରେ ସେ ନାନା ରକମ ଗପ କରେ । ଗପ ଭିତରେ ଜର୍ମାନମାନଙ୍କ କଥା ଛାଏଁ ଛାଏଁ ଆସି ଯାଏ, ଆଉ କ୍ରୋଧରେ ତାହାର ନିଶ ଯୋଡ଼ାକ ଫୁଲି ଉଠେ ।

 

କିନ୍ତୁ ସାନ ଷ୍ଟେନିକୁ ଏହି ନୂଆ ଜୀବନ ଖୁବ୍ ଭଲ ଲାଗୁଥିଲା । ଛୋଟ ଛୋଟ ପିଲାମାନଙ୍କ ପକ୍ଷରେ ଏହି ଯୁଦ୍ଧ ଅବରୋଧ କଥାଟା ଅତିଶୟ କୌତୁକପ୍ରଦ ବୋଧ ହେଉଥିଲା । ପଢ଼ାଶୁଣା ନାହିଁ, ବିଦ୍ୟାଳୟକୁ ଯିବା ବନ୍ଦ, ଖାଲି ଛୁଟି ଆଉ ଛୁଟି । ଆଉ ରାସ୍ତାରେ ଯେମିତି ଅନବରତ ମେଳା ବସିଛି । ସେ ଗୋଟାଏ ଭାରି ମଜା !

 

ସେତେବେଳେ ସାନ ଷ୍ଟେନିର କାମ ହେଲା ରାତି ନ ହେବା ଯାଏ ଏ ରାସ୍ତା ସେ ରାସ୍ତାରେ ଖାଲି ଚକ୍‍କର ମାରିବା ଆଉ ପଡ଼ିଆ–ମଇଦାନରେ ଯେଉଁଠି ସ୍ୱେଚ୍ଛା-ସେବକ ବାହିନୀ ଠୁଳ ହେଇଛନ୍ତି, ସେଠାରେ ଯାଇ ପଇନ୍ତରା ମାରିବା । ଯେଉଁ ଦଳର ବାଜଣା ଯେତେ ଭଲ, ସେ ସେହି ସବୁ ଦଳ ପାଖକୁ ସେତେ ବେଶୀ ଯାଏ । ୟା ଭିତରେ ସେ ଜାଣି ସାରିଲାଣି କେଉଁ ଦଳର ବାଜଣା ଭଲ, ସେହି ବିଷୟରେ ସେ ପଣ୍ଡିତଙ୍କ ପରି ମତାମତ ଦିଏ । ପୁଣି କେବେ କେବେ ସେ ହୁଏତ ସ୍ୱେଚ୍ଛା-ସେବକ ବାହିନୀର ଡ୍ରିଲ୍ ଦେଖିବା ପାଇଁ ଠିଆ ହୋଇ ରହେ ।

 

ଏହା ଛଡ଼ା ଆଉ ଗୋଟିଏ ଭଲ କାମ ତାକୁ ମିଳିଥିଲା, ନିତି ସକାଳେ ଉଠି ହାତରେ ଗୋଟିଏ ଝୁଡ଼ି ଧରି ସେ ରୋଟି ଓ ମାଂସ ଦୋକାନ ଆଗରେ ଧାଡ଼ିରେ ଠିଆ ହୋଇ ରହୁଥିଲା । ସେହି ଧାଡ଼ିରେ ଠିଆ ହୋଇ ଘଣ୍ଟା ଘଣ୍ଟା ଧରି କେତେ ବିଷୟରେ ଆଲୋଚନା ଚାଲେ–ଯୁଦ୍ଧ କଥା, ରାଜନୀତି, ଅନ୍ନ-ବସ୍ତ୍ର-ସମସ୍ୟା, ଏହିପରି ନାନା କଥା ! ଅନେକେ ଷ୍ଟେନିର ମତାମତ ଶୁଣିବାକୁ ଚାହାନ୍ତି, କାରଣ ତାହାର ବାପା ଗତ ଯୁଦ୍ଧରେ ନୌବାହିନୀର ଜଣେ ସୈନିକ ଥିଲା–ଏ କ’ଣ କମ୍ କଥା !

 

ଏହା ସବୁଠାରେ ଦେଖା ନ ମିଳିଲେ ଷ୍ଟେନିକୁ ନିଶ୍ଚୟ ଦେଖାଯାଏ ସ୍ୟାଟୋ–ଦ୍ୟ ସ୍କୋୟାରର ‘ଗ୍ୟାଲୋଶ୍’ ଜୁଆର ଆଡ଼୍‍ଡାରେ । ‘ଗ୍ୟାଲୋଶ୍’ ଏକ ପ୍ରକାର ଜୁଆଖେଳ । ଇଂରେଜ ସୈନ୍ୟମାନେ ଫ୍ରାନ୍‍ସକୁ ଲଢ଼ିବାକୁ ଆସି ପ୍ୟାରୀକୁ ଏହା ଆମଦାନୀ କରିଥିଲେ । ଖଣ୍ଡିଏ ସୋଲ ଉପରେ ଟଙ୍କା ବା ପଇସା ବାଜି ରଖି ଏହି ଜୁଆ ଖେଳା ଯାଏ । ପ୍ୟାରୀର ଦୁଃସମୟରେ ଏହି ଜୁଆ ଖେଳ ସର୍ବତ୍ର ଚାଲୁ ହେଲା ।

ଯେଉଁଦିନ ଷ୍ଟେନି ପାଖରେ ଟଙ୍କା ଥାଏ, ସେ ଦିନ ସେ ନିଜେ ଖେଳେ, ମାତ୍ର ଟଙ୍କା ନ ଥିଲେ ସେ ଠିଆ ହୋଇ ରହି ଅନ୍ୟମାନଙ୍କର ଖେଳ ଦେଖେ–ତାହାକୁ ଏମିତି ନିଶା ଲାଗିଥିଲା, ଯେଉଁମାନେ ଜୁଆ ଖେଳିବାକୁ ଆସନ୍ତି, ସେମାନଙ୍କ ଭିତରୁ ଜଣକୁ ଷ୍ଟେନି ଭାରି ଭଲ ପାଉଥିଲା । ସେ କେବେ ହେଲେ ପାଞ୍ଚ ଫ୍ରାଙ୍କରୁ କମରେ କୌଣସି ବାଜି ଖେଳୁ ନ ଥିଲା । ବୟସରେ ସେ ଷ୍ଟେନି ଠାରୁ ସାମାନ୍ୟ କେତେ ବର୍ଷ ବଡ଼ ହେବ । ସବୁବେଳେ ତାହାର ପକେଟରେ ଟଙ୍କା ଝଣ ଝଣ ହେଉଥିଲା ।

ଦିନେ ଜୁଆ ଖେଳୁ ଖେଳୁ ସେହି ପିଲାଟିର ହାତରୁ ଗୋଟିଏ ଫ୍ରାଙ୍କ୍ ଗଡ଼ି ଆସି ଷ୍ଟେନିର ଗୋଡ଼ ପାଖରେ ପଡ଼ିଲା । ଫ୍ରାଙ୍କଟି ଉଠାଇ ନେଉଁ ନେଉଁ ସେ ଷ୍ଟେନିକୁ ଲକ୍ଷ୍ୟ କରି କହିଲା, “କେଉଁ ବାଟରେ ପାଣି ଆସୁଛି ଜାଣୁ ? ଟଙ୍କା ଲୋଡ଼ା ତ, ମୁଁ ବତାଇ ଦେଇ ପାରେଁ କେଉଁଠାକୁ ଗଲେ ତାହା ପାଇବୁ ।”

ଜୁଆଖେଳ ସରିଯିବାରୁ ସେହି ବଡ଼ ପିଲାଟି ଷ୍ଟେନିକୁ ଟିକିଏ ଆଢୁଆଳକୁ ଡାକି ନେଇ ଯାଇ କହିଲା; “ଜର୍ମାନମାନଙ୍କ ପାଖରେ ଖବରକାଗଜ ବିକିଲେ ସେମାନେ ଅନେକ ଟଙ୍କା-ପଇସା ଦିଅନ୍ତି; ଏପରି କି ସେମାନେ ମୋତେ ଦିନେ ତିରିଶ ଫ୍ରାଙ୍କ ଦେଇଥିଲେ ।”

 

ଏ ପ୍ରସ୍ତାବରେ ଷ୍ଟେନି ପ୍ରଥମେ ଚଟିଗଲା ଏବଂ ପ୍ରାୟ ତିନି ଦିନ ଯାଏ ଜୁଆର ଆଡ୍ଡ଼ାକୁ ଆଉ ଗଲା ନାହିଁ । ଜୁଆର ଆଡ୍ଡ଼ାକୁ ନ ଯିବାରୁ ତାହାର ମନ ବିଗିଡ଼ି ଗଲା । ତାହାକୁ ଖାଇବା ପିଇବା ଭଲ ଲାଗିଲା ନାହିଁ କି ତାହାର ଆଖିକୁ ନିଦ ଆସିଲା ନାହିଁ । ତିନି ଦିନ କାଳ ଘରେ ବସି ରହି ତାହାଙ୍କୁ ଅତ୍ୟନ୍ତ ବିରକ୍ତ ଲାଗିଲା । ପୁଣି ସେ ଧାଇଁଗଲା ସେହି ଜୁଆର ଆଡ୍ଡ଼ାକୁ, ସେଠାରେ ସେହି ବଡ଼ ପିଲାଟି ସାଙ୍ଗରେ ସେ ପୁଣି ଖେଳରେ ମାତିଗଲା; କିନ୍ତୁ ଏଥର ଷ୍ଟେନି ତାହାର ପ୍ରସ୍ତାବରେ ରାଜି ହେଲା ।

 

ଗୋଟିଏ ରାତି ବରଫ ପଡ଼ୁଥାଏ । ପିଲା ଦୁହେଁ କାନ୍ଧରେ କ୍ୟାନଭାସର ବ୍ୟାଗ୍ ଝୁଲାଇଲେ ଏବଂ ଜାମା ତଳେ କାଗଜ ରଖିଲେ । ତା’ପରେ ଭୋର ବେଳେ ସେମାନେ ବାହାରି ପଡ଼ିଲେ । ଯେତେବେଳେ ସେମାନେ ଯାଇ ଫୋର୍ଡ଼-ଦ୍ୟ-ଫ୍ଲାଣ୍ଡାର୍ସରେ ପହଞ୍ଚିଲେ, ସେତେବେଳେ ଦିନର ଆଲୁଅ ପରିଷ୍କାର ଭାବରେ ଫୁଟି ନ ଥିଲା । ଷ୍ଟେନିର ସଙ୍ଗୀ ତାହାର ହାତ ଧରି ଜଣେ ସନ୍ତ୍ରୀ ପାଖକୁ ଆଗେଇ ଗଲା; ଏବଂ ତାକୁ କହିଲା–“ଦୟାକରି ଆମକୁ ଯିବାକୁ ଦିଅ । ବଡ଼ ବିପଦ ଆମର । ମାଆ ଭୀଷଣ ଅସୁସ୍ଥ, ବାପା ଯୁଦ୍ଧରେ ମରି ଯାଇଛନ୍ତି । ଏ ମୋର ସାନ ଭାଇ–ଆମେ ଦୁହେଁ କ୍ଷେତରୁ କିଛି ଆଳୁ ଖୋଳି ନେବୁଁ । ଘରେ ଆମର କିଛି ଖାଇବାକୁ ନାହିଁ ।”

 

ସନ୍ତ୍ରୀଟି କ୍ଷଣକ ପାଇଁ ସେମାନଙ୍କ ଆଡ଼କୁ ଚାହିଁଲା, ଏବଂ ତା’ ପରେ ଜନଶୂନ୍ୟ ରାସ୍ତା ଆଡ଼କୁ ଅନାଇ କହିଲା–“ଆଚ୍ଛା, ଯାଅ, କିନ୍ତୁ ଖୁବ୍ ଶୀଘ୍ର କାମ ଶେଷ କରି ଫେରି ଆସିବ ।”

 

ସେମାନେ ଆବାରଭିଲି ରାସ୍ତା ଉପରକୁ ଚାଲି ଆସିଲେ । ସେଠାରେ ପହଞ୍ଚି ଷ୍ଟେନିର ସଙ୍ଗୀର ଆନନ୍ଦ କହିଲେ ନ ସରେ ।

 

ଆବାରଲିଭି ରାସ୍ତାଟିକୁ ଆଉ ଚିହ୍ନି ହେଉ ନାହିଁ । ଚାରିଆଡ଼େ କାରଖାନା ବସିଗଲାଣି । ସୈନ୍ୟମାନଙ୍କର ଛାଉଣି ପଡ଼ିଛି, ପାଚେରୀସବୁ ଓଦା କମ୍ବଳରେ ଚାପା ଦିଆ ହୋଇ ରଖା ଯାଇଛି, କାରଖାନାର ଚିମନିସବୁ ଭାଙ୍ଗି ତୁଟି ଗଲାଣି । ଆଗେଇ ଯାଉଁ ଯାଉଁ ସେମାନେ ଦେଖିଲେ, ଆହୁରି ସନ୍ତ୍ରୀ–ପହରା ଘାଟି ଜାଗାଗୁଡ଼ିକରେ ମୁତୟନ ହୋଇଛନ୍ତି । ଜଣେ ଦୁଇ ଜଣ ଉଚ୍ଚ ପଦସ୍ଥ ସାମରିକ କର୍ମଚାରୀ ଦୂରବୀକ୍ଷଣ ଯନ୍ତ୍ରରେ ଏତେ ତେଣେ କ’ଣ ଦେଖୁଛନ୍ତି । ଆଉ ଟିକିଏ ଆଗେଇ ଯାଆନ୍ତେ, ସେମାନେ ଗୋଟିଏ ବଡ଼ ଘାଟି ସାମନାରେ ଆସି ପହଞ୍ଚିଗଲେ । ସେହି ଘାଟିଟି ଟପିଲେ ଜର୍ମାନମାନଙ୍କର ଛାଉଣି; କିନ୍ତୁ ଏହି ଘାଟିଟି ଟପିବା କାଠିକର ପାଠ । ଷ୍ଟେନିର ସଙ୍ଗୀର ପୂର୍ବ କୌଶଳ ଏଥର ଆଉ ବୋଧହୁଏ କିଛି କାମରେ ଲାଗିଲା ନାହିଁ । ଏହି ସମୟରେ ଜଣେ ସାର୍ଜେଣ୍ଟ ଆସି ସେଠାରେ ଉପସ୍ଥିତ ହୋଇଗଲା । ଷ୍ଟେନିର ସଙ୍ଗୀର ଅବିଶ୍ରାନ୍ତ କ୍ରନ୍ଦନ ଦେଖି ସେ କହିଲା–‘‘କାନ୍ଦିଲେ କ’ଣ ହେବ ! ଯେତେ ଇଚ୍ଛା ସେତେ ଆଳୁ ତୁମେ ଖୋଳି ନିଅ, ଆମର ସେଥିରେ ତିଳେ ହେଲେ ଆପତ୍ତି ନାହିଁ; କିନ୍ତୁ ତା ଆଗରୁ ଆମର ସେହି କୁଡ଼ିଆ ଘରକୁ ଆସି ଟିକିଏ ନିଆଁ ପାଖରେ ବସିପଡ଼ି ଦେହ ହାତ ଗରମ କରି ନିଅ । ଦେଖୁଛି, ସେହି ଛୋଟ ସଇତାନଟା ଥଣ୍ଡାରେ ବରଫ ହୋଇଯିବ । ଆସ, ଆସ !”

 

ସାର୍ଜେଣ୍ଟର କୁଡ଼ିଆରେ ପ୍ରବେଶ କରି ସେମାନେ ଦେଖିବାକୁ ପାଇଲେ, ସେଠାରେ କେତେ ଜଣ ସୈନ୍ୟ ନିଆଁ ଜାଳି ତା ଚାରି ପାଖରେ ବସି ଦେହ ଗରମ କରୁଛନ୍ତି । ସେମାନଙ୍କ ଭିତରୁ କେହି କେହି ନିଜ ହେଲମେଟର ମଥା ଉପରେ ବିସ୍କୁଟ ଥୋଇ ଦେଇଛନ୍ତି । ସେମାନେ ସମସ୍ତେ ଟିକିଏ ଗୁଞ୍ଜିଗାଞ୍ଜି ହୋଇ ବସି, ଷ୍ଟେନି ଓ ତାହାର ସଙ୍ଗୀକୁ ସେଠାରେ ବସିବାକୁ ଜାଗା କରିଦେଲେ ଏବଂ ସେମାନଙ୍କୁ ଗରମ କଫି ପିଇବାକୁ ଦେଲେ । ଯେତେବେଳେ ସେମାନେ କଫି ପିଇବାରେ ବ୍ୟସ୍ତ, ଠିକ୍ ସେତିକି ବେଳେ ଜଣେ ଲୋକ ଆସି ପହଞ୍ଚିଗଲା । ସେ ସାର୍ଜେଣ୍ଟକୁ ଘରର ବାହାରକୁ ଡାକି ନେଇଯାଇ କ’ଣ କହିଲା ।

 

ସାର୍ଜେଣ୍ଟ ଖୁବ୍ ପ୍ରଫୁଲ୍ଲ ଚିତ୍ତରେ ପୁଣି ଘର ଭିତରକୁ ଆସି କହିଲା–“ଆଜି ରାତିରେ ଖୁବ୍ ମଜା ଘଟଣା ଘଟିବ । ଜର୍ମାନମାନଙ୍କର ସବୁ ଖବର ଆମେ ଜାଣି ସାରିଲୁଣି । ଆଜି ରାତି ଭିତରେ ଆମେ ଲ୍ୟବୁର୍ଗ ସେମାନଙ୍କ ହାତରୁ ଛଡ଼ାଇ ନେବୁ । କର ଫୁର୍ତ୍ତି ସମସ୍ତେ ।”

 

ସାର୍ଜେଣ୍ଟର କଥା ଶେଷ ହେଉ ନ ହେଉଣୁ ସଙ୍ଗେ ସଙ୍ଗେ ହୈ ଚୈ ପଡ଼ିଗଲା । ସେହି ଅବସରରେ ଷ୍ଟେନିର ସଙ୍ଗୀ ଷ୍ଟେନିକୁ ନେଇ କେତେବେଳେ ସେଠାରୁ ଖସିଗଲା ।

 

ସେମାନେ ଗୋଟିଏ ପ୍ରାନ୍ତରରେ ଆସି ପହଞ୍ଚିଗଲେ । ସେଠାରେ ଷ୍ଟେନିର ସଙ୍ଗୀଟି ନଇଁ ପଡ଼ି ରାସ୍ତାରେ ଚାଲୁ ଚାଲୁ ଆଳୁ ଖୋଳିବାର ଛଳନା କରିବାକୁ ଲାଗିଲା ।

 

ଷ୍ଟେନି ଦୁଇ ତିନି ଥର କହିଲା–“ଏଥର ଫେରିବା ଚାଲ । ଆଉ ଆଗେଇ କୌଣସି ଫଳ ନାହିଁ ।”

 

କିନ୍ତୁ ଷ୍ଟେନିର ସଙ୍ଗୀ ଆଗେଇ ଚାଲିଲା । କିଛି ଦୂର ଆଗେଇ ଯିବା କ୍ଷଣି ସେମାନେ ରାଇଫଲର କଳ ଟିପିବା ଆବାଜ ଶୁଣି ହଠାତ୍ ଠିଆ ହୋଇଗଲେ । ଷ୍ଟେନିର ସଙ୍ଗୀ ଜଣକ ତତକ୍ଷଣାତ୍ ଭୂଇଁରେ ପେଟେଇ ଶୋଇପଡ଼ି ତାକୁ କହିଲା–“ଶୋଇ ପଡ଼ ଷ୍ଟେନି, ଶୋଇ ପଡ଼ ।”

 

ଷ୍ଟେନିର ସଙ୍ଗୀଟି ଶୋଇପଡ଼ି ଗୋଟିଏ ବଂଶୀ ବଜାଇଲା–ଅପର ଦିଗରୁ ସେହି ବଂଶୀରେ ତାର ଜବାବ ଆସିଲା । ତା’ପରେ ସେମାନେ ପୁଣି ହାମୁଡ଼େଇ ହାମୁଡ଼େଇ ସାମନାକୁ ଆଗେଇ ଯିବାକୁ ଲାଗିଲେ ।

 

ଗୋଟାଏ ପ୍ରକାଣ୍ଡ ପାଚେରୀ ପାଖକୁ ଆସି ସେମାନେ ଦେଖିଲେ ଖୁବ୍ ବଡ଼ ନିଶବାଲା ଜଣେ ଜର୍ମାନ ସୈନ । ଟ୍ରେଞ୍ଚ ମୁଁହ ପାଖରେ ଆସି ଠିଆ ହୋଇଛି ।

 

ସେତେବେଳେ ଷ୍ଟେନିର ସଙ୍ଗୀ ଜଣକ କହିଲା–“ଏ ମୋର ସାନ ଭାଇ ।”

 

ଜର୍ମାନ ସୈନ୍ୟଟି ଷ୍ଟେନିକୁ ଦେଖି ହସି ହସି ଗଡ଼ିଗଲା । ଏଡ଼ିକି ବକଟେ ପିଲା ଏହି କାମରେ ଆସିଛି ! ତା’ପରେ ସେ ଷ୍ଟେନିକୁ ଗୋଟାଏ ହାତରେ ଟେକି ନେଇ ପାଚେରୀ ମଝିର ଗୋଟାଏ କଣା ବାଟେ ତାକୁ ଆର ପଟକୁ ପକାଇଦେଲା । ଷ୍ଟେନିର ସଙ୍ଗୀ କିନ୍ତୁ ନିଜେ ଟପିଗଲା ।

 

ଏଥର ସେମାନେ ଗୋଟାଏ ପ୍ରକାଣ୍ଡ ଘରେ ଯାଇ ପହଞ୍ଚିଲେ । ସେଠାରେ ଜର୍ମାନ ସୈନ୍ୟମାନେ ହୈ ଚୈ ପାଟିଗୋଳରେ ମତ୍ତ । କେହି ଖେଳୁଛି ତାଆସ, କେହି ପିଉଛି ମଦ, ଆଉ କେହି ରୋଷେଇ କରୁଛି ।

 

ଷ୍ଟେନିର ସଙ୍ଗୀ ସେମାନଙ୍କ ସହିତ ହସ ଖୁସିରେ ମାତିଗଲା ଏବଂ କାଗଜସବୁ ବାହାର କରି ସେମାନଙ୍କୁ ଦେଇଦେଲା ।

 

ଷ୍ଟେନିର ମଧ୍ୟ କଥା କହିବାକୁ ମନ ହେଉଥିଲା; କିନ୍ତୁ ଜଣେ ଲୋକର ଭୟରେ ସେ କହି ପାରିଲା ନାହିଁ–ଲୋକଟି ଗୋଟିଏ କୋଣରେ ଠିଆ ହୋଇ ଷ୍ଟେନିକୁ ଲକ୍ଷ୍ୟ କରୁଥିଲା । ସେ ଏପରି ଭାବରେ ଷ୍ଟେନି ଆଡ଼କୁ ଅନାଇ ରହିଥିଲା ଯେ ଦେଖିଲେ ମନେ ହେଉଥିଲା, ଯେମିତି ତାହାର ଘରେ ସେମିତି ଛୋଟ ପିଲାଟିଏ ତାହାର ନିଜର ଅଛି ! ସେ ହୁଏତ ମନେ ମନେ କହୁଥିଲା, ମୋ ପୁଅକୁ ଏମିତି କାମ କରିବାର ଦେଖିବା ଆଗରୁ ଯେମିତି ମୋର ମୃତ୍ୟୁ ହୁଏ !

 

ଷ୍ଟେନି ମୁହଁ ପୋତି ବସି ରହିଲା, ତେଣେ ତାହାର ସଙ୍ଗୀଟି ସେତେବେଳେ ସେମାନଙ୍କ ସାଙ୍ଗରେ କଥା ଜମେଇ ଦେଲାଣି ।

 

ଷ୍ଟେନିର ସଙ୍ଗୀଟି କଥା ପ୍ରସଙ୍ଗରେ ସେମାନଙ୍କୁ ଜଣାଇଲା–ଫରାସୀ ସୈନ୍ୟମାନେ ଆଜି ରାତିରେ ସେମାନଙ୍କୁ ଆକ୍ରମଣ କରିବେ । ଷ୍ଟେନି ମଝିରେ ଥରେ ସଙ୍ଗୀର କଥାରେ ବାଧା ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ତାହାର କଥା କିଏ ଶୁଣୁଛି ?

 

ଷ୍ଟେନିର ସଙ୍ଗୀର ଖବର କହିବା ଶେଷ ହେଉ ନ ହେଉଣୁ ଜର୍ମାନମାନେ ତାହାର ହାତରେ ଅନେକ ଟଙ୍କା ଗୁଞ୍ଜି ଦେଲେ ଏବଂ କହିଲେ–“ଏଥର ତୁମେ ଦୁହେଁ ଯାଇ ପାର ।”

 

ଷ୍ଟେନିର ସଙ୍ଗୀ ମହା ଆନନ୍ଦରେ ଟଙ୍କା ବଜାଇ ବଜାଇ ବାଟ ଚାଲିବାକୁ ଲାଗିଲା । ଷ୍ଟେନି ତା ପଛେ ପଛେ ଚାଲିଥାଏ । ଏ କାମଟା ତାକୁ ଆଦୌ ପସନ୍ଦ ଲାଗୁ ନ ଥାଏ ।

 

ଫେରିବା ବେଳେ ଆଉ କେହି ସେମାନଙ୍କୁ ବାଧା ଦେଲେ ନାହିଁ । କାରଣ ଜର୍ମାନମାନେ ସେମାନଙ୍କର ବ୍ୟାଗରେ ଆଳୁ ଭର୍ତ୍ତି କରି ଦେଇଥିଲେ । ଏଣେ ସୈନ୍ୟମାନଙ୍କର ମଧ୍ୟ ସେମାନଙ୍କୁ ଧରି ସମୟ ନଷ୍ଟ କରିବାକୁ ଅବସର ନ ଥିଲା । ସେତେବେଳେ ସେମାନେ ରାତିରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ ।

 

ରାସ୍ତାରେ ଆସିବା ବେଳେ ଥରେ ଷ୍ଟେନିର ମନେ ହୋଇଥିଲା, ସେ ଚିତ୍କାର କରି ଫରାସୀ ସୈନ୍ୟମାନଙ୍କୁ କହି ଦିଅନ୍ତା ଯେ ଆଜି ରାତିରେ ତୁମ୍ଭେମାନେ ଆଉ ଆକ୍ରମଣ କର ନାହିଁ, ଏବଂ ଆମେ ତୁମର ସବୁ ଯୋଜନା ଜର୍ମାନମାନଙ୍କୁ କହି ଦେଇ ଆସିଛୁ ।

 

କିନ୍ତୁ ମନ୍ତ୍ରୀର ଭୟରେ ସେ ତାହା କହି ପାରିଲା ନାହିଁ । ସଙ୍ଗୀଟି ତାକୁ କହିଥିଲା, ଏ କଥା ଜାଣି ପାରିଲେ ସେମାନେ ତତକ୍ଷଣାତ୍ ତାଙ୍କୁ ଗୁଳି କରି ମାରି ଦେବେ ।

 

ତାପରେ ଷ୍ଟେନିର ସଙ୍ଗୀ ଟଙ୍କା ଭାଗ କରି ବସିଲା । ସେ ଷ୍ଟେନିକୁ ସମାନ ଭାଗ ଦେଲା-। ପକେଟରେ ଟଙ୍କା ବାଜିବାରୁ ଷ୍ଟେନିର ମନଟା ପୁଣି ଆନନ୍ଦରେ ଭରିଗଲା ।

 

ପ୍ୟାରୀର ରାସ୍ତାକୁ ଆସି ପରସ୍ପର ଅଲଗା ହୋଇଗଲେ । ସେତେବେଳେ ଷ୍ଟେନିର ମନ ପୁଣି ଦବି ଗଲା, ଏବଂ ତାହାର ମନେ ହେଲା ପକେଟ ଯେମିତି ବେଜାୟ ଭାରି ହୋଇ ଯାଇଛି । ରାସ୍ତାର ହଟଗୋଳ ଭିତରେ ତାହାର ମନେ ହେବାକୁ ଲାଗିଲା, ସମସ୍ତେ ଯେମିତି ତାକୁ ଲକ୍ଷ୍ୟ କରୁଛନ୍ତି ଏବଂ ଘୃଣାରେ ପାଟି କରି କହୁଛନ୍ତି–“ଗୁପ୍ତଚର ! ଜର୍ମାନଙ୍କର ଗୁପ୍ତଚର !”

 

ଷ୍ଟେନି ଘରେ ପହଞ୍ଚିଲା । ସେତେବେଳକୁ ତାହାର ବାପା ଘରକୁ ଫେରି ନ ଥିଲେ । ଧାଇଁ ଯାଇ ନିଜର ତକିଆ ତଳେ ସେ ଟଙ୍କା ତକ ଲୁଚାଇ ରଖିଦେଲା ।

 

ଷ୍ଟେନିର ବାପା ମହା ଆନନ୍ଦରେ ଘରକୁ ଫେରି ଆସିଲା । କଥାଟା କ’ଣ କି–ନା, ଯୁଦ୍ଧର ଗତି ବଦଳି ଯାଇଛି–ଜର୍ମାନମାନଙ୍କର ପରାଜୟ ଅନିବାର୍ଯ୍ୟ । ଆଜି ରାତିରେ ଫରାସୀ ସୈନ୍ୟମାନେ ଜର୍ମାନମାନଙ୍କୁ ଆକ୍ରମଣ କରିବେ, ଏବଂ ସେମାନଙ୍କ ଠାରୁ ଲ୍ୟ ବୁର୍ଗ ଛଡ଼ାଇ ନେବେ-

 

ଖାଇବାକୁ ବସି ବୃଦ୍ଧ ଷ୍ଟେନି କାନ୍ଥରେ ଟଙ୍ଗା ହୋଇଥିବା ତାହାର ରାଇଫଲଟା ଆଡ଼କୁ ଚାହିଁ କହିଲା–“ଷ୍ଟେନି, ତୁ ଯଦି ଆଉ ଟିକିଏ ବଡ଼ ହୋଇଥାନ୍ତୁ, ତାହେଲେ ଜର୍ମାନମାନଙ୍କୁ କ୍ଷତ ବିକ୍ଷତ କରି ଏହି ରାଇଫଲଟିର ମାନ ନିଶ୍ଚୟ ବଜାୟ ରଖି ଥାଆନ୍ତୁ । ଆଃ, ଯଦି ସେୟା ହୋଇ ଥାଆନ୍ତା ତା ହେଲେ ଆଜି ଆମର କି ଆନନ୍ଦର ଦିନ ହୋଇ ନ ଥାଆନ୍ତା !”

 

ରାତି ଆଠଟା ବେଳେ ଫରାସୀ ସୈନ୍ୟବାହିନୀର ତୋପ ଅନ୍ଧକାର ବିଦୀର୍ଣ୍ଣ କରି ଭୀମ ଗର୍ଜନ କଲା ।

 

ବୃଦ୍ଧ ଷ୍ଟେନି କହି ପକାଇଲା–“ହେଇ ଆମର ଆକ୍ରମଣ ଆରମ୍ଭ ହେଲା । ଲ୍ୟ ବୁର୍ଗର ଲଢ଼େଇ ଏଥର ଆରମ୍ଭ ହେଲା ।”

 

କିନ୍ତୁ ଷ୍ଟେନିକୁ କିଛି ଭଲ ଲାଗିଲା ନାହିଁ । ସେ ବିଛଣାରେ ଯାଇ ଶୋଇ ପଡ଼ିଲା ସତ, ମାତ୍ର ତାହାର ଆଖିକୁ ନିଦ ଆସିଲା ନାହିଁ । ହାୟ ! ଏ ଆକ୍ରମଣରେ ଜର୍ମାନମାନେ ତିଳେ ମାତ୍ର ବିଚଳିତ ହେବେ ନାହିଁ । ଆଶ୍ଚର୍ଯ୍ୟ ହେବେନାହିଁ–ସେମାନେ ତ ଆଗରୁ ସବୁ କଥା ଜାଣନ୍ତି । ଆଉ ସେ ନିଜେ ତ ଏହି ସର୍ବନାଶ କରି ଆସିଛି–ଜଣେ ଦେଶ ପ୍ରେମିକର ପୁଅ ହୋଇ ! ଛି ଛି !

 

ଷ୍ଟେନି ଶୋଇ ରହି କାନ୍ଦିବାକୁ ଲାଗିଲା । ତାହାର ବାପା ଘରକୁ ପଶି ଆସି ତାକୁ ପଚାରିଲା–କିରେ,ଏମିତି ଆନନ୍ଦର ଦିନରେ କାନ୍ଦୁଛୁ କାହିଁକି ? କଥା କ’ଣ ?

 

ଷ୍ଟେନି ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । ଏକାବେଳେ ବାପାଙ୍କର ପାଦ ତଳେ ଆସି ସେ ଲୋଟିଗଲା । ତତକ୍ଷଣାତ୍ ତାହାର ତକିଆ ତଳୁ ଟଙ୍କାଗୁଡ଼ାକ ଛିଟିକି ପଡ଼ିଲା ଘରର ଚଟାଣରେ ।

 

ତାହାର ବାପା ପଚାରିଲା–“ଏ ସବୁ କ’ଣ ? ଆଜିକାଲି ଟଙ୍କା ଚୋରି କରୁଛୁ କି ?”

 

ଷ୍ଟେନି କାନ୍ଦି କାନ୍ଦି ସବୁ କଥା ବାପାଙ୍କ ପାଖରେ ଖୋଲି କହିଦେଲା । ଅପରାଧ ସ୍ଵୀକାର କରି ତାହାର ମନ ହାଲୁକା ହୋଇଗଲା । ତାହାର ବାପା–ବୃଦ୍ଧ ସୈନିକ–ସବୁ କଥା ଶୁଣିଲା । ତାହାର ଆଖି ଓ ମୁହଁର ରଙ୍ଗ ସମାନ ହୋଇଗଲା । ତା’ ପରେ ସେ ବ୍ୟାକୁଳ ହୋଇ କାନ୍ଦି ପକାଇଲା ।

 

ଷ୍ଟେନି ତାହାର ବାପାକୁ ସାନ୍ତ୍ଵନା ଦେବାକୁ ଲାଗିଲା । କିଛି କ୍ଷଣ ପରେ ତାହାର ବାପା ତାକୁ ଠେଲି ଦେଇ, ଦୂରକୁ ଘୁଞ୍ଚାଇ ଦେଇ, ଟଙ୍କାଗୁଡ଼ାକ ତଳୁ ଗୋଟାଇ ନେଇ ପଚାରିଲା –“ମୋଟ ଏତିକି ତ ?”

 

ଷ୍ଟେନି କହିଲା–“ହଁ, ସବୁ ।”

 

ତା’ ପରେ ଷ୍ଟେନିର ବାପା ହାତ ବଢ଼ାଇ କାନ୍ଥରୁ ରାଇଫଲଟା ନେଲା, ଗୁଳିର କମର-ବନ୍ଧନୀଟା ଅଣ୍ଟାରେ ବାନ୍ଧିଲା ଏବଂ ପକେଟରେ ଟଙ୍କାତକ ରଖିଲା ।

 

ତା’ ପରେ ସେ କହିଲା–“ଏ ଟଙ୍କା ମୁଁ ଯାଉଛି ଜର୍ମାନମାନଙ୍କୁ ଫେରାଇ ଦେବି ।”

 

କହି ଦେଇ ସେ ସିଧା ଘରୁ ବାହାରି ଗଲା ।

 

ସେହି ଦିନ ଠାରୁ ଷ୍ଟେନିର ଆଉ ଦେଖା ମିଳି ନାହିଁ ।

 

–ଆଲଫୋସ ଦୋଦୋ

☆☆☆

 

ବାଜିକର

 

ଫ୍ରାନ୍‍ସରେ ରାଜା ଲୁଇଙ୍କ ରାଜତ୍ଵ ସମୟରେ ଜଣେ ଗରିବ ବାଜିକର ବାସ କରୁଥିଲା । ତାହାର ନାମ ବର୍ନାବାସ ଓ ନିବାସ କାମ୍ପିୟା ସହରରେ । ସେ ନାନା ପ୍ରକାର ଅଦ୍ଭୁତ ତାମସା ଓ ଭୋଜବାଜି ଦେଖାଇ ଦେଖାଇ ସହର ବଜାର ଗାଁ ଗଣ୍ଡାରେ ଘୂରି ବୁଲୁଥିଲା ।

 

ହାଟ ଦିନରେ ଗୋଟିଏ ଖୋଲା ପଡ଼ିଆକୁ ଯାଇ ସେ ଖଣ୍ଡିଏ ଛିଣ୍ଡା ମଇଳା ଚଟେଇ ବିଛାଇ ଦିଏ, ଏବଂ ଜଣେ ବୁଢ଼ା ବାଜିକର ଠାରୁ ଶିଖିଥିବା କେତେକ ମନ ଭୁଲାଣିଆ କଥା ଅନର୍ଗଳ ବକିଯାଏ । ସେ ଗୋଟିଏ ହେଲେ ଶବ୍ଦ ତହିଁରୁ ବାଦ୍ ଦିଏ ନାହିଁ, ଆଉ ଅବିକଳ ସେହି ଏକା ଢଙ୍ଗରେ ଗପିଯାଏ । ଏଥିରେ ଆକୃଷ୍ଟ ହୋଇ ଅନେକ ଛୁଆ ପିଲା ଓ ଅଳସୁଆ ଲୋକ ଆସି ସେଠାରେ ରୁଣ୍ଡ ହୋଇଯାନ୍ତି । ତାପରେ ତାହର ଅଦ୍ଭୁତ ଭାବଭଙ୍ଗୀ ଆରମ୍ଭ ହୋଇ ଯାଏ, ଏବଂ ନିଜର ନାକ ଅଗରେ ଖଣ୍ଡିଏ କାଠି ଉପରେ ଟିଣ ଥାଳିଆ ରଖି ସେ ନଚାଇବାକୁ ଲାଗେ । ପ୍ରଥମେ ଦେଖଣାହାରିଏ ତା ଖେଳରେ ସେତେ ପ୍ରଭାବିତ ହୁଅନ୍ତି ନାହିଁ । କିନ୍ତୁ ପରେ, ସେ ଭୂଇଁରେ ମଥା ଓ ହାତ ରଖି ଏବଂ ଗୋଡ଼ ଉପରକୁ ଟେକି ଛଅଟି ତମ୍ବା ପେଣ୍ଡୁ ଉପରକୁ ଫିଙ୍ଗି ଦିଏ ଏବଂ ସୂର୍ଯ୍ୟ କିରଣରେ ଚିକଚିକ୍ ହେଉଥିବା ସେହି ପେଣ୍ଡୁକୁ ପୁଣି ଗୋଡ଼ରେ ଧରିନିଏ, କିମ୍ବା ଦୁଇ ଗୋଡ଼କୁ ଏପରି କାଇଦାରେ ଘୂରାଇ ବେକ ତଳ ଯାଏ ନେଇଆସେ ଯେ ତାହାର ସମସ୍ତ ଶରୀରଟା ଗୋଟିଏ ଚକର ଆକାର ଧାରଣ କରେ ଏବଂ ସେହି ଅବସ୍ଥାରେ ବାରୋଟି ଛୁରିରେ ସେ ତାହାର ତାମସା ଦେଖାଏ । ସେତେବେଳେ ଦେଖଣାହାରିଏ ଭାରୀ ଖୁସି ହେଇଯାନ୍ତି ଏବଂ ଛିଣ୍ଡା ଚଟେଇ ଉପରେ ଝଣଝାଣ ହୋଇ ଚାରି ଆଡ଼ୁ ପଇସା ବର୍ଷିବାକୁ ଲାଗେ ।

 

ତଥାପି, ଅନ୍ୟମାନଙ୍କ ପରି, କାମ୍ପିୟାର ଅଧିବାସୀ ବାର୍ନାବାସକୁ ମଧ୍ୟ ଅତି କଷ୍ଟରେ ଜୀବନଯାପନ କରିବାକୁ ପଡ଼ୁଥିଲା । ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁଦ୍ଧା, ସେ ତାହାର ଦୁଃଖ କଷ୍ଟ ଲାଘବ କରି ପାରୁ ନ ଥିଲା । ତେଣୁ କହିବାକୁ ହେବ, ମଣିଷର ପ୍ରଥମ ପିତା ଆଦମଙ୍କ କୁକର୍ମର ଫଳ ତାକୁ ହିଁ ସବୁଠାରୁ ବେଶୀ ଭୋଗିବାକୁ ପଡ଼ିଥିଲା ।

 

ତା ଛଡ଼ା, ଇଚ୍ଛା ଥିଲେ ସୁଦ୍ଧା ତାକୁ କାମ କରିବାକୁ ସୁବିଧା ସୁଯୋଗ ମିଳୁ ନ ଥିଲା । କାରଣ ଗଛର ଯେପରି ସୂର୍ଯ୍ୟାଲୋକ ଓ ଉତ୍ତାପ ଦରକାର ହୁଏ, ତାହାର ମଧ୍ୟ ଅଦ୍ଭୁତ ତାମସା ଦେଖାଇବା ପାଇଁ ସେ ସବୁର ନିତ୍ୟନ୍ତ ପ୍ରୟୋଜନ ହୁଏ । ଶୀତ ଦିନରେ ସେ ପ୍ରାୟ ଗୋଟିଏ ପତ୍ରହୀନ ଶୁଖିଲା ଗଛ ପରି, ବାସ୍ତବିକ, ଦରମରା ହୋଇ ପଡ଼ି ରହି ଥାଏ । ବରଫାବୃତ ଭୂଇଁରେ ଖେଳ ଦେଖାଇବା ବାଜିକର ପକ୍ଷରେ ଆଦୌ ସୁବିଧାଜନକ ହୁଏ ନାହିଁ । ସେଥିଯୋଗୁଁ ସେ ସେତେବେଳେ କ୍ଷୁଧା ଓ ଶୀତରେ ଦାରୁଣ କଷ୍ଟ ଭୋଗ କରେ । ମାତ୍ର, ସରଳ ମଣିଷ ହୋଇ ଥିବାରୁ, ସବୁ ଦୁଃଖ କଷ୍ଟ ସେ ନିରବରେ ମଥା ପାତି ସହିଯାଏ ।

 

ଧନ ଦୌଲତର ଉତ୍ପତ୍ତି କିମ୍ବା ମଣିଷର ଅସମାନ ଅବସ୍ଥା ସମ୍ପର୍କରେ ସେ କେବେ ହେଲେ ତାହାର ମଥା ଖେଳାଇ ନାହିଁ । ତାହାର ଦୃଢ଼ ବିଶ୍ୱାସ ଯଦି ଏ ସଂସାର ଖରାପ ହେଲା ତେବେ ଅନ୍ୟଟି ନିଶ୍ଚୟ ଭଲ ହୋଇଥିବ । ଏହି ଆଶାରେ ମନ ଭିତରେ ସାହସ ବାନ୍ଧି ସେ ଆଗକୁ ଧାଇଁ ଚାଲିଥିଲା । ଚତୁର ଲୋକଙ୍କ ପରି ସେ ତାହାର ଆତ୍ମାକୁ ସଇତାନ ନିକଟରେ ବିକି ଦେଇ ନ ଥିଲା । ସେ କେବେ ହେଲେ ଅଯଥାରେ ଭଗବାନଙ୍କ ନାମ ନେଉ ନ ଥିଲା । ସେ ସତ୍ ମାର୍ଗରେ ଗତି କରୁଥିଲା । ଆପଣାର ସ୍ତ୍ରୀ ନ ଥିଲେ ସୁଦ୍ଧା, ପ୍ରତିବେଶୀର ସ୍ତ୍ରୀ ଉପରେ ସେ ତିଳେ ମାତ୍ର ଲୋଲୁପ ଦୃଷ୍ଟି ନିକ୍ଷେପ କରୁ ନ ଥିଲା; କାରଣ ଶାସ୍ତ୍ରରେ ସାମସନଙ୍କ ଉପାଖ୍ୟାନରୁ ସୂଚନା ମିଳେ ଯେ ନାରୀ ହିଁ ହେଉଛି ସକଳ ପୁରୁଷର ପ୍ରଧାନ ଶତ୍ରୁ ।

 

କାମ ଲାଳସା ତା ମନରେ କେବେ ହେଲେ ସ୍ଥାନ ପାଉ ନ ଥିଲା । ନାରୀ ସଙ୍ଗ-ସୁଖ ସେ ଅକ୍ଳେଶରେ ତ୍ୟାଗ କରି ପାରିଥିଲେ ସୁଦ୍ଧା, ମଦ୍ୟପାନରୁ ନିବୃତ୍ତ ହେବା ପାଇଁ ତାକୁ କିଞ୍ଚିତ କଷ୍ଟ ବୋଧ ହେଉଥିଲା । କାରଣ, ସେ ମଦ୍ୟପ ନ ଥିଲା । ପାଗ ଟିକିଏ ଟାଣ ଥିଲେ ସେ ମଦ୍ୟପାନ ଜନିତ ସୁଖ ଅନୁଭବ କରୁଥିଲା । ସେ ଜଣେ ମହତ୍ ଓ ଧର୍ମଭୀରୁ ଲୋକ ଥିଲା, ଏବଂ ମାତା ମେରୀଙ୍କ ପ୍ରତି ତାହାର ପ୍ରଗାଢ଼ ଭକ୍ତି ଥିଲା । ଯେତେବେଳେ ସେ ଗୀର୍ଜାକୁ ଯାଏ, ପ୍ରଭୁଙ୍କ ମାତାଙ୍କ ମୂର୍ତ୍ତି ସାମନାରେ ଆଣ୍ଠୁ ମାଡ଼ି ବସି, ନିମ୍ନ ପ୍ରକାରେ ପ୍ରାର୍ଥନା କରେ ।

 

‘ମାତା, ଈଶ୍ୱରଙ୍କ କୃପାରୁ ମୋର ମରଣ ନ ହେବା ଯାଏ ମୋର ଜୀବନ ରକ୍ଷା କର ଏବଂ ମୋର ମରଣ ହେଲେ ମୋତେ ସ୍ୱର୍ଗ ସୁଖରୁ ବଞ୍ଚିତ କର ନାହିଁ ।’

 

ଦିନେ ସନ୍ଧ୍ୟା ବେଳେ, ଅସରାଏ ବର୍ଷା ହୋଇ ଛାଡ଼ି ଯାଇଛି । ବାଜିକର ବିଷଣ୍ଣ ଚିତ୍ତରେ ରାସ୍ତାରେ ଚାଲିଛି । ବାଜିଖେଳର ପେଣ୍ଡୁ ଓ ଛୁରିଗୁଡ଼ିକ ତାହାର ପୁରୁଣା ଚଟେଇ ଖଣ୍ଡିକରେ ଗୁଡ଼ାଇ, ତାକୁ କାଖ ତଳେ ଜାକି, ସେ ନତ ମସ୍ତକରେ ଯାଉଥିଲା ଏବଂ ଟିକିଏ ଆଶ୍ରୟ ଖୋଜୁଥିଲା, ଯେଉଁଠି ଖାଲି ପେଟରେ ବି ରାତିଟା କଟାଇ ଦେଇ ହେବ । ସେତିକିବେଳେ ଜଣେ ପାଦ୍ରୀ ସେହି ବାଟ ଦେଇ ଯାଉଥିଲେ । ତାଙ୍କ ଉପରେ ଆଖି ପଡ଼ିବା କ୍ଷଣି ସେ ଧାଇଁଯାଇ ତାକୁ ପ୍ରଣାମ କଲା । ଏକା ସାଙ୍ଗରେ ଯାଉଁ ଯାଉଁ, ଦୁହେଁ ନିଜ ଭିତରେ କଥୋପକଥନ ହେବାକୁ ଲାଗିଲେ ।

 

ପାଦ୍ରୀ ପଚାରିଲେ, ‘ବନ୍ଧୁ, ତୁମେ କାହିଁକି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧିଛ ? ତୁମେ କଣ ଯାତ୍ରାରେ ଦୁଆରୀ ଭୁମିକାରେ ଅଭିନୟ କର କି ?’

 

ବାର୍ନାବାସ ଜବାବ ଦେଲା, ‘ନା, ସାଧୁ ବାବା, ମୋର ନାମ ହେଉଛି ବାର୍ନାବାସ, ଆଉ ବାଜି କରିବା ହେଉଛି ମୋର ପେଷା । ଯଦି ଦୁଇ ବେଳା ପେଟ ପୁରାଇ ମୁଠାଏ ଖାଇବାକୁ ପାଉଥାନ୍ତି, ତାହେଲେ ମୁଁ ଏହାକୁ ସଂସାରରେ ସବୁ ଠାରୁ ବଡ଼ ପେଷା ବୋଲି ଭାବୁଥାନ୍ତି ।’

 

ପାଦ୍ରୀ ପୁଣି କହିଲେ, ‘ବନ୍ଧୁ ବାର୍ନାବାସ, ତୁମେ ଯାହା କହୁଛ ଭାବି ଚିନ୍ତି କହୁଛ ତ ? ସାଧୁ ସନ୍ୟାସୀ ଜୀବନ ଠାରୁ ଆଉ କିଛି ମହତ୍ ଜୀବନ ଏ ଜଗତରେ ନାହିଁ । ସାଧୁ ସନ୍ୟାସୀମାନେ ଭଗବାନଙ୍କର, ମାତା ମେରୀଙ୍କର ଓ ମହାପୁରୁଷମାନଙ୍କର ଗୁଣ ଗାନ କରନ୍ତି । ସେଇ ହେତୁ ପାଦ୍ରୀର ଜୀବନ ହେଉଛି ଭଗବାନଙ୍କ ନିକଟରେ ଏକ ଚିରନ୍ତନ ସ୍ତୋତ୍ର ପରି ।’

 

ବର୍ନାବାସ ନମ୍ର କଣ୍ଠରେ ପୁଣି ଜଣାଇଲା, ‘ସାଧୁ ବାବା, ମୁଁ ମାନୁଛି, ମୁଁ ଜଣେ ମୂର୍ଖ ଭଳି କଥା କହୁଛି । ମୋ ଜୀବନ ସହିତ ଆପଣଙ୍କ ଜୀବନ କଦାପି ତୁଳନା କରାଯାଇ ନ ପାରେ । ନାକ ଅଗରେ ଖଣ୍ଡିଏ କାଠି ଉପରେ ପଇସାଟିଏ ରଖି ନଚାଇବାରେ ଅବଶ୍ୟ କିଛି ବାହାଦୁରୀ ଥାଇପାରେ । କିନ୍ତୁ ଆପଣଙ୍କ ଗୁଣ ତୁଳନାରେ ତାହା ଅତି ନଗଣ୍ୟ । ବାବା, ଆପଣଙ୍କ ପରି ପ୍ରତିଦିନ ଭଗବାନଙ୍କର ନାମ କୀର୍ତ୍ତନ କରିବାକୁ ମୋର ପ୍ରବଳ ଇଚ୍ଛା ହେଉଛି, ବିଶେଷତଃ ମାତା ମେରୀଙ୍କ ପ୍ରତି ମୋର ଅଚଳ ଭକ୍ତି ଅଛି । ସୈସନ ଠାରୁ ବୈବ ସହର ଯାଏ, ପ୍ରାୟ ଛଅ ଶହରୁ ଅଧିକ ସହର ଓ ଗାଁରେ, ମୋର ଯେଉଁ ଖ୍ୟାତି ଅଛି, ତାକୁ ଅକ୍ଳେଶରେ ବିସର୍ଜନ ଦେଇ ସନ୍ୟାସ ଜୀବନଯାପନ କରିବା ପାଇଁ ମୋର ପ୍ରବଳ ଇଚ୍ଛା ହେଉଛି ।’

 

ବାଜିକରର ସରଳତାରେ ପାଦ୍ରୀ ମୁଗ୍ଧ ହୋଇଗଲେ । ସେ ଜଣେ ବୁଦ୍ଧିମାନ ଲୋକ । ତେଣୁ ସେ ବାର୍ନାବାସକୁ ଜଣେ ସାଧୁ ଲୋକ ବୋଲି ଠିକ୍ ଠଉରାଇ ପାରିଲେ । ଏମିତିକା ଲୋକଙ୍କ ପ୍ରତି ପ୍ରଭୁ ଯଥାର୍ଥରେ କହିଛନ୍ତି–‘ସଂସାରରେ ଏହିମାନେ ହିଁ ଶାନ୍ତି ପାଆନ୍ତୁ ।’ ସେଥିପାଇଁ ସେ ପୁଣି କହିଲେ ।

 

‘ବନ୍ଧୁ ବାର୍ନାବାସ, ମୋ ସାଙ୍ଗରେ ଆସ । ମୁଁ ଯେଉଁ ମଠର ମହନ୍ତ, ସେଠାରେ ତୁମର ରହିବାର ବ୍ୟବସ୍ଥା କରିଦେବି । ସେ ମିଶରର ମେରୀ ମାତାଙ୍କୁ ମରୁଭୂମିରେ ପଥ ଦେଖାଇଥିଲେ, ଆଜି ତୁମକୁ ମୁକ୍ତି ପଥରେ ଘେନିଯିବା ପାଇଁ ସେ ମୋତେ ପଠାଇଛନ୍ତି ।’

 

ଏହିପରି ଭାବରେ ବାର୍ନାବାସ ଜଣେ ସନ୍ନ୍ୟାସୀ ହୋଇଗଲା । ଯେଉଁ ମଠରେ ସେ ସ୍ଥାନ ପାଇଲା, ସେଠାରେ ସନ୍ନ୍ୟାସୀମାନେ ମାତା ମେରୀଙ୍କର ପୂଜାର୍ଚ୍ଚନାରେ ଅତି ନିଷ୍ଠାପର ଭାବରେ ମଗ୍ନ ରହୁଥିଲେ ଏବଂ ଈଶ୍ଵର ଦତ୍ତ ଜ୍ଞାନ ଓ ବୁଦ୍ଧି ବଳରେ ଯେଝେ ଯେଝାର ଶକ୍ତି ଅନୁପାତରେ ମାତା ମେରୀଙ୍କର ସେବାରେ ନିୟୋଜିତ ଥିଲେ ।

 

ମାତା ମେରୀଙ୍କ ମହିମା ବର୍ଣ୍ଣନା କରି, ମହନ୍ତ ଅମୂଲ୍ୟ ପ୍ରାମାଣିକ ଗ୍ରନ୍ଥମାନ ରଚନା କରୁଥିଲେ । ଭାଇ ମରିସ ସେହି ସବୁ ପୋଥିର ଲେଖାକୁ ଅତି ସୁନ୍ଦର ଗୋଲ ଗୋଲ ଅକ୍ଷରରେ ଚମଡ଼ା ତିଆରି କାଗଜ ଉପରେ ନକଲ କରୁଥିଲା । ଭାଇ ଆଲେକଜାଣ୍ଡର ସେହିସବୁ କାଗଜର ପୃଷ୍ଠା ଉପରେ ସୁନ୍ଦର କଳାପୂର୍ଣ୍ଣ ଛୋଟ ଛୋଟ ଛବି ଅଙ୍କନ କରୁଥିଲା । ଗୋଟିଏ ଛବିରେ ସ୍ୱର୍ଗର ରାଣୀ ସଲୋମନ ସିଂହାସନରେ ବସିଛନ୍ତି ଏବଂ ତାଙ୍କ ପାଦ ତଳେ ଚାରୋଟି ସିଂହ ଜଗି ଶୋଇଛନ୍ତି । ତାଙ୍କ ମସ୍ତକ ଉପରେ, ଗୋଟିଏ ବୃତ୍ତ ଅଙ୍କିତ ହୋଇଛି । ତା ଚାରିପଟେ ସାତୋଟି କପୋତ ଉଡ଼ୁଛନ୍ତି । ସେମାନେ ହେଉଛନ୍ତି ସାତୋଟି ମହତ୍ ଗୁଣର ପ୍ରତୀକ–ଧର୍ମ, ଦୟା, ଜ୍ଞାନ, ଶକ୍ତି, ବିଚାର, ବୁଦ୍ଧି ଓ ବିଦ୍ୟା । ତାଙ୍କ ପାଖରେ ଛଅ ଜଣ ସ୍ୱର୍ଣ୍ଣକେଶୀ କୁମାରୀ ସଖି ରୂପେ ବେଢ଼ି ରହିଛନ୍ତି । ସେମାନେ ହେଉଛନ୍ତି ବିନୟ, ବିବେଚନା, ଶାନ୍ତି, ସମ୍ମାନ, କୌମାର୍ଯ୍ୟ ଓ ନମ୍ରତାର ପ୍ରତୀକ । ତାଙ୍କ ପାଦ ନିକଟରେ ଦୁଇଟି କ୍ଷୁଦ୍ର ଶୁଭ୍ର ନଗ୍ନ ମୂର୍ତ୍ତି କର ଯୋଡ଼ି ଠିଆ ହୋଇଛନ୍ତି । ସେମାନେ ନିଜ ନିଜର ଆତ୍ମାର ସଦ୍‍ଗତି ନିମନ୍ତେ ସର୍ବ ଶକ୍ତିର ଅବତାର ମାତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଆଉ ଗୋଟିଏ ପୃଷ୍ଠାରେ ଭାଇ ଆଲେକଜାଣ୍ଡର ମାତା ମେରୀଙ୍କ ସମ୍ମୁଖରେ ଆଦିମାତା ଇଭଙ୍କର ଚିତ୍ର ଅଙ୍କନ କରିଥିଲା । ସେଥିରେ ପାପ ଓ ପୁଣ୍ୟର ଚିତ୍ର ପରିଷ୍କାର ଭାବରେ ଫୁଟି ଉଠୁଥିଲା–ନାରୀର ପତନ ଓ ମାତାଙ୍କର ବିଜୟ । ସେହି ପୋଥିରେ ଥିବା ଅନ୍ୟ ଆକର୍ଷଣୀୟ ଛବିଗୁଡ଼ିକ ମଧ୍ୟରୁ ପ୍ରଧାନ ହେଉଛି ସଞ୍ଜୀବନୀ ଜଳପୂର୍ଣ୍ଣ କୂପ, ଝରଣା, ପଦ୍ମ, ଚନ୍ଦ୍ର, ସୂର୍ଯ୍ୟ, ପ୍ରମୋଦ ଉଦ୍ୟାନ, ସ୍ୱର୍ଗଦ୍ୱାର ଓ ବିଷ୍ଣୁପୁର । ଏହିସବୁ ହେଉଛି କୁମାରୀ ମାତାଙ୍କର ପ୍ରତିମୂର୍ତ୍ତି ।

 

ଭାଇ ମାରବଦ ମଧ୍ୟ ମାତା ମେରୀଙ୍କର ଜଣେ ଆଦରଣୀୟ ସନ୍ତାନ ଥିଲା । ସେ ଦିନ ରାତି ଅନବରତ ପଥରର ମୂର୍ତ୍ତି ଖୋଦନ କରି କରି, ଧୂଳି ଲାଗି ତାହାର ଦାଢ଼ି, ଆଖିପତା ଓ ମୁଣ୍ଡ ବାଳ ଧଳା ପଡ଼ି ଯାଇଥିଲା ଏବଂ ତାହାର ଆଖି ସବୁବେଳେ ଫୁଲିଲା ଫୁଲିଲା ଓ କାନ୍ଦିଲା ଭଳି ଦିଶୁଥିଲା । କିନ୍ତୁ ବୁଢ଼ା ବୟସରେ ବି ତାହାର ଆନନ୍ଦ ଓ ଶକ୍ତି ତିଳେ ହେଲେ ଊଣା ପଡ଼ି ନ ଥିଲା । ତାହାର ବୟସ ହୋଇ ଯାଇଥିଲେ ସୁଦ୍ଧା ସ୍ଵର୍ଗର ରାଣୀଙ୍କର ତା ପ୍ରତି ଅସୀମ କୃପାଦୃଷ୍ଟି ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମାରବଦ ଗୋଟିଏ ଚିତ୍ରରେ ଦେଖାଇ ଥିଲା–ମାତା ମେରୀ ସିଂହାସନରେ ବସିଛନ୍ତି, ତାଙ୍କ ମସ୍ତକ ଉପରେ ମୁକ୍ତା ବିନ୍ଦୁର ଗୋଟିଏ ଜ୍ୟୋତି ମଣ୍ଡଳ ଆବୃତ୍ତ ହୋଇଛି । ତାଙ୍କ ପଦ ଯୁଗଳ ମଣ୍ଡନ କରୁଥିବା ପୋଷାକର ଭାଙ୍ଗ ଠିକ୍ ଭାବରେ ଦେଖାଇବା ପାଇଁ ତାକୁ ବହୁତ ଶ୍ରମ ସ୍ଵୀକାର କରିବାକୁ ପଡ଼ିଥିଲା । ଏହାକୁ ଦେଖି ଗୁରୁଦେବ କହିଥିଲେ, ‘ମୋର ପୂଜନୀୟା ମାତା ଗୋଟିଏ ଆବଦ୍ଧ ଉଦ୍ୟାନ ପରି ଦିଶୁଛନ୍ତି ।’

 

ସମୟ ସମୟରେ ସେ ମାତା ମେରୀଙ୍କୁ ଗୋଟିଏ ସୁନ୍ଦର ଶିଶୁର ମୂର୍ତ୍ତିରେ ରୂପାନ୍ତରିତ କରୁଥିଲା, ଏବଂ ତାଙ୍କ ମୂର୍ତ୍ତି ଟି ଯେମିତି କହୁଥିଲା, ‘ପ୍ରଭୁ ତୁମେ ହିଁ ମୋର ପ୍ରଭୁ !’

 

କେତେକ କବି ମଧ୍ୟ ମଠରେ ରହୁଥିଲେ । ସେମାନେ ଲାଟିନ ଭାଷାରେ ପରମ ପୂଜନୀୟ । କୁମାରୀ ମେରୀଙ୍କ ଉଦ୍ଦେଶ୍ୟରେ ଗଦ୍ୟ ପଦ୍ୟ ରଚନା କରୁଥିଲେ । ସେମାନଙ୍କ ଭିତରୁ ପିକାର୍ଡ଼ର ଜଣେ ବ୍ୟକ୍ତି ମାତା ମେରୀଙ୍କର ଅଲୌକିକ ମହିମା ବର୍ଣ୍ଣନା କରି ଅଶ୍ଳୀଳ ଭାଷାରେ ପଦ୍ୟାକାରରେ ଗୀତ ରଚନା କରି ବୋଲୁଥିଲା ।

 

ଭକ୍ତମାନଙ୍କର ଏତାଦୃଶ ପ୍ରଶଂସାମୂଳକ ବିରାଟ ପ୍ରତିଯୋଗିତା ଓ ଅଦ୍ଭୁତ ସୂକ୍ଷ୍ମ କାର୍ଯ୍ୟାବଳୀ ସନ୍ଦର୍ଶନ କରି, ବାର୍ନାବାସ ନିଜର ଅଜ୍ଞତା ଓ ସରଳତା ପ୍ରତି ଧିକ୍‍କାର କରିବାକୁ ଲାଗିଲା ।

 

ଦିନେ ମଠର ପ୍ରାଚୀର ପରିବେଷ୍ଟିତ କ୍ଷୁଦ୍ର ଉଦ୍ୟାନରେ ବୁଲୁବୁଲୁ, ସେ ଦୀର୍ଘଶ୍ଵାସ ଛାଡ଼ି କହିଲା, ‘ହାୟ ! ମୁଁ ବଡ଼ ଅଭାଗା, କାରଣ ଅନ୍ୟ ଭାଇମାନଙ୍କ ପରି ମାତା ମେରୀଙ୍କର ସେବା କରିବାକୁ ମୁଁ ଅଯୋଗ୍ୟ । ଅଥଚ ମାତା ମେରୀଙ୍କୁ ମୁଁ ଆନ୍ତରିକ କେତେ ଭଲ ନ ପାଏ ! ହାୟ, ମୁଁ ଜଣେ ମୂର୍ଖ ଲୋକ, ଲେଖି ପଢ଼ି ଜାଣେ ନାହିଁ । ତେଣୁ ତୁମର ଗୁଣ କୀର୍ତ୍ତନ କରି ଲମ୍ବା ଲମ୍ବା ବକ୍ତୃତା ଦେଇ ପାରେ ନାହିଁ, ଚମତ୍କାର ତାତ୍ତ୍ଵିକ ଆଲୋଚନା ପ୍ରଣୟନ କରିପାରେ ନାହିଁ, ସୁନ୍ଦର ଛବି ଆଙ୍କି ପାରେ ନାହିଁ, ଦକ୍ଷତା ସହକାରେ ମୂର୍ତ୍ତି ଖୋଦନ କରିପାରେ ନାହିଁ ଏବଂ ଯଥାର୍ଥ ଭାବରେ ଯତି ପକାଇ କବିତା ରଚନା କରିପାରେ ନାହିଁ ! ହାୟ, ମୋର କିଛି ନାହିଁ ! ମାତାଙ୍କର ସେବାରେ ଲାଗିବା ଭଳି ମୋ ଠାରେ କୌଣସି ଗୁଣ ନାହିଁ !’

 

ଏହିପରି ଭାବରେ ସେ ଗଭୀର ଦୁଃଖରେ ଅହରହ କାଳାତିପାତ କରିବାକୁ ଲାଗିଲା ।

 

ଦିନେ ସନ୍ଧ୍ୟା ବେଳେ ଅବସର ବିନୋଦନ ସକାଶେ ସନ୍ନ୍ୟାସୀମାନେ ଏକାଠି ବସି ଗପସପ କରୁଥିଲେ । ସେମାନଙ୍କ ଭିତରୁ ଜଣେ ସନ୍ନ୍ୟାସୀ କିପରି ଜଣେ ସାଧୁ ‘ଜୟ ମେରୀ’ ଛଡ଼ା ଆଉ କିଛି ଉଚ୍ଚାରଣ କରି ପାରିଲା ନାହିଁ ସେହି କାହାଣୀଟି ଶୁଣାଉଥିଲା । ତାହାର ମୂର୍ଖତା ପାଇଁ ଲୋକେ ତାକୁ ଘୃଣା କରୁଥିଲେ । କିନ୍ତୁ ତାହାର ମୃତ୍ୟୁ ପରେ ଦେଖାଗଲା, ମେରୀଙ୍କ ନାମ ନେବା ଉଦ୍ଦେଶ୍ୟରେ ସେ ଯେଉଁ ପାଞ୍ଚୋଟି ଅକ୍ଷର ଉଚ୍ଚାରଣ କରିଥିଲା, ସେଥିପାଇଁ ତା ମୁହଁ ଭିତରୁ ପାଞ୍ଚୋଟି ଗୋଲାପ ଫୁଲ ବାହାରି ଆସିଲା । ତାପରେ ଜଣେ ସାଧୁ ପୁରୁଷ ଭାବରେ ତାହାର ନାମ ଚାରି ଆଡ଼େ ପ୍ରକଟିତ ହୋଇଗଲା ।

 

ଏହି ଗପଟି ଶୁଣି, ବାର୍ନାବାସ ମେରୀଙ୍କ କରୁଣା ବିଷୟରେ ଅଧିକ ସଚେତନ ହୋଇ ପଡ଼ିଲା । କିନ୍ତୁ ଏହି ଚମତ୍କାର ଅଲୌକିକ ଉଦାହରଣରେ ସେ ତିଳେ ମାତ୍ର ସାନ୍ତ୍ଵନା ଲାଭ କଲା ନାହିଁ । କାରଣ ତାହାର ହୃଦୟ ଉତ୍ସାହରେ ପୂର୍ଣ୍ଣ ହୋଇ ଯାଇଥିଲା ଏବଂ ଦେବୀଙ୍କର ଗୌରବ ପ୍ରଚାର କରିବା ଲାଗି ସେ ଅଧୀର ହୋଇ ପଡ଼ିଥିଲା ।

 

କିପରି ତାହା କରିହେବ, ସେ ଅହରହ ଚିନ୍ତା କରିବାକୁ ଲାଗିଲା । କିନ୍ତୁ ସେ ବାଟ ପାଇଲା ନାହିଁ । ଦିନକୁ ଦିନ ତା ଅନ୍ତରରେ ବିଷାଦର ମାତ୍ରା ବଢ଼ିବାକୁ ଲାଗିଲା । ଅବଶେଷରେ ଦିନେ ସକାଳେ ସେ ଆନନ୍ଦରେ ଧଡ଼ପଡ଼ ହୋଇ ନିଦରୁ ଉଠି ପଡ଼ିଲା, ଏବଂ ଗୀର୍ଜାକୁ ଧାଇଁଗଲା । ପ୍ରାୟ ଘଣ୍ଟାକରୁ ବେଶୀ ବେଳେ ଯାଏ ସେ ଏକାକୀ ସେଠାରେ ରହିଲା । ପୁଣି ଭୋଜନ ସାରି ଦି’ପହରେ ସେ ସେଠାକୁ ଚାଲିଗଲା । ସେହି ଦିନ ଠାରୁ ଗୀର୍ଜା ନିତି ଜନଶୂନ୍ୟ ହେବା କ୍ଷଣି ସେ ସେଠାକୁ ଚାଲିଯାଏ । ଯେତିକିବେଳେ ଅନ୍ୟ ସନ୍ନ୍ୟାସୀମାନେ ଶିଳ୍ପ ଓ ବିଜ୍ଞାନର ସାଧନାରେ ମଗ୍ନ ରହନ୍ତି, ସେତେବେଳେ ସେ ଗୀର୍ଜାରେ ତାହାର ସମୟ କଟାଏ । କ୍ରମେ କ୍ରମେ ତା ମନରୁ ଦୁଃଖ ଦୂର ହୋଇଗଲା ଏବଂ କୌଣସି ଅସନ୍ତୋଷ ରହିଲା ନାହିଁ । କିନ୍ତୁ ତାହାର ଏତାଦୃଶ ଆଚରଣ ଅନ୍ୟ ସନ୍ନ୍ୟାସୀଙ୍କ ମନରେ କୌତୂହଳ ଉଦ୍ରେକ କଲା । ସେମାନେ ପରସ୍ପର ଭିତରେ ପଚରା ପଚରି ହେବାକୁ ଲାଗିଲେ, ଭାଇ ବାର୍ନାବାସ ଅଧିକାଂଶ ସମୟରେ ଏକାକୀ କୁଆଡ଼େ ଯାଉଛି । ମହନ୍ତର କର୍ତ୍ତବ୍ୟ ହେଉଛି ସମସ୍ତଙ୍କ ଉପରେ ତୀକ୍ଷଣ ଦୃଷ୍ଟି ଦେବା । ସୁତରାଂ ସେ ସ୍ଥିର କଲା, ବାର୍ନାବାସ ଉପରେ ନଜର ରଖିବ । ତେଣୁ, ଦିନେ ବାର୍ନାବାସ ଏକା ଗୀର୍ଜାରେ ପ୍ରବେଶ କଲା ପରେ, ମହନ୍ତ ଆଉ ଦୁଇ ଜଣ ବୁଢ଼ା ସନ୍ନ୍ୟାସୀଙ୍କୁ ସାଙ୍ଗରେ ଧରି, ଭିତରେ କଣ ହେଉଛି, ଦୁଆର ଫାଙ୍କ ବାଟେ ଦେଖିବା ପାଇଁ ସେଠାରେ ଆସି ହାଜର ହୋଇଗଲେ ।

 

ସେମାନେ ଦେଖିଲେ–ମାତା ମେରୀଙ୍କ ମୂର୍ତ୍ତି ସାମନାରେ, ବାର୍ନାବାସ ମୁଣ୍ଡ ତଳକୁ କରି ଓ ଗୋଡ଼ ଉପରକୁ ଟେକି, ଛଅଟି ତମ୍ବା ପେଣ୍ଡୁ ଓ ବାରଟି ଛୁରିରେ ବାଜି କରୁଛି । ଅତୀତରେ ଯେଉଁ ବାଜି ଖେଳ ଦେଖାଇ ସେ ଅଶେଷ ଖ୍ୟାତି ଅର୍ଜନ କରିଥିଲା, ମାତା ମେରୀଙ୍କ ଉଦ୍ଦେଶ୍ୟରେ ସେ ତାହା ପ୍ରଦର୍ଶନ କରୁଥିଲା । ସେ ତାହାର ବଛା ବଛା ଖେଳସବୁ ଦେଖାଇ ମାତା ମେରୀଙ୍କର ସେବା କରିବାକୁ ଚେଷ୍ଟା କରୁଥିଲା । ଏହା ବୁଝି ନ ପାରି, ଅନାଚାର ହେଉଛି ବୋଲି କହି, ବୁଢ଼ା ସନ୍ନ୍ୟାସୀ ଦୁହେଁ ପାଟି କରି ଉଠିଲେ । ମାତ୍ର ମହନ୍ତ ଜାଣିଥିଲେ ଯେ ବାର୍ନାବାସ ଜଣେ ସରଳ ଲୋକ । ତେବେ ବି ତାଙ୍କର ମନେ ହେଲା, ସେହି ଲୋକଟିର ବୁଦ୍ଧି ଭ୍ରଷ୍ଟ ହୋଇଛି । ତେଣୁ ତିନିହେଁ ଗୀର୍ଜାରୁ ବାର୍ନାବାସକୁ ତଡ଼ି ଦେବାକୁ ବାହାରିଲେ । ଠିକ୍ ଏତିକି ବେଳେ ସେମାନେ ଦେଖି ପାରିଲେ–ମାତା ମେରୀ ଧୀରେ ସିଂହାସନରୁ ତଳକୁ ଓହ୍ଲାଇ ଆସିଲେ, ଏବଂ ନିଜର ନୀଳ ପଣତ କାନିରେ, ବାଜିକରର କପାଳରୁ ବୋହି ପଡ଼ୁଥିବା ଝାଳ ପୋଛି ପକାଇଲେ ।

 

ଏହା ଦେଖି, ଭୂମିରେ ସାଷ୍ଟାଙ୍ଗ ପ୍ରଣିପାତ କରି, ମହନ୍ତ ଉଚ୍ଚାରଣ କରିବାକୁ ଲାଗିଲେ–

 

‘ସରଳ ଲୋକଙ୍କ ଜୀବନ ଧନ୍ୟ, କାରଣ ସେମାନେ ହିଁ ଭଗବାନଙ୍କର ଦର୍ଶନ ଲାଭ କରନ୍ତି ।’

 

‘ଠିକ୍ କଥା,’ ଭୂମିରେ ସାଷ୍ଟାଙ୍ଗ ପ୍ରଣିପାତ କରି, ଅନ୍ୟ ସନ୍ନ୍ୟାସୀ ଦୁଇ ଜଣ ପାଳି ଧରିଲେ ।

 

–ଆନାତୋଲ ଫ୍ରାସ

☆☆☆

 

Unknown

ଦର୍ପଣ

ପ୍ରଥମ ପତ୍ର

 

ଭଉଣୀ ଆନାଇ,

 

ମୁଁ ତୁମକୁ ଚିଠି ଦିଏଁ, ଏହା ତ ତୁମର ଇଚ୍ଛା ! ତୁମେ ତ ଜାଣ, ମୁଁ ବିଚାରୀ ଅଭାଗିନୀ ଅନ୍ଧ । ଯେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଚାଲେ, ତାକୁ ତୁମେ ଚିଠି ଲେଖିବାକୁ କହୁଛ । ଅନ୍ଧାରରେ ଲିଖିତ ମୋର ସେହି ବିଷାଦମୟ ଚିଠି ପାଇଲେ କ’ଣ ତୁମର ଭୟ ହେବ ନାହିଁ ? ଅହରହ ଅନ୍ଧାର ମନ ଭିତରେ ଯେଉଁ ବିଷଣ୍ଣ ଚିନ୍ତା ଉଦିତ ହୁଏ, ଭଉଣୀ, ସେହିସବୁ ଚିନ୍ତା କ’ଣ ତୁମକୁ କେବେ ଭଲ ଲାଗିବ ?

 

ଭଉଣୀ ଆନାଇ, ତୁମେ ସୁଖୀ । ତୁମେ ନିଜ ଆଖିରେ ଦେଖିପାର । ଦେଖି ପାରିବା ! ହଁ, ଦେଖି ପାରିବା–ନୀଳ ଆକାଶ, ସୂର୍ଯ୍ୟ ଏବଂ ସବୁ ପ୍ରକାରର ରଙ୍ଗ ଦେଖି ପାରିବା–ସେ ଯେ କି ଆନନ୍ଦ ! ସତରେ ଭଉଣୀ, ଏକ ସମୟରେ ମୁଁ ଏହି ଆନନ୍ଦ ଉପଭୋଗ କରିଥିଲି । ମୋତେ ଯେତେବେଳେ ଦଶ ବର୍ଷ ପଶିବାକୁ ବସିଲା, ଠିକ୍ ସେତିକି ବେଳେ ମୁଁ ଅନ୍ଧ ହୋଇଗଲି । ମୋର ଦୁଇଟି ଆଖି ନଷ୍ଟ ହୋଇଗଲା । ଏକ୍ଷଣି ମୋର ବୟସ ପଚିଶ । ଏହି ପନ୍ଦର ବର୍ଷ ଭିତରେ ମୋର ଚତୁର୍ଦ୍ଦିଗରେ ସବୁ କିଛି ହିଁ ମୋତେ ରାତି ଭଳି କଳା ଦିଶୁଛି ।

 

ଭଉଣୀ, ପ୍ରକୃତରେ ଆଶ୍ଚର୍ଯ୍ୟ ଶୋଭା-ସମ୍ପଦ ମନ ଭିତରେ ଆଣିବାକୁ ମୁଁ କେତେ ଚେଷ୍ଟା କରେ; କିନ୍ତୁ କୌଣସି ମତେ ତାହା କରିପାରେ ନାହିଁ । ମୁଁ ତା’ର ସବୁ ରଙ୍ଗ ପାସୋରି ଦେଇଛି ! ମୁଁ ଅବଶ୍ୟ ଗୋଲାପ ଫୁଲର ସୁବାସ ଆଘ୍ରାଣ କରିପାରେ ଏବଂ ହାତରେ ଛୁଇଁ ଦେଇ ତା’ର ଗଢ଼ଣଟା ଅନୁମାନ କରିପାରେ, କିନ୍ତୁ ତା’ର ଗର୍ବର ଧନ ରଙ୍ଗଟା–ଯାହା ସହିତ ପ୍ରାୟ ନାରୀମାନଙ୍କ ଦେହର ରଙ୍ଗ ତୁଳନା କରାଯାଏ–ସେହି ରଙ୍ଗ ମୁଁ ଭୁଲି ଯାଇଛି–କିମ୍ବା ମୁଁ ତାହା ବର୍ଣ୍ଣନା କରି ପାରେ ନାହିଁ । କେବେ କେବେ ଏହି ସ୍ଥୂଳ ଦେହର ଆବରଣ ତଳେ ଅଦ୍ଭୁତ ରକମର କିରଣ ଯାତାୟାତ କରେ । ଡାକ୍ତରମାନେ କହନ୍ତି, ଏହା ହେଉଛି ରକ୍ତର ଗତି; ଏଥିରୁ ଆରୋଗ୍ୟ ଲାଭର ଗୋଟାଏ ଆଶ୍ୱାସନା ମିଳି ପାରେ; କିନ୍ତୁ ସେ ଆଶା ବୃଥା । ଯେଉଁ ଆଲୋକ-ଛଟାରେ ପୃଥିବୀ ଭୂଷିତ, ପନ୍ଦର ବର୍ଷ ହେଲା ମୁଁ ଯେତେବେଳେ ତାହାକୁ ହରାଇଛି, ସେ ଆଉ କେବେ ମିଳି ପାରିବ ନାହିଁ–ଯଦି କେବେ ମିଳେ ତ ଯାଇ ସ୍ୱର୍ଗରେ ମିଳିବ ।

 

କ’ଣ ଲେଖିବି ତୁମକୁ ? ସେ ଦିନ ମୋର ଗୋଟାଏ ଅପୂର୍ବ ଅନୁଭୂତି ହୋଇଥିଲା । ମୋର କକ୍ଷ ଭିତରେ ଅଣ୍ଡାଳୁ ଅଣ୍ଡାଳୁ ମୋର ହାତ ଯାଇ ପଡ଼ିଲା ଗୋଟାଏ ଜିନିଷ ଉପରେ ଅନ୍ଧାରରେ–ଓଃ ! ତୁମେ ହୁଏତ କିଛି ବୁଝି ପାରିବ ନାହିଁ, ମୁଁ କାହା କଥା କହୁଛି ! –ଗୋଟାଏ ଦର୍ପଣ ବିଷୟରେ ! ଗୋଟାଏ ଦର୍ପଣ ସାମନାରେ ଯାଇ ବସିଲି ଏବଂ ଜଣେ ଭାବୁକ ପରି ମୋର କେଶ ରାଶି ସଜାଡ଼ି ଖୋସା ବାନ୍ଧିଲି । ଓଃ ! ଯଦି ମୁଁ ନିଜକୁ ନିଜେ ଦେଖି ପାରିଥାନ୍ତି ! ଯଦି ମୁଁ ସୁନ୍ଦରୀ ବୋଲି ଜାଣି ପାରିଥାନ୍ତି–ମୋର ଚମଡ଼ା ଯେମିତି ନରମ, ସେମିତି ସଫା କି ନା–ଦୀର୍ଘ ପକ୍ଷ ବିଶିଷ୍ଟ ମୋର ଆଖି ଦୁଇଟି ସୁନ୍ଦର କି ନା ଯଦି ଜାଣି ପାରିଥାନ୍ତି, ତାହାହେଲେ କେତେ ଖୁସି ହୋଇ ନ ଥାନ୍ତି ! –ବିଦ୍ୟାଳୟରେ ପିଲାମାନେ ପ୍ରାୟ ମୋତେ କହୁଥିଲେ, ଛୋଟ ଛୋଟ ଝିଅମାନେ ବେଶୀ ବେଳ ଯାଏ ଦର୍ପଣରେ ମୁଁହ ଦେଖିଲେ ସେହି ଦର୍ପଣ ବାଟେ ସଇତାନ ଆସେ ! ମୁଁ କିନ୍ତୁ ଏତିକି କହିପାରନ୍ତି, ସଇତାନ ମୋର ଦର୍ପଣ ବାଟେ ଆସିଲେ ଖୁବ୍ ବେହାଲ ହୋଇଯାନ୍ତା–କାରଣ ମୁଁ ତ ତାକୁ ଦେଖି ପାରନ୍ତି ନାହିଁ ।

 

ତୁମର ଚିଠିଟି ଏକ୍ଷଣି ସେମାନେ ମୋତେ ପଢ଼ି ଶୁଣାଇଲେ । ତୁମେ ସେଥିରେ ପଚାରିଛ, ଜଣେ ପୁଞ୍ଜିପତି ଦେଉଳିଆ ହୋଇ ଯିବାରୁ ମୋର ପିତାମାତା ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି, ଏ କଥା ସତ କି ନା । ମୁଁ ତ ଏ କଥା କିଛି ଶୁଣି ନାହିଁ । ନା, ସେମାନେ ବଡ଼ଲୋକ । ସେମାନେ ମୋ ପାଇଁ ସବୁ ରକମ ବିଳାସ-ସାମଗ୍ରୀ ଖଞ୍ଜି ଦିଅନ୍ତି । ଯେଉଁଠି ମୋର ହାତ ବାଜେ, ସେଇଠି ମୋର ହାତ ରେଶମ ଓ ମଖମଲ ସ୍ପର୍ଶ କରେ । ଫୁଲ ଓ ମୂଲ୍ୟବାନ୍ ଲୁଗା ସ୍ପର୍ଶ କରେ । ଆମର ଭୋଜନ ଟେବୁଲରେ ପ୍ରଚୁର ଖାଦ୍ୟ ଥାଏ ଏବଂ ପ୍ରତିଦିନ ମୋର ରସନାର ପରିତୃପ୍ତି ନିମନ୍ତେ ନାନା ପ୍ରକାର ମୁଖ ରୋଚକ ଖାଦ୍ୟ ଅଣାଯାଏ । ଭଉଣୀ ଆନାଇ, ତେଣୁ କହୁଛି, ମୋର ପରମ ଆତ୍ମୀୟମାନେ ଖୁବ୍ ଲଷ୍ମୀବନ୍ତ ।

 

ଦ୍ୱିତୀୟ ପତ୍ର

 

ଆନାଇ,

 

ତୁମ ମଥାରେ ଢୁକିବ ନାହିଁ, ମୁଁ ତୁମକୁ କ’ଣ କହିବାକୁ ଯାଉଛି । ଓଃ ! ତାହା ଶୁଣିଲେ ତୁମେ ନିଶ୍ଚୟ ହସି ହସି ଗଡ଼ିଯିବ । ତୁମେ ହୁଏତ ମନେ କରିବ, ମୋର ଦୃଷ୍ଟି ହରଣ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ବୃତ୍ତି ବି ଲୋପ ପାଇଲାଣି, ମୁଁ ପାଗଳ ହୋଇ ଗଲିଣି; କିନ୍ତୁ ତୁମେ ଯାହା ଇଚ୍ଛା ତାହା ଭାବ ନା କାହିଁକି–ମୋର ଜଣେ ପ୍ରେମିକ ଜୁଟିଛି । ହଁ, ଭଉଣୀ । ମୁଁ ତ ଜଣେ ଦୃଷ୍ଟିହୀନା ଅନ୍ଧ ବାଳିକା, ମୋର ଫେର୍ ଜଣେ ପ୍ରଣୟୀ ! ଜଣେ ରାଜ କୁମାରୀର ପ୍ରଣୟୀ ପରି ସେ ସମ୍ଭ୍ରାନ୍ତ ଓ ନିଷ୍କପଟ । ସେ ମୋତେ କେତେ ଆଦର-ଯତ୍ନ କରନ୍ତି, କେତେ ସାଧ୍ୟ-ସାଧନା କରନ୍ତି କି ଅଦ୍ଭୁତ ! ଏହା ପରେ ତୁମର ଆଉ କ’ଣ କହିବାର ଅଛି ? ପ୍ରେମ ଯେମିତି ଅନ୍ଧ, ଏମିତି ଆଉ କେହି ନୁହନ୍ତି-! ତେଣୁ ପ୍ରେମ ବୋଧହୁଏ ମୋତେ ତା’ର ନିଜର ଲୋକ ବୋଲି ମନେ କରିଛି ।

 

ସେହି ଭଦ୍ରବ୍ୟକ୍ତି ଜଣକ କିପରି ଆମ ଭିତରେ ଆସି ପହଞ୍ଚିଗଲେ, ତାହା ମୁଁ ଜାଣେ ନାହିଁ । ବିନା କାରଣରେ ସେ ଆସନ୍ତି । ଏତିକି ମାତ୍ର ମୁଁ କହିପାରେ, ସେ ଦିନ ସେହି ଭଦ୍ରବ୍ୟକ୍ତି ଜଣକ ମୋର ଭୋଜନ–ଟେବୁଲରେ ମୋ ବାମ ପଟରେ ବସିଥିଲେ–ଆଉ ମୋ ଆଡ଼େ ଖୁବ୍ ମନୋଯୋଗ ଦେଉଥିଲେ–ମୋ ପ୍ରତି ଖୁବ୍ ଯତ୍ନ ଦେଖାଉଥିଲେ ।

 

ମୁଁ ତାଙ୍କୁ କହିଲି,–‘ଏହି ପ୍ରଥମ ଥର ଆପଣଙ୍କ ସହିତ ସାକ୍ଷାତ୍ କରିବାର ସୌଭାଗ୍ୟ ମୋର ଘଟିଛି ।’

 

ସେ ଜବାବ ଦେଲେ,–‘ସତରେ, କିନ୍ତୁ ମୁଁ ଆପଣଙ୍କର ପିତା ମାତାଙ୍କୁ ଚିହ୍ନେ ।’

 

ମୁଁ ପୁଣି କହିଲି,–‘ମୁଁ ଆପଣଙ୍କୁ ସ୍ଵାଗତ ଅଭିବାଦନ ଜଣାଉଛି; କାରଣ, ସେ ମୋର ପରମ ଦେବତା, ମୋର ସେହି ପିତାମାତାଙ୍କ ପ୍ରତି କିପରି ଶ୍ରଦ୍ଧା କରିବାକୁ ହୁଏ, ତାହା ଆପଣ ଜାଣନ୍ତି ।’

 

ସେ ଧୀରେ ଧୀରେ କହିଲେ,–‘ଖାଲି ସେମାନଙ୍କ ଉପରେ ଯେ ମୋର ମମତା ଅଛି, ତା ନୁହେ ।’

 

ନ ଭାବି ଚିନ୍ତି ମୁଁ ତାଙ୍କ ପୁଣି ପଚାରିଲି,–‘ତେବେ ଆଉ କାହାକୁ ଆପଣ ଭଲ ପାଆନ୍ତି-?’

 

ସେ ଉତ୍ତର ଦେଲେ,–‘କାହିଁକି ? ତୁମକୁ !’

 

‘ମୋତେ ? ତା’ର ମାନେ ?’

 

‘ମାନେ–ମୁଁ ତୁମକୁ ଭଲ ପାଏ ।’

 

‘ମୋତେ ? ଆପଣ ମୋତେ ଭଲ ପାଆନ୍ତି ?’

 

‘ସତରେ ମୁଁ ତୁମକୁ ଭଲ ପାଏଁ–ଉନ୍ମତ୍ତ ଭାବରେ ଭଲ ପାଏଁ ।’

 

ତାଙ୍କର ଏହିପରି କଥାରେ ମୁଁ ଲଜ୍ଜିତ ହୋଇ ପଡ଼ିଲି । ଲଜ୍ଜାରେ ମୋର ଗଣ୍ଡ ଆରକ୍ତ ହୋଇଗଲା । ମୋର ଓଢ଼ଣାଟା କାନ୍ଧ ଉପରକୁ ଟିକିଏ ଟାଣି ଦେଲି । ସେ ନୀରବରେ ମୋ ପାଖରେ ବସି ପଡ଼ିଲେ ।

 

‘କଥାଟା ଆପଣ ଖୁବ୍ ହଠାତ୍ କହି ପକାଇଲେ ।’

 

‘ଓଃ । ମୋର ଦୃଷ୍ଟିରେ, ମୋର ଭାବଭଙ୍ଗୀରେ, ମୋର ସବୁ କାମରେ ଏ କଥା ପ୍ରକାଶ ପାଇବ ।’

 

‘ହଁ, ତାହା ହୋଇପାରେ, କିନ୍ତୁ ମୁଁ ଯେ ଅନ୍ଧ । କୌଣସି ଅନ୍ଧ ରମଣୀକୁ ପାଇବା ପାଇଁ କେହି କ’ଣ କେବେ ସାଧ୍ୟ ସାଧନା କରେ ?’

 

ସେ ଅତି ଅକପଟ ଚିତ୍ତରେ ବ୍ୟକ୍ତ କଲେ,– ‘ଦୃଷ୍ଟିହୀନତା ପାଇଁ ମୁଁ କିଛି ମନେ କରେ ନାହିଁ । ଯଦି ତୁମେ ଆଲୁଅ ଦେଖିବାକୁ ନ ପାଅ, ସେଥିରେ ମୋର କ’ଣ ଯାଏ ଆସେ ? ତୁମର ଗଢ଼ଣଟି କ’ଣ ସୁନ୍ଦର ନୁହେଁ ? ତୁମର ପାଦ ଦୁଇଟି କ’ଣ ପରୀର ପାଦ ପରି ଛୋଟ ନୁହେଁ ? ତୁମର କେଶଗୁଚ୍ଛ କ’ଣ ଦୀର୍ଘ ଓ ରେଶମୀକୋମଳ ନୁହେଁ ? ତୁମର ଅଙ୍ଗ କ’ଣ ଧଳା ପଥର ପରି ନୁହେଁ ? ତୁମର ମୁଖର ରଙ୍ଗ କ’ଣ ଦୁଧିଆ ଅଳତା ପରି ନୁହେଁ ? ତୁମର ହାତ କ’ଣ ପଦ୍ମ ଫୁଲର ରଙ୍ଗ ପରି ନୁହେଁ ?

 

ସେ ମୋର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଲାଗିଲେ; ମୁଁ ତନ୍ମୟ ହୋଇ ଶୁଣିବାକୁ ଲାଗିଲି ।

 

ତାଙ୍କ କଥା ବନ୍ଦ ହୋଇଯିବାରୁ, ସେହି କଥାଗୁଡ଼ିକ ମୋର କର୍ଣ୍ଣ କୁହରରେ ଝଙ୍କୃତ ହେବାକୁ ଲାଗିଲା । ମୋର ୟା ଅଛି, ମୋର ତାହା ଅଛି ବୋଲି ସେ ମୋ ରୂପର କେତେ ବର୍ଣ୍ଣନା କଲେ–ତାଙ୍କ ଦୃଷ୍ଟିରେ ମୁଁ ସୁନ୍ଦରୀ ! ଭଉଣୀ ଆନାଇ, ତୁମ୍ଭମାନଙ୍କ ପରି ଝିଅମାନଙ୍କ ପକ୍ଷରେ ଏପରି ପ୍ରଣୟୀ, ଯେ ଏପରି ଭାବରେ ତୁମର ସବୁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରେ, ସେ ତ ତୁମ୍ଭମାନଙ୍କର ପାଣିଗ୍ରହଣକାରୀ ଛଡ଼ା ଅନ୍ୟ କେହି ହୋଇ ନ ପାରନ୍ତି । ଜଣେ ଅନ୍ଧ ବାଳିକା ନିକଟରେ ଏଭଳି ପ୍ରଣୟୀ ଖାଲି ପ୍ରେମର ଜଣେ ପ୍ରାର୍ଥୀ ମାତ୍ର; କିନ୍ତୁ ମୋ ପରି ଜଣେ ଅନ୍ଧ ବାଳିକା ନିକଟରେ ସେ ପ୍ରଣୟୀ ଠାରୁ ବି ଅଧିକ, ସେ ତାହାର ଗୋଟିଏ ଦର୍ପଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ତାହା ପରେ ମୁଁ କ’ଣ କଲି, ଶୁଣ ଆନାଇ ! ମୁଁ ପୁଣି ତାଙ୍କୁ କହିଲି,–‘ଆପଣ ଯେଭଳି କହୁଛନ୍ତି ମୁଁ କ’ଣ ସତରେ ସେହିପରି ସୁନ୍ଦରୀ ?’

 

‘ସତ, ମୁଁ ତ ମିଛ କହୁ ନାହିଁ ।’

 

‘ତାହାହେଲେ, ଏକ୍ଷଣି ମୋତେ କ’ଣ କରିବାକୁ କହୁଛନ୍ତି ?’

 

‘ମୁଁ ଚାହେ, ତୁମେ ମୋର ସ୍ତ୍ରୀ ହୁଅ ।’

 

ଏହି କଥାରେ ମୁଁ ଖୁବ୍ ଉଚ୍ଚ ସ୍ୱରରେ ହସି ପକାଇଲି । ମୁଁ କହିଲି,–‘ସତରେ କ’ଣ ଆପଣଙ୍କର ଏହି ଇଚ୍ଛା ? ଅନ୍ଧ ସହିତ ଚକ୍ଷୁଷ୍କାନର, ରାତି ସହିତ ଦିନର ବିବାହ ପରି କ’ଣ ନୁହେଁ ଏହା ? ନା ! ନା ! ମୋର ପିତା ମାତା ଧନୀ । ତେଣୁ ମୁଁ ବୁଢ଼ୀ ହୋଇ ରହିଗଲେ ବି ମୋର କିଛି ଚିନ୍ତା ନାହିଁ । ମୁଁ ଆଜୀବନ ଏକା ରହିବି, ବୁଢ଼ୀ ହୋଇ ରହିବି ।’

 

ସେ ଆଉ କିଛି କଥା ନ କହି ଚାଲିଗଲେ । ମୋ ପକ୍ଷରେ ସବୁ ସମାନ । ତେବେ ଏତିକି ସେ ମୋତେ ଜଣାଇ ଦେଇ ଗଲେ ଯେ ମୁଁ ସୁନ୍ଦରୀ ! କିନ୍ତୁ କେଜାଣି କାହିଁକି, ମୋର ଦର୍ପଣ ମହାଶୟଙ୍କ ଉପରେ ମୋର ଟିକିଏ ମମତା ଜାତ ହୋଇଛି, ବୁଝି ପାରିଲି ।

 

ତୃତୀୟ ପତ୍ର

 

ଭଉଣୀ ଆନାଇ,

 

ତୁମକୁ ଆଜି ଗୋଟାଏ ବଡ଼ ଖବର ଶୁଣାଇବାର ଅଛି । ଏହି ଜୀବନରେ କେତେ କ’ଣ ଦୁଃଖର ଘଟଣା ଅପ୍ରତ୍ୟାଶିତ ଭାବରେ ଆସି ପଡ଼େ । କ’ଣ ଘଟିଛି ତାହା ତୁମକୁ କହିବାକୁ ଯାଉଛି, ଆଉ ମୋର ଅନ୍ଧ ଆଖିରୁ ଝର ଝର ଲୋତକ ଗଡ଼ି ପଡ଼ୁଛି ।

 

ମୁଁ ଯାହାଙ୍କୁ ମୋର ଦର୍ପଣ ବୋଲି କହେ, ସେହି ଅପରିଚିତ ଭଦ୍ରବ୍ୟକ୍ତିଙ୍କ ସହିତ ବାକ୍ୟାଳାପ କରିବାର କିଛି ଦିନ ପରେ ମୋ ମାଆଙ୍କ ବାହୁ ଉପରେ ଭରା ଦେଇ ଦିନେ ମୁଁ ବଗିଚାରେ ବୁଲୁଥିଲି, ଏମିତି ସମୟରେ ହଠାତ୍ କିଏ ଜଣେ ତାଙ୍କୁ ବଡ଼ ପାଟିରେ ଡାକିଲା । ମୋର ମନେ ହେଲା ଆମର ଦାସୀ ମୋ ମାଆଙ୍କୁ ତୁରନ୍ତ ଖୋଜିବାକୁ ଆସି ବ୍ୟାକୁଳ କଣ୍ଠରେ ଚିତ୍କାର କରୁଛି ।

 

ମୁଁ ପଚାରିଲି,–‘କଥା କ’ଣ କି ମାଆ ?’

 

‘କିଛି ନୁହେଁ, ଝିଅ । ବୋଧହୁଏ କେହି ଦେଖା କରିବାକୁ ଆସିଛି । ଆମର ଯେପରି ଅବସ୍ଥା, ସେଥିରେ ସାମାଜିକ କର୍ତ୍ତବ୍ୟ କିଛି କିଛି ପାଳନ ନ କଲେ ଆମେ ଚଳି ପାରିବା ନାହିଁ ।’

 

ମାଆଙ୍କୁ ଚୁମ୍ବନ କରି ମୁଁ କହିଲି,–‘ତାହାହେଲେ ମାଆ, ତୁମକୁ ଏଠି ଆଉ ଅଟକାଇ ରଖିବା ଠିକ୍ ନୁହେଁ । ତୁମେ ବୈଠକଖାନାକୁ ଯାଇ ଅତିଥିମାନଙ୍କୁ ଅଭ୍ୟର୍ଥନା କର । ଯାଅ ।’

 

ମାଆ ତାଙ୍କର ତୁଷାର ଶୀତଳ ଓଷ୍ଠାଧାରରେ ମୋ ଲଲାଟ ସ୍ପର୍ଶ କଲେ । ତା’ ପରେ ସେ ଚାଲିଗଲେ–ଲାଲ ଗୋଡ଼ି ପଡ଼ିଥିବା ରାସ୍ତାରେ ତାଙ୍କର ପାଦ ଶବ୍ଦ ଶୁଣିବାକୁ ପାଇଲି–କ୍ରମେ ସେହି ପାଦ ଶବ୍ଦ ଦୂରକୁ ଯାଇ ମିଳାଇ ଗଲା ।

 

ମାଆଙ୍କ ପ୍ରସ୍ଥାନ ପରେ ମୁଁ ଦୁଇ ଜଣ ଶ୍ରମିକଙ୍କର କଣ୍ଠ ସ୍ୱର ଶୁଣି ପାରିଲି । ସେମାନେ ଏକା ଅଛନ୍ତି ମନେ କରି ମନ ଖୋଲି କଥା ହେଉଥିଲେ । ଦେଖ ଆନାଇ, ଯେତେବେଳେ ଭଗବାନ ଆମକୁ ଗୋଟିଏ ଇନ୍ଦ୍ରିୟରୁ ବଞ୍ଚିତ କରନ୍ତି,–ମନେ ହୁଏ, ସାନ୍ତ୍ଵନା ଦେବା ପାଇଁ, ଆମର ଅନ୍ୟ ଇନ୍ଦ୍ରିୟର ଶକ୍ତି ବଢ଼ାଇ ଦିଅନ୍ତି । ଏହି କାରଣରୁ ଅନ୍ଧର ଶ୍ରବଣ ଶକ୍ତି ଚକ୍ଷୁଷ୍ମାନର ଶକ୍ତି ଠାରୁ ଅଧିକ ତୀବ୍ର ହୋଇ ଥାଏ । ଯଦିଚ ସେମାନେ ଆସ୍ତେ ଆସ୍ତେ କଥା କହୁଥିଲେ, ତଥାପି ସେମାନଙ୍କର ପଦେ ହେଲେ କଥା ବି ମୋ କାନରୁ ଖସି ଯାଇ ନାହିଁ । ସେମାନେ ଏହି କଥା କହୁଥିଲେ,–‘ଆହା ବିଚରା ! ସେମାନଙ୍କୁ ଦେଖିଲେ ଦୁଃଖ ହୁଏ ! ପୁଣି ଘଟକମାନେ ଆସିଛନ୍ତି ।’

 

‘ଝିଅଟିର ମନରେ ତିଳେ ହେଲେ ସନ୍ଦେହ ହୁଏ ନା । ସେ ଅନୁମାନ ବି କରି ପାରେ ନାହିଁ ଯେ ତାହାର ଅନ୍ଧତାର ସୁବିଧା ପାଇ ସେମାନେ ତାକୁ ସୁଖୀ ରଖିବାକୁ ବରାବର ଚେଷ୍ଟା କରୁଛନ୍ତି ।

 

‘ସେ କି କଥା ?

 

‘ହଁ, ଏଥିରେ କୌଣସି ସନ୍ଦେହ ନାହିଁ । ଝିଅଟି କେବଳ ମେହଗିନି କାଠ ଓ ମଖମଲ ତାହାର ହାତରେ ସ୍ପର୍ଶ କରୁଛି । ତେବେ କଥା କ’ଣ କି, ମେହଗିନି ଯେ ପୁରୁଣା ଓ କଦର୍ଯ୍ୟ ହୋଇ ଗଲାଣି ଏବଂ ମଖମଲ ଯେ ଛିଡ଼ି ଟିକି ଟିକି ହେଲାଣି, ସେ ତାହା ଆଦୌ ବୁଝି ପାରୁ ନାହିଁ । ଭୋଜନ ସମୟରେ ଟେବୁଲରେ ବସି ନାନା ପ୍ରକାର ମୁଖରୋଚକ ଖାଦ୍ୟ ସେ ଉପଭୋଗ କରେ । ସେ ସ୍ଵପ୍ନରେ ସୁଦ୍ଧା କଳନା କରେ ନାହିଁ ଯେ ତାହା ନିକଟରୁ ଘରକରଣାର ଯାବତୀୟ ଦୁଃଖ କଷ୍ଟ ଲୁଚାଇ ରଖା ହୋଇଛି; ଆଉ ସେହି ଭୋଜନ ଟେବୁଲରେ ବସି ତାହାର ବାପ ମାଆ ଶୁଖିଲା ରୁଟି ଛଡ଼ା ଆଉ କିଛି ଖାଆନ୍ତି ନାହିଁ ।’

 

ଓଃ ! ଭଉଣୀ ଆନାଇ, ଏହି ମର୍ମନ୍ତୁଦ କଥା ଶୁଣି ମୋ ମନ ଭିତରେ କି ନିଦାରୁଣ କଷ୍ଟ ଜାତ ହେଲା, ତାହା ନିଶ୍ଚୟ ତୁମେ ବୁଝି ପାରୁଥିବ । ସେମାନେ ମୋର ସୁଖ ପାଇଁ କେତେ ଲାଳାୟିତ ! ମୋର ଏହି ଅନ୍ଧାର ଭିତରେ ସେମାନେ ମୋତେ, କେବଳ ମୋତେ ହିଁ ନାନା ପ୍ରକାର ବିଳାସ–ସାମଗ୍ରୀ ଦେଇ ସୁଖରେ ରଖିବାକୁ ଚାହାନ୍ତି !

 

ଓଃ ! କି ବିଚିତ୍ର ସେମାନଙ୍କର ଏ ବାତ୍ସଲ୍ୟ ପ୍ରେମ ! ସେମାନଙ୍କର ଏହି ୠଣ ମୁଁ ଶହେ ବର୍ଷରେ ବି ପରିଶୋଧ କରି ପାରିବି ନାହିଁ ।

 

ଚତୁର୍ଥ ପତ୍ର

 

ଭଉଣୀ ଆନାଇ,

 

ଆମ ଘରର ଦୂରବସ୍ଥା ସମ୍ବନ୍ଧରେ ମୁଁ ଯେଉଁ କଥାଟି ଗୁପ୍ତ ଭାବରେ ଜାଣିଥିଲି, ତାହା କାହା ପାଖରେ ପ୍ରକାଶ କରି ନାହିଁ । ଦାରିଦ୍ର୍ୟର କଥାଟି ମୋ ପାଖରେ ଲୁଚାଇ ରଖିବାର ସବୁ ଚେଷ୍ଟା ଯେମିତି ବ୍ୟର୍ଥ ହୋଇଛି–ଏହି କଥାଟି ମାଆ ଜାଣି ପାରିଲେ ଏକାବେଳେ ଅଭିଭୂତ ହୋଇ ପଡ଼ିବେ । ମୋତେ ସର୍ବଦା ଦେଖାଇବାକୁ ହେବ, ଯେମିତି ଆମ ଘରର ଭଲ ଅବସ୍ଥା ସମ୍ବନ୍ଧରେ ମୋର ଯଥେଷ୍ଟ ବିଶ୍ୱାସ ଅଛି; କିନ୍ତୁ ଆମ ଘରକୁ ରକ୍ଷା କରିବି ବୋଲି ମୁଁ ଦୃଢ଼ ସଂକଳ୍ପ ହୋଇଛି ।

 

ମୋର ପ୍ରଣୟାକାଙ୍‍କ୍ଷୀର ନାମ ଏଜ୍‍ମଁ । ସେ ମୋ ସହିତ ଦେଖା କରିବାକୁ ଆସିଲାରୁ, ଭଗବାନ ମୋତେ କ୍ଷମା କରନ୍ତୁ, ମୁଁ କ’ଣ କଲି ଜାଣ ? ପ୍ରେମିକା ଭଳି ଢଙ୍ଗ ରଙ୍ଗ ଦେଖାଇ ତାଙ୍କ ମନ ଭୂଲାଇବାକୁ ମୁଁ ଟିକିଏ ଚେଷ୍ଟା କଲି ।

 

ମୁଁ ତାଙ୍କୁ ପଚାରିଲି,–‘ଆପଣ କ’ଣ ଏବେ ସୁଦ୍ଧା ମୋତେ ସେହିପରି ଭଲ ପାଆନ୍ତି ?’

 

ସେ ଜବାବ ଦେଲେ,–‘ହଁ, ମୁଁ ତୁମକୁ ଭଲ ପାଏଁ । କାରଣ, ତୁମର ଯେଉଁ ରୂପ ଲାବଣ୍ୟ ତାହା ଗୋଟାଏ ଉଚ୍ଚ ଧରଣର ରୂପ ଲାବଣ୍ୟ–ଅତିଶୟ ନିର୍ମଳ ଓ ଲଜ୍ଜାନମ୍ର ।’

 

‘ଆଉ ମୋର ଦେହରେ ଗଠନ ?’

 

‘ଦ୍ରାକ୍ଷାଲତା ଭଳି ସୁନ୍ଦର ଓ ସୁଲଳିତ

 

‘ଆଃ–ଆଉ ମୋର ଲଲାଟ ?’

 

‘ଗଜ ଦନ୍ତ ପରି ପ୍ରଶସ୍ତ ଓ ମସୃଣ–ସେ ଲଲାଟ ନିକଟରେ ଗଜ ଦନ୍ତ ବି ହାର ମାନେ ।’

 

‘ସତେ ?’ ଏହା କହୁଁ କହୁଁ ମୁଁ ହସିବାକୁ ଲାଗିଲି ।

 

‘ଏ କଥାରେ ତୁମକୁ ଏତେ ମଜା ଲାଗିଲା କାହିଁକି ?’

 

‘ନା, ନା, ତାହା ହେଉଛି ମୋ ମନର ଗୋଟାଏ କଳ୍ପନା । ମୋର ମନେ ହେଲା, ଯେମିତି ତୁମେ ମୋର ଦର୍ପଣ । ତୁମ କଥା ଭିତର ଦେଇ ମୁଁ ନିଜକୁ ଦେଖି ପାରୁଛି ।’

 

‘ପ୍ରିୟତମେ, ତୁମେ ଚିର ଦିନ ଏହି ଭଳି ଭାବରେ ମୋତେ ଦେଖୁଥାଅ ।’

 

‘ତୁମେ ରାଜି ତ ? ତାହାହେଲେ– ।’

 

‘ନିର୍ଭୁଲ ଦର୍ପଣ ଭଳି ମୁଁ ତୁମର ରୂପ, ତୁମର ଗୁଣ ତୁମ ନିକଟରେ ପ୍ରତିଫଳିତ କରିବାକୁ ରାଜି ଅଛି; କିନ୍ତୁ ତୁମେ ମୋର ସ୍ତ୍ରୀ ହେବ ବୋଲି ସମ୍ମତି ଦିଅ । ମୋର କିଛି ସମ୍ପତ୍ତି ଅଛି । ସୁତରାଂ ତୁମର କିଛି ଅଭାବ ହେବ ନାହିଁ । ତୁମକୁ ସୁଖୀ ରଖିବାକୁ ମୁଁ ପ୍ରାଣ ପଣେ ଚେଷ୍ଟା କରିବି ।’

 

ଏତିକି ବେଳେ ମୋର ବାପ–ମାଆଙ୍କର କଥା ମନେ ପଡ଼ିଗଲା । ମୁଁ ଭାବିଲି, ଯଦି ମୁଁ ଏହାକୁ ବିବାହ କରେ, ତାହାହେଲେ ସେମାନେ ଗୋଟାଏ ଋଣ ଭାରରୁ ମୁକ୍ତ ହୋଇ ପାରିବେ ।

 

ମୁଁ ଜବାବ ଦେଲି,–‘କିନ୍ତୁ ଏହି ବିବାହରେ ତୁମର ଆତ୍ମ-ମର୍ଯ୍ୟାଦା ହାନି ହେବ । ମୁଁ ତୁମକୁ ପାଇବି ନାହିଁ ।’

 

ସେ କହିଲେ,–‘ହାୟ, ହାୟ ! ମୋର ବି ଗୋଟାଏ କଥା ତୁମକୁ ଜଣାଇବା ଦରକାର ।’

 

‘କଥାଟା କ’ଣ ? ଶୁଣେ ।’

 

‘ମୁଁ ପ୍ରକୃତି ଦେବୀଙ୍କର ଗୋଟିଏ କୁତ୍ସିତ ସନ୍ତାନ । ମୋର ମୁଖ ମଣ୍ଡଳରେ ବି କୌଣସି ସୌନ୍ଦର୍ଯ୍ୟ ନାହିଁ–ମୋର ଗମନ-ଭଙ୍ଗୀରେ କୌଣସି ଗାମ୍ଭୀର୍ଯ୍ୟ ନାହିଁ । ମୋର ଚୂଡ଼ାନ୍ତ ଦୁର୍ଭାଗ୍ୟ ହେଉଛି–ଉତ୍କଟ ବସନ୍ତ ରୋଗର କ୍ଷତ ଚିହ୍ନରେ ମୋର ମୁଖ ଆଚ୍ଛନ୍ନ । ସେହି ରୋଗର ପ୍ରତିକାର ନିମନ୍ତେ ଟିକା ନେବାକୁ ଯାଇ ମୋର ସବୁ ଶାରୀରିକ ସୌନ୍ଦର୍ଯ୍ୟ ଲୋପ ପାଇଛି । ଅତଏବ ମୁଁ ଯେ ଜଣେ ଅନ୍ଧ ବାଳିକାକୁ ବିବାହ କରୁଛି, ସେଥିରେ ମୋର ସ୍ଵାର୍ଥପରତା ହିଁ ପ୍ରକାଶ ପାଉଛି । ଏଥିରେ ମୋର ନମ୍ରତା ପ୍ରକାଶ ପାଉ ନାହିଁ ।’

 

ମୁଁ ତାଙ୍କ ଆଡ଼କୁ ମୋ ହାତ ବଢ଼ାଇ ଦେଲି ଏବଂ କହିଲି– ‘ମୁଁ ଜାଣେ ନା, ତୁମେ ନିଜ ଉପରେ କେଡ଼େ କଠୋର ହେଉଛ; କିନ୍ତୁ ଆଉ ଯାହା ହେଉ ପଛକେ, ମୋର ବିଶ୍ୱାସ, ତୁମେ ଜଣେ ଖୁବ୍ ଖାଣ୍ଟି ଲୋକ । ମୁଁ ଏକ୍ଷଣି ଯେମିତି ଅଛି ତୁମେ ମୋତେ ଠିକ୍ ସେହି ଭାବରେ ଗ୍ରହଣ କର । ତୁମର ଚିନ୍ତାରୁ ମୋତେ କିଛି ବିଚଳିତ କରି ପାରିବ ନାହିଁ । ମୋର ଏହି ଅନ୍ଧକାର ମରୁଭୂମିରେ ତୁମର ପ୍ରେମ ହିଁ ମୋର ହରିତ୍ କୁଞ୍ଜ ହେବ ।’

 

ମୁଁ ଠିକ୍ କରୁଛି, କି ଭୁଲ୍ କାମ କରୁଛି, ତାହା ମୁଁ ଜାଣେ ନାହିଁ । ଆନାଇ ! ମୁଁ କିଛି ବୁଝି ପାରୁ ନାହିଁ; କିନ୍ତୁ ମୁଁ ଏହା ଜାଣେ, ମୋ ବାପା ମାଆଙ୍କୁ ଉଦ୍ଧାର କରିବା ପାଇଁ ମୁଁ ଏହି କାମରେ ପ୍ରବୃତ୍ତ ହେଉଛି । ମୋର ଆଶା, ହୁଏତ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯାଉଁ ଯାଉଁ ମୁଁ ଠିକ୍ ରାସ୍ତାଟା ଧରି ପାରିବି ।

 

ପଞ୍ଚମ ପତ୍ର

 

ଆନାଇ ।

 

ଏଥର ତୁମର ଚିଠିରେ ତୁମେ ପ୍ରିୟ ସଖି ପରି ମୋ ପ୍ରତି କେତେ ସ୍ନେହ ମମତା ପ୍ରକାଶ କରିଛ, ମୋତେ ଅଜସ୍ର ପ୍ରଶଂସା କରିଛ, ମୋତେ ଅଭିନନ୍ଦନ ଜଣାଇଛ–ଏହି ସବୁରେ ଚିଠିଟି ଭର୍ତ୍ତି-

 

ହଁ, ଭଉଣୀ, ଦୁଇ ମାସ ହେଲା ମୁଁ ବିବାହ କରିଛି । ଏହି ଦୁଇ ମାସ ଭିତରେ ମୁଁ ଉପଲବ୍‍ଧି କରିଛି, ନାରୀମାନଙ୍କ ଭିତରେ ମୋ ପରି ସୁଖୀ ଆଉ କେହି ନାହିଁ । ମୋର କିଛି ଆକାଙ୍‍କ୍ଷା କରିବାର ନାହିଁ । ମୋ ସ୍ୱାମୀଙ୍କର ମୁଁ ହୃଦୟ-ପ୍ରତିମା, ଆଉ ମୋ ବାପା ମାଆଙ୍କର ମୁଁ ଆଦରଣୀୟା କନ୍ୟା । ସେମାନେ ମୋତେ ତ୍ୟାଗ କରି ନାହାନ୍ତି ।

 

ମୋର ଅନ୍ଧତା ପାଇଁ ମୁଁ ଆଉ ଦୁଃଖିତ ନୁହେଁ । ଏଜ୍‍ମଁଙ୍କ ଦୃଷ୍ଟି ଆମ ଉଭୟଙ୍କ ଉପରେ ଅଛି ।

 

ଯେଉଁ ଦିନ ଆମର ବିବାହ ହେଲା, ମୋର ଦର୍ପଣ ମୋର ଜାକଜମକପୂର୍ଣ୍ଣ କନ୍ୟା-ସଜା କଥା ମୋ ପାଖରେ ପ୍ରକାଶ କରିଥିଲେ । ମୋର ଅବଗୁଣ୍ଠନଟି ଅତି ସୁନ୍ଦର ହୋଇଥିଲା–ଆଉ ମୋର ସୁନ୍ଦର ଫୁଲହାରଟି ମୋତେ ଖୁବ୍ ମାନିଥିଲା । କୌଣସି ଅସଲ ଦର୍ପଣ ଏହା ଠାରୁ ଆଉ ବେଶୀ କ’ଣ କରି ପାରିଥାନ୍ତା ?

 

ସନ୍ଧ୍ୟାବେଳେ ଆମ ଦୁହେଁ ବଗିଚାରେ ବିହାର କରୁଁ । ସେଠାରେ ଫୁଲର ସୁବାସରେ, ପକ୍ଷୀର କାକଳିରେ, ଫଳର ଆସ୍ଵାଦରେ, କୋମଳ କର ସ୍ପର୍ଶରେ ମୁଁ ବିମୁଗ୍ଧ । କେବେ କେବେ ଆମେ ଅଭିନୟ ଦେଖିବା ଲାଗି ରଙ୍ଗମଞ୍ଚକୁ ଯାଉଁ, ଏବଂ ସେଠାରେ ବି, ମୋର ଅନ୍ଧ ଚକ୍ଷୁ ଯାହା ଦେଖି ନ ପାରେ, ତାଙ୍କର ବର୍ଣ୍ଣନାର ଚାତୁରୀରେ ମୁଁ ସେ ସବୁ ମାନସ ପଟରେ ଦେଖିପାରେ । ସେ କହନ୍ତି, ସେ ଦେଖିବାକୁ କୁତ୍ସିତ । ସେଥିରେ ମୋର କି ଯାଏ ଆସେ ? କେଉଁଟା ସୁନ୍ଦର, କେଉଁଟା କୁତ୍ସିତ, ମୁଁ ତ ଏକ୍ଷଣି ତାହା ବୁଝି ପାରୁ ନାହିଁ । ମୁଁ ଖାଲି ବୁଝି ପାରେ ସ୍ନେହ–ମମତା, ଭଲ ପାଇବା-

 

ଭଉଣୀ ଆନାଇ, ଆଜି ତାହାହେଲେ ଏତିକିରେ ରହୁଛି । ଆଶା, ମୋର ସୁଖରେ ତୁମେ ନିଶ୍ଚୟ ସୁଖୀ ହେବ ।

 

ଷଷ୍ଠ ପତ୍ର

 

ଭଉଣୀ ଆନାଇ,

 

ମୁଁ ମାଆ ହୋଇଛି । ମୁଁ ଗୋଟିଏ ଛୋଟ ଝିଅର ମାଆ ହୋଇଛି ସତ; କିନ୍ତୁ ମୁଁ ତାକୁ ଦେଖି ପାରୁ ନାହିଁ । ସମସ୍ତେ କହୁଛନ୍ତି, ସେ ଦେଖିବାକୁ ଏମିତି ସୁନ୍ଦରୀ ଯେ ତା ଉପରୁ ଆଖି ଫେରାଇ ହୁଏ ନା । ସେମାନେ କହନ୍ତି, ସେ ମୋର ଜୀବନ୍ତ କ୍ଷୁଦ୍ର ପ୍ରତିମୂର୍ତ୍ତି; କିନ୍ତୁ ସେ ସମ୍ବନ୍ଧରେ ମୁଁ କିଛି କହି ପାରିବି ନାହିଁ । ଓଃ ! ମାଆର ବାତ୍ସଲ୍ୟ ପ୍ରେମ କି ବଳବତୀ ! ମୁଁ ଯେ ନୀଳ ଆକାଶ ଦେଖି ପାରେ ନା, ମୋର ସ୍ଵାମୀଙ୍କ ମୁଖ ଓ ମୋର ବାପ-ମାଆଙ୍କର ମୁଖ ଦେଖି ପାରେ ନା–ଏ ସବୁ ତ ମୁଁ ଅମ୍ଳାନ ବଦନରେ ସହ୍ୟ କରି ଆସିଛି । କେବେ ହେଲେ ଆକ୍ଷେପ ପ୍ରକାଶ କରି ନାହିଁ; କିନ୍ତୁ ମୁଁ ଯେ ମୋର ନିଜର ସନ୍ତାନକୁ ଦେଖି ପାରିବି ନାହିଁ–ଏହା ମୋ ପକ୍ଷରେ ଅସହ୍ୟ । ଓଃ, ମୋର ଆଖି ଉପରେ ଯେଉଁ କଳା ପର୍ଦାଟା ପଡ଼ିଛି ତାହା ଯଦି ମିନିଟିକ ପାଇଁ, ଖାଲି ଗୋଟାଏ ସେକେଣ୍ଡ ପାଇଁ ଘୁଞ୍ଚି ଯାଏ, ଯଦି ବିଜୁଳି ପରି ତାହାର ମୁଖଟି ମୁଁ ଥରେ ଦେଖି ପାରନ୍ତି, ତାହାହେଲେ ମୁଁ କେତେ ସୁଖୀ ହୁଅନ୍ତି !–ତାହାହେଲେ ମୋ ଜୀବନରେ ଅବଶିଷ୍ଟ ଦିନ ପାଇଁ ମୁଁ ନିଶ୍ଚୟ ଗର୍ବ ଅନୁଭବ କରି ପାରନ୍ତି ।

 

ଏଥର ଏଜ୍‍ମଁ ମୋର ଦର୍ପଣ ହୋଇ ପାରିବେ ନାହିଁ । ସେ ଯେତେ କହନ୍ତୁ ନା କାହିଁକି, ମୋ ଝିଅଟିର କେଶ କୁଞ୍ଚିତ, ଆଖି ଦୁଇଟି ଉଜ୍ଜ୍ଵଳ, ହସଟି ବଡ଼ ମଧୁର–ସେଥିରେ ମୋର କ’ଣ ହେବ କହତ ?

 

ଯେତେବେଳେ ଝିଅଟି ମୋ ଆଡ଼କୁ ହାତ ବଢ଼ାଏ, ସେତେବେଳେ ତ ମୁଁ ତାହାର କୋମଳ ମୁଖଟି ଦେଖି ପାରେ ନାହିଁ !

 

ସପ୍ତମ ପତ୍ର

 

ଆନାଇ,

 

ଜାଣ, ସତରେ ମୋର ସ୍ଵାମୀ ଜଣେ ଦେବତା । ସେ କ’ଣ କରିଛନ୍ତି ଜାଣ ? ଗଲା ବର୍ଷ ସେ ମୋ ପାଇଁ ଯେ କେତେ କ’ଣ କରିଛନ୍ତି, ତାହା ମୁଁ ବି ଜାଣି ପାରି ନାହିଁ । ସେ ମୋର ଆଖି ଭଲ କରିବାକୁ ଚାହାନ୍ତି–ଆଉ ଡାକ୍ତର ହେଉଛନ୍ତି ସେ ନିଜେ । ତାଙ୍କ ଡାକ୍ତରୀ ବିଦ୍ୟା ଭଲ ଲାଗେ ନାହିଁ, ତଥାପି ଖାଲି ମୋରି ପାଇଁ ସେ ଡାକ୍ତରୀ ବିଦ୍ୟାଟା ଶିଖିଛନ୍ତି ।

 

ସେ କାଲି ମୋତେ ସବୁ କଥା ଖୋଲି କହିଲେ,– ‘ପ୍ରାଣେଶ୍ୱରୀ ! ଜାଣ, ମୁଁ କ’ଣ ଚାହେ ? କେଉଁ ଆଶାରେ ମୁଁ ଘୂରି ବୁଲେ ?’

 

‘ଏହା କ’ଣ ସମ୍ଭବ ?’

 

‘ହଁ, ଗାତ୍ର ଚର୍ମ ସୁନ୍ଦର କରିବା ଲାଗି ଯେଉଁ ଔଷଧର ପାଣି ତୁମକୁ ବ୍ୟବହାର କରିବାକୁ ଦେଇଥିଲି, ତାହା ଗୋଟିଏ ଛଳନା ମାତ୍ର–ପ୍ରକୃତରେ ତାହା ହେଉଛି ଆଉ ଗୋଟିଏ ଗୁରୁତର କାର୍ଯ୍ୟର ପୂର୍ବ ଆୟୋଜନ ।’

 

‘ସେ କାମଟା କଣ ?

 

‘ତାହା ହେଉଛି ଆଖିର ପର୍ଦା ଅପସାରଣ ।’

 

‘ତୁମର ହାତ କ’ଣ ଥରିବ ନାହିଁ ।’

 

‘ନା କାହିଁକି ମୋ ହାତ ଥରିବ ? ଯେତେବେଳ ଯାଏ ମୋର ହୃଦୟ ଠିକ୍ ଅଛି, ସେତେବେଳ ଯାଏ ମୋର ହାତ ବି ଶକ୍ତ ଥିବ ।

 

ମୁଁ ତାଙ୍କୁ ଚୁମ୍ବନ କରି କହିଲି,–‘ତୁମେ ମଣିଷ ନୁହ । ତୁମେ ଦୟାମୟ ଦେବତା ।’

 

ସେ କହିଲେ–‘ଆଃ ! ଆଉ ଥରେ ମୋତେ ଚୁମ୍ବନ କର, ପ୍ରିୟତମେ ! ମୋତେ ଏହି କ୍ଷଣିକର ବିଭ୍ରମ ଉପଭୋଗ କରିବାକୁ ଦିଅ ।’

 

‘ଏ କଥାର ଅର୍ଥ କ’ଣ, ଏଜ୍‌ମଁ ?’

 

ତା ପରେ ?’

 

‘ତାପରେ ମୁଁ ଯେମିତି, ଠିକ୍ ସେମିତି ଭାବରେ ମୋତେ ଦେଖି ପାରିବ–କ୍ଷୁଦ୍ର କାର୍ଯ୍ୟ ନଗଣ୍ୟ ଓ କୁତ୍ସିତ ।’

 

ତାଙ୍କର ଏହି କଥାରେ ଅତୀତର ସ୍ମୃତି ମୋ ମନସ–ପଟରେ ଭାସିଗଲା–ମୋର ଅନ୍ଧକାର ଭିତରୁ ଯେମିତି ଗୋଟାଏ ଆଲୋକର ରେଖା ବାହାରି ଆସିଲା, ମୋର କଳ୍ପନା ମଶାଲ ପରି ଜଳିବାକୁ ଲାଗିଲା ।

 

ମୁଁ ଠିଆ ହୋଇପଡ଼ି କହିଲି,–‘ଏଜ୍‌ମଁ ପ୍ରିୟତମ , ମୋ ପ୍ରେମ ଉପରେ ଯଦି ତୁମର ବିଶ୍ଵାସ ନ ଥାଏ, ଯଦି ତୁମେ ମନେ କର, ତୁମକୁ ଯେଉଁପରି ଭାବରେ ଦେଖେ ନା କାହିଁକି, ମୁଁ ତୁମର ସ୍ଵେଚ୍ଛା ଦାସୀ ନୁହେଁ, ତାହାହେଲେ ମୋତେ ମୋର ଅନ୍ଧାକାର ଭିତରେ, ମୋର ଚିର-ରାତ୍ରି ଭିତରେ ରଖିଦିଅ ।’

 

ସେ କିଛି ଜବାବ ଦେଲେ ନାହିଁ, ଖାଲି ମୋର ହାତଟା ଟିକିଏ ଚିପି ଦେଲେ ।

 

ମୋର ମାଆ କହୁଥିଲେ, ମାସକ ଭିତରେ ମୋ ଆଖିରେ ଅସ୍ତ୍ରୋପଚାର କରାଯିବ ।

 

ମୋ ମାଆଙ୍କ ଠାରୁ ସ୍ଵାମୀଙ୍କର ଯେଉଁ ବର୍ଣ୍ଣନା ଶୁଣିଥିଲି, ସେ ସବୁ କଥା ମୋର ପୁଣି ମନେ ପଡ଼ିଲା । ମୋ ମାଆ କହିଥିଲେ–ତାଙ୍କ ମୁଖରେ ବସନ୍ତର ଦାଗ ଅଛି । ବାବା କହିଥିଲେ–ତାଙ୍କ ମୁଣ୍ଡଟା ଚନ୍ଦା । ଆମର ଦାସୀ କହିଥିଲେ–ସେ ବୁଢ଼ା ।

 

ମୁଖରେ ବସନ୍ତ ଦାଗର ଅର୍ଥ ଗୋଟିଏ ଶାରୀରିକ ଦୁର୍ଘଟଣା । ଲାଭାଟରଙ୍କ ମତରେ ଚନ୍ଦା ମୁଣ୍ଡ ତ ଗୋଟିଏ ବୁଦ୍ଧିର ଲକ୍ଷଣ । ମାତ୍ର ବୁଢ଼ା ହେବା ଗୋଟିଏ ଦୁଃଖର ବିଷୟ ଅବଶ୍ୟ । ତା’ପରେ ଯଦି ଦୁର୍ଭାଗ୍ୟ କ୍ରମେ ମୋ ଆଗରୁ ତାଙ୍କ ମୃତ୍ୟୁ ହୁଏ, ତାହାହେଲେ ମୋର ଭଲ ପାଇବାର ଦିନ ସଂକ୍ଷିପ୍ତ ହେବ ।

 

ବାସ୍ତବିକ ଭଉଣୀ ଆନାଇ, ଯେଉଁ ବହିଟି ଆମେ ଦୁହେଁ ଦିନେ ପଢ଼ିଥିଲେ, ସେହି ଗପ ବହିଟି କଥା ତୁମର ମନେ ଅଛି ତ ? ନିଜର ଆଖିରେ ଦେଖି ଓ ମୁଖରେ ଉଚ୍ଚାରଣ କରି ତୁମେ ସେହି ଗପଟି ପଢ଼ିଥିଲ ଆଉ ମୁଁ ମନ କର୍ଣ୍ଣ ଦେଇ ସବୁ ଶକ୍ତି ଠୁଳ କରି ତାହା ଶୁଣିଥିଲି । ସେହି ଗପର ‘ସୁନ୍ଦରୀ ଓ ପଶୁ’ର ଅବସ୍ଥା ଆଜି ମୋର ହୋଇଛି । କାରଣ ମୋତେ କୌଣସି ଯାଦୁ ମନ୍ତ୍ର ଜଣା ନାହିଁ, ଯାହା ଦ୍ଵାରା ରୂପାନ୍ତର ହୋଇ ପାରିବ । ଯାହା ହେଉନା କାହିଁକି, ଭଉଣୀ ଆନାଇ, ମୋର ମଙ୍ଗଳ ପାଇଁ ତୁମର ଭଗବାନ ନିକଟରେ ପ୍ରାର୍ଥନା କର । କିଏ ଜାଣେ, ଭଗବାନଙ୍କ ଆର୍ଶୀବାଦ ଲାଭ କଲେ, ହୁଏତ ଦିନେ ମୁଁ ତୁମର ଚିଠିଗୁଡ଼ିକ ପଢ଼ି ପାରିବି ।

 

ଶେଷ ପତ୍ର

 

ଭଉଣୀ ଆନାଇ,

 

ଦେଖ, ମୋ ଚିଠିର ପ୍ରଥମ ଭାଗଟା ନ ପଢ଼ି ଶେଷ ଭାଗରେ ଆଖି ବୁଲାଅ ନାହିଁ । ଯାହା ଯେମିତି ଭାବରେ ଗୋଟାକ ପରେ ଗୋଟାଏ ହୋଇଛି, ଠିକ୍ ସେହି ସ୍ୱାଭାବିକ କ୍ରମ ଅନୁସାରେ ତୁମେ ମୋର ଦୁଃଖ, ମୋର ଘଟଣା ବିପର୍ଯ୍ୟୟ ଓ ମୋର ଆନନ୍ଦରେ ଯଥା ରୀତି ଭାଗ ନିଅ ।

 

ଦୁଇ ସପ୍ତାହ ହେଲା ମୋର ଆଖିରେ ଅସ୍ତ୍ରୋପଚାର ହୋଇଛି । ମୋର ଆଖି ଉପରେ ଗୋଟିଏ କମ୍ପିତ ହାତ ସ୍ଥାପିତ ହୋଇଥିଲା । ବୁଝି ପାରୁଛ ତ କ’ଣ ତାହା ? ଦୁଇ ଥର ମୁଁ ଖୁବ୍ ଚିତ୍କାର କଲି । ତା’ପରେ ମୋର ମନେ ହେଲା, ଯେମିତି ମୁଁ ଦିନ, ଆଲୁଅ, ରଙ୍ଗ, ସୂର୍ଯ୍ୟ ସବୁ ଦେଖି ପାରୁଛି । ସେତିକିବେଳେ ପୁଣି ଗୋଟାଏ ପଟି ମୋର ଆଖି ଉପରେ ବସାଇ ଦିଆଗଲା । କ୍ରମେ କ୍ରମେ ମୁଁ ଆରୋଗ୍ୟ ଲାଭ କଲି ! କେବଳ ଟିକିଏ ଧୈର୍ଯ୍ୟ, ଟିକିଏ ସାହସ ସେତେବେଳେ ଦରକାର ହୋଇଥିଲା ।

 

ଏଜ୍‍ମଁ ମୋର ଜୀବନରେ ପୁଣି ଅମୃତ ସଞ୍ଚାର କରିଛନ୍ତି ।

 

କିନ୍ତୁ ଗୋଟିଏ କଥା ସ୍ୱୀକାର କରିବି ? ମୁଁ ଗୋଟିଏ ନିର୍ବୁଦ୍ଧିତାର କାମ କରିଥିଲି । ମୁଁ ମୋର ଡାକ୍ତରଙ୍କ କଥାର ଅବାଧ୍ୟ ହୋଇଥିଲି; କିନ୍ତୁ ସେ ତାହା ଜାଣି ପାରି ନ ଥିଲେ । ଯାହା ହେଉ, ମୋର ଏତାଦୃଶ ଆଚରଣ ହେତୁ ଏକ୍ଷଣି ଆଉ କୌଣସି ବିପଦର ଆଶଙ୍କା ନାହିଁ ।

 

ସେମାନେ ଝିଅକୁ ମୋ ପାଖକୁ ଆଣିଥିଲେ । କହିଲେ, ୟାକୁ ଚୁମ୍ବନ କର । ଝିଅ ଦାସୀର କୋଳରେ ଥିଲା ।

 

ଖୁବ୍ ନରମ କଣ୍ଠରେ ଝିଅ ଡାକିଲା,–‘ମା’ ! ସେତେବେଳେ ମୁଁ ଆଉ ରହି ପାରିଲି ନାହିଁ-। ମୋ ଆଖିରୁ ପଟିଟା ଛିଣ୍ଡାଇ ପକାଇଲି, –ଆଉ ଆନନ୍ଦରେ ଗଦଗଦ ହୋଇ କହି ପକାଇଲି,–‘ମୋର, ମୋର ଝିଅ ! ଆହା କି ସୁନ୍ଦର ! ଏହି ସେ ମୋର ଝିଅକୁ ଦେଖି ପାରୁଛି–ଦେଖି ପାରୁଛି ।’

 

ସେବିକା ପୁଣି ମୋ ଆଖିରେ ପଟି ବାନ୍ଧି ଦେଲା; କିନ୍ତୁ ସେହି ଅନ୍ଧକାର ଭିତରେ ମୁଁ ଏକ୍ଷଣି ଆଉ ଏକା ନାହିଁ । ଝିଅର ମୁଖଟି ମୋର ମନ ଭିତରେ ନାଚିଗଲା, ଆଉ ତତକ୍ଷଣାତ୍ ସବୁ କିଛି ଯେମିତି ଆଲୋକିତ ହୋଇଗଲା ।

 

କାଲି ମାଆ ମୋତେ ଲୁଗା ପିନ୍ଧାଇ ଦେବାକୁ ଆସିଥିଲେ । ଅନେକ ବେଳ ଯାଏ ମୋର ପ୍ରସାଧନ ଚାଲିଲା । ମାଆ ମୋତେ ଖଣ୍ଡିଏ ଭଲ ରେଶମୀ ପୋଷାକ ଓ ଲେସ୍–ଦିଆ ‘କଲାର’ ପିନ୍ଧାଇ ଦେଲେ, ଏବଂ ଆଧୁନିକ ଢଙ୍ଗରେ ମୋର କେଶ ବାନ୍ଧି ଦେଲେ । ମୋର ସାଜସଜା ଶେଷ ହୋଇଗଲା ଉତ୍ତାରୁ, ମାଆ ମୋତେ କହିଲେ,–‘ତୋର ଆଖିର ପଟିଟା ଖୋଲି ପକା ।’

 

ମୁଁ ତତକ୍ଷଣାତ୍ ପଟିଟା ଖୋଲି ପକାଇଲି । ଯଦିଚ ସେତେବେଳେ ଘର ଭିତରକୁ ଟିକିଏ ଗୋଧୁଳି ଆଲୁଅ ଆସୁଥିଲା, ତଥାପି ମୋର ମନେ ହେଲା, ଏମିତି ସୁନ୍ଦର ଜିନିଷ ମୁଁ ଆଉ କେବେ ଦେଖି ନାହିଁ । ତହୁଁ ମୁଁ ମୋର ମାଆଙ୍କୁ, ମୋର ବାବାଙ୍କୁ ଓ ମୋର କୁନି ଝିଅଟିକୁ ମୋ ଛାତିରେ ଭିଡ଼ି ଧରିଲି ।

 

ବାବା ପଚାରିଲେ, ‘ନିଜ ଛଡ଼ା ତୁ ଆଉ ସମସ୍ତଙ୍କୁ ଦେଖି ପାରୁଛୁ ତ ?’

 

ମୁଁ କହି ପକାଇଲି,– ‘କିନ୍ତୁ ସେ କାହାନ୍ତି ? ମୋର ସ୍ଵାମୀ କାହାନ୍ତି ?’

 

ମୋର ମାଆ ଜବାବ ଦେଲେ,– ‘ସେ ଲୁଚି ରହିଛି ।’

 

ସେତେବେଳେ ମୋର ମାନସ ପଟରେ ଭାସିଗଲା ତାଙ୍କର କୁତ୍ସିତ ଚେହେରା କଥା, ତାଙ୍କର ବେଶଭୂଷା କଥା, ତାଙ୍କର ଚନ୍ଦା ମୁଣ୍ଡ କଥା, ଆଉ ତାଙ୍କର ବସନ୍ତ ଦାଗରେ ପୂର୍ଣ୍ଣ ମୁଖର କଥା ।

 

ମୁଁ କହିଲି,– ‘ବିଚରା ଏଜ୍‍ମଁ, ଆସନ୍ତୁ ନା ସେ ମୋ ପାଖକୁ, ତାଙ୍କୁ ଡାକି ଦିଅ, ମୋ ଆଖିରେ ସେ ଯେ କନ୍ଦର୍ପ ଠାରୁ ବଳି ସୁନ୍ଦର ।’

 

ମାଆ ଜବାବ ଦେଲେ– ‘ତୋର ସ୍ଵାମୀ ପାଇଁ ଆମେ ଅପେକ୍ଷା କରିଛୁଁ । ତୁ ୟା ଭିତରେ ତୋର ନିଜର ମୁଖଟା ଦର୍ପଣରେ ଥରେ ଦେଖି ନେ । ତୋର ନିଜର ମୁଖ ଦେଖି ତୁ ନିଜେ ମୁଗ୍ଧ ହେବୁ, ଏମିତି ସୁନ୍ଦର ମୁଖ ତୋର ।’

 

ମୋ ମାଆଙ୍କ କଥା ଶୁଣି ମୁଁ ଦର୍ପଣ ପାଖକୁ ଗଲି । ମୋର ନିଜର ଟିକିଏ ଗର୍ବ ଥିଲା, କୌତୂହଳ ବି ଟିକଏ ଥିଲା । ଯଦି ମୁଁ ସତରେ କୁତ୍ସିତ ହୋଇଥାଏ ?–ଯଦି ମୋର କୁତ୍ସିତ ଚେହେରାର କଥା ସମସ୍ତେ ମୋ ଠାରୁ ଲୁଚାଇ ରଖିଥାନ୍ତି ?–ତେଣୁ ମୁଁ ଧିରେ ଧିରେ ଦର୍ପଣ ପାଖକୁ ଗଲି ଏବଂ ଦର୍ପଣରେ ନିଜର ମୁଖ ଦେଖି ଆନନ୍ଦରେ ବିହ୍ୱଳ ହୋଇଗଲି । କିପରି ଚମତ୍କାର ଗଠନ, କେମିତି ଗୋଲାପୀ ରଙ୍ଗ, କେମିତି ଉଜ୍ଜ୍ଵଳ ଆଖି–ସତରେ ମୁଁ ରୂପସୀ; କିନ୍ତୁ ଖୁବ୍ ଆରାମରେ ମୋର ଚେହେରାଟା ଦର୍ପଣରେ ଦେଖି ପାରିଲି । ଦର୍ପଣଟି ମଧ୍ୟ ଆନନ୍ଦରେ ଯେମିତି କମ୍ପିବାକୁ ଲାଗିଲା, ଏବଂ ଦର୍ପଣ ଭିତରେ ମୋର ପ୍ରତିବିମ୍ବଟା ଯେମିତି ଆନନ୍ଦରେ ନାଚିବାକୁ ଲାଗିଲା ।

 

ମୁଁ ଦର୍ପଣରେ ପଛ ଆଡ଼କୁ ଚାହିଁ ଦେଖିଲି, ଦର୍ପଣଟା କାହିଁକି କମ୍ପୁଛି । ତେଣୁ ସେ ଆଡ଼କୁ ଚାହିଁଲି ।

 

ପଛ ପଟରୁ ଜଣେ ସୁନ୍ଦର ଯୁବା ପୁରୁଷ ବାହାରି ଆସିଲେ, ଖୁବ୍ ଲମ୍ବା ଚଉଡ଼ା ଶରୀର, ବଡ଼ ବଡ଼ କଳା ଆଖି, କୋଟରେ ସମ୍ମାନର ଚିହ୍ନ ସ୍ୱରୂପ ଗୋଟାଏ ଗୋଲାପ ଖୋସା ଯାଇଛି । ଜଣେ ଅପରିଚିତ ଯୁବକର ସାମନାରେ ଠିଆ ହୋଇଛି ଭାବି ମୁଁ ଲଜ୍ଜାରେ ସଢ଼ିଗଲି ।

 

ସେହି ଯୁବକଙ୍କ ଆଡ଼କୁ ଭ୍ରୂକ୍ଷେପ ନ କରି ମୋତେ ମୋର ମାଆ କହିଲେ,– ‘ଦେଖ୍ ତ ଥରେ, ତୁ କେଡ଼େ ସୁନ୍ଦର–ଠିକ୍ ଯେମିତି ଗୋଟାଏ ଧଳା ଗୋଲାପ ଫୁଲ ।’

 

ମୁଁ ଉଚ୍ଚ ସ୍ୱରରେ ଡାକିଲି,–‘ମାଆ’ ।

 

‘ଦେଖ୍ ତ ଥରେ ତୋର ଏହି ଧଳା ହାତ ଦୁଇଟି’–ଏହା କହି ସେ ମୋର ହାତର ଜାମାଟା କହୁଣୀ ପର୍ଯ୍ୟନ୍ତ ଟେକି ଦେଲେ ।

 

ମୁଁ କହିଲି,–‘କିନ୍ତୁ ମାଆ, ଜଣେ ଅପରିଚିତ ଲୋକ ସାମନାରେ ତୁମେ ଏ କ’ଣ କରୁଛ-?

 

‘ଅପରିଚିତ ଲୋକ ? –ଏ ଯେ ଗୋଟିଏ ଦର୍ପଣ ।’

 

‘ମୁଁ ତ ଦର୍ପଣର କଥା କହୁ ନାହିଁ । ଦର୍ପଣ ପଛରେ ଯେଉଁ ଯୁବା ପୁରୁଷ ଜଣକ ଥିଲେ ମୁଁ ତାଙ୍କରି କଥା କହୁଛି ।’

 

ବାବା କହି ପଳାଇଲେ,– ‘ଆରେ ବୋକା ! ତୋତେ ଆଉ ଏତେ ଲାଜ କରିବାକୁ ପଡ଼ିବ ନାହିଁ । ସେ ପରା ତୋର ସ୍ଵାମୀ !

 

ମୁଁ ତତକ୍ଷଣାତ୍ ଚିତ୍କାର କଲି,– ‘ଏଁ ! ଏ ଏଜ୍‍ମଁ !’ ଏହା କହି ମୁଁ ତାଙ୍କୁ ଚୁମ୍ବନ କରିବା ପାଇଁ ଧାଇଁଗଲି ।

 

ତା’ପରେ ମୁଁ ଆଉ କିଛି ପାଇଲି । ଆହା, ସେ କି ସୁନ୍ଦର ! ମୁଁ କି ସୁଖୀ ! ଯେତେବେଳେ ମୁଁ ଅନ୍ଧ ଥିଲି, ସେତେବେଳେ ବିଶ୍ୱାସ କରି ମୁଁ ତାଙ୍କୁ ଭଲ ପାଇଥିଲି । ଏକ୍ଷଣି ନୂତନ ପ୍ରେମରେ ମୋର ହୃଦୟ ଉଦବେଳିତ ହୋଇଛି–ତାଙ୍କର ମହତ୍ତ୍ଵରେ ମୁଁ ମୁଗ୍ଧ ହୋଇଛି । ମୋର ଅନ୍ଧତା ହେତୁ, ମୋତେ ସାନ୍ତ୍ଵନା ଦେବା ଉଦ୍ଦେଶ୍ୟରେ ସେ ସମସ୍ତଙ୍କୁ କହିବାକୁ ହୁକୁମ ଦେଇଥିଲେ ଯେ, ସେ ନିଜେ ଦେଖିବାକୁ କୁତ୍ସିତ ।

 

ଏଜ୍‍ମଁ ମୋର ପାଦ ତଳେ ନତଜାନୁ ହୋଇ ବସିଲେ । ମାଆ ଆଖିରୁ ଲୁହ ପୋଛୁ ପୋଛୁ ମୋତେ ନେଇ ତାଙ୍କ କୋଳରେ ବସାଇ ଦେଲେ ।

 

ଆନନ୍ଦର ଉଚ୍ଛ୍ୱାସରେ ମୋର ସ୍ଵାମୀ ମୋତେ କହିଲେ,–‘ତୁମେ କି ସୁନ୍ଦର !’

 

ମୁଁ ତଳକୁ ମୁଖ ପୋତି ଜବାବ ଦେଲି,–‘ଏଟା ତୁମର ଗୋଟାଏ ଚାଟୁ ବାଣୀ ।’

 

‘ନା, ନା, ଯେତେବେଳେ କେବଳ ମୁଁ ତୁମର ଏକମାତ୍ର ଦର୍ପଣ ଥିଲି, ସେତେବେଳେ ସେହି କଥା ତ ମୁଁ ତୁମକୁ ବରାବର କହି ଆସିଛି । ଏକ୍ଷଣି ଚାହିଁ ଦେଖ ! ଦେଖ ମୋ କଥା ସତ କି ନା ! ମୋର ଏହି ଯେ ସହଯୋଗୀ ସକର୍ମୀ–ମୁଖ ଦେଖିବାର ଦର୍ପଣ, ତାର ବି ଏହି ଏକା ମତ–ସେ ବି କହୁଛି, ମୁଁ ଯାହା କହିଛି, ତାହା ହିଁ ଠିକ୍, ଖାଣ୍ଟି ସତ ।’

 

–ଲିଓ ଲା ପେ

☆☆☆

 

ଦ୍ଵନ୍ଦ୍ଵ ଯୁଦ୍ଧ

 

ସମାଜରେ ସମସ୍ତେ ତାଙ୍କୁ “ସୁଦର୍ଶନ ସିଗ୍‍ନୋଲସ” ବୋଲି ଡାକୁଥିଲେ । ସେ ନିଜକୁ ଭାଇକାଉଣ୍ଟ ଗନ୍‍ଟ୍ରାମ ଜୋସେଫ ଡି ସିଗ୍‍ନୋଲସ ବୋଲାଉଥିଲେ ।

 

ପିତୃମାତୃହୀନ ଓ ବିଶାଳ ସମ୍ପତ୍ତିର ମାଲିକ ହେତୁ, ସମସ୍ତଙ୍କ ନିକଟରେ ତାଙ୍କର ପ୍ରତିପତ୍ତି ଥିଲା । ତାଙ୍କର ଆକର୍ଷଣୀୟ ରୂପ ଥିଲା, ରସିକତାରେ ଯଥେଷ୍ଟ ପଟୁତା, ଭାବଭଙ୍ଗୀରେ ଏକ ନିଶ୍ଚିତ ସ୍ଵାଭାବିକ ନମ୍ରତା, ଆଭିଜାତ୍ୟ ଓ ଗର୍ବର ଆଭାସ ଏବଂ ନିଶଟି ବିଶାଳ ଓ ମନୋହର ଦେଖା ଯାଉଥିଲା–ନାରୀମାନେ ଏଥିରେ ବି ମୁଗ୍ଧ ହୋଇ ଯାଉଥିଲେ ।

 

ବୈଠକଖାନାରେ ଓ ବଲ୍ ନାଚ ସମୟରେ ସମସ୍ତେ ତାଙ୍କର ଅଭାବ ଅନୁଭବ କରୁଥିଲେ ଏବଂ ତାଙ୍କର ତେଜସ୍ଵୀ ଆକୃତି ସମସ୍ତଙ୍କ ପ୍ରାଣରେ ସେହି ସାହାସ୍ୟ ଈର୍ଷା ଉଦ୍ରେକ କରୁଥିଲା । ଲୋକେ ତାଙ୍କୁ କେତେକ ପ୍ରେମ ବ୍ୟାପାରରେ ସନ୍ଦେହ କରୁଥିଲେ । ଜଣେ ତରୁଣ ଭାବରେ, ତାହା ତାଙ୍କର ଯଥେଷ୍ଟ ସ୍ୱେଚ୍ଛାଚାରୀ ଶକ୍ତିର ପରିଚୟ ଦେଉଥିଲା । ସମ୍ପୂର୍ଣ୍ଣ ନୈତିକ ବାୟୁମଣ୍ଡଳ ଭିତରେ, ସେ ସୁଖ ଓ ଶାନ୍ତିରେ ଦିନ ଯାପନ କରୁଥିଲେ । ତରବାରୀ ଚଳାଇବାରେ ଏବଂ ତା ଅପେକ୍ଷା ପିସ୍ତଲରେ ତାଙ୍କର ଦକ୍ଷତା କାହାରିକୁ ଅବିଜିତ ନ ଥିଲା ।

 

“ଯଦି ମୋତେ ଯୁଦ୍ଧ କରିବାକୁ ପଡ଼େ,” ସେ କହୁଥିଲେ, ‘‘ତେବେ ମୁଁ ପିସ୍ତଲଟିଏ ପସନ୍ଦ କରିବି । ସେହି ଅସ୍ତ୍ରରେ ମୁଁ ନିଶ୍ଚୟ ମୋର ପ୍ରତିଦ୍ଵନ୍ଦୀଙ୍କୁ ନିହତ କରିବି ।”

 

ବର୍ତ୍ତମାନ, ଗୋଟିଏ ସନ୍ଧ୍ୟାରେ, ତାଙ୍କର ଦୁଇ ଜଣ ତରୁଣୀ ବାନ୍ଧବୀ ଓ ସେମାନଙ୍କ ସ୍ଵାମୀଙ୍କ ସହିତ, ସେ ରଙ୍ଗମଞ୍ଚକୁ ଯାଇଥିଲେ । ତାହା ସରିବା ପରେ ସେ ସେମାନଙ୍କୁ ନେଇ ଟରଟୋନିରେ ବରଫ ଖୁଆଇଲେ । ସେଠାରେ ସେମାନଙ୍କର ରହିବାର ପ୍ରାୟ ଦଶ ମିନିଟ ଭିତରେ, ପାଖ ଟେବୁଲରେ ବସିଥିବା ଜଣେ ଭଦ୍ରଲୋକ ତାଙ୍କ ଦଳର ଜଣେ ଭଦ୍ର ମହିଳାଙ୍କୁ ଏକ ଧ୍ୟାନରେ ନିରୀକ୍ଷଣ କରୁଥିବାର ସେ ଲକ୍ଷ୍ୟ କଲେ । ମହିଳାଟି ବ୍ୟସ୍ତ ଓ ବିରକ୍ତ ବୋଧ କରି, ଆଖି ତଳକୁ ଆଣିଲେ । ଶେଷରେ, ସେ ତାଙ୍କ ସ୍ଵାମୀଙ୍କୁ କହିଲେ:

 

“ସେ ଲୋକଟି ମୋତେ ଏକ ଦୃଷ୍ଟିରେ ଚାହିଁ ରହିଛି । ମୁଁ ତ ତାକୁ ଜାଣେ ନାହିଁ, ତୁମେ ଜାଣ ନା ?”

 

ସ୍ଵାମୀ କିଛି ଦେଖି ନ ଥିଲା, ଆଖି ଟେକିଲା, କିନ୍ତୁ ବ୍ୟକ୍ତ କଲା :

 

“ନା, ଆଦୌ ନୁହେଁ ।”

 

ତରୁଣୀଟି, ଅଧେ ହସି, ଅଧେ ରାଗି, ଜବାବ ଦେଲା: “ଏହା ବଡ଼ ବିରକ୍ତି କର; ସେ ଲୋକଟି ମୋ ବରଫ ନଷ୍ଟ କରି ଦେଉଛି ।”

 

ସ୍ଵାମୀ କାନ୍ଧ ଉଠାଇ, ଜବାବ ଦେଲା:

 

“ସଃ, ତା ଆଡ଼କୁ ଆଦୌ ଅନାଥ ନାହିଁ । ଯେତେ ଅଭଦ୍ର ଲୋକଙ୍କୁ ଆମେ ଭେଟୁଛୁ ସମସ୍ତଙ୍କ ପ୍ରତି ଯଦି ଆମେ ଲକ୍ଷ୍ୟ ଦେବା, ତାହାହେଲେ ଏହାର ସୀମା ରହିବ ନାହିଁ ।”

 

କିନ୍ତୁ ଭାଇକାଉଣ୍ଟ ବୀର ଦର୍ପରେ ଉଠିଲେ । ସେ ଦେଇଥିବା ବରଫ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ନଷ୍ଟ କରିବାକୁ ଦେଇ ପାରିଲେ ନାହିଁ । ଏ ଅପମାନ ତାଙ୍କୁ ହିଁ ଦିଆ ଯାଉଥିଲା, ତାଙ୍କରି ଯୋଗୁଁ ଓ ତାଙ୍କରି ସହିତ ତାଙ୍କ ବନ୍ଧୁମାନେ ଏହି ରେସ୍ତୋରାଁକୁ ଆସିଥିଲେ । ତେଣୁ ଏ ଘଟଣାର ପ୍ରତିକାର କେବଳ ତାଙ୍କରି ହାତରେ । ସେ ଲୋକଟି ଆଡ଼କୁ ଆଗେଇ ଗଲେ ଏବଂ ତାକୁ କହିଲେ’

 

“ମହାଶୟ, ଏହି ମହିଳାମାନଙ୍କ ପ୍ରତି ଆପଣଙ୍କର ଏ ଧରଣର ଚାହାଣୀଟା ସହ୍ୟ କରାଯାଇ ନ ପାରେ । ମୁଁ ଅନୁରୋଧ କରୁଛି, ଆପଣ ସେପରି କରନ୍ତୁ ନାହିଁ ।”

 

ଅନ୍ୟ ଜଣକ ଉତ୍ତର ଦେଲା: “ତେଣୁ ଶାନ୍ତି ରକ୍ଷା କରିବା ପାଇଁ ଆପଣ ମୋତେ ଆଦେଶ ଦେଉଛନ୍ତି, ନୁହେଁ ?”

 

ଦାନ୍ତ କାମୁଡ଼ି, ଭାଇକାଉଣ୍ଟ ଜବାବ ଦେଲେ: “ସାବଧାନ ମହାଶୟ, ନଚେତ୍ ନିଜକୁ ଭୁଲିଯିବା ପାଇଁ ଆପଣ ମୋତେ ବାଧ୍ୟ କରିବେ ।”

 

ଗୋଟିଏ ମାତ୍ର ଅଶ୍ଳୀଳ ଶବ୍ଦରେ ଭଦ୍ରଲୋକ ଉତ୍ତର ଦେଲେ, ରେସ୍ତୋରାଁଟା ସେଥିରେ ପ୍ରତିଧ୍ଵନିତ ହୋଇ ଉଠିଲା, ଏବଂ ପ୍ରତ୍ୟେକ ବ୍ୟକ୍ତି ଚମକି ପଡ଼ି ଚାହିଁଲେ । ଯେଉଁମାନେ ଆଗରେ ବସିଥିଲେ ବୁଲି ପଡ଼ିଲେ; ଅନ୍ୟମାନେ ମୁଣ୍ଡ ଟେକିଲେ; ତିନି ଜଣ ଚାକର ଗୋଇଠିରେ ବୁଲି ପଡ଼ିଲେ; କାଉଣ୍ଟର ପାଖରେ ଦୁଇ ଜଣ ସ୍ତ୍ରୀ ଲୋକ ଆଗକୁ ଝୁଙ୍କି ପଡ଼ିଲେ, ତାପରେ ଘଟଣାକୁ ଏକବାରେ ପଛ କରିଦେଲେ, ଯେପରିକି ସେମାନେ ଦୁଇଟି ସ୍ଵୟଂଚାଳିତ ଯନ୍ତ୍ର ପରି କାମ କରି ଯାଉଥିଲେ ।

 

ସବୁ ନୀରବ ହୋଇଗଲା । ତାପରେ, ହଠାତ୍ ଗୋଟିଏ ତୀବ୍ର ଶବ୍ଦ ପବନକୁ କମ୍ପାଇ ଦେଲା । ଭାଇକାଉଣ୍ଟ ତାଙ୍କ ପ୍ରତିଦ୍ଵନ୍ଦୀକୁ ଆଘାତ କଲେ । ମଧ୍ୟସ୍ଥ ହେବା ପାଇଁ ସମସ୍ତେ ଉଠି ପଡ଼ିଲେ । ଠିକଣା ଅଦଳ ବଦଳ ହେଲା ।

 

ଘରକୁ ଫେରିଯାଇ, ଭାଇକାଉଣ୍ଟ କିଛି ସମୟ ନିଜ କୋଠରୀରେ ବଡ଼ ବଡ଼ ପାଦ ପକାଇ ଏ ମୁଣ୍ଡରୁ ସେ ମୁଣ୍ଡ ଘୂରି ବୁଲିଲେ । ସେ ଏତେ ଉତ୍ତେଜିତ ହୋଇ ପଡ଼ିଥିଲେ ଯେ ତାଙ୍କ ମଥା କିଛି ଧରିପାରୁ ନ ଥିଲା । ଗୋଟିଏ ମାତ୍ର ଚିନ୍ତା ତାଙ୍କ ମୁଣ୍ଡରେ ଘୂରି ବୁଲୁଥିଲା; “ଦ୍ୱନ୍ଦ୍ୱ ଯୁଦ୍ଧ”; ଏବଂ ତଥାପି ଏହି ଚିନ୍ତା ସେ ପର୍ଯ୍ୟନ୍ତ ତାଙ୍କ ମନରେ କୌଣସି ଉତ୍ତେଜନା ସୃଷ୍ଟି କରିପାରି ନ ଥିଲା-। ଯାହା କରିବା ଉଚିତ ସେ କରିଥିଲେ; ଯେତିକି ଉଚିତ ସେ ନିଜେ ତାହା ଦେଖାଇଥିଲେ-। ଲୋକେ ଏ ବିଷୟରେ କଥାବାର୍ତ୍ତା ହେବେ, ପସନ୍ଦ କରିବେ, ଏବଂ ତାଙ୍କୁ ସାବାସି ଜଣାଇବେ-। ଭାବନାରେ ବିଚଳିତ ହୋଇ ପଡ଼ିଲା ପରି, ଉଚ୍ଚ ସ୍ୱରରେ, ସେ କହି ଉଠିଲେ :

 

“ସେ ଲୋକଟା କି ଭଳି ପଶୁ !”

 

ତାପରେ ସେ ବସି ପଡ଼ିଲେ ଏବଂ ଭାବିବାକୁ ଲାଗିଲେ । ସକାଳେ କେତେ ଜଣ ସହକାରୀ ଖୋଜି ବାହାର କରିବାକୁ ପଡ଼ିବ । କାହାକୁ ସେ ବାଛିବେ ? ନିଜର ପରିଚିତ ଅତି ପ୍ରସିଦ୍ଧ ଓ ପଦସ୍ଥ ଲୋକମାନଙ୍କୁ ସେ ଭାବିଗଲେ । ଶେଷରେ ସେ ଦୁଇ ଜଣଙ୍କୁ ପସନ୍ଦ କଲେ । ବିଶିଷ୍ଟ ଜମିଦାର ମାରକୁଇସ ଡି ଲା ଟୁର–ନୋଏର ଓ ବିଶେଷ ବଳଶାଳୀ ସୈନିକ କଲୋନେଲ ବୋରଡିନ । ସେମାନଙ୍କର ନାମ ପତ୍ର ପତ୍ରିକାରେ ବାହାରୁଥିଲା । ସେ ତୃଷା ଅନୁଭବ କଲେ ଏବଂ ଗୋଟିକ ପରେ ଗୋଟିଏ, ତିନି ଗ୍ଲାସ ପାଣି ପିଇଲେ; ତାପରେ ସେ ପୁଣି ଚାଲିବାକୁ ଲାଗିଲେ । ସେ ନିଜକୁ ଶକ୍ତି ସମ୍ପନ୍ନ ବୋଧ କଲେ । ସବୁ ବିଷୟରେ ସେ ନିଜକୁ କ୍ରୋଧାନ୍ୱିତ ଓ ଅବିଚଳିତ ଦେଖାଇଲେ, କଠୋର ଓ ଭୀଷଣ ସର୍ତ୍ତ ରଖିଲେ, ଏବଂ ଏକ ଭୟଙ୍କର, ଅତି ଭୟଙ୍କର, ଦ୍ୱନ୍ଦ୍ୱ ଯୁଦ୍ଧ ଦାବୀ କଲେ, ଯାହା ଦ୍ୱାରା ତାଙ୍କର ପ୍ରତିଦ୍ଵନ୍ଦୀ ନିଶ୍ଚୟ ହଟିଯିବ ଏବଂ କ୍ଷମା ପ୍ରାର୍ଥନା କରିବ ।

 

ସେ ପକେଟରୁ ଠିକଣାଟି କାଢ଼ି ନେଲେ ଏବଂ ଟେବୁଲ ଉପରେ ପକାଇ ଦେଲେ ରେସ୍ତୋରାଁରେ, ଓ ଫେରି ଆସି ନିଜ ଘରେ, ଗ୍ୟାସ ଆଲୁଅରେ, ଆଉ ଥରେ, ତା ଉପରେ ଆଖି ବୁଲାଇ ନେଲା ପରି, ପୁଣି ସେ ତାହା ପାଠ କଲେ : “ଜର୍ଜ ଲାମିଲ, ୫୧ ମନ୍‍ସୀ ଷ୍ଟ୍ରୀଟ ।” କେବଳ ଏତିକି ମାତ୍ର ।

 

ଏତେ ରହସ୍ୟପୂର୍ଣ୍ଣ ମନେ ହେଉଥିବା ଏହି ସମବେତ ଅକ୍ଷରଗୁଡ଼ିକୁ ସେ ପରୀକ୍ଷା କରିବାକୁ ଲାଗିଲେ, ତାଙ୍କର ବୁଦ୍ଧି ଭ୍ରମ ହୋଇ ଯାଉଥିଲା: ଜର୍ଜ ଲାମିଲ ? କିଏ ଏ ଲୋକ ? ସେ କଣ କଲା ? ସେହି ସ୍ତ୍ରୀ ଲୋକଟିକୁ ସେ କାହିଁକି ଏପରି ଭାବରେ ଅନାଇଲା ? ଜଣେ ଅଜ୍ଞାତ ଓ ଅପରିଚିତ, ଗୋଟିଏ ଧକ୍କାରେ, ଏପରି ଭାବରେ ତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବା କଣ ଘୃଣାଜନକ ନୁହେଁ କି, କାରଣ ଭଲ ଲାଗିଲା ବୋଲି କଣ ସେ ସ୍ତ୍ରୀ ଲୋକଟିକୁ ଅଭଦ୍ର ଭାବରେ ଚାହିଁ ରହିବ ? ଏବଂ ଭାଇକାଉଣ୍ଟ ପୁଣି, ବଡ଼ ପାଟିରେ, ଉଚ୍ଚାରଣ କଲେ–

 

“କି ସୟତାନ ।”

 

ତାପରେ ଠିକଣା କାଗଜଟି ଉପରେ ଦୃଷ୍ଟି ନିବଦ୍ଧ ରଖି, ଠିଆ ହୋଇ, ସେ ସ୍ପନ୍ଦନହୀନ ହୋଇ ରହିଲେ । ଏହି କାଗଜ ଖଣ୍ଡିକ ଉପରେ ତାଙ୍କ ଭିତରେ ଏକ ପ୍ରକାର କ୍ରୋଧ ଜାଗି ଉଠିଲା, ଏକ ଘୃଣିତ କ୍ରୋଧ ଏକ ଅଦ୍ଭୁତ ଈର୍ଷାପ୍ରବଣତା ସହିତ ମିଶିଥିଲା । ଏହି ସମୁଦାୟ ଗଳ୍ପଟି, କେବଳ ବୋକାମୀ ! ହାତ ପାଖରେ ଥିବା ଗୋଟିଏ କଲମ ତରାସ ଛୁରି ସେ ଉଠାଇ ନେଲେ, ଏବଂ କାଗଜଟିରେ ଯେଉଁଠି ନାମ ମୁଦ୍ରିତ ହୋଇଥିଲା ତା ମଝିରେ ଫୋଡ଼ି ଦେଲେ, ଯେପରିକି ସେ କାହାରିକୁ ଆଘାତ କରୁଥିଲା ।

 

ସୁତରାଂ ସେ ନିଶ୍ଚୟ ଯୁଦ୍ଧ କରିବେ ! ତରବାରୀ କି ପିସ୍ତଲ ସେ ବାଛିବେ, କାରଣ ସେ ନିଜକୁ ଅପମାନିତ ମନେ କରୁଥିଲେ । ତରବାରୀରେ ତାଙ୍କର ବିପଦର ଆଶଙ୍କା କମ; କିନ୍ତୁ ପିସ୍ତଲରେ, ତାଙ୍କର ପ୍ରତିନ୍ଦ୍ଵନ୍ଦୀର ପଛଘୁଞ୍ଚା ଦେବାର ସମ୍ଭାବନା ଥିଲା । ତରବାରୀରେ ଦ୍ଵନ୍ଦ୍ଵ ଯୁଦ୍ଧ କ୍ଵଚିତ ସାଙ୍ଘାତିକ ଜଣାଯାଏ, ପରସ୍ପର ଅତି ନିକଟକୁ ଯାଇ ଗଭୀର ଭାବରେ ଆଘାତ କରିବା ପାଇଁ ପ୍ରତିନ୍ଦ୍ଵନ୍ଦୀମାନଙ୍କର ବିବେଚନାରେ ବାଧା ପ୍ରଦାନ କରେ; କିନ୍ତୁ ପରିସ୍ଥିତିର ସମସ୍ତ ସମ୍ମାନରେ ଓ ବିନା ଯୁଦ୍ଧରେ ସେ ମଧ୍ୟ ଏହି ବିଷୟଟିର ସମ୍ମୁଖୀନ ହୋଇ ପାରିବେ । ସେ ପାଟି କରି କହିଲେ–

 

“ଦମ୍ଭ ଧରିବା ଆବଶ୍ୟକ । ତାହାର ଭୟ ଜାତ ହେବ ।”

 

ନିଜ ସ୍ଵରର ଶବ୍ଦ ତାଙ୍କୁ ଥରାଇ ଦେଲା ଏବଂ ସେ ନିଜର ଚାରିଆଡ଼କୁ ଚାହିଁବାକୁ ଲାଗିଲେ । ସେ ଅତି ଦୁର୍ବଳ ବୋଧ କଲେ । ତଥାପି ସେ ଆଉ ଗ୍ଲାସେ ପାଣି ପିଇଲେ, ତାପରେ ବିଶ୍ରାମ ନେବା ପାଇଁ, ସେ ପୋଷାକ ପତ୍ର କାଢ଼ି ପକାଇବାକୁ ଲାଗିଲେ ।

 

ପ୍ରସ୍ତୁତ ହୋଇ ଯାଇ, ସେ ଆଲୁଅ ଲିଭାଇ ଦେଲେ ଏବଂ ଆଖି ବୁଜି ଦେଲେ । ତାପରେ ସେ ଭାବିଲେ :

 

“କାଲି ଦିନ ସାରା ମୋ ବିଷୟରେ ମୋତେ ବ୍ୟସ୍ତ ରହିବାକୁ ହେବ । ଶାନ୍ତ ହେବା ପାଇଁ, ପ୍ରଥମେ ମୋତେ ନିଶ୍ଚୟ ଶୋଇବାକୁ ହେବ ।”

 

ବିଛଣାରେ ତାଙ୍କୁ ଖୁବ୍‍ ଗରମ ହେଉଥିଲା, କିନ୍ତୁ ସେ ଶୋଇ ପାରିଲେ ନାହିଁ । ସେ ଏପଟ ସେପଟ ହେଲେ, ପିଠି ଉପରେ ପାଞ୍ଚ ମିନିଟ ପଡ଼ି ରହିଲେ, ତାପରେ ବାମ କଡ଼ ମାଡ଼ି ଶୋଇଲେ; ତାପରେ ଡାହାଣ କଡ଼କୁ ଗଡ଼ିଗଲେ ।

 

ତଥାପି ତାଙ୍କୁ ଶୋଷ ଲାଗୁଥିଲା । ସେ ଉଠି ପଡ଼ିଲେ ଏବଂ ପାଣି ପିଇଲେ । ତାପରେ ଏକ ପ୍ରକାର ଅସ୍ଥିରତା ତାଙ୍କୁ ଅଧିକାର କଲା:

 

“ଏହା କଣ ହୋଇପାରେ ଯେ ମୋତେ ଭୟ ଲାଗୁଛି ?” ସେ କହିଲେ ।

 

ତାଙ୍କ କୋଠରୀ ଚାରିପଟେ ହେଉଥିବା ମାମୁଲି ଗୋଳମାଳରେ ତାଙ୍କ ଛାତି କାହିଁକି ଅତି ନିର୍ବୋଧ ଭାବରେ ଉଠପଡ଼ ହେଉଛି ?–ଯେତେବେଳେ ଘଡ଼ିର ଠଂ ଠଂ ଶବ୍ଦ ହେଉଥିଲା ଏବଂ ସ୍ପ୍ରିଙ୍ଗ ଘୂରିଯିବା ବେଳେ ସାମାନ୍ୟ ଘର୍ ଘର୍ ଶବ୍ଦ କରୁଥିଲା ? ଏବଂ ସେ ଏତେ ଦୂର ଅସ୍ଵସ୍ତି ଅନୁଭବ କରୁଥିଲେ ଯେ, ଘଣ୍ଟା ଶବ୍ଦ ପରେ କେତେ ସେକେଣ୍ଡ ମୁହଁ ମେଲା କରି ତାଙ୍କୁ ନିଶ୍ୱାସ ନେବାକୁ ପଡ଼ୁଥିଲା । ପରିସ୍ଥିତିର ସମ୍ଭାବନା ପାଇଁ ସେ ନିଜ ସହିତ ବୁଝାମଣା କରିବାକୁ ଲାଗିଲେ ।

 

“ମୁଁ କାହାକୁ ଭୟ କରୁଛି ?”

 

ନା, ଶେଷ ପର୍ଯ୍ୟନ୍ତ ଅନୁସରଣ କରିବା ପାଇଁ ସେ ଯେତେବେଳେ ସିଦ୍ଧାନ୍ତ କରି ସାରିଛନ୍ତି ଏବଂ ବିନା ଗ୍ଳାନିରେ ଲଢ଼ିବା ପାଇଁ ସେ ଯେତେବେଳେ ସଂକଳ୍ପ କରି ସାରିଛନ୍ତି; ତାଙ୍କର ନିଶ୍ଚୟ ଭୟ କରିବା ଉଚିତ୍ ନୁହେଁ । କିନ୍ତୁ ସେ ନିଜେ ଏତେ ଅସ୍ଵସ୍ତି ଅନୁଭବ କରୁଥିଲେ ଯେ ସେ ନିଜକୁ ପଚାରିଲେ :

 

“ଏହା କଣ ହୋଇପାରେ ଯେ ନିଜେ ଥିବା ସତ୍ତ୍ଵେ ମୁଁ ଭୟ କରୁଛି !”

 

ଏବଂ ଏହି ସନ୍ଦେହ ତାଙ୍କୁ ଆକ୍ରମଣ କଲା । ଏହି ଉତ୍କଣ୍ଠା, ଏହି ଆଶଙ୍କା; ତାଙ୍କ ଇଚ୍ଛା ଅପେକ୍ଷା ଏକ ଅଦମ୍ୟ ପ୍ରବଳ କ୍ଷମତାଶାଳୀ ଶକ୍ତି ଯଦି ତାଙ୍କୁ ଜୟ କରିଥାଏ, ତେବେ ତାଙ୍କର କଣ ହେବ ? ହଁ, କଣ ଘଟିବ ? ସେଠାକୁ ଯିବାକୁ ଇଚ୍ଛା କଲେ, ସେ ନିଶ୍ଚୟ ମାଟି ଉପରେ ଚାଲିଯାଇ ପାରିବେ । କିନ୍ତୁ ଯଦି ସେ ଥରନ୍ତି ? ଏବଂ ଯଦି ତାଙ୍କର ସଂଜ୍ଞା ଲୋପ ପାଏ ? ଏବଂ ସେ ତାଙ୍କର ସ୍ଥିତି, ତାଙ୍କର ଖ୍ୟାତି, ତାଙ୍କର ନାମ ବିଷୟ ଭାବିଲେ ।

 

ଏବଂ ଉଠିପଡ଼ି ଦର୍ପଣରେ ନିଜକୁ ଦେଖିନେବା ପାଇଁ ଏକ ଐକିକ ଆକାଙ୍‍କ୍ଷା ତାଙ୍କୁ ଅଧିକାର କଲା । ପୁଣି ସେ ତାଙ୍କର ବତି ଲଗାଇଲେ । ମସୃଣ ଦର୍ପଣରେ ନିଜର ବଦନ ପ୍ରତିଫଳିତ ହେବାର ଦେଖିବା ମାତ୍ରେ, ସେ ନିଜକୁ ପ୍ରାୟ ଚିହ୍ନି ପାରିଲେ ନାହିଁ ଏବଂ ପୂର୍ବରୁ କେବେ ହେଲେ ଦେଖି ନ ଥିବା ଭଳି ସେ ବୋଧ କଲେ । ତାଙ୍କ ଆଖିଗୁଡ଼ିକ ବିଶାଳ ଦେଖାଗଲା; ସେ ମଳିନ ହୋଇ ଯାଇଥିଲେ ନିଶ୍ଚୟ । ସେ ମଳିନ, ଅତି ମଳିନ ପଡ଼ିଗଲେ । ସେ ଦର୍ପଣ ଆଗରେ ଠିଆ ହୋଇ ରହିଲେ । ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବା ପରି ସେ ନିଜର ଜିଭ ବାହାର କଲେ ଏବଂ ହଠାତ୍ ବନ୍ଧୁକର ଗୁଳି ପରି ଏହି ଚିନ୍ତା ତାଙ୍କ ମଥାରେ ପ୍ରବେଶ କଲା ।

 

“ପହରି ଦିନ ଏହି ସମୟରେ, ମୁଁ ବୋଧହୁଏ ମରି ଯାଇଥିବି ।”

 

ଏବଂ ତାଙ୍କ ହୃଦୟ ଦ୍ରୁତ ଭାବରେ ଆଘାତ କରିବାକୁ ଲାଗିଲା ।

 

“ପହରି ଦିନ ଏହି ସମୟରେ, ମୁଁ ବୋଧହୁଏ ମରି ଯାଇଥିବି । ମୋ ସାମନାରେ ଏହି ଯେଉଁ ବ୍ୟକ୍ତିଟି ଠିଆ ହୋଇଛି, ଯେଉଁ ବ୍ୟକ୍ତିକୁ ଏହି ଦର୍ପଣରେ ମୁଁ ବହୁବାର ଦେଖଛି, ଆଉ ଜୀଇଁ ରହି ନ ଥିବ । ଏହା କିପରି ହେବ ! ମୁଁ ଏଠାରେ ଅଛି, ନିଜକୁ ଦେଖୁଛି, ଜୀଇଛି ବୋଲି ମୁଁ ଅନୁଭବ କରୁଛି ଏବଂ ଚବିଶ ଘଣ୍ଟା ଭିତରେ ସେହି ଖଟ ଉପରେ ମୋତେ ଶୁଆଇ ଦିଆଯିବ, ମୃତ, ମୁଦ୍ରିତ ଚକ୍ଷୁ, ଶୀତଳ, ଅଚେତନ, ପରିତ୍ୟକ୍ତ ।”

 

ସେ ବିଛଣା ଆଡ଼କୁ ଅନାଇଲେ ଏବଂ ଯେଉଁ ପୋଷାକ ପିନ୍ଧି ବାହାରି ଯାଇଥିଲେ ସେହି ପୋଷାକ ପିନ୍ଧି ନିଜେ ଚିତ୍ ହୋଇ ଶୋଇ ଥିବାର ସେ ପରିଷ୍କାର ଦେଖି ପାରିଲେ । ତାଙ୍କ ବଦନ ମଣ୍ଡଳରେ ମୃତ୍ୟୁର ରେଖା ପଡ଼ି ଯାଇଥିଲା ଏବଂ ହାତ ଏତେ ଶକ୍ତ ହୋଇ ଯାଇଥିଲା ଯେ ତାହା ଆଉ ଯେମିତି ହଲଚଲ ହେବ ନାହିଁ ।

 

ତା ପରେ ତାଙ୍କ ବିଛଣାର ଭୟ ତାଙ୍କୁ ମାଡ଼ି ବସିଲା ଏବଂ ତାହା ଆଉ ନ ଦେଖିବା ପାଇଁ ସେ ଧୂମପାନ କୋଠାରୀକୁ ଚାଲିଗଲେ । ଯନ୍ତ୍ରଚାଳିତ ପରି ସେ ଗୋଟିଏ ସିଗାରେଟ ବାହାର କଲେ, ନିଆଁ ଧରାଇଲେ ଏବଂ ଟହଲ ମାରିବାକୁ ଲାଗିଲେ । ତାଙ୍କୁ ଶୀତ ଲାଗିଲା । ଚାକରକୁ ଉଠାଇବା ପାଇଁ ସେ ଘଣ୍ଟି ପାଖକୁ ଚାଲିଗଲେ; କିନ୍ତୁ ଦଉଡ଼ି ଉପରେ ହାତ ଦେଇ ସେ ରହିଗଲେ ।

 

“ଏହି ଲୋକଟି ହଠାତ୍ ଜାଣି ପାରିବ ଯେ ମୁଁ ଭୟ ପାଇଛି ।”

 

ସେ ଘଣ୍ଟି ବଜାଇଲେ ନାହିଁ, କିନ୍ତୁ ନିଆଁ ଲଗାଇଲେ ଯେ କୌଣସି ପଦାର୍ଥ ସ୍ପର୍ଶ କଲେ ଦୁର୍ବଳ କମ୍ପନ ହେତୁ ତାଙ୍କ ହାତ ଟିକିଏ ଥରି ଯାଉଥିଲା । ତାଙ୍କ ମନ ଅସ୍ଥିର ହୋଇଗଲା; ଯନ୍ତ୍ରଣା ହେତୁ ତାଙ୍କ ଚିନ୍ତାଗୁଡ଼ିକ ଭୟାଳୁ, ଦ୍ରୁତ, ବିମର୍ଷ ହୋଇ ପଡ଼ିଲେ, ମାତାଲ ହେଲା ଭଳି ଏକ ଉନ୍ନତ୍ତତା ତାଙ୍କ ମନକୁ ଗ୍ରାସ କରି ପକାଇଲା ଏବଂ ସେ ବାରମ୍ଵାର ପଚାରିଲେ ।

 

“ମୁଁ କ’ଣ କରିବାକୁ ଯାଉଛି ? ମୋର ବା କଣ ହେବାକୁ ଯାଉଛି ?”

 

ତାଙ୍କର ସାରା ଶରୀର ଆନ୍ଦୋଳିତ ହେଉଥିଲା, ତା ପରେ ଥରି ଉଠିଲା ଏବଂ କମ୍ପିଲା; ସେ ଉଠିଲେ ଏବଂ ପରଦା ଆଡ଼େଇ, ଝରକା ପାଖକୁ ଗଲେ ।

 

ସକାଳ ହୋଇ ଗଲାଣି, ଖରା ଦିନ । ଗୋଲାପୀ ରଙ୍ଗିଆ ଆକାଶ ସହରର କାନ୍ଥ ଓ ଛାତ ଗୋଲାପୀ କରିଦେଲା । ଉଦୀୟାନ ସୂର୍ଯ୍ୟର ଆଶ୍ଳେଷ ପରି, ଆଲୋକର ଏକ ବିରାଟ ଉତ୍ସ ଖେଳିଗଲା, ଜାଗ୍ରତ ପୃଥିବୀକୁ ଢାଙ୍କି ପକାଇଲା ଏବଂ ଏହି ଆଲୋକରେ, ଏକ ଉଜ୍ଜ୍ଵଳ, କ୍ଷିପ୍ତ, ନୃଶଂସ ଆଶା ଭାଇକାଉଣ୍ଟଙ୍କର ହୃଦୟ ଆକ୍ରମଣ କଲା । କିଛି ସ୍ଥିର ହେବା ପୂର୍ବରୁ, ତାଙ୍କର ସାକ୍ଷୀମାନେ ଜର୍ଜ ଲାମିଲଙ୍କୁ ଦେଖିବା ପୂର୍ବରୁ, ଏପରି କି ସେ ଦ୍ୱନ୍ଦ୍ୱ ଯୁଦ୍ଧ କରିବାକୁ ଯାଉଛନ୍ତି କି ନାହିଁ ଜାଣିବା ପୂର୍ବରୁ, ଭୟରେ ନିଜକୁ ଏପରି ଭାଙ୍ଗି ପଚିବାକୁ ଦେବା ତାଙ୍କର ଭାରୀ ବୋକାମୀ ଥିଲା ।

 

ସେ ରୂପ ପ୍ରସାଧନ କଲେ, ପୋଷାକ ପରିଧାନ କଲେ ଏବଂ ଦ୍ରୁତ ପଦକ୍ଷେପରେ ବାହାରିଗଲେ ।

 

ଚାଲିଲା ବେଳେ, ସେ ବାରମ୍ଵାର ଉଚ୍ଚାରଣ କଲେ ।

 

“ମୋର ବର୍ତ୍ତମାନ ସତେଜ ରହିବା ଆବଶ୍ୟକ, ଖୁବ୍ ସତେଜ । ମୁଁ ଅବଶ୍ୟ ପ୍ରମାଣ କରିବି ଯେ ମୁଁ ଭୀତ ନୁହେଁ ।”

 

ତାଙ୍କର ସାକ୍ଷୀମାନେ, ମାରକୁଇସ ଓ କଲୋନେଲ, ତାଙ୍କ ଅଧୀନରେ ରହିଲେ ଏବଂ ତାଙ୍କ ସହିତ ଫୁର୍ତ୍ତିରେ କରମର୍ଦ୍ଦନ କରି ସର୍ତ୍ତସବୁ ଆଲୋଚନା କଲେ । କଲୋନେଲ ପଚାରିଲେ:

 

“ତୁମେ କଣ ଏହା ଗୋଟିଏ ସାଙ୍ଘାତିକ ଦ୍ୱନ୍ଦ୍ୱ ଯୁଦ୍ଧ ହେବାକୁ ଚାହଁ ?”

 

ଭାଇକାଉଣ୍ଟ ଉତ୍ତର ଦେଲେ, “ଖୁବ୍ ସାଙ୍ଘାତିକ ।”

 

ମାରକୁଇସ ପୁଣି ପଚାଇଲେ, “ତୁମେ କଣ ପିସ୍ତଲ ବ୍ୟବହାର କରିବ ?”

 

“ହଁ ।”

 

“ଆମେ ଆଉସବୁ ଠିକ୍ କରିଦେବୁ । ତୁମେ ନିଶ୍ଚିତ ରୁହ ।”

 

ଭାଇକାଉଣ୍ଟ ଶୁଖିଲା, ଭଙ୍ଗା କଣ୍ଠରେ ପ୍ରକାଶ କଲେ :

 

“କୋଡ଼ିଏ ପାଦ ଦୂରତ୍ଵ ଏବଂ ବାହୁ ତଳକୁ କରିବା ପରିବର୍ତ୍ତେ ଉପରକୁ ଟେକା ହେବ । ଜଣେ ଗୁରୁତର ଭାବରେ ଆଘାତ ନ ପାଇବା ଯାଏ ଗୁଳି ଚାଲିବ ।”

 

ପରିତୃପ୍ତ ସ୍ୱରରେ, କଲୋନେଲ ବ୍ୟକ୍ତ କରେ :

 

“ଏସବୁ ତ ଚମତ୍କାର ସର୍ତ୍ତ । ତୁମେ ଉତ୍ତମ ଗୁଳି ଚାଳନା କର, ସବୁ ଆଶା ତୁମ ସପକ୍ଷରେ ରହିବ ।”

 

ସେମାନେ ବିଦାୟ ନେଲେ । ସେମାନଙ୍କୁ ଅପେକ୍ଷା କରିବା ପାଇଁ ଭାଇକାଉଣ୍ଟ ଘରକୁ ଫେରି ଆସିଲେ । ତାଙ୍କର ଉତ୍ତେଜନା ମୁହୂର୍ତ୍ତକ ପାଇଁ କମି ଯାଇଥିଲା, ବର୍ତ୍ତମାନ ବେଳକୁ ବେଳ ବଢ଼ିଲା । ତାଙ୍କର ହାତ, ଗୋଡ଼ ଓ ଛାତିରେ ସେ ଏକ ପ୍ରକାର କମ୍ପନ, ସ୍ଥାୟୀ ଆନ୍ଦୋଳନ ଅନୁଭବ କଲେ, ସେ ସ୍ଥିର ହୋଇ ବସି କିମ୍ଵା ଠିଆ ହୋଇ ରହି ପାରିଲେ ନାହିଁ । ପାଟିରେ ଆଉ ଲାଳ ଦେଖା ଯାଉ ନ ଥିଲା ଏବଂ ପ୍ରତି ମୁହୂର୍ତ୍ତରେ ସେ ଜିଭରେ ଶବ୍ଦ କରୁଥିଲେ, ଯେପରି କି ଉପର ପାଟିରୁ ତାହା ପୋଛି ଆଣୁଥିଲେ ।

 

ସେ ଜଳଖିଆ ଖାଇବାକୁ ବସିଲେ, କିନ୍ତୁ ଖାଇ ପାରିଲେ ନାହିଁ । ତାପରେ ସାହସ ସଞ୍ଚୟ କରିବା ପାଇଁ ସେ ମଦ ପିଇବାକୁ ଭାବିଲେ ଏବଂ ଗୋଟାଏ ଛୋଟ ମଦ ବୋତଲ କାଢ଼ି ଆଣିଲେ, ଗୋଟିକ ପରେ ଗୋଟିଏ ଛଅଟି ଗ୍ଲାସରେ ତାକୁ ନିଃଶେଷ କରିଦେଲେ ।

 

ଠିକ୍ ଆତ୍ମାର ନିଷ୍କ୍ରୀୟତା ପରେ, ଜଳନ୍ତା ନିଆଁ ପରି ଏକ ଉତ୍ତାପ ତାଙ୍କୁ ଆକ୍ରମଣ କଲା-। ସେ ଭାବିଲେ :

 

“ମୁଁ ପ୍ରତିକାର ସ୍ଥିର କରିଛି । ବର୍ତ୍ତମାନ ସବୁ ଠିକ୍ ହୋଇଯିବ ।’’

 

କିନ୍ତୁ ଘଣ୍ଟାକ ପରେ ସେ ବୋତଲ ଖାଲି କରିଦେଲେ ଏବଂ ତାଙ୍କର ଉତ୍ତେଜକ ଅବସ୍ଥା ଅସହ୍ୟ ହୋଇ ପଡ଼ିଲା । ଭୂଇଁରେ ଗଡ଼ିବା ପାଇଁ, ଚିତ୍କାର କରିବା ପାଇଁ ଏବଂ କାମୁଡ଼ିବା ପାଇଁ ସେ ଗୋଟିଏ ନିର୍ବୋଧ ଉଦ୍‍ବେଗ ଅନୁଭବ କଲେ । ତାପରେ ରାତି ମାଡ଼ି ଆସିଲା ।

 

ଘଣ୍ଟାର ଗୋଟିଏ ପାହାର ତାଙ୍କୁ ଏତେ ଦୂର ବିଚଳିତ କରି ପକାଇଲା ଯେ, ସାକ୍ଷୀମାନଙ୍କୁ ଯାଇ ପାଛୋଟି ଆଣିବା ପାଇଁ ତାଙ୍କର ଯଥେଷ୍ଟ ଶକ୍ତି ନ ଥିଲା । ସେମାନେ ତାଙ୍କ ସ୍ଵରରେ ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ । ଏହି ଭୟରେ “ଶୁଭ ସନ୍ଧ୍ୟା’’ ଜ୍ଞାପନ କରିବାପାଇଁ, ଏପରିକି ଗୋଟିଏ ମାତ୍ର ଶବ୍ଦ ଉଚ୍ଚାରଣ କରିବା ପାଇଁ, ତାଙ୍କର ସାହସ ନ ଥିଲା ।

 

କଲୋନେଲ ଜଣାଇଲେ :

 

“ତୁମ୍ଭର ମନୋମତ ସର୍ତ୍ତ ଅନୁସାରେ ସବୁ ବ୍ୟବସ୍ଥା ହୋଇଛି । ତୁମ୍ଭର ପ୍ରତିଦ୍ଵନ୍ଦୀ ଅପମାନିତର ସୁବିଧା ଦାବୀ କରୁଥିଲା, କିନ୍ତୁ ସେ ଶୀଘ୍ର ନଇଁ ପଡ଼ିଲା ଏବଂ ସବୁ ଗ୍ରହଣ କରିଗଲା-। ତାହାର ସାକ୍ଷୀ ଦୁଇ ଜଣ ମିଲିଟାରୀ ଲୋକ ।’’

 

ଭାଇକାଉଣ୍ଟ ଉଚ୍ଚାରଣ କଲେ :

 

“ଧନ୍ୟବାଦ ।’’

 

ମାରକୁଇସ ପୁଣି କହିଲେ,

 

“ଆମେ ଆସୁଛୁ ଏବଂ ଯାଉଛୁ ବୋଲି ଆମକୁ ମାଫ୍ କରିବେ, କାରଣ ଆମର ଆହୁରି ହଜାରେ କଥା କରିବାର ଅଛି । ଗୁରୁତର କ୍ଷତ ପରେ ଯୁଦ୍ଧ ବନ୍ଦ ହେବା ହେତୁ, ଜଣେ ଭଲ ଡାକ୍ତର ଲୋଡ଼ା ହେବ ଏବଂ ତୁମେ ତ ଜାଣ ଯେ, ଗୁଳି କିଛି ସାମାନ୍ୟ କଥା ନୁହେଁ । ତା ପରେ କୌଣସି ଘର ପାଖରେ, ଗୋଟିଏ ସ୍ଥାନ ଆଗରୁ ଖୋଜି ବାହାର କରିବାକୁ ହେବ ଦରକାର ପଡ଼ିଲେ, ଆମେ ଆହତ ଲୋକକୁ ସେଠାକୁ ନେଇଯାଇ ପାରିବା ଇତ୍ୟାଦି, ଇତ୍ୟାଦି; ଶେଷରେ ଏସବୁ ପାଇଁ ଆମ ହାତରେ ଦୁଇ ତିନି ଘଣ୍ଟା ମାତ୍ର ସମୟ ଅଛି ।’’

 

ଦ୍ୱିତୀୟ ଥର ପାଇଁ, ଭାଇକାଉଣ୍ଟ ଉଚ୍ଚାରଣ କଲେ :

 

“ଧନ୍ୟବାଦ ।’’

 

କଲୋନେଲ ପଚାରିଲେ :

 

“ତୁମେ କିପରି ଅଛ ? ଶାନ୍ତ ତ ?’’

 

“ହଁ, ଖୁବ୍ ଶାନ୍ତ, ତୁମକୁ ଧନ୍ୟବାଦ ।’’

 

ତା ପରେ ଦୁଇ ଜଣ ଚାଲିଗଲେ ।

 

ସେ ଯେତେବେଳେ ନିଜକୁ ପୁଣି ଏକୁଟିଆ ପାଇଲେ, ସେ ନିଜକୁ ପାଗଳ ବୋଲି ବୋଧ କଲେ । ତାଙ୍କର ଚାକର ଆଲୁଅ ଲଗାଇ ଦେଇଗଲା, କେତେକ ଚିଠି ଲେଖିବା ପାଇଁ ସେ ଟେବୁଲ ଆଗରେ ବସିଲେ । ଖଣ୍ଡିଏ କାଗଜର ଉପରି ଭାଗରେ “ଏହା ମୋର ଦଲିଲ”–ଲେଖି ସାରି, ସେ ଥରିଯାଇ ଉଠି ପଡ଼ିଲେ ଏବଂ ତାକୁ ନିଜ ପାଖରୁ ଠେଲି ଦେଲେ, ଦୁଇଟି କଥା ଭାବିବା କିମ୍ବା କଣ କରିବାକୁ ହେବ ଦୃଢ଼ ସିଦ୍ଧାନ୍ତ କରିବା ପାଇଁ ସେ ନିଜକୁ ଅସାମର୍ଥ୍ୟ ଅନୁଭବ କରୁଥିଲେ-

 

ତାହା ହେଲେ ସେ ଗୋଟିଏ ଦ୍ଵନ୍ଦ୍ୱ ଯୁଦ୍ଧ କରିବା ପାଇଁ ଯାଉଥିଲେ ! ସେଥିରୁ ତ୍ରାହି ପାଇବାର ଆଉ ଉପାୟ ନ ଥିଲା । କିପରି ସେ ଏହା କରି ପାରିବେ ? ସେ ଯୁଦ୍ଧ କରିବା ପାଇଁ ଇଚ୍ଛା କରୁଥିଲେ, ଏହା ତାଙ୍କର ଉଦ୍ଦେଶ୍ୟ ଏବଂ ସେଥିପାଇଁ ବି ଦୃଢ଼ ପ୍ରତିଜ୍ଞା, ଏବଂ ତଥାପି, ସେ ଅନୁଭବ କଲେ, ଯେ ତାଙ୍କ ମନର ସମସ୍ତ ଚେଷ୍ଟା ଓ ଇଚ୍ଛାର ସମସ୍ତ ପ୍ରାବଲ୍ୟ ସତ୍ତ୍ୱେ, ସାକ୍ଷାତ ସ୍ଥଳୀକୁ ଯିବା ପାଇଁ ଆବଶ୍ୟକୀୟ ଶକ୍ତି ସୁଦ୍ଧା ସେ ସଞ୍ଚୟ କରି ପାରିବେ ନାହିଁ । ଯୁଦ୍ଧ, ନିଜର ଢଙ୍ଗ ଢାଙ୍ଗ, ଏବଂ ତାଙ୍କ ପ୍ରତିଦ୍ଵନ୍ଦୀର ଅବସ୍ଥିତି ବିଷୟ ସେ କଳ୍ପନା କରିବାକୁ ଚେଷ୍ଟା କଲେ ।

 

ସମୟ ସମୟରେ, ପାଟି ଭିତରେ ତାଙ୍କ ଦାନ୍ତସବୁ ଟିକିଏ ଶକ୍ତ ଶବ୍ଦ କରି ଥରୁଥିଲା । ସେ ପଢ଼ିବାକୁ ଚେଷ୍ଟା କଲେ ଏବଂ ଦ୍ଵନ୍ଦ୍ୱ ଯୁଦ୍ଧର ଚେଟୁଭିଲାର୍ଡ଼ ଆଇନ ଟିପି ନେଲେ । ତା ପରେ ସେ ନିଜକୁ ପଚାରିଲେ–“ମୋ ପ୍ରତିଦ୍ଵନ୍ଦୀ କଣ ଅନେକ ସମୟରେ ଯୁଦ୍ଧ କରିଛି ? ସେ କଣ ପରିଚିତ ? ସେ କଣ ପାରଙ୍ଗମ ? କିପରି ବା ମୁଁ ଜାଣିବି ?”

 

ପିସ୍ତଲରେ ଧୁରନ୍ଧର ବ୍ୟକ୍ତିମାନଙ୍କ ବିଷୟରେ ବେରନ ଡି ଭକ୍‍ସଙ୍କର ବହି କଥା ତାଙ୍କର ସ୍ମରଣ ହେଲା, ଏବଂ ସେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ତାକୁ ଓଲଟାଇଗଲେ । ଜର୍ଜ ଲାମିଲ ଉଲ୍ଲେଖ ନ ଥିଲା । ତଥାପି, ଯଦି ଏହି ଲୋକଟି ଧୁରନ୍ଧର ହୋଇ ନ ଥାନ୍ତା, ସେ ତତକ୍ଷଣାତ ଏହି ଭୟଙ୍କର ଅସ୍ତ୍ର ଓ ସାଙ୍ଘାତିକ ସର୍ତ୍ତସବୁ ଗ୍ରହଣ କରି ନ ଥାନ୍ତା ।

 

ଯାଉଁ ଯାଉଁ, ଛୋଟ ଷ୍ଟାଣ୍ଡରେ ରଖାଯାଇ ଥିବା ଗ୍ୟାସଟିନ ରାନେଟ୍‍ସର ଗୋଟିଏ ବାକ୍‍ସ ଖୋଲିଲେ, ଗୋଟିଏ ପିସ୍ତଲ କାଢ଼ିଲେ, ଫୁଟାଇବା ଅବସ୍ଥାରେ ତାହା ଧରିଲେ, ଏବଂ ତାଙ୍କ ବାହୁ ଉଠାଇଲେ । କିନ୍ତୁ ତାଳୁରୁ ତଳିପା ଯାଏ ସେ ଥରିଲେ ଏବଂ ବନ୍ଧୁକଟି ତାଙ୍କର ବୁଦ୍ଧି ବୃତ୍ତି ଲୋପ କରି ଦେଲା ।

 

ତା ପରେ ସେ କହିଲେ, “ଏହା ଅସମ୍ଭବ । ଏହି ଅବସ୍ଥାରେ ମୁଁ ଯୁଦ୍ଧ କରି ନ ପାରେ ।”

 

ନଳୀର ମୁଣ୍ଡ ଆଡ଼େ, ସେହି ମୃତ୍ୟୁବାହୀ, କ୍ଷୁଦ୍ର କଳା ଗହିରିଆ ଛିଦ୍ର ଆଡ଼େ, ସେ ଚାହିଁଲେ, ଏବଂ ନିନ୍ଦା, ତାଙ୍କ ମହଲରେ ଫୁସଫୁସ କଥାବାର୍ତ୍ତା, ବୈଠକଖାନାମାନଙ୍କରେ ଥଟା, ମହିଳାମାନଙ୍କର ତିରସ୍କାର, ପତ୍ରିକାମାନଙ୍କର କଟାକ୍ଷ, ଭୀରୁମାନଙ୍କର ତାଙ୍କ ପ୍ରତି ଅପମାନ ବିଷୟ ସେ ଭାବିଲେ ।

 

ସେ ଅସ୍ତ୍ରଟି ପରୀକ୍ଷା କରିବାକୁ ଲାଗିଲେ, ଏବଂ ଘୋଡ଼ା ଟେକି, ସେ ହଠାତ୍ ଦେଖିଲେ ଗୋଟିଏ ଗୁଳି ଛୋଟ ନାଲି ଶିଖା ଭଳି ତା ଭିତରେ ଜଳୁଛି । ସେତେବେଳେ ପିସ୍ତଲରେ ଗୁଳି ଭର୍ତ୍ତି ହୋଇଥିଲା, ଭୁଲରେ ଏବଂ ସେ ଏହି ଆବିଷ୍କାରରେ ଏକ ବିଶୃଙ୍ଖଳ, ଦୁର୍ବୋଧ୍ୟ ଆନନ୍ଦ ଅନୁଭବ କଲେ ।

 

ଯଦି ଅନ୍ୟ ଲୋକଟି ସାମନାରେ ତାଙ୍କର ଶାନ୍ତ, ଉଦାର, ଧୈର୍ଯ୍ୟ ଯାହା ତାଙ୍କର ରହିବା ଉଚିତ, ନ ରହେ, ସେ ଚିର ଦିନ ପାଇଁ ହାରିଯିବେ । ସେ ଚିହ୍ନା ପଡ଼ିଯିବେ, ଅସମ୍ମାନର ସଂଜ୍ଞା ପରିଧାନ କରିବେ, ପୃଥିବୀରୁ ବହିଷ୍କୃତ ହେବେ । ଏବଂ ଏହି ଶାନ୍ତ, ଶୌର୍ଯ୍ୟ ଆକୃତି ତାଙ୍କର ରହିବ ନାହିଁ, ଏହା ସେ ଜାଣିଥିଲେ, ସେ ଅନୁଭବ କରିଥିଲେ । ଯାହା ହେଉ, ଯୁଦ୍ଧ କରିବାକୁ ଚାହୁଁଥିବାରୁ, ସେ ସାହସୀ ଥିଲେ । ସେ ବୀର ଥିଲେ, ଯେହେତୁ...ତାଙ୍କର ପ୍ରକାଶୋନ୍ମୁଖୀ ଚିନ୍ତା ରୂପ ଧାରଣ କଲା ନାହିଁ, ଏପରିକି ତାଙ୍କର ନିଜ ମନ ଭିତରେ; କାରଣ, ତାଙ୍କର ମୁହଁ ମେଲା କରି ସେ ତାଙ୍କର ପିସ୍ତଲର ନଳିଟି ତାଙ୍କ ତଣ୍ଟି ଭିତରେ ପୂରାଇଦେଲେ ଏବଂ ଘୋଡ଼ା ଟିପି ଦେଲେ... ।

 

ଯେତେବେଳେ ତାଙ୍କର ଚାକର, ଶବ୍ଦ ଶୁଣି, ତାଙ୍କ କତିକି ଦୌଡ଼ି ଆସିଲା, ତାଙ୍କୁ ଚିତ୍ ହୋଇ ମରି ପଡ଼ିଥିବାର ଦେଖିଲା, ଟେବୁଲ ଉପରେ ଥିବା ଧଳା କାଗଜ ଉପରେ ରକ୍ତର ଗୋଟିଏ ଧାରା ଛିଟିକି ପଡ଼ିଥିଲା ଏବଂ ଏହି ଚାରୋଟି ଶବ୍ଦ ଉପରେ ଗୋଟିଏ ବଡ଼ ନାଲି ଚିହ୍ନ ଆଙ୍କି ଦେଇଥିଲା:

 

“ଏହା ମୋର ଦଲିଲ୍ ଅଟେ ।”

 

–ଗ୍ୟ ଦି ମୋପାସାଁ

☆☆☆

 

ଲତିଫା

“ଲତିଫାର ଚକ୍ଷୁ ନ ଦେଖିଥିଲେ ଚକ୍ଷୁ କେତେ ସୁନ୍ଦର ହୋଇପାରେ ତାହା ଜଣାଯାଏ ନାହିଁ ।” ଏହି କଥା ମୁଁ ଯେତେବେଳେ କହୁଥିଲି, ସେତେବେଳେ ମୁଁ ଥିଲି ଛୋଟ ପିଲା–ଆଉ ଲତିଫା ଥିଲା ଗୋଟିଏ ଛୋଟ ଆରବ ବାଳିକା–ସେତେବେଳେ ଶିଶୁ କହିଲେ ଚଳେ ।

 

ତାପରେ ଏତେ ଗୁଡ଼ାଏ ବର୍ଷ ଚାଲି ଯାଇଛି–ମୁଁ ଆଜି ବି ଏହି କଥା କହୁଛି ।

 

ସମୟଟା ଥିଲା ଜାନୁଆରୀ ମାସ, ବର୍ଷା କାଳ । ମୁଁ ଦଳେ ଆରବଙ୍କ ସଙ୍ଗରେ କ୍ଷେତରେ ଥିଲି–ସେମାନେ ଆମର ପ୍ରଥମ ଅଙ୍ଗୁର କ୍ଷେତ ତିଆରି କରୁଥିଲେ । ମୋ ମନରେ ଥିଲା ଉତ୍ସବର ଆନନ୍ଦ ମୋର ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟରେ ବି ଥିଲା ତାର ଆଭାସ । ଦିନଟା ଥିଲା ସୁନ୍ଦର, ଉଜ୍ଜ୍ଵଳ । ବାୟୁ ଥିଲା ପରିଷ୍କାର, ମୃଦୁ, ଈଷଦୁଷ୍ଣ ଏବଂ ଶକ୍ତିପଦ । ପୂର୍ବ ଦିଗରେ ଦଣ୍ଡାୟମାନ ସୂର୍ଯ୍ୟଙ୍କ ଠାରୁ ସବୁ ଜିନିଷ ଉପରେ ଝଡ଼ି ପଡ଼ିଥିଲା ଗୋଟିଏ ପ୍ରାତଃକାଳୀନ ରକ୍ତାଭ ଦ୍ୟୁତି । ନିଶ୍ୱାସ ଗ୍ରହଣ କରି ଫୁସଫୁସକୁ ପୂର୍ଣ୍ଣ ମାତ୍ରାରେ ଭରି ଦେଇ ଆନନ୍ଦ ମିଳୁଥିଲା । ଚତୁର୍ଦ୍ଦିଗରେ ସବୁ କିଛି ଥିଲା ସବୁଜ ଏବଂ ଅକର୍ଷିତ ପାହାଡ଼ ଉପରେ ଲାବଣ୍ୟମୟ ସୁନ୍ଦର ବନ୍ୟ ଫୁଲଗୁଡ଼ିକ ଦୋହଲୁଥିଲା ।

 

ଇଟା ଏବଂ ‘ଇଞ୍ଜିଳ’ ପରିଷ୍କାରକାରିଣୀ ଆରବ ବାଳିକାଙ୍କ ମଧ୍ୟରେ ମୁଁ ଗୋଟିଏ ନୂତନ ମୁଖ ଦେଖିଲି । ସେ ମୁଖଟି ଗୋଟିଏ ଚଉଦ ବର୍ଷ ବୟସର ସଜୀବ ସତେଜ କିଶୋରୀର–ତାହାର ପରିଧାନ ନୀଳ ପୋଷାକ । ଗୋଟିଏ ସାଦା ଓଡ଼ିଶାର ପ୍ରାନ୍ତ ଦ୍ୱାରା ତାହାର ମୁଖଟି ଢଙ୍କା, ଆଉ ଅପର ପ୍ରାନ୍ତଟି ପଡ଼ିଛି ତାହାର କାନ୍ଧରେ ।

 

ମୁଁ ଲେଖି ରଖିବା ଉଦ୍ଦେଶ୍ୟରେ ତାକୁ ପଚାରିଲି, “ତୋର ନାମ କଣ ?”

 

ସୁନ୍ଦରୀ ଲଜ୍ଜାଶୀଳା ବାଳିକାଟି ନିଜର ଛୋଟ ମୁହଁଟି ମୋ ଆଡ଼କୁ ଫେରାଇଲା, ଆଉ ତାହାର କଳା ଚକ୍ଷୁ ଦୁଇଟି ଚକ୍ ଚକ୍ କରି ଉଠିଲା ।

 

“ଲତିଫା ।”

 

ତାହାର ଚକ୍ଷୁ ଦୁଇଟି ଥିଲା ସୁନ୍ଦର–ବଡ଼, କଳା ଏବଂ ଦ୍ୟୁତିମୟ । ଚକ୍ଷୁର ମଣି ଦୁଇଟି ସୁଖ ଓ ଜୀବନର ଆନନ୍ଦରେ ଟଳମଳ ହେଉଥିଲା ।

 

“ଶେଖ୍ ସେ ରାବଜୀର ଝିଅ”, କହିଲା ଆତାଲା ନାମରେ ଜଣେ ତରୁଣ ଆରବ । ସେ ସେହି ମୁହୂର୍ତ୍ତରେ ଗୋଟିଏ ବଡ଼ ପଥର ଘୁଞ୍ଚାଉଥିଲା । ସେ ଯେପରି ବର୍ତ୍ତମାନ କଥାଗୁଡ଼ାକ ପବନରେ ଫିଙ୍ଗି ଦେଲା ।

 

“ସୁନ୍ଦର ଗ୍ରୀଷ୍ମ ରାତିରେ ଠିକ୍ ଦୁଇଟି ତାରା ପରି”....ଆତଲା ଦୁଷ୍ଟ ଚକ୍ଷୁରେ ମୋ ଆଡ଼କୁ ଚାହିଁ ଚାହିଁ ତାହାର ସୁନ୍ଦର ଦୃଢ଼ କଣ୍ଠରେ ଗୀତ ଗାଇବାକୁ ଲାଗିଲା ।

 

ସେହି ଦିନ ଠାରୁ ମୋର କାମରେ ଦେଖା ଦେଲା ନୂଆ ଆଗ୍ରହ । ଯେତେବେଳେ ନିଜକୁ କ୍ଳାନ୍ତ ବା ବିଷଣ୍ଣ ମନେ ହୁଏ, ସେତେବେଳେ ମୁଁ ଚାହିଁ ଦିଏ ଲତିଫା ଆଡ଼େ; ମେଜିକର ଯାଦୁ ସ୍ପର୍ଶ ଲାଗି ଯେପରି ସଙ୍ଗେ ସଙ୍ଗେ ମୋର ବିଷର୍ଣ୍ଣତା ଓ ଅବସାଦ କଟିଯାଏ ।

 

ସମୟ ସମୟରେ ମୁଁ ଅନୁଭବ କରୁଥିଲି ଯେ ଲତିଫା ବି ଏକ ଦୃଷ୍ଟିରେ ମୋ ଆଡ଼କୁ ଅନାଇ ରହିଛି । ପ୍ରାୟ ତାହାର ଚକ୍ଷୁର ଦୀପ୍ତି ମୁଁ ଅନୁଭବ କରୁଥିଲି ଏବଂ କେବେ କେବେ ତାହାର ଦୃଷ୍ଟିରେ ବିଷାଦ ବି ମିଶିଥିଲା ।

 

ଥରେ ମୁଁ ମୋର ଛୋଟ ଧୂସର ରଙ୍ଗର ଗଧରେ ଚଢ଼ି କ୍ଷେତକୁ ଯାଉଥିଲି । କୂଅ ପାଖରେ ଦେଖାହେଲା ଲତିଫା ସାଙ୍ଗରେ,–ତା ମଥାରେ କଳସୀ । ସେ ଶ୍ରମିକଙ୍କ ପାଇଁ ଜଳ ନେଇ ଯାଉଥିଲା ।

 

“ଲତିଫା, କିପରି ଅଛୁ ?”

 

“ମୋ ବାବା ମୋତେ କାମକୁ ଯିବାକୁ ଦେବ ନାହିଁ”......କଥା ଗୁଡ଼ାକ ତା ପାଟିରୁ ଏପରି ଭାବରେ ବାହାରି ଆସିଲା ଯେ ମନେ ହେଲା, ଯେପରି ସେ ବହୁ ଦିନରୁ ଚାପା ଦିଆ ହୋଇଥିବା କୌଣସି କିଛିର ହାତରୁ ତାହାର ହୃଦୟକୁ ମୁକ୍ତ କରିବାକୁ ଚାହୁଁଛି । ତାହାର ଗଳାର ସ୍ଵର ବିଷଣ୍ଣ; ଯେପରି କୌଣସି ବିପଦ ପାତ ହୋଇଛି ।

 

“କାମ କରିବା ଠାରୁ ତୋତେ କ’ଣ ଘରେ ରହିବାକୁ ବେଶୀ ଭଲ ଲାଗେ ନାହିଁ ?”

 

ଲତିଫା ମୋ ଆଡ଼କୁ ଅନାଇଲା, ତାହାର ଚକ୍ଷୁ ଦୁଇଟି ମ୍ଳାନ ହୋଇଗଲା–ଯେପରି ତା ଚକ୍ଷୁ ଉପରେ ଛାୟା ପଡ଼ିଛି । କେତୋଟି ମୁହୂର୍ତ୍ତ ପାଇଁ ସେ ନୀରବ ରହିଲା ।

 

“ମୋ ବାବା ଆଗରର ଶେଖର ପୁଅ ସାଙ୍ଗରେ ମୋତେ ବିଭା ଦେବାକୁ ଚାହେଁ” ।

 

“ଆଉ ତୁ କ’ଣ ଚାହୁଁ ?’’

 

“ମୋର ବରଂ ମରଣ ଭଲ ।”

 

ପୁଣି ସେ ନୀରବ ରହିଲା । ତାପରେ ସେ ପ୍ରଶ୍ନ କଲା, “ହାଓୟାଜା, ଏ କଥା କ’ଣ ସତ ଯେ ଆପଣଙ୍କର ଜାତିର ଲୋକେ ଥରେ ମାତ୍ର ବିଭା ହୁଅନ୍ତି ?”

 

“ସତ, ଲତିଫା” ।

 

“ଆଉ ଆପଣମାନେ କ’ଣ ସ୍ତ୍ରୀଙ୍କୁ ମାରନ୍ତି ନାହିଁ ?”

 

“ନା । ଯେଉଁ ନାରୀ ପୁରୁଷକୁ ଭଲ ପାଏ ଏବଂ ପୁରୁଷ ଯାହାକୁ ଭଲ ପାଏ, ତାକୁ କ’ଣ ମାରନ୍ତି ?”

 

“ଆପଣଙ୍କ ଭିତରେ ଝିଅ ଯାହାକୁ ଚାହେ, ତାକୁ କ’ଣ ବିଭା ହୋଇ ପାରେ ?”

 

“ନିଶ୍ଚୟ ।”

 

“ଆଉ ଆମକୁ ଏମାନେ ବ୍ରିକି କରନ୍ତି ଭାରବହୀ ପଶୁ ଭଳି ।”

 

ଏହି ମୁହୂର୍ତ୍ତଗୁଡ଼ିକ ଭିତରେ ଲତିଫାର ଚକ୍ଷୁ ଦୁଇଟି ଆହୁରି ସୁନ୍ଦର ଦେଖାଗଲା–ଆହୁରି ଗଭୀର, ଆହୁରି କଳା । ଏକ ମୁହୂର୍ତ୍ତ ପରେ ସେ କହିଲା, “ମୋ ବାବା କହନ୍ତି ଯେ ଆପଣ ଯଦି ମୁସଲମାନ ହୋଇଥାନ୍ତେ, ତାହାହେଲେ ମୋତେ ସେ ଆପଣଙ୍କ ହାତରେ ସମର୍ପି ଦିଅନ୍ତେ” ।

 

“ମୋ ହାତରେ ?”

 

ମୁଁ ନିଜର ଇଚ୍ଛା ବିରୁଦ୍ଧରେ ଓ ସଶବ୍ଦରେ ହସି ଉଠିଲି । ଯନ୍ତ୍ରଣାରେ ପରିପୂର୍ଣ୍ଣ ଚକ୍ଷୁ ଦୁଇଟି ଉଠାଇ ଲତିଫା ମୋ ଆଡ଼କୁ ଅନାଇଲା ।

 

ମୁଁ କହିଲି, “ଲତିଫା, ତୁମେ ଇହୁଦୀ ଧର୍ମ ଗ୍ରହଣ କର, ମୁଁ ତୁମକୁ ବିଭା ହେବି ।”

 

“ବାବା ତାହାହେଲେ ମୋତେ ଓ ଆପଣଙ୍କୁ–ଦିହିଁଙ୍କୁ ହତ୍ୟା କରିବେ ।”

 

ପର ଦିନ ଶେଖ୍ ସୋରାବଜୀ ମୋର ଅଙ୍ଗୁର କ୍ଷେତକୁ ଆସିଲା ।

 

ବୃଦ୍ଧ ସୋରାବଜୀର ମୁଖରେ ଥିଲା ସୁନ୍ଦର ସାଦା ଦାଢ଼ୀ, ମଥାରେ ଦୀର୍ଘ ଟୋପି । ଗୋଟିଏ ତେଜସ୍ୱିନୀ ସାଦା ଘୋଡ଼ାରେ ଚଢ଼ି ସେ ଆସେ । ଘୋଡ଼ାଟି ସତେଜରେ ଡେଇଁ ଡେଇଁ ଚାଲେ ।

 

ସେ ଶ୍ରମିକଙ୍କୁ ଅଭିବାଦନ ଜଣାଇଲା, ଶ୍ରମିକମାନେ ବି ସମସ୍ତେ ସବିନୟରେ ପ୍ରତ୍ୟଭିବାଦନ ଜଣାଇ ନୀରବ ହୋଇ ରହିଲେ । ମୋ ଆଡ଼କୁ ସେ ଏକ ତୀବ୍ର ଦୃଷ୍ଟିରେ ହାଣିଲା ଏବଂ ତିକ୍ତ କଣ୍ଠରେ ମୋତେ ଅଭିବାଦନ ଜଣାଇଲା । ମୁଁ ବି ସମାନ ଶୈତ୍ୟର ସହିତ ଜବାବ ଦେଲି । ଶେଖ୍ ଓ ଔପନିବେଶିକମାନଙ୍କ ମଧ୍ୟରେ ପ୍ରେମର ଚିହ୍ନ ନ ଥିଲା, ସେମାନେ ସମସ୍ତେ ଇହୁଦିଙ୍କୁ ଭୀଷଣ ଘୃଣା କରୁଥିଲେ ।

ତା ଝିଅକୁ ସେଠାରେ ଦେଖି ଶେଖ୍‍ର ରାଗ ଚଢ଼ିଗଲା । ସେ ସଗର୍ଜ୍ଜନରେ କହିଲା “ଏହି ଇହୁଦୀ ପାଖକୁ ଆସିବାକୁ ତୋତେ ମୁଁ ବାରଣ କରି ନାହିଁ ?”

“ମୁସଲମାନ ହୋଇ ତୁମେ ଯେଉଁମାନେ କାଫେରଙ୍କ ନିକଟରେ ଶ୍ରମ ବିକ୍ରି କର, ତୁମକୁ ବି ଧିକ୍ !”

ତା ହାତରେ ଥିବା ଛଡ଼ିଟା କେତେ ବାର ଲତିଫାର ମଥା କାନ୍ଧରେ ପଡ଼ିଲା । ଭୀଷଣ ଭାବରେ ରାଗିଯିବାରୁ ମୁଁ ତା ଆଡ଼କୁ ଆଗେଇବାକୁ ଚେଷ୍ଟା କଲି–କିନ୍ତୁ ଲତିଫା, ବିଷଣ୍ଣ, କଳା, ଅଶ୍ରୁସିକ୍ତ ଚକ୍ଷୁଦୁଇଟି ତୋଳି ମୋ ଆଡ଼କୁ ଚାହିଁଲା–ଯେପରି ମୋତେ ନୀରବ ରହିବା ପାଇଁ ଅନୁରୋଧ ଜଣାଇଲା ।

ଶେଖ ଏବଂ ତାହାର ଝିଅ ଚାଲିଗଲେ । ଶ୍ରମିକମାନେ ବି ନିଶ୍ଵାସ ଛାଡ଼ି ବଞ୍ଚିଲେ ।

“ଶେଖ୍ ସେ ରାବଜୀ ହୃଦୟହୀନ”, ଜଣେ କହିଲା ।

ଦ୍ଵିତୀୟ ବ୍ୟକ୍ତି କହିଲା, “ସେ ଆଉ ଏକ୍ଷଣି ଅଧେ ମଜୁରୀ ଦେଇ ଶ୍ରମିକଙ୍କୁ ସକାଳୁ ସନ୍ଧ୍ୟା ଯାଏ ଖଟାଇବାର ସୁଯୋଗ ପାଉ ନାହିଁ ବୋଲି ଏତେ ରାଗି ଯାଇଛି । ଇହୁଦୀମାନେ ପ୍ରତିଦ୍ଵନ୍ଦିତା କରୁଛନ୍ତି ।”

 

ଓଠରେ ମୃଦୁ ଦୁଷ୍ଟ ହସର ଲହରୀ ଖେଳାଇ ଆତାଲା କହିଲା, “ଓ, ଆଜି ସେ କାହିଁକି ରାଗିଛି ମୁଁ ତାହା ଜାଣେ !”

 

ଲତିଫା ଆଉ କାମ କରିବାକୁ ଫେରି ଆସିଲା ନାହିଁ ।

 

ଯେଉଁ ଘରେ ସାଧାରଣତଃ ଆହାରାଦି କରୁଥିଲି, ସେହି ଘରୁ ଆସିବା ବାଟରେ କେତେ ସପ୍ତାହ ପରେ ଦିନେ ଦିପହରେ ତା ସାଙ୍ଗରେ ମୋର ଦେଖା ହେଲା । ସେ ଘରର ବାହାରେ ଭୂଇଁରେ ବସି ମୁର୍‍ଗୀ ବିକ୍ରୀ କରୁଥିଲା । ମୋତେ ଦେଖି ସେ ଉଠି ଛିଡ଼ା ହେଲା । ତାହାର ଚକ୍ଷୁ ଦୁଇଟି ଦେଖିଲି ଆହୁରି ସୁନ୍ଦର–ଆହୁରି ବେଶୀ କରୁଣ ।

 

“କିପରି ଅଛୁ ଲତିଫା !”

 

“ଧନ୍ୟବାଦ ହାଓୟାଜା !”

 

ତାହାର ଗଳା କମ୍ପୁଥିଲା । ଲତିଫା ପ୍ରାୟ ମୁର୍‍ଗୀ ବିକ୍ରି କରିବାକୁ ଆସେ ଏବଂ ସର୍ବଦା ଦିପହର ବେଳେ ହିଁ ଆସେ ।

 

ଦିନେ ଆତାଲା ମୋତେ କହିଲା, “ହାଓୟାଜା, ଲତିଫା ଆଗରକୁ ଯାଇଛି; ଶିଖ୍‍ର ପୁଅ ତାକୁ ବିଭା ହୋଇଛି–ଲୋକଟା କୁତ୍ସିତ ଆଉ ବଦମାସ !” ତାହାର କଥାଗୁଡ଼ିକ ମୋ ବକ୍ଷରେ ଛୁରି ପରି ବିନ୍ଧିଲା ।

 

ପରେ ମୁଁ ଶୁଣିବାକୁ ପାଇଥିଲି ଯେ ଲତିଫାର ସ୍ୱାମୀର ଘର ନିଆଁ ଲାଗି ପୋଡ଼ି ଯାଇଛି, ଲତିଫା ବାପଘରକୁ ଚାଲି ପଳାଇ ଆସିଥିଲା–ପୁଣି ତା ଇଚ୍ଛା ବିରୁଦ୍ଧରେ ତାକୁ ସ୍ଵାମୀ ଘରକୁ ଫେରାଇ ନେଇ ଯାଇଛନ୍ତି ।

 

କେତୋଟି ବର୍ଷ ଚାଲିଗଲା । ମୁଁ ମୋର ନିଜ ତିୟାରି ଘରେ ବାସ କରୁଥିଲି । ଅନ୍ୟର କଳା ଚକ୍ଷୁ ମୋତେ ଲତିଫାର କଳା ଚକ୍ଷୁ କଥା ଭୁଲିଯିବାକୁ ବାଧ୍ୟ କରିଥିଲା ।

 

ଦିନେ ଘରୁ ବାହାରି ଆସି ମୁଁ ଦେଖିବାକୁ ପାଇଲି ଯେ ଦୁଇ ଜଣ ବୃଦ୍ଧା ଆରବ ରମଣୀ ମୁର୍‍ଗୀ ଧରି ଅପେକ୍ଷା କରିଛନ୍ତି ।

 

“ତୁମେ କ’ଣ ଚାହଁ ?”

 

ଜଣେ ନାରୀ ଉଠି ଛିଡ଼ା ହେଲା ଏବଂ ମୋ ଆଡ଼କୁ ଅନାଇଲା ।

 

“ହାଓୟାଜା ମୁସା ?”

 

“ଲତିଫା ?”

 

ହଁ, ଲତିଫା ହିଁ; ଏକ କୁଞ୍ଚିତ ଶୀର୍ଣ୍ଣ ମୁଖ ବୃଦ୍ଧା ନାରୀ । ସେ ‘‘ବୃଦ୍ଧା” ହୋଇ ପଡ଼ିଥିଲା–କିନ୍ତୁ ତାହାର ଚକ୍ଷୁରେ ସେହି ପୁରୁଣା ଦିନର ଦ୍ୟୁତିର ଅବଶେଷ ସେତେବେଳେ ବି ଥିଲା ।

 

“ଆପଣ ଦାଢ଼ି ରଖିଛନ୍ତି, କିପରି ଯେପରି ବଦଳି ଯାଇଛନ୍ତି–” ସେ ମୋ ଉପରୁ ଚକ୍ଷୁ ହଟାଇ ନ ନେଇ ମୃଦୁ ସ୍ଵରରେ କହିଲା ।

 

“ତୁମେ କିପରି ଅଛ ? ତୁମେ ଏତେ ବଦଳି ଯାଇଛ କାହିଁକି ?”

 

“ହାଓୟାଜା, ସବୁ ଆଲ୍ଲାଙ୍କ ଦୟା !”

 

ସେ ନୀରବ ହେଲା । ତାପରେ କହିଲା, “ହାଓୟାଜା ମୁସା ବିଭା ହୋଇଛନ୍ତି ?”

 

“ହଁ, ଲତିଫା ।”

 

“ମୋର ତାଙ୍କୁ ଦେଖିବାକୁ ଇଚ୍ଛା ହେଉଛି ।”

 

ମୁଁ ସ୍ତ୍ରୀକୁ ବାହାରକୁ ଡାକି ଆଣିଲି । ଲତିଫା ବହୁ କ୍ଷଣ ଧରି ତ ଆଡ଼କୁ ଚାହିଁ ରହିଲା ।

 

ତାହାର ଚକ୍ଷୁରେ ଜଳ ।

 

ତା ପର ଠାରୁ ମୁଁ ଲତିଫାକୁ ଦେଖି ନାହିଁ ।

 

–ମୋସେ ସ୍ମିଲ୍ୟାନ୍‍ସ୍କି

☆☆☆

 

ଚାକିରି

 

ମଶଗ୍ରେଭିୟାସ ପରିବାର ଖଣିଜ ବିଦ୍ୟାଟିକୁ ସେମାନଙ୍କର ସଂପୂର୍ଣ୍ଣ ନିଜସ୍ଵ ସମ୍ପତ୍ତି କରି ପକାଇଛନ୍ତି ।

 

ଏହି ପରିବାରର ଜର୍ଜେଶ ମଶଗ୍ରେଭିୟାସ ହେଉଛନ୍ତି ସ୍ୱନାମଧନ୍ୟ ପୁରୁଷ । ସେ ଏହି ବଂଶର ପ୍ରତିଷ୍ଠାକୁ ରାଜଲକ୍ଷ୍ମୀ ପରି ଜୟ କରି ଆଣିଛନ୍ତି । ଆଜିକୁ ତିରିଶ ବର୍ଷ ହେଲା ସେ ଫରାସୀ ଏକାଡେମୀରେ ଖଣିଜ ବିଭାଗର କର୍ତ୍ତାଙ୍କ ଆସନ ଅଧିକାର କରି ରହିଛନ୍ତି । ସେହି ଦିନରୁ ହିଁ ଏହି ବିଭାଗର ସୃଷ୍ଟି । ତାଙ୍କର ଜ୍ୟେଷ୍ଠ ପୁତ୍ର ହ୍ୟାଁ ମଶଗ୍ରେଭିୟାସ ମ୍ୟୁଜିୟମରେ ଖଣିଜ ଅଧ୍ୟାପକ–କନିଷ୍ଠ ପୁତ୍ର ଅଁରି ନର୍ମାଲ ସ୍କୁଲରେ ଖଣିଜ ବିଦ୍ୟା ଶିକ୍ଷା ଦିଅନ୍ତି । ବଡ଼ ଜୋଇଁ ପିରି ଦୋନୋ ସରବୋର୍ଣ୍ଣ କଲେଜର ଖଣିଜ ଅଧ୍ୟାପକ । ମଝିଆଁ ଜୋଇଁ ଚାର୍ଲସ ବୋନିଗୁଁୟେ ଏହି ପରିବାରର ସୁଜନ ବୋଲି ଖଣିଜ ଅଧ୍ୟାପନା କରନ୍ତି, କିନ୍ତୁ ଚାକିରିଟି ଛୋଟ–ତୁଲୋଁ ଫ୍ୟାକାଲ୍‍ଟିରେ ସହକାରୀ ଶିକ୍ଷକ ମାତ୍ର ।

 

ଏଥି ପାଇଁ ମଝିଆଁ ଝିଅର ମନରେ ଅଶ୍ୱସ୍ତିର ସୀମା ନାହିଁ । ସ୍ଵାମୀଙ୍କର ଆସନ ଭାଇମାନଙ୍କ ଓ ବଡ଼ ଭିଣୋଇଙ୍କ ପରି ଉଚ୍ଚ ନୁହେଁ । ସ୍ଵାମୀଙ୍କ ସହିତ ସୁଦୂର ଗ୍ରାମରେ ତାକୁ ରହିବାକୁ ହୁଏ । ମାଆ ଶ୍ରୀମତୀ ମଶଗ୍ରେଭିୟାସଙ୍କର ବି ସେଥିପାଇଁ ମନରେ ଖୁବ୍ କ୍ଷୋଭ–ଛୁଟି ହେଲେ ମଝିଆଁ ଝିଅ ଓ ଜୋଇଁ ତାଙ୍କ ପାଖକୁ ଆସନ୍ତି । ମଝିଆଁ ଜୋଇଁକୁ ବର୍ଷରେ ତିନି ଥର ମାତ୍ର ଛୁଟି ମିଳେ । ସେ ସ୍ଵାମୀଙ୍କୁ ନିତି ତାଗିଦ କରନ୍ତି–ତୁମର ଭାରି ପାତର ଅନ୍ତର, ମଝିଆଁଟିକୁ ଫରାସୀ ଏକାଡେମୀକୁ ଆଣିବ ନାହିଁ ନା !

 

ସ୍ଵାମୀ ଗଭୀର କଣ୍ଠରେ କହନ୍ତି–ଏଠାରେ ଆଉ ସ୍ଥାନ କାହିଁ ?

 

ଏହିପରି ଅଭିଯୋଗ ଓ ଅଶାନ୍ତି ଭିତରେ ଦିନ ଗଡ଼ିଯାଏ ।

 

ହଠାତ୍ ସରକାର ସ୍ଥିର କଲେ–ସରବୋର୍ଣ୍ଣରେ ଖଣିଜ ପାଇଁ ଆଉ ଜଣେ ଅଧ୍ୟାପକର ସ୍ଥାନ ଖୋଲା ହେବ ।

 

ଶ୍ରୀମତୀ ମଶଗ୍ରେଭିୟାସ ସ୍ୱାମୀକୁ ଧରିଲେ–ଏହି କାର୍ଯ୍ୟଟି ମୋ ଚାର୍ଲସର ପାଇବା ଦରକାର । ନା, ମୁଁ କୌଣସି ଆପତ୍ତି ଶୁଣିବି ନାହିଁ । ସମସ୍ତେ ଭଲ ଭଲ ଚାକିରି କରୁଛନ୍ତି, ଆଉ ମୋର ଚାର୍ଲସଟି କେବଳ–

 

ଜର୍ଜେଶ କହିଲେ–ହୁଁ, କିନ୍ତୁ ମନ୍ତ୍ରୀ ନିଜେ ଲୋକ ବାଛିବେ ! ତାଙ୍କର କିଏ ଲୋକ ଅଛି !

 

–ନା, ତାଙ୍କୁ ତୁମେ କହିବ, ଚାର୍ଲସ ତୁମର ଜୋଇଁ । ତୁମେ ଏତେ ଦିନର ପୁରୁଣା ଲୋକ, କହିବାକୁ ଗଲେ ତୁମରି ଦୌଲତରେ ହିଁ ଖଣିଜ ବିଭାଗଟା ଚାଲୁଛି ।

 

ଜର୍ଜେଶ କହିଲେ–କିନ୍ତୁ ମନ୍ତ୍ରୀଙ୍କର ନିଜର ଲୋକ, ତାହାର ବ୍ୟବସ୍ଥା କରିବା ପାଇଁ ଏ ସ୍ଥାନଟି ଖୋଲା ହେଉଛି !

 

ଶ୍ରୀମତୀ କହିଲେ–କିନ୍ତୁ ଚାର୍ଲସ ଏତେ ଦିନ ହେଲା ଖଣିଜ ପଢ଼ାଉଛି; ତାହାର ଦାବୀ ତ ଅଗ୍ରାହ୍ୟ କରାଯାଇ ନପାରେ । ତା ଛଡ଼ା ଏହା ତ ମନ୍ତ୍ରୀଙ୍କର ପୈତୃକ ଜମିଦାରୀ ନୁହେଁ ଯେ ନିଜର ଲୋକଙ୍କୁ ଏଥିରେ ବସାଇବାକୁ ହେବ । ସେ ଲୋକଟି କଞ୍ଚା, ତାହାର କ’ଣ ଅଭିଜ୍ଞତା ଅଛି ? ନା, ମୁଁ ଶୁଣିବି ନାହିଁ । ତୁମେ ଯାଅ, ଯାଇ ମନ୍ତ୍ରୀଙ୍କୁ ଚାର୍ଲସର ଦାବୀ କଥା କୁହ ।

 

ଶ୍ରୀମତୀଙ୍କ କଥାରେ ତାଙ୍କୁ ଯିବାକୁ ପଡ଼ିଲା । ଜର୍ଜେଶ ମନ୍ତ୍ରୀଙ୍କୁ ଚାର୍ଲସର ଦାବୀ କଥା ଜଣାଇଲେ ।

 

ମନ୍ତ୍ରୀ କହିଲେ–କିନ୍ତୁ ସେହି ସ୍ଥାନ ପାଇଁ ମୁଁ ତ ଲୋକ ଠିକ୍ କରି ସାରିଛି, ଜର୍ଜେଶ । ସୁପିରିୟାର କାଉନସିଲ ସେହି ଲୋକଟିର ଦରଖାସ୍ତ ମଞ୍ଜୁର କରିଛି । ତୁମର ଏହି ଲୋକଟି କିଏ, ଶୁଣେ ?

 

–ଚାର୍ଲସ ବେନିଗୁଁୟେ, ଖଣିଜରେ ଚମତ୍କାର ଜ୍ଞାନ ।

 

–ତୁମର ଜୋଇଁ ନା ସେ ?

 

–ହଁ ।

 

ମନ୍ତ୍ରୀ କହିଲେ–ମୁଁ ଚାର୍ଲସର କଥା ଶୁଣିଛି । କିନ୍ତୁ ନା, ମୁଁ ଆଶା ଦେଇ ପାରୁ ନାହିଁ, ଜର୍ଜେଶ ! ତାକୁ ବାଛିବା, ନା, ଅସମ୍ଭବ ।

 

–କାହିଁକି ? କେଉଁଥି ପାଇଁ ଅସମ୍ଭବ ? ତା ବିରୁଦ୍ଧରେ କେହି କିଛି କଥା କହୁଛି ?

 

–କା, ନା, ନା, ତାହା ନୁହେଁ ।

 

ଜର୍ଜେଶ କହିଲେ–ତାହା ହେଲେ ? ସେ ମେଧାବୀ ଛାତ୍ର, ତାହାର ବିଶ୍ଵବିଦ୍ୟାଳୟ ରେକର୍ଡ଼ ଅତି ଉଜ୍ଵଳ । ଖଣି ବିଷୟରେ ସେ ଯେଉଁ ସବୁ ପ୍ରବନ୍ଧ ଲେଖିଛି, ଏକାଡେମୀ ଅଫ ସାୟେନସ ସେହି ସବୁ ପ୍ରବନ୍ଧର କି ସୁଖ୍ୟାତି କରିଛି !

 

ମନ୍ତ୍ରୀ କହିଲେ–ଚାର୍ଲସର କୃତିତ୍ୱ ବା ଜ୍ଞାନ ସମ୍ବନ୍ଧରେ ମୋ ମନରେ ଏତିକି ଟିକିଏ ହେଲେ ଦ୍ୱିଧା ନାହିଁ !

 

–ତାହା ହେଲେ ତାହାର ଦାବୀ କାହିଁକି ଅଗ୍ରାହ୍ୟ ହେବ ?

 

ମନ୍ତ୍ରୀ ଏକ ଗଭୀର ନିଶ୍ୱାସ ତ୍ୟାଗ କରି କହିଲେ–ଏ କଥା ତୁମେ ପଚାରି ପାର । ତାହାର ଯୋଗ୍ୟତା ସମ୍ବନ୍ଧରେ କାଉନସିଲରେ କାହାରି ମନରେ ସଂଶୟ ନାହିଁ । ସେହି ଦିଗରୁ ତାହାର ଦାବୀ ସମସ୍ତଙ୍କ ଠାରୁ ବେଶୀ ! କିନ୍ତୁ–

 

–କେଉଁଥି ପାଇଁ କିନ୍ତୁ ?

 

–କହିବି ?

 

–ନିଶ୍ଚୟ କହିବେ ।

 

–ତାହାର ଦାବୀ ଗ୍ରାହ୍ୟ ହେବ ନାହିଁ କେବଳ ଗୋଟିଏ କାରଣ ହେତୁ, ଏବଂ ସେହି କାରଣଟି, ସେ ତୁମର ଜୋଇଁ !

 

–ମୋ ଜୋଇଁ ବୋଲି ଆପଣମାନେ ତାହାର ଯୋଗ୍ୟତା ଉପେକ୍ଷା କରିବେ !

 

ମନ୍ତ୍ରୀ କହିଲେ–ଖଣିଜ ବିଭାଗଟା ତୁମର ଜମିଦାରୀ ଭଳି ହୋଇ ଯାଇଛି, ଜର୍ଜେଶ ! ତୁମେ ଅଛ–ତୁମର ଦୁଇ ପୁଅ ଅଛନ୍ତି–ତୁମର ଜଣେ ଜୋଇଁ ଅଛି–ମାନେ, ଏ ବିଭାଗଟିରେ ତୁମ୍ଭେମାନେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଛ । ବାହାରର ଅନ୍ୟ ଲୋକେ ଏ ବିଭାଗରେ ମଥା ଢୁକାଇବେ, ସେ ଉପାୟ ନାହିଁ ! ତେଣୁ କାଉନସିଲ ଏହି ସମ୍ପର୍କରେ ସୁବିଚାର କରିବାକୁ ଚାହେ । ଏହା ଯେମିତି ତୁମ୍ଭେମାନେ ଗୋଟାଏ ବଂଶର ମୂଳଭିତ୍ତି ପକାଇଛ ! ନୁହେଁ ନା ?

 

ଜର୍ଜେଶ କହିଲେ–କିନ୍ତୁ ଏପରି ଦୃଷ୍ଟାନ୍ତ ତ ଆହୁରି ଅନେକ ଅଛି ।

 

ମନ୍ତ୍ରୀ କହିଲେ–ସେହି ସବୁ ଦୃଷ୍ଟାନ୍ତରେ ମୋର ପ୍ରୟୋଜନ ନାହିଁ । ଏହି ରାଜ୍ୟର କୌଣସି ବିଭାଗରେ ଏପରି ପ୍ରିୟାପ୍ରୀତି ତୋଷଣ ମୁଁ ଅନ୍ତତଃ ସହ୍ୟ କରି ପାରିବି ନାହିଁ । ଯେଉଁଠି ଏପରି ଘଟଣା ଦେଖିବି, ତାହା ବିରୁଦ୍ଧରେ ମୁଁ ସଂଗ୍ରାମ କରିବି, ଏହା ମୋର ପଣ ! ପରିବାର ରକ୍ଷଣା–ବେକ୍ଷଣ–ନାଁ, ଆଦୌ ନୁହେଁ ।

 

ନିଶ୍ୱାସ ଛାଡ଼ି ଜର୍ଜେଶ କହିଲେ–ଖୁବ୍ ଭଲ କଥା, ସନ୍ଦେହ ନାହିଁ । କିନ୍ତୁ ଏହା ଦ୍ଵାରା ଭୀଷଣ ଅବିଚାର କରା ହେବ ନାହିଁ ନାଁ ? ଯୋଗ୍ୟ ଲୋକ ଉପରେ ଅବିଚାର ? ଏ ପଣ ରକ୍ଷା କରିବା ପାଇଁ ଆପଣଙ୍କୁ ଅଯୋଗ୍ୟ ଲୋକ ନେବାକୁ ହେବ !

 

–ଅଯୋଗ୍ୟ ! ତୁମେ ଭାବ, ତୁମରି ପୁଅ ଓ ଜୋଇଁ, ଏହିମାନଙ୍କର ହିଁ କେବଳ ଯୋଗ୍ୟତା ଅଛି ? ଯୋଗ୍ୟତା ହେତୁ ଚାକିରି କରୁଛନ୍ତି, ଆଉ ବାକି ସମସ୍ତେ ଅଯୋଗ୍ୟ ?

 

ଜର୍ଜେଶ କହିଲେ–ତା ନୁହେଁ । ମାନେ, ଚାର୍ଲସ ସହିତ ମୋ ଝିଅର ବିବାହ ହେବା ପୂର୍ବରୁ ସେ ଥିଲା ଏକାଡେମୀରେ ମୋର ଛାତ୍ର ଏବଂ ଖୁବ୍ ମେଧାବୀ ଛାତ୍ର ।

 

ମନ୍ତ୍ରୀ କହିଲେ–ଯେଉଁ ପିଲାଟିକୁ ଏହି ନୂଆ ଚାକିରିରେ ନେଉଛି, ତାହାର ଯୋଗ୍ୟତା ସମ୍ବନ୍ଧରେ କେହି ଗୋଟିଏ ବି ପ୍ରଶ୍ନ କରି ପାରିବେ ନାହିଁ, ଜଜେର୍ଶ । ତାହାର ନାମ ଶୁଣିଲେ ତୁମେ ବି ସ୍ଵୀକାର କରିବ, ସେ ଅଯୋଗ୍ୟ ନୁହେଁ ।

 

ସପ୍ରଶ୍ନ ଦୃଷ୍ଟିରେ ଜର୍ଜେଶ ମନ୍ତ୍ରୀଙ୍କ ଆଡ଼କୁ ଅନାଇଲେ ।

 

ମନ୍ତ୍ରୀ କହିଲେ–ଏ ପିଲାଟିର ନାମ ପଲ୍ ଗ୍ରାଜି, ସେ ବର୍ତ୍ତମାନ ନର୍ମାଲ୍ ସ୍କୁଲରେ ଚାକିରି କରିଛି ।

 

ଜର୍ଜେଶର ଭ୍ରମ କୁଞ୍ଚିତ ହେଲା । ସେ କହିଲେ–ପଲ୍ ଗ୍ରାଜି ?

 

–ହଁ, ତାହାର ନିବନ୍ଧ ପଢ଼ିଛ ?

 

–ପଢ଼ିଛି ।

 

–କେମିତିକା ଲେଖିଛି ?

 

–ଚମତ୍କାର !

 

ମନ୍ତ୍ରୀ କହିଲେ–ତା ସମ୍ବନ୍ଧରେ ମୁଁ ଯେଉଁ ରିପୋର୍ଟ ପାଇଛି, ଖୁବ୍ ଭଲ ।

 

–ହଁ, କିନ୍ତୁ ବୟସରେ ନିହାତି ପିଲା ।

 

–ଭଲ ତ । ଶିକ୍ଷା ବିଭାଗରେ ଆମର ତରୁଣ କିଶୋରମାନଙ୍କୁ ହିଁ ଦରକାର । ଯେତେବେଳେ ତୁମର ଜୋଇଁକୁ ନ ନେଇ ପଲ୍‍କୁ ଆମେ ନେଉଛୁଁ, ସେତେବେଳେ ନିଶ୍ଚୟ ଅଯୋଗ୍ୟର ନିର୍ବାଚନ ହେଉଛି, ଏ କଥା ଅବଶ୍ୟ କହିବ ନାହିଁ !

 

–କିନ୍ତୁ ମୋର ସ୍ତ୍ରୀ ମନରେ ଖୁବ୍ ଆଘାତ ପାଇବ ।

 

–ସେଥିପାଇଁ ମୁଁ ଖୁବ୍ ଦୁଃଖିତ । କିନ୍ତୁ ସରକାରୀ ଚାକିରିରେ ଲୋକ ନିଯୁକ୍ତ କରିବାକୁ ହେଲେ ତାହାର ଯୋଗ୍ୟତା ପ୍ରତି ନଜର ରଖିବାକୁ ହେବ, ଶ୍ରୀମତୀ ମଶଗ୍ରେଭିୟାସଙ୍କ ମନର କଥା ଖାଲି ଭାବିଲେ ଚଳିବ ନାହିଁ । ମୁଁ ଚାର୍ଲସର ଦାବୀ ଆବଶ୍ୟ ଅସ୍ଵୀକାର କରୁ ନାହିଁ ।

 

–ଚାର୍ଲସ ଯେ ଚାକିରି ପାଇଲା ନାହିଁ, ସେଥିପାଇଁ ମୁଁ ଖେସାରତ ଦାବୀ କରିପାରେ ନାହିଁ ? ତାହାର କୌଣସି ବ୍ୟବସ୍ଥା ?

 

–ଚାର୍ଲସ ଏକାଡେମୀରେ ଚାକିରି କରୁଛି ନା ?

 

–ସେ ତୁଲୋଁରେ ଆଜିକୁ ଛଅ ବର୍ଷ ହେଲା ଅଛି । ଡକ୍ଟରେଟ ଡିଗ୍ରୀ ପାଇଛି । ବୟସ ପଇଁତ୍ରିଶି ବର୍ଷ । ବର୍ତ୍ତମାନ ସ୍କୁଲରେ ଶିକ୍ଷକତା କରୁଛି । ତାକୁ ଅଧ୍ୟାପକ କରିଦେଇ ପାରନ୍ତେ ନାହିଁ-? ତୁଲୋଁରେ ଅଧ୍ୟାପକର ସ୍ଥାନ ନାହିଁ । ସେଠାରେ ଗୋଟାଏ ସ୍ଥାନର ବ୍ୟବସ୍ଥା ? ତାହାହେଲେ ବୃଦ୍ଧ ବୟସରେ ସ୍ତ୍ରୀର ଗଞ୍ଜଣାରୁ ଅନ୍ତତଃ ମୋତେ ତ୍ରାହି ମିଳିବ ।

 

ମନ୍ତ୍ରୀ କଣ ଭାବିଲେ, ଆଉ କହିଲେ–ବୁଝିଛି । ବେଶ୍, ମୁଁ କଥା ହେଉଛି, ଚାର୍ଲସ ପାଇଁ ମୁଁ ସେହି ବ୍ୟବସ୍ଥା କରିଦେବି ।

 

ଜର୍ଜେଶ କହିଲେ–ଖାଲି କଥା ଉପରେ ତ ନିର୍ଭର କରାଯାଏ ନାହିଁ । ମୁଁ ପକ୍‍କା ବ୍ୟବସ୍ଥା ଚାହେଁ ।

 

ମନ୍ତ୍ରୀ କହିଲେ–ପକ୍‍କା କଥା ଦେବାକୁ ହେଲେ ତା ପୂର୍ବରୁ ସୁପିରିୟର କାଉନସିଲ ସହିତ ପରାମର୍ଶ ପ୍ରୟୋଜନ ।

 

–ଆପଣ ଇଚ୍ଛା କଲେ ବର୍ତ୍ତମାନ ପକ୍‍କା କଥା ଦେଇ ପାରନ୍ତି । ଫ୍ୟାକଲଟି, ସୁପିରିୟର କାଉନସିଲ–ଏସବୁ ଆପଣଙ୍କର କୌଣସି କଥାରେ ‘ନା’ କହି ପାରିବେ ନାହିଁ–ମୁଁ ଜାଣେ ।

 

–ମୋ କଥା ଉପରେ ନିର୍ଭର କରିପାର, ଜର୍ଜେଶ ।

 

ଜର୍ଜେଶ କହିଲେ–ତାହା ହେଲେ ଫେରିଯାଇ ମୋ ସ୍ତ୍ରୀକୁ ମୁଁ କ’ଣ କହିବି ?

 

ମନ୍ତ୍ରୀ କହିଲେ–ବେଶ୍, ପକ୍‍କା କଥା ଦେଉଛି, ତୁମର ଜୋଇଁ ଚାର୍ଲସକୁ ମାସକ ଭିତରେ ଅଧ୍ୟାପକର ସ୍ଥାନ ଦେବି ।

 

ମନ୍ତ୍ରୀ ଚୌକିରୁ ଉଠି ଠିଆ ହେଲେ–ଜର୍ଜେଶ ବି ଉଠି ପଡ଼ିଲେ । ମନ୍ତ୍ରୀ କହିଲେ–ପଲ୍‍କୁ ଏ ଚାକିରି ଦିଆ ଯାଉଛି ବୋଲି ବର୍ତ୍ତମାନ ତୁମ ମନରେ ଆଉ କୌଣସି ଅଭିମାନ ନାହିଁ ତ ?

 

ଜର୍ଜେଶ କହିଲେ–ନା, ନା । ଆପଣ ଯୋଗ୍ୟ ଲୋକକୁ ତ ଏ ଚାକିରିଟା ଦେଉଛନ୍ତି । ମୋର ସ୍ତ୍ରୀ ବି ଆପଣଙ୍କର ଏ ନିର୍ବାଚନରେ ଖୁବ୍ ଖୁସି ହେବ । କାରଣ, ପଲ୍ ସହିତ ମୋ ସାନ ଝିଅର ବିଭାଘର ହେଉଛି, ବିବାହ କଥା ପକ୍‍କା ।

 

–ପଲ୍ କ୍ଳେଶିୟୋ

☆☆☆

 

କକ୍ଷ

–ଏକ–

 

ଦୁଆରେ ଧକ୍‍କା ମାରିବାର ଶବ୍ଦ ହେଲା । ଶ୍ରୀମତୀ ଦାରବେଦାତ୍ ଚମକି ପଡ଼ି, କ୍ଷୀଣ କଣ୍ଠରେ କହିଲେ, “ଭିତରକୁ ଆସ ।”

 

ଟିକିଏ ବିରକ୍ତ ମନରେ, ସେ ଭାବୁଥିଲେ ଯେ ଏକ୍ଷଣି ତାଙ୍କର ସ୍ୱାମୀ ଆସି ପହଞ୍ଚି ଦାଣ୍ଡ କବାଟ ଖଡ଼ଖଡ଼ କରିବେ । ସପ୍ତାହର ଅନ୍ୟ ଦିନଗୁଡ଼ିକରେ ସେ ଖାଲି ସନ୍ଧ୍ୟା ବେଳେ ଆସନ୍ତି, ନୀରବରେ ତାଙ୍କ ଭ୍ରୂ ଚୁମ୍ବନ କରନ୍ତି ଏବଂ ଖଣ୍ଡିଏ ଆରାମ ଚୌକିରେ ତାଙ୍କ ସାମନାରେ ବସି ବହି ପଢ଼ନ୍ତି । କିନ୍ତୁ ଗୁରୁବାରଟା ହେଲା ଶ୍ରୀଯୁକ୍ତ ଦାରବେଦାତଙ୍କ ବାରି: ଏହି ଦିନ ସାଧାରଣତଃ ତିନିଟାଠାରୁ ଚାରିଟା ଯାଏଁ, ଘଣ୍ଟାଏ ସେ ନିଜ ଝିଅପାଖରେ କଟାନ୍ତି । ଯିବା ଆଗରୁ ସେ ନିଜ ସ୍ତ୍ରୀଙ୍କୁ ଦେଖା କରନ୍ତି, ଏବଂ ଉଭୟେ ବିତୃଷ୍ଣ ମନରେ ନିଜ ଜାମାତା ସମ୍ବନ୍ଧରେ ଆଲୋଚନା କରନ୍ତି । ଗୁରୁବାରର ଏହିସବୁ କଥାବାର୍ତ୍ତା ଶ୍ରୀମତୀ ଦାରବେଦାତଙ୍କୁ ଅବସନ୍ନ କରି ପକାଏ, କାରଣ ଏହାର ବିନ୍ଦୁ-ବିସର୍ଗ ସୁଦ୍ଧା ତାଙ୍କୁ ଆଗୁଆ ଦେଖାଯାଏ । ଆଜିର ଆଲୋଚ୍ୟ ଗୁରୁବାରଟି ତାଙ୍କ ପକ୍ଷରେ ଅନ୍ୟାନ୍ୟ ଦିନ ଠାରୁ ଅଧିକ ଜଘନ୍ୟ ଥିଲା । ଆଜି ତାଙ୍କୁ ନିଜ ସ୍ୱାମୀଙ୍କ ପାଖରେ ଇଭ୍‍ର ସ୍ଵୀକାରୋକ୍ତି ବିଷୟ ପୁଣି କହିବାକୁ ପଡ଼ିବ, ଏବଂ ଏହା ଶୁଣି ତାଙ୍କ ସ୍ଵାମୀଙ୍କର ବିପୁଳ ବପୁଟି କିଭଳି କ୍ରୋଧରେ ଫୁଲି ଉଠିବ ତାହା ବି ଦେଖିବାକୁ ପଡ଼ିବ । ଏହା ଚିନ୍ତା କଲା ମାତ୍ରେ ଶ୍ରୀମତୀ ଦାରବେଦାତଙ୍କ ଦେହରୁ ଝାଳ ବହିଗଲା ।

 

ଶ୍ରୀଯୁକ୍ତ ଦାରବେଦାତ୍ ଗୋଡ଼ି ଟିପିଟିପି ପ୍ରବେଶ କଲେ । ପ୍ରତି ଗୁରୁବାରରେ ଯେମିତି କହନ୍ତି, ସେ ଆଜି ବି କହିଲେ, “ମୁଁ ଇଭ କୁ ଦେଖିବାକୁ ଯାଉଛି ।” ଶ୍ରୀମତୀ ଦାରୁବେଦାତ୍ ତାଙ୍କ ଆଡ଼କୁ ଚାହିଁ ସସ୍ମିତ ବଦନରେ କହିଲେ, “ମୋ ପାଇଁ ତାକୁ ଗୋଟିଏ ଚୁମ୍ବନ ଦେବ ।”

 

ଶ୍ରୀଯୁକ୍ତ ଦାରବେଦାତ୍ ଉତ୍ତର ଦେଲେ ନାହିଁ ଏବଂ ଦୁଶ୍ଚିନ୍ତାରେ ତାଙ୍କ କପାଳ ରେଖାଙ୍କିତ ହୋଇଗଲା–ପ୍ରତି ଗୁରୁବାରରେ ଠିକ୍ ଏହି ସମୟରେ ତାଙ୍କର ଯେମିତି ହୁଏ । “ତା ପାଖରୁ ଫେରି ଆସିବା ବେଳେ ଭାବୁଛି, ଫ୍ରାଙ୍କଟ ସାଙ୍ଗରେ ଟିକିଏ ଦେଖା କରିବି । ବ୍ୟାପାରଟିର ଗୁରୁତ୍ଵ ବୁଝାଇ ସେ ଇଭ ସାଙ୍ଗରେ କଥାବାର୍ତ୍ତା କରୁ । କଥାଟା ଟିକିଏ ତାକୁ ବୁଝାଇବାକୁ ସେ ଚେଷ୍ଟା କରୁ ହେଲେ ।”

 

ସେ ଡକ୍ଟର ଫ୍ରାଙ୍କଟଙ୍କ ଠାକୁ ଘନଘନ ଯାଆନ୍ତି । କିନ୍ତୁ ବୃଥା । ଶ୍ରୀମତୀ ଦାରବେଦାତ୍ ଭ୍ରୂ ଉତ୍ତୋଳନ କଲେ । ସେ ତାଙ୍କ ଚକ୍ଷୁରେ ସ୍ଵୀକୃତି ପ୍ରଦାନ କରୁଥିଲେ ବି ଅଧର କୋଣରୁ ‘ନା’ ର ଆଭାସ ମିଳୁଥିଲା ।

 

“ଇଭ ଠାରୁ ତାକୁ ଜବରଦସ୍ତି କାଢ଼ି ନେବା ପାଇଁ କୌଣସି ଉପାୟ ବାହାର କରିବାକୁ ହେବ ।”

 

“ଆଗରୁ ତ ମୁଁ ତୁମକୁ କହିଛି, ଏହା ଅସମ୍ଭବ । ତାହା ଛଡ଼ା, ସେମିତି ସୁବିଧାଜନକ ଆଇନ କାନୁନ ମଧ୍ୟ ନାହିଁ । ସେ ଦିନ ଫ୍ରାଙ୍କଟ ମୋତେ କହୁଥିଲେ ଯେ, ସେମାନଙ୍କର ତାଙ୍କ ପରିବାର ସହିତ ଖୁବ୍ ଗୋଳମାଳ ହୋଇଛି : ସେମାନେ କିଛି ସ୍ଥିର କରିପାରୁ ନାହାନ୍ତି, ଆଉ ସେମାନେ ଚାହାନ୍ତି ରୋଗୀଟି ଘରେ ରହୁ । ତେଣୁ ଡାକ୍ତରଙ୍କର ହାତ ବାନ୍ଧି ହୋଇ ଯାଇଛି । ସେମାନେ କେବଳ ପରାମର୍ଶ ଦେଇ ପାରନ୍ତି । ଏୟା ତ ? ପିୟେରର ଦୁର୍ନାମ ରଟନା ନ ହେଲେ, ଇଭ ତାକୁ ଛାଡ଼ି ଯାଇ ପାରିବ ନାହିଁ ।”

 

ଶ୍ରୀମତୀ ଦାରବେଦାତ୍ କହିଲେ, “ଆଉ ସେ କଥା ତ କିଛି କାଲିରେ ହେଇଯାଉ ନାହିଁ-।”

 

“ନା,” କହି ସେ ଦର୍ପଣ ଆଡ଼କୁ ବୁଲିପଡ଼ି, ଦାଢ଼ୀ କୁଣ୍ଡାଇବାକୁ ଲାଗିଲେ । ଶ୍ରୀମତୀ ଦାରବେଦାତ୍ ଅପ୍ରୀତ ନୟନରେ ନିଜ ସ୍ଵାମୀଙ୍କର ସବଳ ରକ୍ତିମ ଗ୍ରୀବା ଉପରେ ଦୃଷ୍ଟି ନିକ୍ଷେପ କଲେ ।

 

ଶ୍ରୀଯୁକ୍ତ ଦାରବେଦାତ୍ କହିଲେ; “ଯଦି ଇଭ ଆଉ କିଛି ଦିନ ଏମିତି କରେ, ତାହାହେଲେ ତାର ପାଗଳାମି ପିୟେରର ପାଗଳାମିକୁ ଟପିଯିବ । ଏହା ଭୟଙ୍କର ଅସ୍ଵାସ୍ଥ୍ୟକର । ସେ ତାକୁ ଦଣ୍ଡେ ହେଲେ ଛାଡ଼ି କୁଆଡ଼େ ଯାଏ ନାହିଁ । ଖାଲି ତୁମକୁ ଯାହା ଟିକିଏ ଦେଖା କରିବାକୁ ଆସେ । ଆଉ କାହା ସାଙ୍ଗରେ ସେ ଦେଖା କରେ ନାହିଁ । ତାଙ୍କର ସେହି କୋଠରୀଟିରେ ଦମ୍ ବନ୍ଦ ହୋଇଯାଏ । ଇଭ ତ ଆଦୌ ଝରକା ଖୋଲେ ନାହିଁ, କାରଣ ପିୟେର୍ ତାହା ଚାହେଁ ନାହିଁ । ଯେମିତି ରୋଗୀକୁ ପଚାରି ସବୁ କିଛି କରିବା ଦରକାର ! ମୋର ଅନୁମାନ, ସେମାନେ ବୋଧହୁଏ ଧୂପ ଦିଅନ୍ତି । ସତେ କି ସେଟା ଗୋଟାଏ ଗୀର୍ଜା ! ସତରେ, ବେଳେ ବେଳେ ମୁଁ ତ ତାଜବ ହୋଇଯାଏଁ ତୁମେ ତ ଜାଣ, ତା ନୟନରେ ଯେମିତି ମାଦକତା ପୂରି ରହିଛି ସବୁ ବେଳେ ।”

 

“ମୁଁ ତ ଲକ୍ଷ୍ୟ କରିନାହିଁ, “ଶ୍ରୀମତୀ ଦାରବେଦାତ କହିଲେ । “ସେ ତ ମୋତେ ମାମୁଲି ଧରଣର ମାଲୁମ ହୁଏ । ବରଂ ସେ ବିମର୍ଷ ଦେଖା ଯାଏ ।”

 

“ଇଭର ମୁହଁ ମଡ଼ାଟି ଭଳି ଦିଶିଲାଣି । ସେ କ’ଣ ଶୋଉ ନାହିଁ କି ? ଆଉ ଖାଉ ନାହିଁ କି ? କିନ୍ତୁ ଆମର ତ ଏସବୁ କଥା ତାକୁ ପଚାରିବାର ନୁହେଁ । ମାତ୍ର ମୋର ମନେ ହୁଏ, ପିୟେର୍ ଭଳି ଗୋଟାଏ ଲୋକର ପାଖରେ ଶୋଇଲେ, ରାତି ସାରା ତ ତା’ର ଆଖି ପତା ପଡ଼ୁ ନ ଥିବ... ।” ସେ କାନ୍ଧ ହଲାଇଦେଲେ । “ମୋତେ ଏତିକି ବିଚିତ୍ର ବୋଧ ହେଉଛି ଯେ ଆମେ ତାର ପିତାମାତା ହୋଇ ସୁଦ୍ଧା ତାକୁ ରକ୍ଷା କରିବାର ଅଧିକାର ଆମ ହାତରେ ନାହିଁ । ମୋ ମତରେ, ଫ୍ରାଙ୍କଟ୍ ପିୟେରକୁ ବରଂ ଭଲ ଭାବରେ ଦେଖାଶୁଣା କରି ପାରିବ । ସେଠାରେ ଗୋଟାଏ ବଡ଼ ଉଦ୍ୟାନ ଅଛି ଏବଂ ତା’ରି ସମଶ୍ରେଣୀୟ ଲୋକମାନେ ବି ସେଠାରେ ଅଛନ୍ତି । ତା’ ପରି ଲୋକମାନେ ତ ପିଲା ! ତାକୁ ସେମାନଙ୍କ ପାଖରେ ଏକା ଛାଡ଼ି ଦେଇହେବ । ମୁଁ ତ କହିବି, ତାରି ନିଜର ଭଲ ପାଇଁ, ମୂଳରୁ ତାକୁ ସେଠାରେ ଛାଡ଼ି ଦିଆ ଯିବାର ଥିଲା ।”

 

ମୁହୂର୍ତ୍ତକ ପରେ, ସେ ପୁଣି କହିଲେ, “ମୁଁ ତୁମକୁ କହି ଦେଉଛି, ଏକାକିନୀ ପିୟେର୍ ସାଙ୍ଗରେ ତା’ର ରାତି କଟାଇବା ମୁଁ ପସନ୍ଦ କରେ ନାହିଁ । ଧର ଯଦି କିଛି ହେଇଗଲା–ପିୟେର ଯେମିତି ଧୂର୍ତ୍ତ ।”

 

ଶ୍ରୀମତୀ ଦାରବେଦାତ କହିଲେ, “ମୁଁ ତ ଜାଣେ ନାହିଁ, ଆମର ବିଚଳିତ ହେବାର କିଛି କାରଣ ଅଛି ବୋଲି । ସେ ତ ସବୁବେଳେ ଯେମିତି ଦିଶେ । ସବୁବେଳେ ତ ସେ ସମସ୍ତଙ୍କୁ ଥଟାରେ ଉଡ଼ାଇଦିଏ । ବିଚରାଟା ଭାରି ଅଭାଗା । ତା ଗର୍ବର ଫଳ ଏ । ସେ ଭାବେ, ସେ ଆମ ସମସ୍ତଙ୍କ ଠାରୁ ଖୁବ୍ ଚାଲାକ । ବରଂ ଏହା ତା’ ପକ୍ଷରେ ଏକ ଆଶୀର୍ବାଦ ଯେ ନିଜର ଅବସ୍ଥା ସେ ଦେଖି ପାରୁ ନାହିଁ ।”

 

ଇଭର ବିବାହର ପ୍ରଥମ କେତେ ଦିନ ଶ୍ରୀମତୀ ଦାରବେଦାତ ତାକୁ କହିଥିଲେ, ତାଙ୍କ ଜାମାତା ସହିତ ସେ ଯେମିତି ଶୀଘ୍ର ଟିକିଏ ଘନିଷ୍ଠତା ସ୍ଥାପନ କରି ପକାଏ । ମାତ୍ର ଶ୍ରୀଯୁକ୍ତ ଦାରବେଦାତ ଏହାକୁ ଅବଶ୍ୟ ସମର୍ଥନ ଜଣାଇ ନ ଥିଲେ ।

 

ସେ ନିଜ କଥା କହି ଚାଲିଲେ, “ଫ୍ରାଙ୍କଟ୍ ମୋତେ ନେଇ ସେହି ସ୍ଥାନଟି ଦେଖାଇ ଦେଇଛି । ଖୁବ୍ ଚମତ୍କାର ସ୍ଥାନ । ରୋଗୀମାନଙ୍କର ବି ଖାସକାମରା ଅଛି–ସେଥିରେ ଚମଡ଼ା ଆରାମ–ଚୌକି, ଦିବା–ଶଯ୍ୟା ଇତ୍ୟାଦି ଥାଏ । ସେମାନଙ୍କର ଟେନିସ ଖେଳିବା ପାଇଁ ପଡ଼ିଆ ଅଛି । ଗୋଟାଏ ସନ୍ତରଣ–ସରୋବର ମଧ୍ୟ ସେମାନେ କରିବାକୁ ବସିଛନ୍ତି ।”

 

ଝରକା ଆଗରେ, ବାହାରକୁ ଅନାଇ, ସେ ସ୍ଥାଣୁ ଭଳି ଠିଆ ହୋଇଥିଲେ । ହଠାତ୍ ଗୋଇଠି ଉପରେ ଭରା ଦେଇ ସେ ଅନାୟାସରେ ବୁଲି ପଡ଼ିଲେ, କାନ୍ଧ ନଇଁଗଲା, ପକେଟରେ ହାତ ରହିଥିଲା । ଶ୍ରୀମତୀ ଦାରବେଦାତଙ୍କର ମନେ ହେଲା ଯେମିତି ତାଙ୍କ ଦେହରୁ ଏ କ୍ଷଣି ଝାଳ ବହିଯିବ: ପ୍ରତିଥର ସେହି ଏକା କଥା । ଶ୍ରୀଯୁକ୍ତ ଦାରବେଦାତ୍ ଏତେ ବେଳେ ପିଞ୍ଜରା-ବଦ୍ଧ ଭାଲୁ ଭଳି ଏ ପାଖରୁ ସେ ପାଖ ଯାଏ ଟହଲ ମାରୁଥାନ୍ତି ଏବଂ ପ୍ରତି ପଦକ୍ଷେପରେ ତାଙ୍କ ଜୋତାର ମଚ ମଚ ଶବ୍ଦ ଶୁଣା ଯାଉଥାଏ ।

 

“ତୁମକୁ ନେହୁରା ହେଉଛି, ଟିକିଏ ବସିପଡ଼ ! ତୁମେ ମତେ କ୍ଳାନ୍ତ କରି ଦେଉଛ ।” ଟିକିଏ ଇତସ୍ତତ ହୋଇ, ସେ ପୁଣି କହିଲେ–

 

“ଗୋଟାଏ ଦରକାରୀ କଥା ତୁମକୁ କହିବାର ଅଛି ।”

 

ଶ୍ରୀଯୁକ୍ତ ଦାରବେଦତ୍ ଆରାମ–ଚୌକିରେ ବସିପଡ଼ି, ଆଣ୍ଠୁ ଉପରେ ହାତ ରଖିଲେ । ଗୋଟାଏ ମୃଦୁ ଶିହରଣ ଶ୍ରୀମତୀ ଦାରବେଦାତଙ୍କ ମେରୁଦଣ୍ଡ ଦେଇ ଉପରକୁ ଉଠିଗଲା: ବେଳ ଆସିଛି, ତାଙ୍କୁ ଶୁଣାଇଦେବାକୁ ହେବ ।

 

“ତୁମେ ତ ଜାଣ”, ଅପ୍ରସ୍ତୁତ ଭାବରେ ଟିକିଏ କାଶି ଶ୍ରୀମତୀ କହିଲେ–‘‘ମଙ୍ଗଳବାର ଦିନ ମୋର ଇଭ ସାଙ୍ଗରେ ଦେଖା ହୋଇଥିଲା ।”

 

“ହୁଁ... ।”

 

“ଆମେ ଢେର୍ ବିଷୟରେ କଥା ହେଲୁଁ । ସେ ତ ଖୁବ୍ ସୁନ୍ଦର ଦିଶୁଥିଲା । ତା’ପରେ ପିୟେର୍ ବିଷୟରେ ତାକୁ ଟିକିଏ ପଚାରିବାରୁ ଦେଖିଲି–” ପୁଣି ଅପ୍ରସ୍ତୁତ ହୋଇ, ସେ ଯୋଗ କଲେ– ‘‘ଯେ ସେ ପିୟେର ପ୍ରତି ଅତିଶୟ ଆସକ୍ତ ।”

 

“ମୁଁ ବି ସେୟା ଖୁବ୍ ଭଲ ଭାବରେ ଜାଣେ,” ଶ୍ରୀଯୁକ୍ତ ଦାରବେଦାତ କହି ପକାଇଲେ ।

 

ଏଥିରେ ଶ୍ରୀମତୀ ଦାରବେଦାତ ଟିକିଏ ବିରକ୍ତ ହେଲେ; ସବୁବେଳେ ଏହିପରି ବିଶଦ ଭାବରେ ତାଙ୍କୁ କଥା କହିବାକୁ ହୁଏ ।

 

“କିନ୍ତୁ ମୋର କହିବାର କଥା,” ସେ କହିଲେ– “ଆମେ ଯାହା ଭାବୁଛୁଁ କଥାଟା ସେୟା ନୁହେଁ । ଇଭର ତା’ ପ୍ରତି ଆସକ୍ତି ଭିନ୍ନ ଭାବରେ ।”

 

ଉଦବିଗ୍ନ ଦୃଷ୍ଟିରେ ଚାହିଁ, ଶ୍ରୀଯୁକ୍ତ ଦାରବେଦାତ ଥମ ଥମ ହୋଇ କହିଲେ, “ତୁମେ କଣ ସବୁ କହିବାକୁ ଚାହଁ ଶୁଣେ ?”

 

ଶ୍ରୀମତୀ ଦାରବେଦାତ କହିଲେ, “ଚାର୍ଲସ, ମୋତେ କ୍ଳାନ୍ତ କରି ପଳାଅ ନାହିଁ । ତୁମର ବୁଝିବା ଉଚିତ, ମାଆ ଭାବରେ କେତେକ କଥା ମୁଁ ଏଠାରେ ଖୋଲା ଖୋଲି ପ୍ରକାଶ କରି ପାରୁ ନାହିଁ ।”

 

ଶ୍ରୀଯୁକ୍ତ ଦାରବେଦାତ ବିରକ୍ତ ହୋଇ କହିଲେ, “ତୁମେ କଣ ଯେ କହୁଛ, ମୁଁ ତା’ର ବିନ୍ଦୁ ବିସର୍ଗ କିଛି ବୁଝି ପାରୁ ନାହିଁ । ତୁମେ କଣ କହିବାକୁ ଚାହଁ… ।”

 

“ହଁ ।” ସେ କହିଲେ ।

 

“ତଥାପି ସେମାନେ...ଏକ୍ଷଣି, ତଥାପି… ?”

 

“ହଁ ! ହଁ ! ହଁ !” ତିନୋଟି ବିତୃଷ୍ଣ ଓ ଶୁଷ୍କ କ୍ଷୁଦ୍ର ଶବ୍ଦରେ, ସେ କହିଲେ ।

 

ଶ୍ରୀଯୁକ୍ତ ଦାରବେଦାତ ହାତ ଲମ୍ବାଇ ଦେଲେ, ମୁଣ୍ଡ ନୁଆଁଇଲେ ଏବଂ ନୀରବ ରହିଲେ-

 

ଚିନ୍ତାକୁଳ ହୋଇ, ତାଙ୍କ ସ୍ତ୍ରୀ କହିଲେ, “ଚାର୍ଲସ, ହୁଏ ତ ଏହା ମୋର ତୁମକୁ କହିବା ଅନୁଚିତ । ତଥାପି ମୁଁ ଏହାକୁ ଚାପି ରଖି ପାରିଲି ନାହିଁ ।”

 

“ଆମ ଝିଅ,” ସେ ଧୀରେ ଧୀରେ କହିଗଲେ– ‘‘ଏହି ପାଗଳାଟା ସାଙ୍ଗରେ ! ସେ ତ ଆଉ ତାକୁ ଚିହ୍ନି ପାରୁ ନାହିଁ । ତାକୁ ଆଗାଥା ବୋଲି ଡାକୁଛି । ଇଭ ତାର ଆତ୍ମମର୍ଯ୍ୟାଦାର କାଣ୍ଡଜ୍ଞାନ ସବୁ ହରାଇ ବସିଲାଣି ।”

 

ମଥା ଟେକି ସେ କଠିନ ଦୃଷ୍ଟିରେ ତାଙ୍କ ସ୍ତ୍ରୀଙ୍କ ଆଡ଼କୁ ଅନାଇଲେ ।” ତୁମେ ଠିକ୍ ଯାଣ, ତୁମେ ଭୁଲ୍ କରୁ ନାହଁ ତ ?”

 

“ତିଳେ ହେଲେ ମୋ ସନ୍ଦେହ ନାହିଁ,” ସେ ଶୀଘ୍ର କହି ପକାଇଲେ । “ତୁମ ପରି ମୋର ବି ତାକୁ ପରତେ ଆସୁ ନାହିଁ । ଏବେ ବି ନୁହେଁ । ସେହି ପାଗଳଟା ସେ ତା ଦେହ ଛୁଇଁଥିବ, ଏହା ଭାବିଲା କ୍ଷଣି...ତେଣୁ... ।” ସେ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ମୋର ଅନୁମାନ, ତା’ରି ବଳରେ ସେ ଇଭକୁ ଟାଣି ଧରିଛି ।”

 

“ସେ ଯେତେବେଳେ ଇଭକୁ ଗ୍ରହଣ କରିବା ପାଇଁ ଆମ ପାଖକୁ ଆସିଥିଲା, ସେତେବେଳେ ମୁଁ ତୁମକୁ ଯାହା କହିଥିଲି ତୁମର ମନେ ଅଛି ତ ?” ଶ୍ରୀଯୁକ୍ତ ଦାରବେଦାଦ୍ ପଚାରିଲେ, “ମୁଁ ତୁମକୁ କହିଥିଲି ନା, ମୁଁ ମନେ କରୁଛି, ଇଭ ତା ଉପରେ ଖୁବ୍ ପ୍ରସନ୍ନ । ତୁମେ ମୋ କଥା ମାନିଲ ନାହିଁ ।” ଖୁବ୍ ବେଶି ତଳକୁ ମୁହଁ ପୋତି, ସେ ହଠାତ୍ ଟେବୁଲକୁ ବାଡ଼େଇଲେ । “ଏହା ହେଲା ମନୋବିକାର ! ସେ ତାକୁ ଭିଡ଼ି ଧରେ, ତାକୁ ଚୁମ୍ବନ କରେ ଏବଂ ଆଗାଥା ବୋଲି ଡାକେ, ଉଡ଼ନ୍ତା ମୂର୍ତ୍ତିମାନଙ୍କ ବିଷୟରେ ଗୁଡ଼ାଏ ଅସଙ୍ଗତ କଥା ବକେ ଏବଂ ଭଗବାନ ଜାଣନ୍ତି ସେ ଆଉ କ’ଣ କରେ ! ଇଭର ତୁଣ୍ଡରୁ କଣ ପଦେ କଥା ବାହାରେକି ! କିନ୍ତୁ ଏ ଦୁହିଁଙ୍କ ଭିତରେ କଣ ଅଛି ! ସେ ତା’ ପାଇଁ ଅନୁତାପ କରୁ, ତାକୁ ଗୋଟାଏ ସ୍ୱାସ୍ଥ୍ୟ–ନିବାସକୁ ପଠାଇ ଦେଉ, ଆଉ ତା’ ସାଙ୍ଗରେ ନିତି ଯାଇ ଦେଖାକରୁ,–ଏ ବେଶ୍ ଚମତ୍କାର ! କିନ୍ତୁ ମୁଁ କଦାପି ଭାବି ନ ଥିଲି...ବିଧବା ।” ସେ ଗମ୍ଭୀର ହୋଇ କହିଲେ, “ମୁଁ ତୁମକୁ ସଫା ସଫା କହି ଦେଉଛି; ଯଦି ତାର ବୁଦ୍ଧି ବୃତ୍ତି ଥାଏ, ସେ ଜଣେ ପ୍ରେମିକ ଗ୍ରହଣ କରୁ ।”

 

“ଚୁପ୍ ରୁହ, ଚାର୍ଲସ !” ଶ୍ରୀମତୀ ଦାରବେଦାତ ଚିତ୍କାର କଲେ ।

 

ଟୁଲ୍ ଉପରୁ ତାଙ୍କ ଟୋପି ଓ ବେତ ଖଣ୍ଡିକ ଉଠାଇ ନେଇ, ଶ୍ରୀଯୁକ୍ତ ଦାରବେଦାତ କହିଲେ, “ତୁମେ ଏକ୍ଷଣି ମତେ ଯାହା କହିଲ, ସେଥିରେ ମୋତେ କିଛି ଆଶା ଦେଖାଯାଉ ନାହିଁ । ଯେ କୌଣସି ମତେ, ମୁଁ ତା’ ସାଙ୍ଗରେ ଆଜି କଥା ହେବି, କାରଣ ସେଟା ମୋର କର୍ତ୍ତବ୍ୟ ।”

 

ଶ୍ରୀମତୀ ଦାରବେଦାତଙ୍କର ଇଛା, ସେ ଏଠାରୁ ଶୀଘ୍ର ଚାଲି ଯାଆନ୍ତୁ ।

 

ତାଙ୍କୁ ହେମତ ଦେବା ପାଇଁ ସେ କହିଲେ, “ତୁମେ ତ ଜାଣ, ଇଭ କଭଳି ଜିଦଖୋର୍ । ସେ ଜାଣେ, ପିୟେର୍ ଭଲ ହେବନାହିଁ । ତଥାପି ଆଜି ସେ ବଡ଼ ଅବାଧ୍ୟ । ସେ ଜଣାଇ ଦେବାକୁ ଚାହେ ନା ଯେ ତାର ଭୁଲ୍ ହୋଇଛି ।”

 

ଶ୍ରୀଯୁକ୍ତ ଦାରବେଦାତ ଅନ୍ୟମନସ୍କ ଭାବରେ ଦାଢ଼ି ସାଉଁଳୁ ସାଉଁଳୁ କହିଲେ, “ଜିଦଖୋର୍ ? ହୋଇପାରେ । ଯଦି ତୁମ କଥା ଠିକ୍ ହୋଇଯାଏ, ଇଭ ଶେଷରେ ହାଲିଆ ହୋଇ ପଡ଼ିବ । ସବୁବେଳେ ସେ ହରଷ ନ ଥାଏ କି ବେଶି କିଛି କହେ ନାହିଁ । ମୁଁ ତାକୁ ସମ୍ବୋଧନ କଲେ, ଉଁ କି ଚୁଁ କିଛି ନ କହି ସେ ତା ଶିଥିଳ ହାତଟା ମୋ ଆଡ଼କୁ ବଢ଼ାଇ ଦିଏ । ସେମାନେ ଏକା ହେବା କ୍ଷଣି, ତାଙ୍କ ନିଜ ରାଜ୍ୟକୁ ଫେରି ଯାଆନ୍ତି । ଇଭ ମୋତେ କହେ, ତାର ମତିଭ୍ରମ ହେତୁ ବେଳେ ବେଳେ ପିୟେର ଚେଁ ଚେଁ ଚିତ୍କାର କରେ, ଯେମିତି କି କିଏ ତା ତଣ୍ଟିଟା କାଟି ଦେଉଛି । ସେ ଦେଖେ ମୂର୍ତ୍ତିମାନେ ଆସି ତାକୁ ଡରାଉଛନ୍ତି । ସେ କହେ, ସେମାନେ ତା ଚାରିପଟେ ଉଡ଼ି ବୁଲି ତାକୁ ଆଖି ଦେଖାନ୍ତି ।”

 

ସେ ଦସ୍ତାନା ପିନ୍ଧି ପୁଣି କହିଲେ, “ଇଭ ଦିନେ ନା ଦିନେ କ୍ଳାନ୍ତ ହୋଇ ପଡ଼ିବ । ମୁଁ କହୁ ନାହିଁ ଯେ ସେ ଭଲ ହେବ ନାହିଁ । କିନ୍ତୁ ଧର ତା’ ଆଗରୁ ଯଦି ସେ ନିଜେ ପାଗଳ ହୋଇଯାଏ ? ମୋର ଇଚ୍ଛା, ସେ ଟିକିଏ ବାହାରକୁ ଯାଇ ଏ ଦୁନିଆକୁ ଦେଖୁ: ସେ ନିଶ୍ଚୟ କେତେ ସୁନ୍ଦର ତରୁଣଙ୍କୁ ଭେଟିବ–କେତେକଙ୍କର ନିଶ୍ଚୟ ଉଜ୍ୱଳ ଭବିଷ୍ୟତ ଥିବ । ଏଠାରେ ସେଠାରେ ଟିକିଏ ବୁଲାଚଲା କଲେ, ଗୋଟିଏ ନୂଆ ଜୀବନ ଧାରଣ କରିବା ପାଇଁ ତାର ନିଶ୍ଚୟ ଆଗ୍ରହ ଜାତ ହେବ-।’’

 

ଆଲୋଚନା ପୁଣି ମୂଳରୁ ଆରମ୍ଭ ହୋଇପାରେ, ଏହି ଭୟରେ ଶ୍ରୀମତୀ ଦାରବେଦାତ ଆଉ କିଛି ଉତ୍ତର ଦେଲେ ନାହିଁ । ତାଙ୍କ ସ୍ଵାମୀ ତାଙ୍କ ଉପରେ ନଇଁ ପଡ଼ିଲେ ।

 

ସେ କହିଲେ, “ତାହା ହେଲେ, ମୁଁ ଯାଉଛି ।’’

 

କପାଳଟା ତାଙ୍କ ଆଡ଼କୁ ଟେକି, ଶ୍ରୀମତୀ ଦାରବେଦାତ କହିଲେ, “ମୋ ପାଇଁ ତାକୁ ଚୁମ୍ବନ ଦେବ, ଆଉ ତାକୁ ମୋର ହୋଇ କହିବ, ସେ ବଡ଼ ହୀନିକପାଳୀ ।’’

 

ସ୍ଵାମୀ ଚାଲିଯିବା କ୍ଷଣି, ଶ୍ରୀମତୀ ଦାରବେଦାତ ଆରାମ ଚୌକୀରେ ପଡ଼ିଯାଇ, ଆଖି ମୁଦିଦେଲେ ।

 

X X X

 

ରୁ ଦୁ ବାକରେ ଗୋଟିଏ ପୁରୁଣା କୋଠାର ଷଷ୍ଠ ତାଲାରେ ଇଭ ତା ସ୍ଵାମୀ ସହିତ ବାସ କରୁଥିଲା । ଶ୍ରୀଯୁକ୍ତ ଦାରବେଦାତ ଧୀରେ ଧୀରେ ୧୧୨ଟି ପାହାଚ ଚଢ଼ିଗଲେ । ଦୁଆର ମୁହଁରେ ଘଣ୍ଟି ଟିପିବା ବେଳକୁ ତାଙ୍କ ଦମ୍ ଫାଟିଯାଇ ନ ଥିଲା ।

 

ଇଭ ଦୁଆର ଫିଟାଇଲା । ତାର ଚାକରାଣୀ ନ ଥିଲା । କୌଣସି ବାଳିକା ତା ପାଖରେ ରହି ପାରନ୍ତି ନାହିଁ । ସେ ତାକୁ ଚୁମ୍ବନ କରି ପଚାରିଲେ, “କିରେ,କେମିତି ଅଛୁ ?’’

 

ଇଭ କିଞ୍ଚିତ୍ ନିରୁତ୍ତାପରେ ତାଙ୍କୁ ଅଭ୍ୟର୍ଥନା ଜଣାଇଲା ।

 

ତାର ଚିବୁକ ଛୁଇଁ, ଶ୍ରୀଯୁକ୍ତ ଦାରବେଦାତ କହିଲେ, “ତୁ ଟିକିଏ ମଳିନ ଦିଶୁଛୁ । ଠିକ୍ ଭାବରେ ବ୍ୟାୟାମ କରୁ ନାହୁଁ କି’’ !

 

ମୁହୂର୍ତ୍ତକର ନିସ୍ତବ୍ଧତା ।

 

“ଇଭ ପଚାରିଲା, “ମା ଭଲ ତ ?’’

 

“ଭଲ ନୁହେଁ, କି ବେଶି ଖରାପ ବି ନୁହେଁ । ତୁ ପରା ମଙ୍ଗଳବାର ଦିନ ତାକୁ ଦେଖିଥିଲୁ-? ତେବେ, ସେ ସେହି ଭଳି ଅଛି । ତୋର ଲୁସୀ ପିଉସୀ କାଲି ତାକୁ ଦେଖା କରିବାକୁ ଆସିଥିଲା-। ସେ ତାକୁ ଦେଖି ଖୁସି ହେଲା । ତାର ଇଚ୍ଛା, ଅତିଥିମାନେ ବରାବର ଆସନ୍ତୁ । ତୋ ଲୁସୀ ପିଉସୀ ସେହି ବନ୍ଧକୀ ବ୍ୟବସାୟ ସଂକ୍ରାନ୍ତରେ ପ୍ୟାରିସକୁ ଆସିଥିଲା । ବୋଧହୁଏ ମୁଁ ତୋତେ ସେ ଅଡ଼ୁଆ କଥା କହିଥିଲି । ସେ ମୋ ମତ ପଚାରିବାରୁ ମୁଁ ତାକୁ କହିଲି : ବିକି ଦିଅ । ସେ ବି ଜଣେ କ୍ରେତା ପାଇଗଲା: ବ୍ରେଟନେଲ, ତୁ ତ ତାକୁ ଜାଣୁ, ଏବେ ବ୍ୟବସାୟରୁ ସେ ଅବସର ନେଇଛି ।’’

 

ସେ ହଠାତ୍ ରହିଗଲେ: ଇଭ ଶୁଣି ଶୁଣୁ ନ ଥିଲା । ସେ ଦୁଃଖିତ ହେଲେ, ଇଭକୁ ଆଉ କିଛି ଭଲ ଲାଗୁ ନାହିଁ । ବହି ବି ନା ! ଆଗରୁ ତା ହାତରୁ ବହି କାଢ଼ି ନେବାକୁ ପଡ଼ୁଥିଲା । ଏକ୍ଷଣି ସେ ଖଣ୍ଡିଏ ସୁଦ୍ଧା ପଢ଼ି ପାରୁ ନାହିଁ ।

 

“ପିୟେର୍ କେମିତି ଅଛି ?’’

 

“ଭଲ,’’ ଇଭ କହିଲା । “ଆପଣ ତାଙ୍କୁ ଦେଖା କରିବାକୁ ଚାହାନ୍ତି ?’’

 

“ନିଶ୍ଚୟ” ଶ୍ରୀଯୁକ୍ତ ଦାରବେଦାତ ଉତଫୁଲ୍ଲ ସ୍ଵରରେ କହିଲେ । “ତାକୁ ଟିକେ ଦେଖା କରିଯିବି ।’’

 

ଏହି ହତଭାଗ୍ୟ ତରୁଣଟି ପ୍ରତି ତାଙ୍କ ହୃଦୟ ଅନୁକମ୍ପାରେ ପୂର୍ଣ୍ଣ ଥିଲା । କିନ୍ତୁ ସେ ରୁଗଣ ବ୍ୟକ୍ତିଙ୍କୁ ଘୃଣା କରନ୍ତି । ପିୟେରର ଦୋଷ ନାହିଁ । ଦୋଷ ତା ବଂଶର । ଶ୍ରୀଯୁକ୍ତ ଦାରବେଦାତ ଦୀର୍ଘଶ୍ଵାସ ଛାଡ଼ିଲେ: ସବୁ ଚେଷ୍ଟା ବ୍ୟର୍ଥ ହୋଇଛି । ଖୁବ୍ ବିଳମ୍ବ ହୋଇଗଲା । ନା, ପିୟେର୍ ଦାୟୀ ନୁହେଁ । ତଥାପି ସେ ସବୁ ବେଳେ ବଂଶର ଦୋଷଟି ବହନ କରୁଛି । ଏହା ହିଁ ତା’ ଚରିତ୍ରର ମୂଳଭିତ୍ତି । ଏହା କର୍କଟ କିମ୍ବା ଯକ୍ଷ୍ମାରୋଗ ନୁହେଁ ଯେ ରୋଗୀକୁ ଅଲଗା ରଖିଦେଇ ପାରିବ । ଇଭ ତାକୁ ବିବାହ ହେବା ବେଳକୁ ସେ ପାଗଳ ହୋଇ ସାରିଥିଲା ।

 

ଶ୍ରୀଯୁକ୍ତ ଦାରବେଦାତ ଚିନ୍ତା କରିବାକୁ ଲାଗିଲେ, ଆଶ୍ଚର୍ଯ୍ୟ ଲାଗୁଛି, ଦାୟିତ୍ଵର ଆରମ୍ଭ କେଉଁଠି, ବା ତାର ଶେଷ କେଉଁଠି ! ପ୍ରତି କ୍ଷେତ୍ରରେ, ସେ ନିଜକୁ ଖୁବ୍ ତନ୍ନତନ୍ନ କରି ସଦାବେଳେ ଦେଖୁଥିଲେ । କିନ୍ତୁ ଏହା କ’ଣ ତା ରୋଗର କାରଣ ନା ଫଳ ? ଗୋଟିଏ ଲମ୍ବା, ପ୍ରାୟ ଅନ୍ଧାରୁଆ ବାରଣ୍ଡାରେ ସେ ତାଙ୍କ ଝିଅର ପଛେ ପଛେ ଚାଲିଲେ ।

 

“ଏହି ତାଲାଟା ତୁମ ପକ୍ଷରେ ଖୁବ୍ ବଡ଼,” ସେ କହିଲେ ।

 

“ଆପଣ ପ୍ରତି ଥର ଏୟା କହନ୍ତି, ବାପା,” ଇଭ ଜବାବ ଦେଲା । “କିନ୍ତୁ ମୁଁ ତ ଆପଣଙ୍କୁ କହିଛି, ପିୟେର୍‍ ନିଜ କକ୍ଷ ଛାଡ଼ିବାକୁ ଚାହାନ୍ତି ନାହିଁ ।”

 

ଇଭ ବାସ୍ତବିକ ବିସ୍ମୟକର । ଅନ୍ୟମାନେ ତାଙ୍କୁ ଦେଖି ବିସ୍ମିତ ହେଉଥିଲେ, ସେ ତା ସ୍ଵାମୀର ଅବସ୍ଥା ଉପଲବ୍ଧି କରିଛି କି ନା କେଜାଣି ! ପିୟେର୍ ବଦ୍ଧ ପାଗଳ ଥିଲେ ସୁଦ୍ଧା, ଇଭ ତାକୁ ଶ୍ରଦ୍ଧା କରୁଥିଲା ।

 

ଟିକିଏ ବିରକ୍ତ ହୋଇ, ଶ୍ରୀଯୁକ୍ତ ଦାରବେଦାତ୍ କହି ଚାଲିଲେ, “ତୁମରି ଭଲ ପାଇଁ ତ ମୁଁ କହୁଛି । ମୁଁ ଯଦି ନାରୀ ହୋଇଥାନ୍ତି, ଏହିସବୁ ଆଲୋକହୀନ କୋଠରୀ ଦେଖି ମୋତେ ଡର ଲାଗନ୍ତା । ମୋର ଇଚ୍ଛା, ତୁମେ ଗୋଟାଏ ଭଲ ଘରେ ରୁହ । ଆଉଟିଉଲରେ ତିନୋଟି ଲେଖାଏଁ ମୁକ୍ତ-ବାୟୁ ବିଶିଷ୍ଟ କୋଠରୀ ମିଳୁଛି । ଲୋକ ଜୁଟୁ ନାହାନ୍ତି ବୋଲି ଭଡ଼ା ବି କମ୍ । ଏଇଟା ତ ଠିକ୍ ବେଳ ।”

ଇଭ ସନ୍ତର୍ପଣରେ ଦୁଆର ଖୋଲି ଦେଲା ଏବଂ ସେମାନେ ପ୍ରବେଶ କଲେ । ଧୂପର ବହଳ ସୁଗନ୍ଧରେ ଶ୍ରୀଯୁକ୍ତ ଦାରବେଦାତଙ୍କର କଣ୍ଠରୁଦ୍ଧ ହୋଇଗଲା । ପରଦାଗୁଡ଼ିକ ପଡ଼ିଥିଲା । ଛାଇରେ ଆରାମ ଚୌକିର ମଥା ଉପରକୁ ଗୋଟାଏ ସରୁ ବେକ ଦିଶୁଥିଲା । ପିୟେର୍ ବୁଲି ବସିଥିଲା । ସେ ଖାଉଥିଲା ।

 

ଚିତ୍କାର କରି, ଶ୍ରୀଯୁକ୍ତ ଦାରବେଦାତ ପଚାରିଲେ, “କିରେ, ପିୟେର୍, ଆଜି କେମିତି ଅଛୁ-?” ସେ ତା ପାଖକୁ ଘୁଞ୍ଚିଗଲେ: ରୋଗୀଟି ଗୋଟିଏ ଛୋଟ ଟେବୁଲ ଆଗରେ ବସିଥିଲା ଓ ଧୃର୍ତ୍ତ ଦିଶୁଥିଲା ।

 

ଆଉ ଟିକିଏ ଚଢ଼ା ଗଳାରେ, ଶ୍ରୀଯୁକ୍ତ ଦାରବେଦାତ କହିଲେ, “ଅଣ୍ଡା ଖାଉଥିଲୁ ପରା ! ବେଶ୍ ଭଲ !”

 

“ମୁଁ କାଲ ନୁହେଁ,” ପିୟେର୍ ଶାନ୍ତ କଣ୍ଠରେ କହିଲା ।

 

ବିରକ୍ତ ହୋଇ, ଶ୍ରୀଯୁକ୍ତ ଦାରବେଦାତ ନିଜର ସାକ୍ଷୀ ଭାବରେ ଇଭ ଆଡ଼କୁ ଅନାଇଲେ-। କିନ୍ତୁ ଇଭ ତାଙ୍କ ଉପରେ କଠିନ ଦୃଷ୍ଟି ପକାଇ ନୀରବ ରହିଲା । ସେ ବୁଝିଲେ, ଇଭ କ୍ଷୁଣ୍ଣ ହୋଇଛି । ତା’ ପକ୍ଷରେ ଖୁବ୍ ଖରାପ । ଏହି ପିଲାଟି ସାଙ୍ଗରେ ଠିକ୍ କିପରି ଭାବରେ ଯେ କଥା କହିବାକୁ ହେବ ତାହା ଜାଣିବା ସମ୍ଭବ ନୁହେଁ । ଚାରି ବର୍ଷର ପିଲାଟିଏ ଠା’ରୁ ବି ତାର ବୁଦ୍ଧି ଜ୍ଞାନ କମ । ତଥାପି ଇଭର ଇଚ୍ଛା ଯେ ସେ ତା ସହିତ ଜଣେ ବୟସ୍କ ଲୋକ ପରି ବ୍ୟବହାର କରନ୍ତୁ । ଅଥଚ ରୁଗଣ ଲୋକ–ବିଶେଷତଃ ପାଗଳାଙ୍କୁ ଦେଖିଲେ ତାଙ୍କ ଅନ୍ତର ବିତୃଷ୍ଣାରେ ପୂର୍ଣ୍ଣ ହୋଇଯାଏ, କାରଣ ସେମାନେ ଭୁଲ୍ କରନ୍ତି-। ଉଦାହରଣ ସ୍ଵରୂପ, ଅଭାଗା ପିୟେର୍ ସବୁବେଳେ ଭୁଲ୍ କରେ ଏବଂ ପଦେ ବି ଉଚିତ କଥା କହିପାରେ ନାହିଁ ।

 

ଇଭ ଅଣ୍ଡା-ଖୋଳଗୁଡ଼ାକ ଓ କପଟା ଉଠାଇ ନେଲା । ଖଣ୍ଡିଏ ଛୁରି ଓ ଗୋଟିଏ କଣ୍ଟା ଆଣି ସେ ପିୟେର୍ ଆଗରେ ରଖିଦେଲା ।

 

ପ୍ରଫୁଲ୍ଲ ଚିତ୍ତରେ ଶ୍ରୀଯୁକ୍ତ ଦାରବେଦାତ ପଚାରିଲେ, “ସେ ଏବେ କ’ଣ ଖାଇବ କି ?”

 

“ମାଂସ ।”

 

ପିୟେର୍ ତାର ଲମ୍ବ ରକ୍ତହୀନ ଆଙ୍ଗୁଳି ଆଗରେ କଣ୍ଟାଟା ଉଠାଇ ନେଲା । ତାକୁ ଧରି ଟିକିନିଖି ପରୀକ୍ଷା କଲା ପରେ ସେ ଟିକିଏ ହସିଦେଲା ।

 

“ଆଜି ଏଥିରେ ଖାଇବି ନାହିଁ,” ସେ ତାକୁ ଥୋଇଦେଇ, ଗୁଣୁଗୁଣୁ ହୋଇ କହିଲା, “ମୋତେ ବାରଣ କରିଛନ୍ତି ।”

 

ଇଭ ଚାଲିଆସି ଉଦବିଗ୍ନ ଆବେଗରେ କଣ୍ଟାଟି ନିରୀକ୍ଷଣ କଲା ।

 

ପିୟେର୍ କହିଲା, “ଆଗାଥା, ମୋତେ ଆଉ ଗୋଟାଏ କଣ୍ଟା ଆଣି ଦିଅ ।”

 

ଇଭ ଆଣିଦେଲା ଏବଂ ପିୟେର୍ ଖାଇ ବସିଲା । ଇଭ ସନ୍ଦେହଜନକ କଣ୍ଟାଟି ଉଠାଇ ନେଇ, ଦୃଢ଼ ଭାବରେ ତା’ ହାତରେ ଧରିଲା । ତା’ର ଦୃଷ୍ଟି ତା’ ଉପରେ ନିବଦ୍ଧ ଥିଲା । ମନେ ହେଉଥିଲା, ସେ ଯେମିତି କଣ କରିବା ପାଇଁ ତା’ ଅନ୍ତର ଭିତରେ ଭୀଷଣ ଚେଷ୍ଟା କରୁଥିଲା । ଶ୍ରୀଯୁକ୍ତ ଦାରବେଦାତ ଭାବୁଥିଲେ, କି ସନ୍ଦେହଜନକ ସେମାନଙ୍କର ଭାବଭଙ୍ଗୀ ଓ ସମ୍ପର୍କ !

 

ଇଭ ଦୀର୍ଘଶ୍ୱାସ ପକାଇ, କଣ୍ଟାଟି ପରିବେଷଣ–ଟେବୁଲ ଉପରେ ଥୋଇଦେଲା । ଶ୍ରୀଯୁକ୍ତ ଦାରବେଦାତ ଅନୁଭବ କଲେ, ତାଙ୍କ ପିତ୍ତ ଯେମିତି ଉପରକୁ ଉଠୁଛି । ଅଭାଗା ଲୋକଟିର ଖାମଖିଆଲ ଭିତରକୁ ଯିବାକୁ ସେ ପସନ୍ଦ କଲେ ନାହିଁ–ଏପରିକି ପିୟେର୍ ପକ୍ଷରେ ମଧ୍ୟ ତାହା ଅପକାରକ ।

 

ସେ ପରିବେଷଣ–ଟେବୁଲ ପାଖକୁ ଗଲେ, ଏବଂ ସଦମ୍ଭରେ କଣ୍ଟାଟି ଉଠାଇ ନେଇ ତାଙ୍କ ଆଙ୍ଗୁଳିରେ ତାର ଦାନ୍ତଗୁଡ଼ାକ ପରୀକ୍ଷା କରିବାକୁ ଲାଗିଲେ । ତା’ପରେ ସେ ପିୟେର୍ ଆଡ଼କୁ ବୁଲି ପଡ଼ିଲେ । କିନ୍ତୁ ପିୟେର୍ ସେତେବେଳେ ଶାନ୍ତ ଭାବରେ ମାଂସ କାଟୁଥିଲା: ସେ ତା ଶ୍ୱଶୁରଙ୍କୁ ଏକ ନରମ, ବ୍ୟଞ୍ଜନାହୀନ ଦୃଷ୍ଟିରେ ଚାହିଁଲା ।

 

“ତୋ ସାଙ୍ଗରେ ଟିକିଏ କଥା ଅଛି,” ଶ୍ରୀଯୁକ୍ତ ଦାରବେଦାତ ଇଭକୁ କହିଲେ ।

 

ଇଭ ଆଜ୍ଞାଧୀନ ଭାବରେ ତାଙ୍କ ପଛେ ପଛେ ପାଖ କୋଠାରୀକୁ ଆସିଲା । ସୋଫା ଉପରେ ବସିପଡ଼ି, ଶ୍ରୀଯୁକ୍ତ ଦାରବେଦାତଙ୍କର ଖିଆଲ ହେଲା କଣ୍ଟାଟା ତାଙ୍କ ମୁଠା ଭିତରେ ରହିଛି-। ସେ ତତକ୍ଷଣାତ୍ ସେଟାକୁ ଟେବୁଲ ଉପରେ ପକାଇ ଦେଲେ ।

 

ସେ କହିଲେ, “ଏଠା ଅବଶ୍ୟ ଟିକିଏ ଭଲ ଅଛି ।”

“ମୁଁ ଆଦୌ ଏଠାକୁ ଆସେ ନାହିଁ ।”

ଶ୍ରୀଯୁକ୍ତ ଦାରବେଦାତ ଗୋଟାଏ ସିଗାରେଟ ବଳିବାକୁ ଲାଗିଲେ । ଆଲୋଚନାଟା କିପରି ଭାବରେ ଆରମ୍ଭ କରିବାକୁ ହେବ, ସେ ତାହା ଆଗ୍ରହ ସହକାରେ ଚିନ୍ତା କଲେ । ସେ ଆଖି ଟେକି ଚାହିଁଲେ । ନିଜ ଝିଅର ସୁନ୍ଦର ବିଜ୍ଞ ଲକ୍ଷଣଗୁଡ଼ିକ ଆଉ ଥରେ ଦେଖି ନେବାକୁ ତାଙ୍କର ଇଚ୍ଛା ହେଲା । ତା ମୁହଁଟି ଦେଖି ସେ ନିରାଶ ହେଲେ । ଦିନେ ଯାହା ଏଡ଼େ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ଥିଲା, ଆଜି ତାହା ଅନୁଜ୍ଜ୍ଵଳ ଓ ତମସାଚ୍ଛନ୍ନ ହୋଇ ଯାଇଛି ।

“ମୋର ଭୟ ହେଉଛି, ତୁ ଦିନକୁ ଦିନ ରୋଗଣା ହୋଇ ଯାଉଛୁ,” ସେ ତାକୁ କହିଲେ ।

ଇଭ ଜବାବ ଦେଲା ନାହିଁ । ମୁହୂର୍ତ୍ତକ ପାଇଁ ଶ୍ରୀଯୁକ୍ତ ଦାରବେଦାତ ତାର କୃଷ୍ଣ କେଶ ଗୁଚ୍ଛ ତଳେ ଜୀର୍ଣ୍ଣଶୀର୍ଣ୍ଣ ମୁଖଟିକୁ ଟିକିଏ ଦେଖିନେଲେ । ତାଙ୍କର ମନେ ହେଲା, ସେ ଯେମିତି ଜଣେ ବିରହିଣୀ ଭଳି ଦିଶୁଛି ।

ଇଭ ତାଙ୍କ ଆଡ଼କୁ ଅନାଇ ଟିକିଏ ହସିଲା । ଶ୍ରୀଯୁକ୍ତ ଦାରବେଦାତ ସିଗାରେଟ ଲଗାଇ ଧୂଆଁ ଛାଡ଼ିବାକୁ ଲାଗିଲେ ।

ସେ ଆରମ୍ଭ କଲେ, ‘‘ଦେଖ ଇଭ, ମୋର ତୋତେ କିଛି କହିବାର ଅଛି: ଆଗରୁ ଆମେ ଯେମିତି କଥାବାର୍ତ୍ତା କରୁଥିଲେ, ଆଜି ସେମିତି କଥା ହେବା । ଆ, ବସ, ଶାନ୍ତଶିଷ୍ଟ ପିଲାଟି ଭଳି ମୋ କଥା ଶୁଣ । ତୋର ଏହି ବୁଢ଼ା ବାପ ଉପରେ ବିଶ୍ୱାସ ରଖ, ମାଆ !”

 

ଇଭ କହିଲା, “ମୁଁ ପଛକେ ଠିଆ ହେଇଛି । ଆପଣ କଣ କହିବାକୁ ଚାହାନ୍ତି, କହନ୍ତୁ ?”

 

ଶ୍ରୀଯୁକ୍ତ ଦାରବେଦାତ ଟିକିଏ ଅଧିକ ନିରାସ ଗଳାରେ କହିଲେ, “ମୁଁ ତୋତୋ ଗୋଟିଏ କଥା ପଚାରିବି । ଏହିସବୁର ପରିଣାମ କଅଣ ?”

 

“ଏହିସବୁ !” ଇଭ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

“ହଁ...ଏହି ଯେଉଁ ଭାବରେ ତୁ ତୋର ସାରା ଜୀବନ ବିତାଇବାକୁ ଯାଉଛୁ । ଶୁଣ !” ସେ କହି ଚାଲିଲେ, “ତୁ ଭାବ ନା, ମୁଁ ତୋତେ ବୁଝି ପାରୁ ନାହିଁ । କିନ୍ତୁ ତୁ ଯାହା କରିବାକୁ ଚାହୁଛୁ ତାହା ମଣିଷର ସାଧ୍ୟାତୀତ । ଗୋଟାଏ ତୁଚ୍ଛା କଳ୍ପନାକୁ ଧରି ତୁ ବଞ୍ଚିବାକୁ ଚାହୁଁ ତ ? ତୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୋହୁ ଯେ ସେ ଗୋଟାଏ ରୋଗୀ । ତୁ ଆଜିକାର ପିୟେରକୁ ଦେଖିବାକୁ ଚାହୁଁ ନାହିଁ । କେବଳ ଅତୀତର ପିୟେର ତୋ ଆଖିରେ ଭାସୁଛି । କିନ୍ତୁ ମାଆ, ଏ ବାଜି ଜିଣିବା ସମ୍ଭବ ନୁହେଁ ।”

 

“ଆପଣ ଭୁଲ କରୁଛନ୍ତି, ବାବା,” ଇଭ ଚେଷ୍ଟା କରି କହିଲା । “ମୁଁ ଭଲ କରି ଜାଣେ ଯେ ପିୟେର୍... ।”

 

ତା ତୁଣ୍ଡରେ କଥା ପଲଟିଲା ନାହିଁ । ଆରାମ ଚୌକିର ପଛରେ ହାତ ରଖି ସେ ନିଜକୁ ଖୁବ୍ ଦୃଢ଼ କରି ଠିଆ ହେଲା : ତାର ତଳ ଓଠରେ କିଛି ନୀରସ ଓ କୁତ୍ସିତ ଭାବନା ଖେଳୁଥିଲା ।

 

“ତାହା ହେଲେ.... ?” ଶ୍ରୀଯୁକ୍ତ ଦାରବେଦାତ ବିସ୍ମିତ ସ୍ୱରରେ ପଚାରିଲେ ।

 

“ତାହା ହେଲେ... ?”

 

“ତୁ... ।”

 

“ସେ ଯେମିତି, ମୁଁ ସେମିତି ତାଙ୍କୁ ଭଲ ପାଏଁ”, ଇଭ ତରବରରେ ଉତ୍ତର ଦେଇ, ବିରକ୍ତ ଦୃଷ୍ଟିରେ ତାଙ୍କୁ ଚାହିଁଲା ।

 

“ଅସମ୍ଭବ,” ଶ୍ରୀଯୁକ୍ତ ଦାରବେଦାତ ଦୃଢ଼ ଭାବରେ କହିଲେ । “ଏହା ଆଦୌ ସତ ନୁହେଁ: ତୁ ତାକୁ ଭଲ ପାଉ ନାହିଁ କି ପାଇ ପାରିବୁ ନାହିଁ । ଜଣେ ସୁସ୍ଥ ସବଳ ବ୍ୟକ୍ତି ବିଷୟରେ ହିଁ କେବଳ ତୋର ଏ ଧାରଣା ଜନ୍ମି ପାରେ । ବରଂ ତୁ ପିୟେରକୁ ଦୟା କରୁ । କିନ୍ତୁ ମୋତେ କହନା, ଯେ ତୁ ତାକୁ ଭଲ ପାଉ । ମୁଁ ତୋତେ ବିଶ୍ୱାସ କରି ପାରିବି ନାହିଁ ।”

 

ଅନ୍ୟମନସ୍କ ଭାବରେ କାର୍ପେଟ ଆଡ଼କୁ ଅନାଇ, ଇଭ ନିର୍ବାକ୍ ହୋଇଗଲା ।

 

ହତାଶ ହୋଇ, ଶ୍ରୀଯୁକ୍ତ ଦାରବେଦାତ ଚିତ୍କାର କଲେ, “ବେଶ୍‍, ଯଦି ତୁ ତାକୁ ଭଲ ପାଉଥାଉ, ତାହାହେଲେ ସେଟା ତୋ ପକ୍ଷରେ, ମୋ’ ପକ୍ଷରେ ଓ ତୋର ଅଭାଗୀ ମାଆ ପକ୍ଷରେ ଏକ ଶୋଚନୀୟ ଦୁର୍ଭାଗ୍ୟ । କାରଣ ଯାହା ତୋ ପାଖରେ ଲୁଚାଇ ରଖିଥାନ୍ତି ଆଜି ମୁଁ ତାହା ତୋ ପାଖରେ ଫିଟାଇ ଦେଉଛି । ତିନୋଟି ବର୍ଷ ନ ପୁରୁଣୁ ପୟେର ସମ୍ପୂର୍ଣ୍ଣ ଉନ୍ମାଦ ହୋଇଯିବ । ସେ ଗୋଟାଏ ପଶୁ ପାଲଟିଯିବ ।”

 

ଇଭ ଅବିଚଳିତ ଭାବରେ ଠିଆ ହୋଇଥିଲା । ସେ ତା ଆଖିପତା ବି ଉଠାଇଲା ନାହିଁ ।

 

“ମୁଁ ଜାଣେ । “

 

“କିଏ ତୋତେ କହିଲା ?” ସେ ସ୍ତମ୍ଭୀତ ହୋଇ ପଚାରିଲେ ।

 

“ଫ୍ରାଙ୍କଟ୍ ! ଛଅ ମାସ ଆଗରୁ ମୁଁ ଜାଣିଛି ।”

 

“ତୋତେ ନ କହିବାକୁ ମୁଁ ତାକୁ ସାବଧାନ କରି ଦେଇଥିଲି, “ତିକ୍ତ ସ୍ୱରରେ ଶ୍ରୀଯୁକ୍ତ ଦାରବେଦାତ୍ କହିଲେ । “ହେଉ, ଭଲ ହୋଇଛି । କିନ୍ତୁ ଏପରି ସ୍ଥଳେ ତୋର ବୁଝିବା ଉଚିତ ଯେ ପିୟେରକୁ ତୋ ପାଖରେ ରଖିବା ଅକ୍ଷମଣୀୟ । ଯେଉଁ ସଂଗ୍ରାମରେ ତୁ ଅବତୀର୍ଣ୍ଣ ହୋଇଛୁ, ତାହା ବ୍ୟର୍ଥ ହେବ । ତାର ରୋଗ ତାକୁ ଛାଡ଼ିବ ନାହିଁ । ଯଦି କିଛି କରିବାର ଥାଆନ୍ତା, ଯଦି ସେବା ଶୁଶ୍ରୂଷା ଦ୍ୱାରା ଆମେ ତାକୁ ରକ୍ଷା କରି ପାରନ୍ତେ, ମୁଁ ତୋତେ ତାହା କରିବାକୁ କହନ୍ତି । କିନ୍ତୁ ଦେଖ: ତୁ ରୂପସୀ, ବୁଦ୍ଧିମତୀ, ତୁ ନିଜେ ନିଜକୁ ବିନା କାରଣରେ ଧ୍ୱଂସ କରିବାକୁ ବସିଛୁ । ମୁଁ ଜାଣେ, ତୁ ଯାହା କରିଛୁ ଅବଶ୍ୟ ପ୍ରଶଂସନୀୟ । କିନ୍ତୁ ବର୍ତ୍ତମାନ ତାହା ଶେଷ ହୋଇ ଯାଇଛି । ତୁ ତୋର କର୍ତ୍ତବ୍ୟ କରି ସାରିଛୁ । ତାଠାରୁ ବି ଅଧିକ । ମାତ୍ର ଏବେ ବି ସେଇ କଥା କରିବା ଜଘନ୍ୟ ଅପରାଧ-। ମାଆ, ଆମ ନିଜ ପ୍ରତି ମଧ୍ୟ ଆମର କର୍ତ୍ତବ୍ୟ ଅଛି । ତୁ ତ ଆମ କଥା ଆଦୌ ଭାବୁ ନାହୁଁ-।” କଥାଗୁଡ଼ିକରେ ହାତୁଡ଼ି ଭଳି ଆଘାତ କରି, ସେ ପୁଣି କହି ଚାଲିଲେ, “ତୁ ନିଶ୍ଚୟ ପିୟେରକୁ ଫ୍ରାଙ୍କଟର ଚିକିତ୍ସାଳୟକୁ ପଠାଇଦେବୁ । ଏହି ଘରଟା ବି ଛାଡ଼ି ଦେ । ଏଠାରେ ଦୁଃଖ ଛଡ଼ା ଆଉ କିଛି ନାହିଁ । ଆମ ପାଖକୁ ଚାଲିଆ ! ଯଦି କାହାର ସେବା କରିବାକୁ ତୋର ଏଡ଼େ ଆଗ୍ରହ, ତୋ ମାଆ ଅଛି । ତା ପାଖରେ କେହି ନାହାଁନ୍ତି । ତୁ ତାକୁ ସାହାଯ୍ୟ କଲେ ସେ ତ ଖୁସି ହେବ-।”

 

ଦୀର୍ଘ ନୀରବତା । ପାଖ କୋଠରୀରୁ ପିୟେରର ଗୀତ ଶୁଣା ଯାଉଥିଲା । ଠିକ୍ ଗୀତ ନୁହେଁ, ବରଂ ଗୋଟାଏ ତୀକ୍ଷ୍ଣ ଓ ଦ୍ରୁତ ଆବୃତ୍ତି । ଶ୍ରୀଯୁକ୍ତ ଦାରବେଦାତ ତାଙ୍କ ଝିଅ ଆଡ଼କୁ ଆଖି ଟେକି ଅନାଇଲେ ।

 

“ତାହାହେଲେ– ‘ନା’ ?”

 

“ପିୟେର ମୋ ପାଖରେ ରହିବେ,” ସେ ଶାନ୍ତ କଣ୍ଠରେ କହିଲା । “ତାଙ୍କ ସହିତ ମୁଁ ବେଶ୍ ଭଲ ଅଛି ।”

 

“ଦିନ ସାରା ଏମିତି ପଶୁଙ୍କ ଭଳି କଟାଇ ?”

 

ଇଭର ଓଠରେ ସ୍ମିତ ହାସ୍ୟ ଖେଳିଗଲା । ସେ ତା ବାପାଙ୍କ ଉପରେ ଗୋଟାଏ ଅଦ୍ଭୁତ, ବିଦ୍ରୂପାତ୍ମକ ଓ ପ୍ରାୟ ସ୍ଫୁର୍ତ୍ତ ଦୃଷ୍ଟି ନିକ୍ଷେପ କଲା । କଥାଟା ସତ । ଶ୍ରୀଯୁକ୍ତ ଦାରବେଦାତ୍ ରାଗରେ ଭାବିବାକୁ ଲାଗିଲେ, ସେମାନେ ତ ଖାଲି ସେତିକି କରନ୍ତି ନାହିଁ; ଏକା ସାଙ୍ଗରେ ବି ଶୁଅନ୍ତି ।

 

“ତୁ ବି ପୁରା ପାଗଳୀ ହୋଇ ଗଲୁଣି”, କହି, ସେ ଉଠି ପଡ଼ିଲେ ।

 

ଇଭ ବିଷଣ୍ଣ ମନରେ ଟିକିଏ ହସିଲା ଏବଂ, ଯେମିତି ନିଜକୁ, ଗୁଣୁଗୁଣୁ ହୋଇ କହିଲା, “ସେତକ କହିବା ବି ଯଥେଷ୍ଟ ନୁହେଁ ।”

 

“ଯଥେଷ୍ଟ ନୁହେଁ ? ମୁଁ ତୋତେ ଖାଲି ଗୋଟାଏ କଥା କହି ଯାଉଛି, ମାଆ ! ତୋତେ ଦେଖି ମୋର ଭୟ ହେଉଛି ।’’

 

ଚଞ୍ଚଳ ତାକୁ ଚୁମ୍ବନ କରି, ସେ ବାହାରି ଗଲେ । ସିଡ଼ିରେ ଓହ୍ଲାଇଲା ବେଳେ ସେ ଭାବୁଥିଲେ: ଦୁଇଟା ବଳିଷ୍ଠ ଲୋକ ପଠାଇ ଦେଲେ ସବୁ ଠିକ୍ ହୋଇଯିବ । ସେମାନେ ଏହି ହତଭାଗା ପଙ୍ଗୁଟାକୁ ଏଠାରୁ କାଢ଼ି ନେଇଯିବେ ଏବଂ ତାକୁ ନ ଜଣାଇ ଗୋଟାଏ ଜଳ-ଧାରା ତଳେ ମାଡ଼ି ବସିବେ ।

 

ଶାରଦୀୟ ଦିବସ–ରମଣୀୟ, ପ୍ରଶାନ୍ତ ଓ ରହସ୍ୟହୀନ । ବାଟରେ ଯାଉଁ ଯାଉଁ ସେ ନିଜ ନିଜକୁ କହୁଥିଲେ: ଇଭ୍ର ମାନବିକ ପ୍ରକୃତି ବାହାରେ ବାସ କରିବାଟାକୁ ମୁଁ ବିରୋଧ କରୁଛି । ପିୟେର ତ ଆଉ ମଣିଷ ନୁହେଁ । ସେ ତାକୁ ଯେଉଁ ସେବା ଓ ପ୍ରେମ ଅର୍ପଣ କରୁଛି, ତଦ୍ଦ୍ୱାରା ସେ ମଣିଷକୁ ସେଥିରୁ ବଞ୍ଚିତ କରୁଛି । ଦୁନିଆକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଆମର ନାହିଁ; ଯାହା ହେଉ ପଛକେ, ଆମେ ତ ଏଇ ସମାଜରେ ବାସ କରୁଛୁଁ ।

 

ଜଣେ ସ୍ତ୍ରୀ ଲୋକ ଗୋଟିଏ ଛୋଟ ପିଲାର ହାତ ଧରି, ଗୋଟାଏ ଖୋଲା ଦୋକାନ ଆଗରେ ଠିଆ ହୋଇଗଲା ।

 

“ସେଟା କଣ ?” ପିଲାଟି ପଚାରିଲା ।

 

ତା ମାଆ କହିଲା, “ସେଥିରେ ହାତ ଦେ ନା । ସେଟା ଗୋଟାଏ ରେଡ଼ିଓ । ସେ ଗୀତ ଗାଏ ।”

 

ହର୍ଷୋତଫୁଲ୍ଲ ହୋଇ, ପାଟି ତୁଣ୍ଡ ନ କରି ସେମାନେ ସେଠାରେ ଦଣ୍ଡେ ଠିଆ ହେଲେ । ଏଥିରେ ଦ୍ରବୀଭୂତ ହୋଇ, ଶ୍ରୀଯୁକ୍ତ ଦାରବେଦାତ ଛୋଟ ପିଲାଟି ଉଦ୍ଦେଶ୍ୟରେ ମଥା ନୂଆଁଇ ହସିଲେ ।

 

–ଦୁଇ–

 

“ସେ ଚାଲି ଗଲେଣି” । ଗୋଟାଏ ମୃଦୁ ଶବ୍ଦରେ ଦୁଆରଟା ବନ୍ଦ ହୋଇଗଲା । ଘରେ ଇଭ ଏକା ରହିଲା । ଭାବିଲା, ତାଙ୍କର ମରଣ ହେଉ ।

 

ଆରାମ ଚୌକିର ପଛ ପଟେ ତା’ର ହାତ ଶ୍ଳଥ ହୋଇଗଲା: ତା ବାପାଙ୍କର ଦୃଷ୍ଟି ତାର ଠିକ୍ ମନେ ଅଛି । ସେ ଅନାଇ ରହିଥିଲେ ଏବଂ ତାଙ୍କର ତୀକ୍ଷ୍ଣ ଓ ବିଶାଳ ଚକ୍ଷୁର ଗଭୀରତାରେ ପିୟେରର ମୁଖଟି ପ୍ରତିଫଳିତ ହୋଇଥିଲା । ଯେତେବେଳେ ସେ ପିୟେର ଆଡ଼କୁ ଅନାନ୍ତି ଇଭର ତାଙ୍କ ପ୍ରତି ଘୃଣା ଜାତ ହୁଏ, କାରଣ ତାର ଧାରଣା, ସେ ପିୟେରକୁ ଦୃଷ୍ଟି କରନ୍ତି ।

 

ଇଭର ହାତ ଆରାମ ଚୌକି ଉପରୁ ଖସିଗଲା ଏବଂ ଝରକା ଆଡ଼କୁ ବୁଲି ପଡ଼ିଲା । ତାର ଆଖି ଝଲସି ଗଲା । ସୂର୍ଯ୍ୟାଲୋକରେ କକ୍ଷଟି ପରିପୂର୍ଣ୍ଣ ହୋଇ ଯାଇଥିଲା । ଚାରି ଆଡ଼େ ବିଛୁଡ଼ି ପଡ଼ିଥିଲା । କମ୍ବଳ ଉପରେ ପଡ଼ି, ପବନରେ ଧୂଳି ପରି ଉଡ଼ୁଥିଲା । ଇଭ ଏଥିରେ ଅଭ୍ୟସ୍ତ ନ ଥିଲା । ଯାହା ହେଉ, ସେ ଝରକା ପାଖକୁ ଯାଇ କାଚ ଉପରେ ଝୁଲୁଥିବା ମସଲିନ ପରଦାଟା ଟେକି ଦେଲା । ଠିକ୍ ସେତିକି ବେଳେ ଶ୍ରୀଯୁକ୍ତ ଦାରବେଦାତ ସେହି କୋଠା ଛାଲେ । ଲଭ୍ ସହସା ତାଙ୍କର ପ୍ରଶସ୍ତ କାନ୍ଧ ଦେଖି ପାରିଲା । ସେ ଆକାଶ ଉପରକୁ ଅନାଇଲେ ଏବଂ ତା’ ପରେ ଯୁବକ ପରି ଲମ୍ବ ପାହୁଣ୍ଡ ପକାଇ ଚାଲିଗଲେ । ସେ ପିୟେର ବିଷୟରେ ଭାବୁଥିଲେ । ସେମାନଙ୍କ ଜୀବନର କିଛି ଅଂଶ ସେହି ରୁଦ୍ଧ କକ୍ଷରୁ ମୁକୁଳି ଗଲା ଏବଂ ରାସ୍ତାରେ, ଖରାରେ, ଲୋକଙ୍କ ଗହଳିରେ ଟାଣ ହୋଇ ଯିବାକୁ ଲାଗିଲା । ସେମାନେ କ’ଣ ଆମ ବିଷୟ ଭୁଲି ଯାଇ ପାରିବେ ନାହିଁ ?

 

‘ରୁଦୁ ବାକ୍’ ପ୍ରାୟ ଜନହୀନ ହୋଇ ଯାଇଥିଲା । ଜଣେ ବୃଦ୍ଧା ମହିଳା ଟିକି ଟିକି ପାହୁଣ୍ଡରେ ରାସ୍ତା ଟପି ଚାଲିଗଲା । ହସି ହସି ତିନୋଟି ବାଳିକା ଚାଲିଗଲେ । ତାପରେ କେତେ ଜଣ ବଳିଷ୍ଠ ଓ ଗମ୍ଭୀର ଲୋକ ବ୍ରିଫକେସ୍ ହାତରେ ଧରି, ଆପଣା ଆପଣା ଭିତରେ କଥାବାର୍ତ୍ତା ହୋଇ ଯାଉଥିଲେ । ଇଭ ଭାବିଲା, ସେମାନେ ସୁସ୍ଥ ଲୋକ । ତେଣୁ ସେମାନଙ୍କ ଉପରେ ତାର ତୀବ୍ର ଘୃଣା ଜାତ ହେଲା । ଜଣେ ସ୍ଥୂଳକାୟା ସୁନ୍ଦରୀ ରମଣୀ ଜଣେ ସୁଦର୍ଶନ ବ୍ୟକ୍ତିଙ୍କ ପାଖକୁ ଦୌଡ଼ିଗଲା । ସେ ତାକୁ କୁଣ୍ଢେଇ ପକାଇ, ତା ମୁହଁ ଉପରେ ଗୋଟାଏ ଚୁମ୍ବନ ଦେଲେ । ଇଭର କଠିନ ହସ ସାଙ୍ଗରେ ପରଦାଟା ପଡ଼ିଗଲା ।

 

ପିୟେର ଆଉ ଗୀତ ବୋଲୁ ନ ଥିଲା, କିନ୍ତୁ ଚାରି ତାଲାରେ ରହିଥିବା ମହିଳାଟି ପିଆନୋ ବଜାଉଥିଲା । ଇଭ ଟିକିଏ ଶାନ୍ତ ବୋଧ କଲା । ପିୟେରର କକ୍ଷ ଆଡ଼କୁ ସେ ଏକ ପାହୁଣ୍ଡ ପକାଇଲା, ମାତ୍ର ପ୍ରାୟ ତତକ୍ଷଣାତ୍ ଅଟକିଗଲା ଏବଂ ଯନ୍ତ୍ରଣାରେ କାନ୍ଥରେ ଆଉଜି ପଡ଼ିଲା । ସେହି କକ୍ଷ ଛାଡ଼ି ଥରେ ଚାଲିଗଲେ, ଫେରିବା କଥା ତାର ମନେ ପଡ଼ିବା କ୍ଷଣି ସେ ପ୍ରତି ଥର ଭୟଭୀତ ହୋଇ ଯାଉଥିଲା । ତଥାପି ସେ ଜାଣିଥିଲା, ସେ ଆଉ କେଉଁଠି ରହି ପାରିବ ନାହିଁ : ସେ ସେହି କକ୍ଷଟିକୁ ଭଲ ପାଉଥିଲା । ଟିକିଏ ବେଳ ଗଡ଼ାଇ ଦେବା ପାଇଁ ସେ ଶୀତଳ କୌତୂହଳରେ ତା ଚାରିଆଡ଼କୁ ଅନାଇଲା : ଏହି ଛାୟାହୀନ ଓ ଗନ୍ଧହୀନ କକ୍ଷଟିରେ ତାର ସାହସ ଫେରି ପାଇବାକୁ ସେ ଅପେକ୍ଷା କରି ବସିଛି । ଇଭ୍‍ ଭାବିଲା, ସାଧାରଣ ଲୋକଙ୍କ ପାଇଁ ତାହା ଏକ ଜୀବନ୍ତ କକ୍ଷ । ସେହି ରୁଦ୍ଧଦ୍ୱାର ଉପରେ ତାର ଦୃଷ୍ଟି ପଡ଼ିବା ମାତ୍ରେ, ଭୟ ତାର ଗଳା ଟିପି ଧରିଲା : ମୁଁ ନିଶ୍ଚୟ ଫେରିଯିବି । ଏତେ ବେଳ ଯାଏ ମୁଁ ତ ତାଙ୍କୁ କେବେ ଛାଡ଼ି ରହେ ନାହିଁ । ତାକୁ ଦୁଆର ଫିଟାଇବାକୁ ହେବ, ତାପରେ ମୁହୂର୍ତ୍ତେ ବନ୍ଧ ଉପରେ ଠିଆ ହେବାକୁ ପଡ଼ିବ ଏବଂ ଛାୟା ସହିତ ତାର ଆଖିକୁ ଅଭ୍ୟସ୍ତ ହେବା ପାଇଁ ଚେଷ୍ଟା କରିବାକୁ ପଡ଼ିବ । ତାର ସମସ୍ତ ଶକ୍ତି ପ୍ରୟୋଗ କରି କକ୍ଷଟି ତାକୁ ପଛକୁ ଠେଲି ଧରିବ । କକ୍ଷର ଭିତର ଯାଏ ସମଗ୍ର ରାସ୍ତାଟା ଯାକ ଇଭକୁ ଏହି ପ୍ରତିରୋଧ ଜୟ କରି କରି ଅଗ୍ରସର ହେବାକୁ ପଡ଼ିବ । ହଠାତ୍ ପିୟେରକୁ ଦେଖିବା ପାଇଁ ତାର ତୀବ୍ର ଇଚ୍ଛା ହେଲା କିନ୍ତୁ ପିୟେର ତାକୁ ଲୋଡ଼ୁ ନଥିଲା । ସହସା ଟିକିଏ ଗର୍ବ ହେତୁ ତାର ଧାରଣା ହେଲା ଯେ ତାର କେଉଁଠି ସ୍ଥାନ ନାହିଁ । ସାଧାରଣ ଲୋକେ ଭାବନ୍ତି, ମୁଁ ସେମାନଙ୍କ ଦଳଭୁକ୍ତ । କିନ୍ତୁ ମୁଁ ତ ସେମାନଙ୍କ ସାଙ୍ଗରେ ଘଣ୍ଟାଏ ବି ରହି ପାରିବି ନାହିଁ । ବାହାରେ କାନ୍ଥର ଆର ପଟରେ ମୋତେ ବଞ୍ଚି ରହିବାକୁ ହେବ । କିନ୍ତୁ ସେମାନେ ବି ମୋତେ ସେଠାରେ ଚାହାନ୍ତି ନାହିଁ ।

 

ତାର ଚତୁର୍ଦ୍ଦିଗରେ ଗୋଟାଏ ଗଭୀର ପରିବର୍ତ୍ତନ ହେଉଥିଲା । ଆଲୋକ ଆହୁରି ପୁରାତନ ଓ ଧୂସର ହୋଇ ଯାଇଛି: ଫୁଲଦାନିରେ ଗତ ଦିନର ବଦଳି–ନ–ଥିବା ପାଣି ପରି, ତାହା ଭାରୀ ଥିଲା । ଏହି ପୁରାତନ ଆଲୋକରେ ଏକ ବିସ୍ମୃତ ବିଷଣ୍ଣତା ବିଷୟ ଇଭର ମନେ ପଡ଼ିଲା: ଶରତ୍ କାଳର ଏକ ଅନ୍ତିମ ଅପରାହ୍ନର ବିଷର୍ଣ୍ଣତା । ଦ୍ୱିଧାଜନକ ଓ ଭୀରୁ ନୟନରେ ସେ ଚାରିଆଡ଼କୁ ଅନାଇଲା: ସେସବୁ କେତେ ଦୂରକୁ ଚାଲି ଗଲେଣି । ଦିନ, କି ରାତି, କି ଋତୁ, କି ବିଷର୍ଣ୍ଣତା କିଛି ହେଲେ ସେହି କକ୍ଷଟିରେ ନ ଥିଲା । ସୁଦୀର୍ଘ ଅତୀତରେ ସେହି ଶରତ କାଳଗୁଡ଼ିକର କଥା ଅସ୍ପଷ୍ଟ ଭାବରେ ସେ ସ୍ମରଣ କଲା । ତାର ଶୈଶବର ଶରତ୍ କାଳ । ତାପରେ ସେ ସହସା କଠିନ ହୋଇଗଲା : ସ୍ମୃତିକୁ ସେ ଡରିଗଲା ।

 

“ପିୟେରର କଣ୍ଠ ଶୁଣାଗଲା । “ଆଗାଥା ! ତୁମେ କୁଆଡ଼େ ଗଲ ?”

 

“ଯାଉଛି !” ସେ ପାଟି କରି କହିଲା ।

 

ସେ ଦୁଆର ଖୋଲି କକ୍ଷ ଭିତରେ ପ୍ରବେଶ କଲା ।

 

ଭିତରେ ପାଦ ଦେଲା କ୍ଷଣି ଧୂପର ବହଳ ଗନ୍ଧ ତା ମୁହଁ ଓ ନାକରେ ପଶିଗଲା । ସେ ଧିରେ ଧିରେ ଆଖି ଖୋଲିଲା ଏବଂ ହାତ ବଢ଼ାଇ ଦେଲା–

 

କିଛି କ୍ଷଣ ଯାଏ ସେହି ସୁଗନ୍ଧ ଓ ଅନ୍ଧକାର ଗୋଟିଏ ବିସ୍ଵାଦ ଓ ଭାରୀ ଜିନିଷ ବୋଲି ତାର ମନେ ହେଲା । ପାଣି, ପବନ ଓ ନିଆଁ ପରି ସରଳ ଓ ପରିଚିତ–କୁହୁଡ଼ିରେ ଭାସୁଥିବା ଗୋଟାଏ ବିବର୍ଣ୍ଣ ଚିହ୍ନ ଆଡ଼କୁ ସେ ଉଦବିଗ୍ନ ବଦନରେ ଚାହିଁ ଅଗ୍ରସର ହେଲା । ସେଇଟା ପିୟେରର ମୁଖ: ପିୟେରର ପୋଷାକପତ୍ର (ଅସୁସ୍ଥ ହେବା ଦିନରୁ ସେ କଳା ପୋଷାକ ପରିଧାନ କରୁଛି) ଅନ୍ଧକାରରେ ମିଳାଇ ଯାଇଥାଏ । ପିୟେରର ମୁଣ୍ଡ ପଛକୁ ପଡ଼ିଛି ଏବଂ ଆଖି ମୁଦ୍ରିତ । ସେ ସୁଦର୍ଶନ । ଇଭ ତାର ଲମ୍ବା ବଙ୍କା ଆଖିପତା ଆଡ଼କୁ ଅନାଇଲା, ଏବଂ ତାପରେ ଯାଇ ଚୌକିଟିରେ ତାକୁ ଲାଗିକରି ବସିଲା । ସେ ଭାବିଲା, ପିୟେର ବଡ଼ କଷ୍ଟ ପାଉଥିବ । ଆସ୍ତେ ଆସ୍ତେ ତାର ଦୃଷ୍ଟି ଅନ୍ଧକାରରେ ଅଭ୍ୟସ୍ତ ହୋଇଗଲା । ପ୍ରଥମେ ଡେସ୍କଟା ଭାସି ଉଠିଲା, ତାପରେ ଶଯ୍ୟା, ତାପରେ ପିୟେରର ବ୍ୟକ୍ତିଗତ ଜିନିଷପତ୍ର, କଇଁଚି, ଅଠା ଶିଶି, ବହିପତ୍ର, ଆରାମଚୌକି ପାଖରେ କମ୍ବଳ ଉପରେ ପତ୍ର ଝାଡ଼ୁଥିବା ଲତାଟା ।

 

“ଆଗାଥା ?”

 

ପିୟେର ତା ଆଖି ଖୋଲିଲା । ସେ ସାହାସ୍ୟ ବଦନରେ ତାକୁ ଲକ୍ଷ୍ୟ କରୁଥିଲା । ସେ କହିଲା, “ତୁମେ ତ ଜାଣ, ସେହି କଣ୍ଟାଟା । ସେଥିରେ କିଛି ନ ଥିଲା । ଖାଲି ତାଙ୍କୁ ଡରାଇବା ପାଇଁ ମୁଁ ସେୟା କଲି ।”

 

ତରଳ ହସର ରେଖା ଖେଳାଇ ଇଭ କହିଲା, ‘‘ତୁମେ ତ ଜିତିଲ ।”

 

ପିୟେର ହସିଲା । “ତୁମେ ଦେଖିଛ ? ସେ ଢେର୍ ବେଳ ଯାଏ ସେଟାକୁ ହାତରେ ଧରିଥିଲେ । କଥାଟା ହେଉଛି କଣ କି, ସେମାନେ ଅସଲ ଜିନିଷଟା ଠଉରେଇ ଜାଣନ୍ତି ନାହିଁ ।”

 

ଇଭ ଜବାବ ଦେଲା ନାହିଁ ।

 

“ସେ କଣ ଚାହାନ୍ତି ?” ପିୟେର ପଚାରିଲା– “ସେ ତ ନିଶ୍ଚୟ ତୁମକୁ କହିଥିବେ ।”

 

କ୍ଷଣେ ଇତସ୍ତତ ହୋଇ, ସେ ନିଷ୍ଠୁର କଣ୍ଠରେ କହିଲା, “ସେ ତୁମକୁ ଗାରଦରେ ପୂରାଇବାକୁ ବସିଛନ୍ତି ।”

 

ସହଜ ଭାବରେ ସତ କଥାଟା ପ୍ରକାଶ କଲେ, ପିୟେର ଅବିଶ୍ଵାସ କରେ । ତେଣୁ ତା ସହିତ ନିଷ୍ଠୁର ବ୍ୟବହାର କରି ତାର ସନ୍ଦେହକୁ ଆଚ୍ଛନ୍ନ ଓ ପଙ୍ଗୁ କରି ଦେବାକୁ ହେବ । ମିଛ କହିବା ଅପେକ୍ଷା ତା ପ୍ରତି ପାଶବିକ ନିଷ୍ଠୁର ଆଚରଣ କରିବାକୁ ଇଭ ପସନ୍ଦ କରେ ।

 

“ମୋତେ ଗାରଦରେ ପୂରାଇ ଦେବ ! “ପିୟେର ବିଦ୍ରୂପାତ୍ମକ ଭଙ୍ଗୀରେ ପୁନଃପୁନଃ ଉଚ୍ଚାରଣ କରିବାକୁ ଲାଗିଲେ । “ସେମାନେ ପାଗଳ । କାନ୍ଥଗୁଡ଼ାକ ମୋର କଣ କରି ପାରିବେ ? ସେମାନଙ୍କର ହୁଏ ତ ଧାରଣା, ଗାରଦ ମୋତେ ଥଣ୍ଡା କରିଦେବ । ବେଳେ ବେଳେ ମୁଁ ବି ବିସ୍ମିତ ହୁଏ । ଦୁଇଟା ଦଳ ଅଛନ୍ତି । ପ୍ରକୃତ ଦଳଟା ହେଉଛି ନିଗ୍ରୋ–ଆଉ ଅନ୍ୟ ଦଳରେ ଗୁଡ଼ାଏ ବୋକା ଲୋକ ଭୁଲ ପରେ ଭୁଲ କରି ଯାଉଛନ୍ତି ।”

 

ଚୌକିର ହାତରୁ ନିଜ ହାତଟି ଉଠାଇ ନେଇ ସେ ଆନନ୍ଦରେ ତାକୁ ଦେଖିବାକୁ ଲାଗିଲା-

 

“ମୁଁ କାନ୍ଥ ଭିତର ଦେଇ ଯାଇପାରେଁ । ତୁମେ ତାଙ୍କୁ କଣ କହିଲ ?” କୌତୂହଳରେ ଇଭ ଆଡ଼କୁ ବୁଲିପଡ଼ି, ସେ ପଚାରିଲା ।

 

“ତୁମକୁ ଗାରଦରେ ନ ପୂରାଇବାକୁ ।”

 

ସେ କାନ୍ଧ ହଲାଇଲା– “ତୁମର ତାହା କରିବା ଉଚିତ୍ ନୁହେ । ତୁମେ ବି ଗୋଟାଏ ଭୁଲ୍ କଲ ।”

 

ଇଭ ଦୁଃଖରେ ମଥା ନୁଆଁଇ ଦେଲା । ସହସା ସେ ଅନୁଭବ କଲା, ତାକୁ ଚଉଦ ବର୍ଷ ବେଳେ ସେ ଯେମିତି ଅଭାଗୀ ଥିଲା ଆଜି ବି ସେମିତି ଅଛି । ଟିକିଏ ଘୁଞ୍ଚି ଯିବାକୁ ତାର ହେମତ ହେଲା ନାହିଁ ଏବଂ ଠିକ୍ ସେତିକି ବେଳେ ତାର ସ୍ଥାନ ପରିବର୍ତ୍ତନ କରିବା ପାଇଁ ତା ମନ ଭିତରେ ଏକ ଅଦମ୍ୟ ଇଚ୍ଛା ଜାତ ହେଲା । କାର୍ପେଟରେ ନ ଛୁଆଁଇ, ସେ ତା ପାଦକୁ ନେଇ ଧୀରେ ଚୌକି ତଳେ ରଖିଲା । ଟେବୁଲ ଉପରେ ଥିବା ଲ୍ୟାମ୍ପଟା ଓ ଶତରଞ୍ଜି ଖେଳ ଆଡ଼କୁ ସେ ଟିକିଏ ଚାହିଁଲା-। ସମୟ ସମୟରେ ସେ ଉଠି ପଡ଼ି, ଟେବୁଲ ପାଖକୁ ଯାଏ ଏବଂ ଗୋଟାଏ ଗୋଟାଏ ଗୁଟି ହାତରେ ଧରି ସେମାନଙ୍କ ସହିତ କଥା ହୁଏ । ପିୟେର ଖେଳି ସାରି ଚାଲି ଆସିଲେ, ଇଭ ଯାଇ ସେଗୁଡ଼ାକ ଟିକିଏ ଛୁଇଁ ଦିଏ ।

 

ଇଭ ତା ଆଣ୍ଠୁ ଟିକିଏ ହଲାଇଲା; ତାର ମନେ ହେଲା ତାର ଗୋଡ଼ ଦୁଇଟି ଯେମିତି ପିମ୍ପୁଡ଼ିଙ୍କ ସାଙ୍ଗରେ ଆଗକୁ ଆଗକୁ ବଢ଼ୁଛି । ତାର ଶରୀର ଶକ୍ତ, ସମର୍ଥ ଓ ପୀଡ଼ାଦାୟକ ହୋଇଗଲା । ସେ ନିଜକୁ ଅତିଶୟ ଜୀବନ୍ତ ଓ ଦାବୀପ୍ରବଣ ବୋଧ କଲା । ‘ମୁଁ ଏଠାରେ ଅଶରୀରୀ ହୋଇ ରହିବାକୁ ଚାହେ, ଯେମିତି ମୁଁ ତାଙ୍କୁ ଦେଖି ପାରିବି, କିନ୍ତୁ ସେ ମୋତେ ଦେଖି ପାରିବେ ନାହିଁ । ସେ ତ ମୋତେ ଲୋଡ଼ନ୍ତି ନାହିଁ; ଏହି କକ୍ଷରେ ମୁଁ ଅଦରକାରୀ ।’ ଟିକିଏ ମୁଣ୍ଡ ବୁଲାଇ, ସେ ପିୟେରର ମଥା ଉପରେ କାନ୍ଥକୁ ଅନାଇଲା । କାନ୍ଥରେ ଲିଖିତ ହୋଇଥିଲା–ଭୟ । ଇଭ ତାହା ଜାଣେ, କିନ୍ତୁ ପଢ଼ି ପାରୁ ନ ଥିଲା । ତା ଆଖି ଆଗରେ ନୃତ୍ୟ ନ କରିବା ଯାଏ, ସେ କାନ୍ଥରେ କାଗଜର ବଡ଼ ବଡ଼ ଗୋଲାପ ଫୁଲଗୁଡ଼ାକ ଆଡ଼କୁ ଅଧିକାଂଶ ସମୟରେ ଚାହିଁ ରହୁଥିଲା-। ଗୋଲାପଗୁଡ଼ିକ ଛାୟାରେ ଦାଉ ଦାଉ ହୋଇ ଜଳୁଥିଲା । ଅଧିକାଂଶ ସମୟରେ ଶଯ୍ୟାର ଟିକିଏ ବାମ ଦିଗକୁ, ଛାତ ପାଖରେ ‘ଭୟ’ ବୋଲି ଲେଖା ହୋଇଥାଏ, କିନ୍ତୁ ସମୟ ସମୟରେ ସେଟା ଘୁଞ୍ଚିଯାଏ । ‘ମୋତେ ଉଠି ପଡ଼ିବାକୁ ହେବ । ମୁଁ ପାରୁ ନାହିଁ...ମୁଁ ଆଉ ବସି ରହି ପାରୁ ନାହିଁ-।’ କାନ୍ଥରେ ଧଳା ବୃତ୍ତଗୁଡ଼ାକ ପିଆଜର ଚେକା ଭଳି ଦିଶୁଥାଏ । ବୃତ୍ତଗୁଡ଼ିକ ଘୂରିଲେ, ଇଭର ହାତ ଥରିବାକୁ ଲାଗେ: ସମୟ ସମୟରେ ତାର ମନେ ହୁଏ ସେ ପାଗଳ ହୋଇ ଯାଉଛି । କିନ୍ତୁ ନା, ସେ ଭାବେ, ‘ମୁଁ ପାଗଳ ହୋଇ ଯାଇ ପାରିବି ନାହିଁ । ମୁଁ ସିନା ହତୋତ୍ସାହ ହୋଇଯାଏଁ । ତା ଛଡ଼ା ଆଉ ତ କିଛି ନୁହେଁ ।’

 

ହଠାତ୍ ସେ ତା ହାତ ଉପରେ ପିୟେରର ହାତର ସ୍ପର୍ଶ ଅନୁଭବ କଲା ।

 

“ଆଗାଥା’’, ପିୟେର ନରମ ଗଳାରେ ଡାକିଲା ।

 

ସେ ଇଭ ଆଡ଼କୁ ଚାହିଁ ହସିଲା । କିନ୍ତୁ ଏକ ପ୍ରକାର ବିତୃଷ୍ଣାରେ ସେ ତାର ହାତ ପିଠିଟା ନିଜର ଆଙ୍ଗୁଳି ଆଗରେ ଧରି ପକାଇଲା, ଯେମିତି କି ସେ ଗୋଟାଏ କଙ୍କଡ଼ାକୁ ତା ପିଠିରୁ ଧରିଛି-

 

ସେ କହିଲା, “ଆଗାଥା, ତୁମ ଉପରେ ମୁଁ ଆସ୍ଥା ରଖିବାକୁ ଚାହେଁ ।’’

 

ଇଭ ଆଖି ବୁଜି ଦେଲା ଏବଂ ତା ବିଷଟା କମ୍ପି ଉଠିଲା । ‘ମୋର ଆଦୌ ଉତ୍ତର ଦେବା ଉଚିତ ନୁହେଁ । ମୁଁ ଉତ୍ତର ଦେଲେ ସେ ରାଗିଯିବେ ଏବଂ ଆଉ କିଛି କହିବେ ନାହିଁ ।’

 

ପିୟେର ତା ହାତ ଛାଡ଼ି ଦେଇଥିଲା । ସେ କହିଲା, “ଆଗାଥା, ମୁଁ ତୁମକୁ ଭଲପାଏଁ, କିନ୍ତୁ ମୁଁ ତୁମକୁ ବୁଝିପାରେ ନାହିଁ । ତୁମେ କାହିଁକି ସବୁ ବେଳେ ଏହି କକ୍ଷରେ ରହିଥାଅ କହିଲ ?’’

 

ଇଭ ଜବାବ ଦେଲା ନାହିଁ ।

 

“କୁହ କାହିଁକି ।’’

 

“ତୁମେ ତ ଜାଣ, ମୁଁ ତୁମକୁ ଭଲପାଏଁ,’’ ସେ ନିଷ୍ପ୍ରାଣ ଗଳାରେ କହିଲା ।

 

“ମୋର ତୁମକୁ ବିଶ୍ଵାସ ନାହିଁ,’’ ପିୟେର୍ କହିଲା । “ତୁମେ ବା ମୋତେ କାହିଁକି ଭଲ ପାଇବ ? ମୁଁ ବରଂ ତୁମକୁ ଡରାଇବି: ମୁଁ ଭୂତଗ୍ରସ୍ତ ।’’ ହସି ପକାଇଲା, ମାତ୍ର ସହସା ଗମ୍ଭୀର ହୋଇଗଲା ।” ତୁମ ଓ ମୋ ମଝିରେ ଅଛି ଗୋଟାଏ କାନ୍ଥ । ତୁମକୁ ଦେଖୁଛି, ତୁମ ସାଙ୍ଗରେ କଥା ହେଉଛି, କିନ୍ତୁ ତୁମେ କାନ୍ଥର ଅପର ପାଖରେ ରହିଛ । ପ୍ରେମ ଠାରୁ ଆମକୁ କେଉଁ କଥା ଦୂରେଇ ରଖୁଛି ? ମୁଁ ଭାବୁଛି, ଆଗେ ତ ଏ ବାଧା ନ ଥିଲା । ହାମବର୍ଗରେ ।’’

 

“ହଁ,’’ ଇଭ ବିଷଣ୍ଣ ବଦନରେ କହିଲା । ସବୁବେଳେ ସେହି ହାମବର୍ଗ । ସେମାନଙ୍କ ବାସ୍ତବ ଅତୀତର କଥା ସେ କେବେ କହେ ନାହିଁ । ସେ କି ଇଭ କେହି କେବେ ହାମବର୍ଗକୁ ଯାଇ ନାହାନ୍ତି ।

 

“ଆମେ କେନାଲ କୂଳରେ ବୁଲୁଥିଲେ । ସେଠାରେ ଗୋଟାଏ ଜାହାଜ ରହିଥିଲା । ତୁମର ମନେ ଅଛି ଟି ? କଳା ଜାହାଜର ଡେକରେ ଗୋଟାଏ କୁକୁର ବୁଲୁଥାଏ... ।”

 

ସେ ବନାଇ କହୁଥିଲା । ତାହା ମିଛ ବୋଲି ଜଣା ଯାଉଥିଲା ।

 

“ମୁଁ ତୁମ ହାତ ଧରିଥାଏଁ । ତୁମର ଅନ୍ୟ ରକମ ଚେହେରା ଥିଲା । ତୁମେ ଯାହା କହୁଥାଅ ମୁଁ ବିଶ୍ୱାସ କରୁଥାଏଁ । ଚୁପ୍ ରୁହ !’’ ସେ ପାଟି କଲା ।

 

ସେ ମୁହୂର୍ତ୍ତେ କାନ ଡେରି, ବିଷଣ୍ଣ ଭାବରେ କହିଲା, “ସେମାନେ ଆସୁଛନ୍ତି ।’’

 

ଇଭ କୁଦି ପଡ଼ିଲା । “ଏଁ, ସେମାନେ ଆସୁଛନ୍ତି ? ମୁଁ ତ ଭାବିଥିଲି, ସେମାନେ ଆଉ ଆଦୌ ଆସିବେ ନାହିଁ ।’’

 

ଗତ ତିନି ଦିନ ହେଲା ପିୟେର୍ ଟିକିଏ ଶାନ୍ତ ଥିଲା । ମୂର୍ତ୍ତିମାନେ ଆସି ନ ଥିଲେ । ନ ମାନିଲେ କଣ ହେବ, ପିୟେର ମୂର୍ତ୍ତିମାନଙ୍କୁ ଭୀଷଣ ଭୟ କରୁଥିଲା । ଇଭ ଭୟ କରୁ ନ ଥିଲା : କିନ୍ତୁ ସେମାନେ ଯେତେବେଳେ କକ୍ଷ ଭିତରେ ଭଁ ଭଁ ଶବ୍ଦ କରି ଉଡ଼ନ୍ତି, ତାର ପିୟେରକୁ ଦେଖି ଭୟ ଲାଗେ ।

 

ଇଭର ପିୟେର ଉପରେ ରାଗ ହେଲା । ପ୍ରତି ଥର ସେମାନେ ଆସିଲେ ସେ ସତର୍କ ହୋଇ ଯାଆନ୍ତି : କିପରି ସେ ଏହା କରନ୍ତି ? ତାଙ୍କର ତ କେବେ ଭୁଲ୍ ହୁଏ ନାହିଁ ।

 

ପିୟେର ଉଠି ପଡ଼ିଲାଣି । ଇଭ ମନେ ମନେ କହିଲା: ମୁଁ ତୁମ ପରି ଭାବିବାକୁ ଚାହେଁ । ଗୋଇଠି ଉପରେ ଭରା ଦେଇ, ପିୟେର ଗୋଡ଼ ଟିପିଟିପି ଚାଲିଲା । ନ୍ୟୂନତମ ସ୍ଥାନ ନେବା ପାଇଁ ସେ କମରରେ କହୁଣୀ ଦୁଇଟା ଚାପି ଧରିଥିଲା । ସେ ଫେରିଯାଇ ବସି ପଡ଼ିଲା ଏବଂ ଇଭ ଆଡ଼କୁ ରୁଦ୍ଧ ଦୃଷ୍ଟିରେ ଚାହିଁଲା ।

 

ସେ କହିଲା, “କାନ୍ଥରେ କଳା କାଗଜ ଲଗାଇବାକୁ ହେବ । ଏହି କୋଠରୀଟା ଯଥେଷ୍ଟ କଳା ନୁହେଁ ।”

 

ସେ ଆରାମ ଚୌକିରେ ଜାକିଜୁକି ହୋଇ ବସିଥିଲା । ଇଭ ବିଷଣ୍ଣ ବଦନରେ ତାର କ୍ଷୁଦ୍ର ଶରୀରଟି ଲକ୍ଷ୍ୟ କଲା : ତାର ହାତ, ଗୋଡ଼ ଓ ମୁଣ୍ଡ ସଙ୍କୁଚିତ ଅଙ୍ଗ ଭଳି ଦିଶୁଥିଲା ।

 

ଘଡ଼ିରେ ଛଅଟା ବାଜିଲା । ତଳେ ପିଆନୋ ବାଜୁ ନ ଥିଲା । ଇଭ ଦୀର୍ଘଶ୍ଵାସ ଛାଡ଼ିଲା: ମୂର୍ତ୍ତିମାନେ ସିଧା ଚାଲି ଆସିବେ ନାହିଁ; ସେମାନଙ୍କ ଆସିବାକୁ ଚାହିଁ ରହିବାକୁ ହେବ ।

 

“ଆଲୁଅ ଜାଳିବି ?”

 

ସେ ବରଂ ଅନ୍ଧାରରେ ଅପେକ୍ଷା କରିବ ନାହିଁ ।

 

“ତୁମ ଇଚ୍ଛା,” ପିୟେର କହିଲା ।

 

ଡେସ୍କ ଉପରେ ଛୋଟ ଲ୍ୟାମ୍ପଟିଏ ଥୁଆ ହୋଇଥିଲା । ଇଭ ଜଳାଇ ଦେଲା । ଲାଲ କୁହୁଡ଼ିରେ କକ୍ଷଟି ପୂର୍ଣ୍ଣ ହୋଇଗଲା । ପିୟେର ବି ଚାହିଁ ରହିଥିଲା ।

 

ସେ କଥା କହିଲା ନାହିଁ । କିନ୍ତୁ ତାର ଓଠ ହଲଚଲ ହେଉଥିଲା–ଲାଲ କୁହୁଡ଼ିରେ ଦୁଇଟି କଳା ଦାଗ । ଇଭ ପିୟେରର ଓଠକୁ ପସନ୍ଦ କରେ । ଆଗରୁ, ସେ ଦୁଇଟି ବେଶ୍ ଜୀବନ୍ତ ଓ କାମୁକ ଥିଲେ । କିନ୍ତୁ ଏବେ କାମୁକତା ମରି ଗଲାଣି । ବର୍ତ୍ତମାନ ସେମାନେ ବିଚ୍ଛିନ୍ନ । ଏହି ଫାଙ୍କା ମୁଖଟିରେ ସେଇ ଦୁଇଟି ହିଁ ଥିଲେ ଜୀବନ୍ତ । ମାତ୍ର ଏକ୍ଷଣି ସେମାନେ ଦୁଇଟି ଭୟାର୍ତ୍ତ ପ୍ରାଣୀ ପରି ଦିଶୁଛନ୍ତି । ପାଟିରେ ଶବ୍ଦ ନ କରି ଏହିପରି ଭାବରେ ଘଣ୍ଟା ଘଣ୍ଟା ଧରି ପିୟେର ବଡ଼ର୍ ବଡ଼ର୍ କରିପାରେ ଏବଂ ଇଭ ବି ବେଳେ ବେଳେ ଏହି କ୍ଷୁଦ୍ର ଅବାଧ୍ୟ ଗତିବିଧିରେ ପ୍ରଲୋଭିତ ହୋଇଯାଏ–‘ତାଙ୍କ ମୁଖଟି ମୁଁ ପସନ୍ଦ କରେ’ । ପିୟେର ଆଉ ତାକୁ ଚୁମ୍ବନ କରୁ ନାହିଁ । କେବେ ଯାଇ ସେ ତାର ହସ ଶୁଣିଥିଲା । ଫୁଲିଲା ଓଠ ଦୁଇଟା ତା ମୁହଁ ଉପରେ ରହିଥାଏ ସେତେବେଳେ-

 

ସେହି ରାତିଠୁଁ ସେ ଆଉ ଇଭକୁ ଚୁମ୍ବନ କରି ନାହିଁ ।

 

“ଆଗାଥା, ମୋ ମୁହଁ ଆଡ଼କୁ ଅନାଅ ତ”, ପିୟେର କହିଲା । ଇଭ ଆଖି ନୁଆଁଇଲା ।

 

ସେ ରୂଢ଼ ଭାବରେ କହିଲା, “ମୋତେ ଜଣା, ଲୋକେ ଓଠର ଭାଷା ବି ପଢ଼ି ପାରନ୍ତି ।”

 

ଚୌକିର ହାତ ଉପରେ ତା ହାତଟି ଥରିଲା । ତାର ତର୍ଜନୀ ଆଙ୍ଗୁଳିଟି ବାହାରି ଆସି ବୁଢ଼ା ଆଙ୍ଗୁଳିକୁ ତିନି ଥର ଆଘାତ କଲା ଏବଂ ଅନ୍ୟ ଆଙ୍ଗୁଳିଗୁଡ଼ିକ ବାଙ୍କି ଗଲା: ଆକ୍ରମଣ ଆରମ୍ଭ ହେବାକୁ ଯାଉଛି । ପିୟେରକୁ କୁଣ୍ଢାଇ ପକାଇବାକୁ ତାର ଇଚ୍ଛା ହେଲା ।

 

ଅତି ବିକୃତ କଣ୍ଠରେ ଚଢ଼ା ଗଳାରେ ପିୟେର କହିବାକୁ ଲାଗିଲା ।

 

“ସାଓ ପାଉଲୋକୁ ତୁମର ମନେ ପଡ଼ୁଛି ?”

 

ନିରୁତ୍ତର । ବୋଧହୁଏ ଏଟା ଗୋଟାଏ ଫନ୍ଦି ।

 

ସନ୍ତୁଷ୍ଟ ଚିତ୍ତରେ ସେ କହିଲା, “ସେଠାରେ ମୁଁ ତୁମକୁ ଭେଟିଥିଲି ! ଜଣେ ଓଲନ୍ଦାଜ ନାବିକ ପାଖରୁ ମୁଁ ତୁମକୁ ନେଇ ଆସିଥିଲି । ଆମ ଭିତରେ ପ୍ରାୟ ହାତାହାତି ହୋଇଗଲା, କିନ୍ତୁ ମୁଁ ତାର ମଦ ଖର୍ଚ୍ଚଟା ଦେଇ ଦେବାରୁ ସେ ତୁମକୁ ମୋ ସାଙ୍ଗରେ ଛାଡ଼ି ଦେଲା । ଏ ସବୁ ଖାଲି ଥଟ୍ଟାଳିଆ କଥା ।”

 

ସେ ମିଛ କହୁଛି । ନିଜେ ଯାହା କହେ ସେ ତାର ବିନ୍ଦୁ ବିସର୍ଗ ବି ବିଶ୍ୱାସ କରେ ନାହିଁ । ‘ସେ ଜାଣନ୍ତି, ମୋ ନାମ ଅଗାଥା ନୁହେଁ । ସେ ମିଛ କହିଲା ବେଳେ ମୁଁ ତାଙ୍କୁ ଘୃଣା କରେ ।’ କିନ୍ତୁ ଇଭ ଦେଖିଲା, ପିୟେରର ଦୃଷ୍ଟି ସ୍ଥିର ଓ ତାର କ୍ରୋଧ ମିଳାଇଗଲା । ସେ ଭାବିଲା: ‘ସେ ମିଛ କହୁ ନାହାନ୍ତି ।’ ତଥାପି ସେ ଆଉ ଏହା ସହି ପାରିବ ନାହିଁ । ସେ ସେମାନଙ୍କ ଆଗମନର ଲକ୍ଷଣ ଅନୁଭବ କରୁଛି । ସେ ସେମାନଙ୍କ ସହିତ କଥା ହେଉଛି । ପିୟେର ତା ହାତ ଦୁଇଟି ଚୌକିର ହାତ ଉପରେ ଥୋଇଲା । ମୁହଁଟା ମଳିନ ପଡ଼ିଗଲା । ଓଠରେ ଟିକିଏ ହସର ରେଖା ଲାଗି ରହିଥିଲା ।

 

ସେ କହିଲା, “ଏହି ସାକ୍ଷାତ ସବୁ ପ୍ରାୟ ଅଦଭୁତ, କିନ୍ତୁ ମୋର ମନେ ହୁଏ ଆକସ୍ମିକ ନୁହେଁ । କିଏ ତୁମକୁ ମୋ ଠାକୁ ପଠାଇଲା, ମୁଁ ପଚାରୁ ନାହିଁ । ମୁଁ ଜାଣେ ତୁମେ ଜବାବ ଦେବ ନାହିଁ । ଯାହା ହେଉ, ମୋତେ ଭୁଲାଇ ରଖିବା ପାଇଁ ତୁମର ଚାତୁରୀକୁ ଧନ୍ୟ ।”

 

ସେ ଅତି କଷ୍ଟରେ, ତୀକ୍ଷଣ ଓ ଦ୍ରୁତ କଣ୍ଠରେ, କହିଗଲା । କେତେ ଶବ୍ଦ ବି ତା ତୁଣ୍ଡରେ ପଇଟିଲା ନାହିଁ । ତଥାପି ସେ ଏଣୁ ତେଣୁ ବକି ଯିବାକୁ ଲାଗିଲା । ଶେଷକୁ “ଟ୍ରାଲାଲା” ବୋଲି ଚିତ୍କାର କରି, ସେ ମୁହଁରେ ହାତ ଦେଲା । “ଟ୍ରାଲାଲାଲା, ଟ୍ରାଲାଲାଲାଲା !”

 

ସେ ନୀରବ ହୋଇଗଲା । ଇଭ ଜାଣିଲା, ମୂର୍ତ୍ତିମାନେ କକ୍ଷ ଭିତରେ ପ୍ରବେଶ କଲେଣି-। ସେ ଶକ୍ତ, ବିବର୍ଣ୍ଣ ଓ ସଂଶୟାକୁଳ ଦିଶିଲା । ଇଭ ବି ଶକ୍ତ ହୋଇଗଲା ଏବଂ ଦୁହେଁ ନୀରବରେ ଅପେକ୍ଷା କରି ରହିଲେ । କେହି ଜଣେ ବାରଣ୍ଡାରେ ଟହଲୁ ଥିଲା: ଚାକରାଣୀ ମେରୀ ନିଶ୍ଚୟ ଏକ୍ଷଣି ପହଞ୍ଚିଗଲା । ଇଭର ମନେ ପଡ଼ିଲା, ଗ୍ୟାସ ପାଇଁ ତାକୁ ଟଙ୍କା ଦେବାକୁ ହେବ । ତା’ପରେ ମୂର୍ତ୍ତିମାନେ ଉଡ଼ିବାକୁ ଲାଗିଲେ । ଇଭ ଓ ପିୟେରର ମଝିରେ ସେମାନେ ଚାଲିଗଲେ-

 

“ଆଃ !” କହି ପିୟେର ଗୋଡ଼ ପଛକୁ ନେଇଯାଇ, ଆରାମ ଚୌକିରେ ଆଉଜି ପଡ଼ିଲା-। ସେ ମୁହଁ ବୁଲାଇ ନେଲା, ଟିକିଏ ହସିବାକୁ ଚେଷ୍ଟା କଲା, କିନ୍ତୁ ଝାଳ ବିନ୍ଦୁ ସବୁ ତା କପାଳରେ ମୁକ୍ତା ଭଳି ଦିଶିଲା । ଏହି ପାଣ୍ଡୁର ଗଣ୍ଡଟି ଓ ଅସହନୀୟ କମ୍ପନରେ ବିକୃତ ତାର ମୁଖଟି ଦେଖି, ଇଭ ଆଉ ସହି ପାରିଲା ନାହିଁ । ତାର ଆଖି ବୁଜିଗଲା । ଆଖିପତାର ରକ୍ତିମ ପଶ୍ଚାତ୍ ପଟରେ ସୁନାର ସୂତା ନାଚିବାକୁ ଲାଗିଲା । ସେ ନିଜକୁ ବୃଦ୍ଧ ଓ ଗୁରୁ ବୋଧ କଲା । ତାରି ଅଦୂରରେ ପିୟେର ସାଙ୍ଘାତିକ ଭାବରେ ଧଇଁସଇଁ ହେଉଥିଲା । ସେମାନେ ଉଡ଼ୁଛନ୍ତି, ସେମାନେ ଭଁ ଭଁ ଆବାଜ କରୁଛନ୍ତି, ସେମାନେ ପିୟେର ଉପରେ ନଇଁ ପଡ଼ୁଛନ୍ତି । ଇଭର ଡାହାଣ କାନ୍ଧରେ ଟିକିଏ ଯନ୍ତ୍ରଣା ବୋଧ ହେଲା । ଆପେ ଆପେ ତାର ଶରୀର ବାମ ପଟକୁ ଢଳି ପଡ଼ିଲା, ଯେମିତି ସେ କୌଣସି ଅନିଚ୍ଛୁକ ସ୍ପର୍ଶରୁ ନିଜକୁ ବଞ୍ଚାଇବାକୁ ଚାହେଁ, ଏବଂ ଯେମିତି ସେ ଗୋଟାଏ କଦର୍ଯ୍ୟ ଗୁରୁ ପଦାର୍ଥକୁ ଏଡ଼ାଇବାକୁ ଚାହେଁ । ହଠାତ୍‍ ଚଟାଣରେ ଶବ୍ଦ ହେଲା ଏବଂ ଆଖି ଖୋଲି ଦେବାକୁ ଇଭର ଭୀଷଣ ଇଚ୍ଛା ହେଲା । ଡାହାଣ ଆଡ଼କୁ ଅନାଇ ତା’ର ଡାହାଣ ହାତରେ ସେ ପବନଟା ଟିକିଏ ଆଡ଼େଇ ଦେବ ବୋଲି ଭାବିଲା ।

 

ସେ କିଛି କଲା ନାହିଁ । ଆଖି ମୁଦି ସେ ବସି ରହିଲା ଏବଂ ଗୋଟାଏ ତିକ୍ତ ଆନନ୍ଦରେ ଥରିବାକୁ ଲାଗିଲା । ସେ ଭାବିଲା, ‘ମୋତେ ବି ଡର ମାଡ଼ୁଛି ।’ ତାର ସମଗ୍ର ଜୀବନଟା ତାର ଡାହାଣ ପାର୍ଶ୍ଵରେ ଆଶ୍ରୟ ନେଇଥିଲା । ମୁଦ୍ରିତ ନୟନରେ ସେ ପିୟେର ଆଡ଼କୁ ନଇଁ ପଡ଼ିଲା । ସାମାନ୍ୟ ପ୍ରୟାସରେ ସେ ପ୍ରଥମ ଥର ପାଇଁ ଏହି ବିୟୋଗ ବିଧୁର ଜଗତରେ ପ୍ରବେଶ କରିବ । ତାର ମନେ ହେଲା, ମୂର୍ତ୍ତିମାନଙ୍କୁ ତାର ଭୟ ହେଉଛି । ଏହା ଗୋଟାଏ ଭୟାବହ ଅନ୍ଧ ସ୍ଵୀକାରୋକ୍ତି, ଗୋଟାଏ କୁହୁକ । ତାର ସମସ୍ତ ବଳ ପ୍ରୟୋଗ କରି ସେ ସେମାନଙ୍କ ଅସ୍ତିତ୍ୱ ସ୍ଵୀକାର କରିବାକୁ ଚାହିଁଲା । ଯେଉଁ ଯନ୍ତ୍ରଣା ତା’ର ଡାହାଣ ଅଙ୍ଗଟାକୁ ପଙ୍ଗୁ, କରି ଦେଇଥିଲା, ତାରି ସ୍ପର୍ଶରେ ଅନୁଭୂତି ଭିତରୁ ସେ ଏକ ନୂତନ ଭାବ ଗ୍ରହଣ କରିବାକୁ ଚେଷ୍ଟା କଲା । ସେ ଅନୁଭବ କଲା, ସେମାନେ ତା ହାତ ଭିତରେ, କଡ଼ରେ ଓ କାନ୍ଧ ଉପରେ ଗମନାଗମନ କରୁଛନ୍ତି ।

ମୂର୍ତ୍ତିମାନେ ମନ୍ଥର ଗତିରେ ତଳେ ଉଡ଼ୁଥିଲେ ଏବଂ ଶବ୍ଦ କରୁଥିଲେ । ଇଭକୁ ଜଣାଥିଲା ଯେ ସେମାନଙ୍କର ଦୃଷ୍ଟି ଅଶୁଭ ଏବଂ ଆଖି ଡୋଳାର ଚାରି ପଟରୁ ସେମାନଙ୍କ ଆଖି ପତା ପଦାକୁ ବାହାରି ଆସିଥାଏ । ସେ ସେମାନଙ୍କୁ ଆହୁରି କଦର୍ଯ୍ୟ ଚିତ୍ରଣ କଲା । ସେ ବି ଜାଣିଥିଲା ଯେ ସେମାନେ ଠିକ୍ ଜୀବନ୍ତ ନୁହନ୍ତି, ମାତ୍ର । ସେମାନଙ୍କର ବିଶାଳ ଶରୀର ଉପରେ ମୁଣ୍ଡା ମୁଣ୍ଡା ମାଂସ ଓ ଗରମ ଗରମ କାତି ଥାଏ ସେମାନଙ୍କର ପାପୁଲି କ୍ଷୟପ୍ରାପ୍ତ ଏବଂ ଆଙ୍ଗୁଳି–ଅଗରୁ ପଥର ଖସି ପଡ଼ୁଥାଏ । ଇଭ ସେସବୁ କିଛି ଦେଖି ପାରିଲା ନାହିଁ । ସେ ଖାଲି ଭାବୁଥିଲା, ମାନବିକ ଦୃଷ୍ଟି ଓ ପ୍ରସ୍ତର ମସ୍ତକ ବିଶିଷ୍ଟ କେତେଗୁଡ଼ିଏ ଗମ୍ଭୀର ଓ କିମ୍ଭୂତକିମାକାର ବିଶାଳକାୟା ନାରୀ ତାକୁ ଲାଗି ଆସୁଛନ୍ତି । ସେମାନେ ପିୟେର ଉପରେ ନଇଁ ପଡ଼ୁଛନ୍ତି–ଇଭ ଏମିତି ଭୟଙ୍କର ଚେଷ୍ଟା କଲା ଯେ ତାର ହାତ ଥରିବାକୁ ଲାଗିଲା–“ସେମାନେ ମୋ ଉପରେ ନଇଁ ପଡ଼ୁଛନ୍ତି ।” ଗୋଟାଏ ଭୟାର୍ତ୍ତ ଚିତ୍କାର ହଠାତ୍ ତାକୁ ହତାଶ କରିଦେଲା । ‘ସେମାନେ ତାଙ୍କୁ ଛୁଇଁ ଦେଲେଣି ।’ ସେ ଆଖି ମେଲିଲା: ପିୟେରର ମାଆ ନିଜ ହାତ ଭିତରେ ରହିଛି ଏବଂ ସେ ଧଇଁସଇଁ ହେଉଛି । ଇଭ କ୍ଳାନ୍ତ ବୋଧ କଲା: ଗୋଟାଏ ଖେଳ । ସେ ଅନୁତପ୍ତ ହୋଇ ଭାବିଲା–‘ଏଟା ଖାଲି ଗୋଟାଏ ଖେଳ । କ୍ଷଣକ ପାଇଁ ବି ମୁଁ ଏସବୁ ଆନ୍ତରିକ ଭାବରେ ବିଶ୍ୱାସ କରି ନାହିଁ । ଅଥଚ ସେ ସଦା ସର୍ବଦା ଭୋଗିବାରେ ଲାଗିଛନ୍ତି, ସତେ ଯେମିତି କି ଏ ସବୁ ବାସ୍ତବ ।’

ପିୟେର ହାତ ଗୋଡ଼ ଲମ୍ବାଇ ସହଜ ଭାବରେ ନିଶ୍ଵାସ ନେଲା । କିନ୍ତୁ ତାର ପୁଅଡୋଳା ଦୁଇଟି ଅଦ୍ଭୁତ ଭାବରେ ପ୍ରସାରିତ ହୋଇ ଯାଇଥିଲା ଏବଂ ତା ଦେହରୁ ଝାଳ ବହୁଥିଲା-

ପିୟେର ପଚାରିଲା, “ତୁମେ ସେମାନଙ୍କୁ ଦେଖିଲ ? “

“ମୁଁ ସେମାନଙ୍କୁ ଦେଖି ପାରିଲି ନାହିଁ ।”

“ତୁମ ପକ୍ଷରେ ତାହାହେଲେ ମଙ୍ଗଳ । ସେମାନେ ତୁମକୁ ଡରାଇଥାନ୍ତେ । ମୋର ହେଲେ ଅଭ୍ୟାସ ହୋଇ ଗଲାଣି ।”

ସେତେବେଳେ ଇଭର ହାତ ଥରୁଥିଲା ଏବଂ ତା ମାଆକୁ ରକ୍ତ ଚଢ଼ି ଯାଇଥିଲା । ପିୟେର ତା ପକେଟରୁ ଖଣ୍ଡିଏ ସିଗାରେଟ କାଢ଼ି, ମୁହଁ ପାଖକୁ ନେଲା । କିନ୍ତୁ ଲଗାଇଲା ନାହିଁ ।

ସେ କହିଲା, “ସେମାନଙ୍କୁ ଦେଖିଲେ କେତେ, ନ ଦେଖିଲେ କେତେ । କିନ୍ତୁ ମୁଁ ଚାହେ ନା, ସେମାନେ ମୋତେ ଛୁଅନ୍ତୁ । ମୋତେ ଡର ଲାଗଛି, ସେଥିରେ ମୋ ଶରୀରରେ କାଳେ ଚିହ୍ନ ରହିଯିବ ।”

ମୁହୂର୍ତ୍ତେ ଚିନ୍ତା କରି, ସେ ତା’ପରେ ପଚାରିଲା, “ତୁମେ କିଛି ଶୁଣିଲ ?”

ଇଭ କହିଲା, ‘ହଁ ଗୋଟାଏ ଉଡ଼ାଜାହାଜର ଶବ୍ଦ ପରି ଶୁଭିଲା ।” (ଗତ ରବିବାର ଦିନ ପିୟେର ତାକୁ ଏହା କହିଥିଲା ।)

 

ପିୟେର ଅନୁକମ୍ପା ସହକାରେ ହସି କହିଲା, “ତୁମର ଅତିରଞ୍ଜନ ।” କିନ୍ତୁ ସେତେବେଳେ ତା ମୁହଁ ବିବର୍ଣ୍ଣ ଦିଶୁଥିଲା । ସେ ଇଭର ହାତ ଉପରେ ଆଖି ପକାଇଲା । “ତୁମ ହାତ ତ କମ୍ପୁଛି । ତାହାହେଲେ ତୁମର ଗୋଟାଏ ବେଶ୍ ଧାରଣା ହୋଇ ଯାଇଛି । କିନ୍ତୁ ଘାବରା ହୋଇଯାଅ ନାହିଁ । ପୁଣି ଯାଇ କାଲି । ତା ଆଗରୁ ସେମାନେ ଆଉ ଫେରୁ ନାହାନ୍ତି ।” ଇଭ ତୁଣ୍ଡ ଫିଟାଇ ପାରିଲା ନାହିଁ । ତା ଦାନ୍ତ ଠକଠକ ବାଜୁଥିଲା ଏବଂ ତାର ଡର ହେଉଥିଲା କାଳେ ପିୟେର ଏହା ଦେଖି ନେବ । ପିୟେର ଢେର ବେଳ ଯାଏ ତାକୁ ଲକ୍ଷ୍ୟ କଲା ।

 

“କି ଅନୁପମ ସୁନ୍ଦର ତୁମେ” ତା ମୁଣ୍ଡ ହଲାଇ, ସେ କହିଲା “ଏଟା ଭାରି ଖରାପ ଭାରି ଖରାପ ।”

 

ସେ ଶୀଘ୍ର ତା ହାତ କାଢ଼ି ଆଣି, ଇଭର କାନଟା ଆଉଁସି କହିଲା, “ହେ ସୁନ୍ଦରୀ ସୟତାନ ରମଣୀ ! ତୁମରି ହେତୁ ମୋର ଟିକିଏ ଗୋଳମାଳ ହେଇ ଯାଉଛି । ତୁମେ ଅନୁପମ ସୁନ୍ଦରୀ ! ସେଇଟା ମୋତେ ଟାଣି ଧରୁଛି । ଯଦି ଚର୍ବିତଚର୍ବଣର ପ୍ରଶ୍ନ ଉଠି ନ ଥାଆନ୍ତା... ।”

 

ସେ ଅଟକିଗଲା ଏବଂ ଚମକି ପଡ଼ି ଇଭ ଆଡ଼କୁ ଅନାଇଲା ।

 

“ସେ କଥା ନୁହେଁ...ଏଟା ଆସିଲା...ଏଟା ଆସିଲା,” ଅନର୍ଥକ ଭାବରେ ହସି, ସେ କହିଗଲା । “ମୋ ଜିଭ ଅଗରେ ଆଉ ଗୋଟାଏ କଥା ଥିଲା...କିନ୍ତୁ ଏଟା...ତା ବଦଳରେ ଆସିଗଲା-। ମୁଁ ତୁମକୁ କଣ କହୁଥିଲି ଭୁଲି ଯାଉଛି ।”

 

ସେ ମୁହୂର୍ତ୍ତେ ଚିନ୍ତା କଲା, ଏବଂ ତା’ପରେ ମଥା ହଲାଇଲା ।

 

“ଆସ ମୋତେ ନିଦ ମାଡ଼ୁଛି,” ସେ କହିଲା । ପିଲାଳିଆ ସ୍ୱରରେ ସେ ପୁଣି କହିଲା, “ତୁମେ ଜାଣ, ଆଗାଥା, ମୁଁ ହାଲିଆ ହୋଇ ପଡ଼ିଛି । ମୁଁ ଆଉ ସେ ସବୁ କଥା ମନେ ପକାଇ ପାରୁ ନାହିଁ ।”

 

ସିଗାରେଟଟା ଫିଙ୍ଗିଦେଇ ସେ କମ୍ବଳ ଉପରେ ଉତ୍ସୁକ ଦୃଷ୍ଟି ପକାଇଲା । ଇଭ ତା ମୁଣ୍ଡ ତଳେ ଗୋଟାଏ ତକିଆ ଦେଇଦେଲା ।

 

“ଆସ ନା, ତୁମେ ବି ଶୋଇ ପଡ଼ିବ,” ସେ ଇଭକୁ କହିଲା “ସେମାନେ ଆଉ ଆସିବେ ନାହିଁ ।”

 

...ଚର୍ବିତଚର୍ବଣ....

 

ପିୟେର ସୁଷୁପ୍ତ । ତା ଅଧର କୋଣରେ ନିର୍ଭୟର ଦରହାସ । ମଥାଟି ଗୋଟିଏ ପାଖକୁ ଢଳି ପଡ଼ିଥିଲା: ଦେଖିଲେ ମନେ ହୁଏ ସେ ଯେମିତି ତା କାନ୍ଧରେ ନିଜ ଗାଲ ଛୁଇଁବାକୁ ବସିଥିଲା । ଇଭକୁ ନିଦ ମାଡ଼ୁ ନ ଥିଲା । ସେ ଚିନ୍ତାରେ ଭାରାକ୍ରାନ୍ତ ହୋଇ ଯାଇଥିଲା । ଚର୍ବିତଚର୍ବଣ ! ହଠାତ୍ ପିୟେର୍ ବୋକା ଭଳି ଦିଶିଲା ଏବଂ ତାର ଲମ୍ବ ଧଳା ମୁହଁରୁ କଥାଟା ଖସିଗଲା । ପିୟେର ଅବାକ୍ ହୋଇ ତା ଆଗକୁ ଚାହିଁ ରହିଥିଲା ଯେମିତି ସେ କଥାଟାକୁ ଜାଣିପାରୁଛି ଅଥଚ ଧରିପାରୁନାହିଁ । ତା’ର କଅଁଳ ପାଟି ମେଲା ହୋଇଥିଲା: ଯେମିତି କଣ ଗୋଟାଏ ତା ଭିତରେ ଭାଙ୍ଗି ଯାଇଛି । ତା ପାଟି ଖନି ମାରିଗଲା । ଏହି ପ୍ରଥମ ଥର ତାର ଏମିତି ହେଲା: ପିୟେର ନିଜେ ବି ଏହା ଲକ୍ଷ୍ୟ କଲା । ସେ କହିଲା, ସବୁ କଥା ସେ ଆଉ ମନେ ପକାଇ ପାରୁ ନାହିଁ । ପିୟେର ଗୋଟାଏ କାମନା କାତର କ୍ଷୁଦ୍ର ଅସ୍ପଷ୍ଟ ଶବ୍ଦ କଲା, ଆଉ ତା ହାତ ଅଲକ୍ଷ୍ୟରେ ହଲିଗଲା । ଇଭ କଠିନ ଦୃଷ୍ଟିରେ ତାକୁ ଚାହିଁ ରହିଲା: ‘କିପରି ତାଙ୍କ ନିଦ ଭାଙ୍ଗୁଛି’ ଇଭ ଦାନ୍ତ ଚିପିଲା । ପିୟେର ପୁଣି ଶୋଇ ପଡ଼ିବା ମାତ୍ରେ ସେ ତାହା ଭାବିବାକୁ ଲାଗିଲା । ତାର ଭୟ ହେଲା, ହୁଏତ ପିୟେର ଉନ୍ମାଦ ନୟନରେ ଏଣୁ ତେଣୁ ବକିବକି ଉଠି ପଡ଼ିବ । ଇଭ ଭାବିଲା, ‘ମୁଁ ବୋକା’ କାରଣ ଫ୍ରାଙ୍କଟ୍ ପ୍ରକାଶ କରିଥିଲେ ଯେ ବର୍ଷକ ଆଗରୁ ଏହି ଉପସର୍ଗ ଦେଖାଯିବ ନାହିଁ ।’ କିନ୍ତୁ ତାର ଭୟ ଦୂର ହେଲା ନାହିଁ । ଗୋଟାଏ ବର୍ଷ, ଗୋଟାଏ ଶୀତ, ଗୋଟାଏ ବସନ୍ତ, ଗୋଟାଏ ଗ୍ରୀଷ୍ମ, ଆଉ ଗୋଟିଏ ଶରତର ପ୍ରାରମ୍ଭ । ଦିନେ ତାର ଅଙ୍ଗପ୍ରତ୍ୟଙ୍ଗ ବିକୃତ ହୋଇଯିବ, ତାର ଦାନ୍ତପାଟି ହୁଗୁଳା ହୋଇଯିବ, ଆଉ ସେ ତାର ଲୋତକାର୍ଦ୍ର ନୟନ ଦରମେଲା କରି ଚାହିଁବ । ପିୟେରର ହାତ ଉପରେ ନଇଁ ପଡ଼ି ଇଭ ସେଥିରେ ତା ଓଠ ଲଗାଇ ଦେଲା: ତା’ ଆଗରୁ ମୁଁ ତୁମକୁ ଖୁନ କରି ଦେଇଥିବି ।’

 

–କାଁପଲସାର୍ତର

☆☆☆

 

Unknown

କାମନା

 

ପ୍ରଣୟପ୍ରାର୍ଥୀମାନଙ୍କୁ ଶରାଘାତରେ ବଧ କରି କୌଶଳୀ ଇଉଲିସିସ୍‍ ଇଥାକାରେ ନିଜର ପ୍ରାସାଦରେ ଶାନ୍ତିମୟ ଦିନଗୁଡ଼ିକ ଯାପନ କରିବାକୁ ଲାଗିଲେ । ସେ ଅଜସ୍ର ଜ୍ଞାନ ସଞ୍ଚୟ କରିଥିଲେ । ତାଙ୍କର ଅନ୍ତର ନାନା ସ୍ମୃତିରେ ପରିପୂର୍ଣ୍ଣ ଥିଲା । ନିତି ସନ୍ଧ୍ୟାବେଳେ ସେ ସ୍ତ୍ରୀ ପେନିଲୋପୀ ଓ ପୁତ୍ର ଟେଲିମେକାସର ମଝିରେ ବସି ସେମାନଙ୍କ ନିକଟରେ ନିଜର ଭ୍ରମଣ କାହାଣୀ ବର୍ଣ୍ଣନା କରୁଥିଲେ । କାହାଣୀଗୁଡ଼ିକ ଶେଷ ହୋଇଗଲେ ପୁଣି ସେଗୁଡ଼ିକ ସେ କହିବାକୁ ଆରମ୍ଭ କରୁଥିଲେ ।

 

ତାଙ୍କର ଅସୀମ ସାହାସିକ କାର୍ଯ୍ୟଗୁଡ଼ିକ ଭିତରେ ସେ ଯେଉଁଟା ପ୍ରାୟ ବରାବର କହୁଥିଲେ, ସେଟା ହେଉଛି ଫିନିସିୟାନମାନଙ୍କର ରାଜା ଅଲସିନୋୟାସଙ୍କ କନ୍ୟା ନସିକେୟା ସହିତ ତାଙ୍କର ସାକ୍ଷାତର ବିବରଣୀ ।

 

ସେ କହୁଥିଲେ–‘‘ତାଙ୍କୁ ଦେଖିଲା ମାତ୍ରେ ସେ ଯେ କେତେ ସୁନ୍ଦରୀ, ସୁଶୀଳା ଓ ଦୟାମୟୀ ବୋଲି ମୋତେ ଜଣା ଗଲେ, ମୁଁ ତାହା କଦାପି ଭୁଲି ପାରିବି ନାହିଁ । ମୋର ଭଙ୍ଗା ଭେଳାର ଖଣ୍ଡିଏ କାଠ ଧରି ମୁଁ ତିନି ଦିନ ତିନି ରାତି ବିଶାଳ ସମୁଦ୍ରରେ ଭାସୁଥିଲି । ଅବଶେଷରେ ଗୋଟାଏ ଢେଉ ମୋତେ ନଦୀର ମୁହାଣ ଭିତରକୁ ଠେଲି ନେଇଗଲା । ମୁଁ କୂଳରେ ଲାଗିଲି । ପାଖରେ ଗୋଟିଏ ଛୋଟ ବଣ ଥିଲା । ବିବସନ ଥିଲି ବୋଲି କେତେଗୁଡ଼ିଏ ପତ୍ର ସଂଗ୍ରହ କରି ସେଗୁଡ଼ିକରେ ମୋର ଦେହ ଆଚ୍ଛାଦନ କଲି । ତା ପରେ ଶୋଇ ପଡ଼ିଲି । ହଠାତ୍ ପାଣି ଢାଳିବାର ଶବ୍ଦରେ ମୋର ନିଦ ଭାଙ୍ଗିଗଲା । ତା’ପରେ ଆନନ୍ଦ ରୋଳ ଶୁଣିଲି । ଆଖି ଖୋଲିଲା କ୍ଷଣି ମୁଁ କେତେଗୁଡ଼ିଏ ତରୁଣୀଙ୍କୁ ଦେଖି ପାରିଲି । ସେମାନେ କୂଳରେ ପେଣ୍ଡୁ ଖେଳୁଥିଲେ । ସେତେବେଳେ ପେଣ୍ଡୁଟି ଯାଇ ନଦୀର ଖର ସ୍ରୋତର ପଡ଼ିଥିଲା । ଖଣ୍ଡିଏ ପତ୍ର ଥିବା ଡାଳରେ ସଯତ୍ନରେ ମୋର ନଗ୍ନତା ଢାଙ୍କି ମୁଁ ଉଠି ଠିଆ ହୋଇଗଲି । ଯେଉଁ ଝିଅଟି ସବୁଠାରୁ ବେଶୀ ସୁନ୍ଦରୀ ଥିଲା, ମୁଁ ତାହାରି ଆଡ଼କୁ ଆଗେଇ ଗଲି...... ।”

 

ପେନିଲୋପୀ ବାଧା ଦେଇ କହିଲେ–“ତୁମେ ତ ଏହି ଘଟଣାଟି ଆଗରୁ କହିଛ ।”

 

ଇଉଲିସିସ୍ ଜବାବ ଦେଲେ– ‘‘ସମ୍ଭବ ।”

 

ଟେଲିମେକାସ୍ କହିଲା– ‘‘ସେଥିରେ କି ଯାଏ ଆସେ ?”

 

ଇଉଲିସିସ୍ ପୁଣି କହିବାକୁ ଲାଗିଲେ– ‘‘ଏକ୍ଷଣି ବି ମୁଁ ତାଙ୍କୁ ମନଶ୍ଚକ୍ଷୁରେ ଦେଖୁଛି–ସେ ଘୋଡ଼ା ଗାଡ଼ିରେ ଚାଲିଛନ୍ତି, କେତେଗୁଡ଼ିଏ ଘୋଡ଼ାଙ୍କୁ ହାଙ୍କି ହାଙ୍କି । ସେମାନଙ୍କ ବେକରେ ଘଣ୍ଟି ବନ୍ଧା ଯାଇଛି । ଗାଡ଼ିଟି ଧଳା କନା ଓ ରାଙ୍ଗୀନ ପଶମ ପୋଷାକରେ ଭରପୁର ହୋଇ ଯାଇଛି । ସେଗୁଡ଼ିକୁ ସେ ଓ ତାଙ୍କର ସହଚରୀବୃନ୍ଦ ଟିକିଏ ଆଗରୁ ନଦୀରେ କରୁଥିଲେ । ସେ ଗାଡ଼ି ଉପରେ ସାମନା ଆଡ଼କୁ ଟିକିଏ ଢଳି ଠିଆ ହୋଇଥାନ୍ତି, ଲଗାମଗୁଡ଼ାକ ହାତରେ ଟାଣି ଧରିଥାନ୍ତି; ଆଉ ସଞ୍ଜୁଆ ପବନ ଫିତାରେ ବନ୍ଧା ହୋଇଥିବା ତାଙ୍କର ସୁନେଲି କେଶଗୁଚ୍ଛକୁ ମସ୍ତକର ଚାରି ପଟେ ଉଡ଼ାଇ ପକାଉଥାଏ ଏବଂ ନମନୀୟ ପରିଚ୍ଛଦକୁ ତାଙ୍କର ସୁଠାମ ଦେହ ଲତା ସହିତ ଚାପି ଧରିଥାଏ ।”

 

ଟେଲିମେକାସ୍ ପଚାରିଲା– ‘ତା’ ପରେ ?”

 

ଇଉଲିସିସ୍ କହିଯିବାକୁ ଲାଗିଲେ– ‘‘ସେ ଥିଲେ ସୁଶିକ୍ଷିତା ଆମେ ସହର ପାଖରେ ପହିଞ୍ଚିଲେ ତାଙ୍କ ସହିତ ଜଣେ ପୁରୁଷକୁ ଦେଖି କେହି ଯେମିତି ତାଙ୍କ ସମ୍ବନ୍ଧରେ କୌଣସି କୁ ମନ୍ତବ୍ୟ ବ୍ୟକ୍ତ କରି ନ ପାରେ, ସେଥିପାଇଁ ସେ ମୋତେ ତାଙ୍କ ପାଖରୁ ଚାଲି ଯିବାକୁ ଅନୁରୋଧ କଲେ; କିନ୍ତୁ ମୋତେ ଯେପରି ଭାବରେ ଆଲସିନୋୟାସଙ୍କ ପ୍ରାସାଦରେ ଅଭ୍ୟର୍ଥନ କରା ହେଲା, ମୁଁ ସେଥିରୁ ସ୍ପଷ୍ଟ ଭାବରେ ବୁଝି ପାରିଲି ଯେ ତାଙ୍କର ଉଦାରଚେତା ପିତାମାତାଙ୍କ ନିକଟରେ ମୋର ବୃତ୍ତାନ୍ତଟି ସେ ନିଶ୍ଚୟ ବର୍ଣ୍ଣନା କରିଛନ୍ତି । ମୋର ଆସିବା ସମୟଟି ଛାଡ଼ି ଦେଲେ ଅନ୍ୟ ବେଳେ ମୁଁ ତାଙ୍କୁ ଆଉ ଦେଖିବାକୁ ପାଇ ନାହିଁ ।

 

“ସେ ମୋତେ କହିଲେ ହେ ଅତିଥି, ଆପଣ ସ୍ଵଦେଶକୁ ଫେରିଗଲେ ଯେମିତି ମୋତେ ପାସୋରି ନ ଦିଅନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଅଭିବାଦନ ଜଣାଉଛି । ମୋ ନିକଟରେ ଆପଣ ଅବଶ୍ୟ ନିଜର ଜୀବନ ପାଇଁ ଋଣୀ ।

 

“ମୁଁ ତାଙ୍କୁ ଜବାବ ଦେଲି–ମହାମନା ଆଲସିନୋୟାସ୍ ନନ୍ଦିନୀ ନସିକେୟା, ଯଦି ପୃଥିବୀ–ପତିଙ୍କର ଇଚ୍ଛା ହୁଏ ଯେ ମୁଁ ପ୍ରତ୍ୟାବର୍ତ୍ତନ କ୍ଷଣଟିର ଆନନ୍ଦ ଉପଭୋଗ କରେ ଏବଂ ମୋର ଗୃହରେ ପୁନଃ ପ୍ରବେଶ କରେ, ତାହାହେଲେ ସେହି ବେଷ୍ଟନୀ ଭିତରେ ରହି ମଧ୍ୟ ମୁଁ ଦେବୀଙ୍କ ନିକଟରେ ପ୍ରାର୍ଥନା କଲା ଭଳି ନିତି ଆପଣଙ୍କର ପ୍ରାର୍ଥନା କରିବି । କାରଣ ଆପଣ ମୋର ଜୀବନ ରକ୍ଷା କରିଛନ୍ତି । ତାଙ୍କ ଠାରୁ ଅଧିକ ସୁନ୍ଦରୀ ବା ଗୁଣବତୀ ଯୁବତୀ ମୁଁ ଆଉ କେଉଁଠି ଦେଖିନାହିଁ । ମୋର ପର୍ଯ୍ୟଟନର ଦିନ ଶେଷ ହୋଇ ଯାଉଛି ବୋଲି ମୁଁ ଖୁବ୍ ନିଶ୍ଚିତ ଯେ ଆଉ କେବେ ହେଲେ ତାଙ୍କୁ ଦେଖି ପାରିବି ନାହିଁ ।”

 

ଟେଲିମେକାସ୍ ପଚାରିଲା–“ଆପଣ କ’ଣ ମନେ କରନ୍ତି, ୟା ଭିତରେ ତାହାର ବିବାହ ହୋଇ ଯାଇଥିବ ?”

 

“ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ପନ୍ଦର ବର୍ଷ । ସେ ବି କାହା ନିକଟରେ ବାଗଦତ୍ତା ହୋଇ ନ ଥିଲେ ।”

 

“ଆପଣ କ’ଣ ତାଙ୍କୁ କହିଥିଲେ ଯେ ଆପଣଙ୍କର ଗୋଟିଏ ପୁଅ ଅଛି ?”

 

“ହଁ । ତାଙ୍କୁ ପୁଣି ଥରେ ଦେଖିବା ପାଇଁ ମୋର ଅନ୍ତର ବେଦନାରେ କ୍ଷୟ ହୋଇଯାଉଛି-।”

 

“ତାଙ୍କ ଆଗରେ କ’ଣ ମୋର ପ୍ରଶଂସା କରିଥିଲେ ?”

 

“କରିଥିଲି, ଯଦିଚ ମୁଁ ସେତେବେଳେ ତୋତେ ଖୁବ୍ କମ୍ ଜାଣିଥିଲି । ଯେତେବେଳେ ମୁଁ ଇଥାକା ଛାଡ଼ିଗଲି, ସେତେବେଳେ ତୁ ତୋର ମାଆର କୋଳରେ ଶିଶୁଟିଏ ହୋଇଥିଲୁ ।”

 

X X X

 

ଇତ୍ୟବସରେ ରାଣୀ ପେନିଲୋପୀ ପୁତ୍ରର ବିବାହ ଉଦ୍ଦେଶ୍ୟରେ ଦେଶର ସବୁଠାରୁ ବେଶୀ ସୁନ୍ଦରୀ କନ୍ୟାମାନଙ୍କୁ ଜଣ ଜଣ କରି ଟେଲିମେକସକୁ ଦେଖାଇବାକୁ ଲାଗିଲେ । ସେ ଡୁଲିଚିଓର ରାଜକୁମାରୀକୁ, ସ୍ୟାମସର ରାଜକନ୍ୟାକୁ, ଜାସିନଥୋସ୍ ରାଜାର ନନ୍ଦିନୀକୁ ତାକୁ ଦେଖାଇଲେ ।

 

ପ୍ରତି ଥର ଟେଲିମେକାସ୍ କହିବାକୁ ଲାଗିଲା– “ମୁଁ ତାକୁ ଚାହେ ନା । ମୁଁ ଆଉ ଜଣକୁ ଜାଣେ ଯେ ତା ଠାରୁ ଆହୁରି ଭଲ ଓ ସୁନ୍ଦରୀ ।”

 

“ସେ କିଏ ?”

 

“ନସିକେୟା, ଫିନିସିୟାନଙ୍କ ରାଜାର ଝିଅ ।”

 

“ତୁ ତ ତାକୁ ଦେଖି ନାହୁଁ । ତା ବିଷୟ କେମିତି କହି ପାରୁଛୁ ?”

 

ଟେଲିମେକାସ୍ ଜବାବ ଦେଲା–“ମୁଁ ତାକୁ ଦେଖିବି ।”

 

ସତକୁ ସତ ଟେଲିମେକାସ୍ ଦିନେ ତାହାର ବାପାଙ୍କୁ କହିଲା:

 

“ବାପା, ମୋର ମନ ଡାକୁଛି, ମୁଁ ଖଣ୍ଡିଏ ଜାହାଜରେ ଚଢ଼ି ମାଛରେ ପରିପୂର୍ଣ୍ଣ ସାଗରର ବକ୍ଷ ଚିରି ଫିନିସିୟାନମାନଙ୍କର ସେହି ଦ୍ୱୀପଟି ଆଡ଼କୁ ଭାସି ଯାଆନ୍ତି, ଏବଂ ସେଠାରେ ପହଞ୍ଚି ରାଜା ଆଲସିନୋୟାସଙ୍କ ନିକଟରେ ତାଙ୍କର ସୁନ୍ଦରୀ କନ୍ୟା ନସିକେୟାର ପାଣି ପ୍ରାର୍ଥନା କରନ୍ତି । ସେହି କୁମାରୀ, ଯାହାକୁ ମୁଁ କେବେ ଦେଖିନାହିଁ, ତାହାରି ପାଇଁ ମୋର ଅନ୍ତର ପ୍ରେମରେ ଦଗ୍ଧ ହେଉଛି । ଯଦି ଆପଣ ମୋ ସଙ୍କଳ୍ପରେ ବାଧା ଦିଅନ୍ତି, ତାହାହେଲେ ମୁଁ ଜୀବନରେ କଦାପି ବିବାହ ନ କରି ଆପଣଙ୍କର ଏହି ପ୍ରାସାଦରେ ବାସ କରି କରି ବୃଦ୍ଧ ହୋଇଯିବି । ଆପଣ କୌଣସି ପୌତ୍ରର ମୁଖ ଦେଖି ପାରିବେ ନାହିଁ ।”

 

କୌଶଳୀ ଇଉଲିସିସ୍ ଉତ୍ତର ଦେଲେ,

 

“ଏଥିରେ କୌଣସି ସନ୍ଦେହ ନାହିଁ ଯେ, କୌଣସି ଦେବତା ନିଶ୍ଚୟ ତୋ ମନ ଭିତରେ ଏହି ବାସନା ଜଗାଇଛନ୍ତି । ଯେଉଁ ଦିନ ମୁଁ ତୋ ନିକଟରେ ସେହି ରାଜକୁମାରୀଟିର କଥା କହିଥିଲି, ମୁଁ ଦେଖି ପାରୁଛି, ସେହି ଦିନ ଠାରୁ ତୋର କୌଣସି ରସାଳ ଖାଦ୍ୟରେ ରୁଚି ନାହିଁ ଏବଂ ଆଖିର କୋଣରେ କଳା ପଡ଼ି ଗଲାଣି । ଯାହାକୁ ତୁ କେବେ ଦେଖି ନାହୁଁ ଏବଂ ଯାହାକୁ ନ ପାଇଲେ ତୁ ଜୀବନ ଧାରଣ କରି ପାରିବୁ ନାହିଁ, ତାକୁ ଖୋଜିବା ପାଇଁ ଖଣ୍ଡିଏ ଦ୍ରୁତଗାମୀ ଜାହାଜରେ ତିରିଶ ଜଣ ନାବିକଙ୍କୁ ଧରି ବାହାରି ପଡ଼; କିନ୍ତୁ ତୋତେ ବାଟରେ ନାନା ରକମ ବିପଦ ବିଷୟରେ ସତର୍କ କରି ଦେଉଛି । ଯଦି ପବନର ଅତ୍ୟଧିକ ବେଗ ହେତୁ ଦୈବତ୍ ପଲିଫେମସର ଦ୍ଵୀପରେ ଯାଇ ଲାଗୁ, ତାହାହେଲେ ସାବଧାନ, କଦାପି ତା ପାଖକୁ ଯିବୁ ନାହିଁ । ଅଥବା ଯଦି ଝଡ଼ରେ ଢେଉ ତୋତେ ନେଇ ବାଲୁ ତଟରେ ଫିଙ୍ଗିଦିଏ, ତାହାହେଲେ କୌଣସି ମତେ ଲୁଚି ରହିବୁ, ଏବଂ ତୋର ଜାହାଜ ଖଣ୍ଡିକ ସମୁଦ୍ରରେ ଭାସିବାର ଉପଯୋଗୀ ହେଲା ମାତ୍ର ପଳାଇଯିବୁ; କିନ୍ତୁ ସାଇକ୍ଳୋପସକୁ ଦେଖିବାକୁ ଚେଷ୍ଟା କରିବୁ ନାହିଁ । ମୁଁ ମୋର ଭ୍ରମଣ କାଳରେ ତାହାର ଆଖି ଉପାଡ଼ି ଦେଇଥିଲି । ସେ ଅନ୍ଧ ହେଲେ ସୁଦ୍ଧା ଏବେ ବି ସେମିତି ଦୁର୍ଦ୍ଧର୍ଷ ଅଛି । ଅଳସୁଆମାନଙ୍କ ଦେଶ ଠାରୁ ଦୁରରେ ରହିବୁ । କିମ୍ଵା ଯଦି କେବେ ସେମାନଙ୍କ ଦେଶରେ ପହଞ୍ଚି ଯାଉ, ତାହାହେଲେ ସେମାନ ଯେଉଁ ଫୁଲଟି ତୋତେ ଦେବେ ତାହା କଦାପି ଖାଇବୁ ନାହିଁ । କାରଣ ସେହି ଫୁଲଟି ଲୋକକୁ ସବୁ କିଛି ଭୁଲାଇ ଦେବ । ଏଇୟା ଦ୍ଵୀପଟି ମଧ୍ୟ ଭଲ ନୁହେଁ । ସେଟା ହେଉଛି ସୁକେଶା ସାରସର ରାଜ୍ୟ । ସେ ଯାଦୁଦଣ୍ଡ ଛୁଆଇଁ ମଣିଷକୁ ଘୁଷୁରି କରି ରଖିଦିଏ । ଯଦି କେବେ ଦୁର୍ଭାଗ୍ୟ ବଶତଃ ତୋର ତା ସହିତ ସାକ୍ଷାତ ହୁଏ, ତାହାହେଲେ ଏହି ଗଛଟି ସାଙ୍ଗରେ ଧରିଥା । ଏହାର ଚେର କଳା, ଫୁଲ, ଦୁଧ ପରି ଧଳା । ଦେବତାମାନେ ଏହି ଗଛଟିକୁ ମୋଲି ବୋଲି କହନ୍ତି । ମାକାରୀ ମୋତେ ଏହା ଦେଇଥିଲେ । ଏହାରି ସାହାଯ୍ୟରେ ତୁ ସେହି ବିଖ୍ୟାତ ଡାହାଣୀଟିର କୁପ୍ରଭାବ ବିଫଳ କରିଦେଇ ପାରିବୁ ।”

 

ସାଇରେନମାନଙ୍କର, ପାଟିଗୋନିୟାନମାନଙ୍କର ଓ ସୂର୍ଯ୍ୟର ଦ୍ଵୀପରେ ଯେଉଁ ବିପଦ ଘଟିପାରେ, ଇଉଲିସିସ୍ ସେ ବିଷୟରେ ବି ତାକୁ ସତର୍କ କରିଦେଲେ । ସେ ଉପସଂହାରରେ କହିଲେ,–“ବାବା, ମୋ କଥାଗୁଡ଼ାକ ଟିକିଏ ମନେ ରଖିଥିବୁ । କାରଣ ମୁଁ ଚାହେଁ ନା ଯେ, ମୁଁ ଯେଉଁସବୁ ସଙ୍ଘାତିକ କାମ କରିଥିଲି ତୁ ପୁଣି ସେଗୁଡ଼ିକ କରିବୁ ।”

 

ଟେଲିମେକାସ୍ ପ୍ରତିଶୃତି ଦେଲା–“ମନେ ରଖିବି, ବାପା । ଆପଣଙ୍କର ସବୁ ଉପଦେଶ ମନେ ରଖିବି । ପ୍ରତ୍ୟେକ ବାଧା, ଏପରିକି ପ୍ରତ୍ୟେକ ଆନନ୍ଦ ବି ଯଦି ଜ୍ଞନୀ ଆଲସିନୋୟାସଙ୍କ ଦ୍ଵୀପକୁ ଯିବା ବାଟରେ ବିଳମ୍ବ ଘଟାଏ, ତାହାହେଲେ ତାହା ହେବ ମୋର ଶତ୍ରୁ ।”

 

ସତକୁ ସତ ତରୁଣ ଟେଲିମେକାସ୍ ଦିନେ ଯାତ୍ରା ଆରମ୍ଭ କଲା । ତାହାର ଅନ୍ତର ନସିକେୟା ପ୍ରତି ଅନୁରାଗରେ ପରିପୂର୍ଣ୍ଣ ହୋଇଥିଲା ।

 

ଦିନେ ପ୍ରଚଣ୍ଡ ଝଡ଼ ତାକୁ ବିପଥରେ ନେଇ ପକାଇଦେଲା । ପଲିଫେମାସର ଦ୍ଵୀପ ଅତିକ୍ରମ କରିବା ସମୟରେ ତାହାର ପିତା ଅତୀତରେ ଯେଉଁ ଦୈତ୍ୟଟିକୁ ଜୟ କରିଥିଲେ, ତାକୁ ଦେଖିବା ଲାଗି ତାହାର ମନରେ କୌତୂହଳ ଜାତ ହେଲା ।

 

ସେ ମନେ ମନେ କହିଲା–“ବିପଦଟା ଗୁରୁତର ନୁହେ । ରଣ ଦୈତ୍ୟଟା ବର୍ତ୍ତମାନ ଅନ୍ଧ-।”

 

ଉପସାଗରଟିର ଶେଷ ଭାଗରେ ଜାହାଜଟି ନଙ୍ଗର କରି ସେ ଏକ କୁଳରେ ଓହ୍ଲାଇଲା ଇତସ୍ତତଃ ତରୁ-କୁଞ୍ଜ ଓ ମେଷପାଳ-ସିଞ୍ଚିତ ଉର୍ବର ଓ ତରଙ୍ଗାୟିତ ତଟଭୂମି ଉପରେ ତାକୁ ପରିଷ୍କାର ଦେଖାଯିବାକୁ ଲାଗିଲା, ଚକ୍ରବାଳ ରେଖାରେ ଶୈଳ ଶ୍ରେଣୀର ନିମ୍ନ ଭାଗର ପଛ ଆଡ଼ୁ ଉଠିଲା ଗୋଟାଏ ପ୍ରକାଣ୍ଡ ମୁଣ୍ଡ, ତା’ପରେ ସମୁଦ୍ର ପର୍ଯ୍ୟନ୍ତ ପ୍ରସାରିତ ମଶୃଣ ଶୈଳ ଭଳି ସ୍କନ୍ଧଦେଶ, ଏବଂ ତା’ପରେ ଗିରି ସଙ୍କଟ ପରି ବନାଚ୍ଛନ୍ନ ବକ୍ଷ ସ୍ଥଳ ।

 

ମୁହୂର୍ତ୍ତକ ଭିତରେ ଗୋଟିଏ ସୁବିଶାଳ ବାହୁ ଆସି ଟେଲିମେକାସକୁ ଚାପି ଧରିଲା । ସେ ଦେଖିପାରିଲା, ତା ଉପରେ ଝୁଙ୍କି ପଡ଼ି ଢାଲ ପରି ଗୋଟାଏ ପ୍ରକାଣ୍ଡ ଆଖି ତାକୁ ଲକ୍ଷ୍ୟ କରୁଛି ।

 

ଟେଲିମେକାସ୍ ପଚାରିଲା–“ତାହାହେଲେ ତୁମେ ଅନ୍ଧ ନୁହଁ ?”

 

ପଲିଫେମାସ୍ ଉତ୍ତର ଦେଲା–“ମୋର ବାପା ନେପଚୁନ୍ ମୋତେ ଆରୋଗ୍ୟ କରିଛନ୍ତି-। ତୁମ ଜାତିର ଜଣେ ଛୋଟ ମଣିଷଟାଏ ମୋତେ ଦିନର ଆଲୁଅରୁ ବଞ୍ଚିତ କରିଥିଲା । ସେଥିପାଇଁ ମୁଁ ତୋତେ ଖାଇବି ।”

 

ଟେଲିମେକାସ୍ କହିଲା–“ତୁମେ ଭୁଲ୍ କରିବ । ଯଦି ତୁମେ ମୋତେ ବଞ୍ଚି ରହିବାକୁ ଦିଅ, ତାହାହେଲେ ମୁଁ ତୁମକୁ ଅନେକ ସୁନ୍ଦର ଗପ କହି ଆମୋଦ ଦେବି ।”

 

ପଲିଫେମାସ୍ କହିଲା–“ହେଉ, ମୁଁ ଶୁଣିବି ।”

 

ଟେଲିମେକାସ୍ ଟ୍ରୋଜାନ ଯୁଦ୍ଧର ଗପ କହିବାକୁ ଆରମ୍ଭ କଲା । ରାତି ହୋଇ ଯିବାରୁ ଦୈତ୍ୟ କହିଲା–“ଏକ୍ଷଣି ଶୋଇବାର ସମୟ; କିନ୍ତୁ ଆଜି ଆଉ ତୋତେ ଖାଇବି ନାହିଁ । କାରଣ ମୁଁ ଗପର ଶେଷଟା ଶୁଣିବାକୁ ଚାହେଁ ।’

 

ନିତି ସଞ୍ଜ ବେଳେ ଦୈତ୍ୟଟି ସେହି କଥା କହେ । ଏହିପରି ଭାବରେ ତିନୋଟି ବର୍ଷ ଗଡ଼ିଗଲା ।

 

ପ୍ରଥମ ବର୍ଷ ଟେଲିମେକାସ୍ କହିଲା, ପ୍ରାଇୟାମର ରାଜଧାନୀ ଅବରୋଧର କାହାଣୀ । ଦ୍ଵିତୀୟ ବର୍ଷ କହିଲା, ଆଗାମାମନେ ଓ ମେନେଲେୟାସର ପ୍ରତ୍ୟାବର୍ତ୍ତନ । ତୃତୀୟ ବର୍ଷ କହିଲା, ଇଉଲିସିସର ପ୍ରତ୍ୟାବର୍ତ୍ତନ, ତାଙ୍କର ଅସୀମ ସାହସିକ କାର୍ଯ୍ୟକଳାପ ଓ ତାଙ୍କର ବିସ୍ମୟକର ଚାତୁର୍ଯ୍ୟର କାହାଣୀ ।

 

ପଲିଫେମାସ୍ କହିଲା–“ତୁମେ ଖୁବ୍ ସାହସୀ । ଯେଉଁ କ୍ଷୁଦ୍ର ମଣିଷଟା ମୋତେ ଏମିତି ଭୀଷଣ ଭାବରେ ଆହତ କରିଥିଲା, ମୋରି ସାମନାରେ ତାହାର ପ୍ରଶଂସା କରୁଛ ।”

 

ଟେଲିମେକାସ୍ ଦୃଢ଼ ଚିତ୍ତରେ କହିଲା–“କିନ୍ତୁ ସେହି ମଣିଷଟିର ବୃଦ୍ଧିର କଥା ମୁଁ ତୁମ ଆଗରେ ଯେତେ ପ୍ରକାଶ କରିବି, ତାହା ଦ୍ଵାରା ପରାଜିତ ହେବାର ଲଜ୍ଜା ତୁମର ସେତେ କମିଯିବ-।”

 

ଦୈତ୍ୟ ତାକୁ ପ୍ରଶଂସାସୂଚକ ବାଣୀ ଶୁଣାଇଲା–‘‘ଯୁକ୍ତି ସଙ୍ଗତ କଥା ସତରେ । ମୁଁ ତୋତେ କ୍ଷମା କଲି । ଯଦି କୌଣସି ଦେବତା ମୋର ଦୃଷ୍ଟିଶକ୍ତି ଫେରାଇ ନ ଦେଇ ଥାଆନ୍ତା, ତାହାହେଲେ ମୁଁ ତୁମ ସାଙ୍ଗରେ ଅନ୍ୟ ରକମ ବ୍ୟବହାର କରିଥାଆନ୍ତି; କିନ୍ତୁ ଅତୀତର ଦୁଃଖ-କଷ୍ଟ ଆଜି ସ୍ୱପ୍ନ ହୋଇ ଯାଇଛି ।”

 

X X X

 

ତୃତୀୟ ବର୍ଷର ଶେଷ ଭାଗରେ ଟେଲିମେକାସ୍ ବୃଥା ନିଜର ସ୍ମୃତି-ଭଣ୍ଡାର ଅନ୍ୱେଷଣ କରିବାକୁ ଲାଗିଲା । ଦୈତ୍ୟଟିକୁ କହିବା ଭଳି ଆଉ କିଛି କାହାଣୀ ସେ ଖୋଜି ପାଇଲା ନାହିଁ । ତେଣୁ ସେ ଏକା କାହାଣୀ ପୁଣି କହିବାକୁ ଆରମ୍ଭ କଲା । ପଲିଫେମାସ୍ ମଧ୍ୟ ସେଥିରେ ପୂର୍ବ ପରି ଆନନ୍ଦ ଉପଭୋଗ କରିବାକୁ ଲାଗିଲା । ଏହିପରି ଭାବରେ ଆଉ ତିନୋଟି ବର୍ଷ ଗଡ଼ିଗଲା ।

 

କିନ୍ତୁ ଟେଲିମେକାସକୁ ବୋଧ ହେଲା ନାହିଁ ଯେ, ଇଲିୟାସ୍ ଅବରୋଧ ଓ ବୀରମାନଙ୍କର ପ୍ରତ୍ୟାବର୍ତ୍ତନର କାହାଣୀଟି ତୃତୀୟ ଥର କହିବା ଭଳି ସାହସ ତାହାର ଅଛି । ସେ ପଲିଫେମାସ୍ ନିକଟରେ ଏହା ସ୍ଵୀକାର କଲା ଏବଂ ତହିଁ ସଙ୍ଗେ ସଙ୍ଗେ କହିଲା–‘‘ମୁଁ ଚାହେଁ, ତୁମେ ବରଂ ମୋତେ ଖାଇ ପକାଅ । ମରଣ ବେଳେ ମୋର କେବଳ ଗୋଟିଏ ବିଷୟରେ ଦୁଃଖ ରହିଯିବ–ତାହା ହେଉଛି ସୁନ୍ଦରୀ ନସିକେୟାକୁ ମୁଁ ଏ ଯାଏ ଦେଖି ପାରିଲି ନାହିଁ ।”

 

ପରିଶେଷରେ ସେ ନିଜର ପ୍ରେମ ଓ ବେଦନାର କଥା କହିଗଲା । ସେ ହଠାତ୍ ଦେଖି ପାରିଲା ଦୈତ୍ୟର ଆଖିରେ ଲାଉ ପରି ବଡ଼ ଲୋତକ ବିନ୍ଦୁଟିଏ ଢଳଢଳ ହେଉଛି । ଦୈତ୍ୟ ତା ଆଖିରୁ ଲୁହ ପୋଛି କହିଲା–‘‘ଯାଅ । ତୁମେ ଯାହାକୁ ଭଲ ପାଅ ତାକୁ ସନ୍ଧାନ କର । ମୋତେ ଆଗରୁ ଏ କଥା କହିଲ ନାହିଁ କାହିଁକି ?”

 

ଟେଲିମେକାସ୍ ଭାବିଲା, ସତରେ ମୂଳରୁ ଏହି କଥାଟି ଆରମ୍ଭ କରିଥିଲେ ତ ଭଲ ହୋଇ ଥାଆନ୍ତା । ମୋରି ଭୁଲ ହେତୁ ଛଅଟି ବର୍ଷ ମୁଁ ଅଯଥା ହରାଇଲି । ଏହା ସତ ଯେ ଲଜ୍ଜା ମୋତେ ଏହି କଥାଟି ଆଗରୁ କହିବାରେ ବାଧା ଦେଇଥିଲା । ମୁଁ ମରିବାକୁ ଯାଉଛି, ଏହି ବିଶ୍ଵାସରେ ଆଜି କଥାଟି ପ୍ରକାଶ କଲି ।

 

ସେ ଖଣ୍ଡିଏ ନୌକା ତିଆରି କଲା । କାରଣ ଯେଉଁ ଜାହାଜଟି ସେ ଉପସାଗରରେ ରଖି ଆସିଥିଲା, ତାହା ବହୁ ଦିନରୁ ଅଦୃଶ୍ୟ ହୋଇ ଗଲାଣି । ପୁଣି ସେ ଗଭୀର ସମୁଦ୍ରପଥରେ ଯାତ୍ରା ଆରମ୍ଭ କଲା ।

 

ଆଉ ଗୋଟିଏ ଝଡ଼ ତାକୁ ନେଇ ସାରସୀର ଦ୍ଵୀପରେ ଫିଙ୍ଗି ଦେଲା । ସେ ଦେଖିଲା, ଗୋଟିଏ ବିଶାଳ ଅରଣ୍ୟର ପ୍ରବେଶ ପଥରେ ଲତା ଓ ଫୁଲମାଳରେ ତିଆରି ଗୋଟିଏ ଦୋଳିରେ ବସି ଜଣେ ନାରୀ ଧୀରେ ଧୀରେ ଝୁଲୁଛି । ତାହାର ମସ୍ତକରେ ପଦ୍ମରାଗ ମଣି ଖଚିତ ମୁକୁଟ, ଭ୍ରୂ ଯୁଗଳ ଯୁକ୍ତ ଏବଂ ମୁଖ-ବିବର କ୍ଷତ ଠାରୁ ବି ଲାଲ । ତାହାର ସ୍ତନ ଓ ବାହୁ ଦୁଇଟି ଜାଫରାନ ପରି ହଳଦିଆ । ତାହାର ସବୁଜ ରଙ୍ଗର ସ୍ଵଚ୍ଛ ପୋଷାକ ଉପରେ ମୂଲ୍ୟବାନ ପଥରର ଫୁଲ ପଡ଼ିଛି ଏବଂ ଜର୍ଦା ରଙ୍ଗର କେଶ ଗୁଚ୍ଛ ତାକୁ ଏକବାରେ ଢାଙ୍କି ପକାଇଛି । ସେ ତା ଭିତର ଦେଇ ମୃଦୁ ମୃଦୁ ହସୁଛି । ତାହାର କଟିବନ୍ଧରେ ତରବାରୀ ପରି ତାହାର ଯାଦୁ ଦଣ୍ଡ ଝୁଲୁଛି । ସାରସୀ ମୁଣ୍ଡଟେକି ଟେଲିମେକାସ୍ ଆଡ଼କୁ ଅନାଇଲା ।

 

ତରୁଣ ବୀର ନିଜର ପୋଷାକ ତଳେ ରହିଥିବା ସେହି କଳା ଓ ଧଳା ମୋଲି ଫୁଲଟି ଖୋଜିବାକୁ ଲାଗିଲା–ଯାତ୍ରା ପୂର୍ବରୁ ତାହାର ପିତା ତାକୁ ଯେଉଁ ଫୁଲଟି ଦେଇଥିଲେ । ସେ ବୁଝି ପାରିଲା, ଫୁଲଟି ଆଉ ତା ପାଖରେ ନାହିଁ । ସେ ଭାବିଲା–“ମୋର ବର୍ତ୍ତମାନ ଶେଷ ଅବସ୍ଥା ଉପନୀତ । ସେ ମୋତେ ତାହାର ଯାଦୁ ଦଣ୍ଡରେ ନିଶ୍ଚୟ ଛୁଇଁଦେବ, ଆଉ ମୁଁ ଶୁକର ହୋଇଯିବି ।”

 

କିନ୍ତୁ ସାରସୀ ତାକୁ କୋମଳ କଣ୍ଠରେ କହିଲା–“ହେ ତରୁଣ ବିଦେଶୀ, ମୋ ସାଙ୍ଗରେ ଚାଲ । ବିଶ୍ରାମ କରିବ ।”

 

ଟେଲିମେକାସ୍ ତାକୁ ଅନୁସରଣ କରିବାକୁ ଲାଗିଲା । ସେ ଦୁହେଁ ଅବିଳମ୍ବେ ସାରସୀର ପ୍ରାସାଦରେ ଯାଇ ପହଞ୍ଚିଲେ । ପ୍ରାସାଦଟି ତାହାର ପିତାଙ୍କର ପ୍ରାସାଦ ଠାରୁ ଶତ ଗୁଣ ସୁନ୍ଦର ।

 

ଯିବା ବେଳେ ବଣର ଗଭୀରତାରେ ଓ ଗିରିସଙ୍କଟରେ ଡାହାଣୀର ପଛେ ପଛେ ଶୂକର ଓ ହେଟା ବାଘ ଦଳ ଦଳ ହୋଇ ଧାଇଁଥିଲେ । ଏକ ସମୟରେ ସେମାନେ ମଣିଷ ଥିଲେ । ଝଡ଼ରେ ଏହି ଦ୍ଵୀପରେ ଆସି ପଡ଼ିଥିଲେ । ସାରସୀ, ତୀକ୍ଷଣ ଲୌହ ଦଣ୍ଡ ଦ୍ଵାରା ସେମାନଙ୍କୁ ନିଷ୍ଠୁର ଭାବରେ ବିଦ୍ଧ କରୁଥିଲେ ସୁଦ୍ଧା ସେମାନେ ତାହାର ନଗ୍ନ ପଦ ଯୁଗଳ ଲେହନ କରୁଥିଲେ ।

 

X X X

 

ତିନୋଟି ବର୍ଷ ଟେଲିମେକାସକୁ ସେହି ଡାହାଣୀ ସହିତ ଶଯ୍ୟା ରଚନା କରିବାକୁ ପଡ଼ିଥିଲା । ତା ପରେ ଦିନେ ସେ ଲଜ୍ଜିତ ହେଲା । ସେ ଗଭୀର ଅବସାଦ ଅନୁଭବ କଲା ଏବଂ ଦେଖିଲା ଆଲସିନେୟାସଙ୍କ କନ୍ୟା–ସେହି ନିର୍ମଳା ଓ ନୀଳ ନୟନା କୁମାରୀ ଯାହାକୁ ସେ କେବେ ହେଲେ ଦେଖି ନାହିଁ–ତାହା ପ୍ରତି ନିଜର ପ୍ରେମ ରୁଦ୍ଧ ହୋଇନାହିଁ; କିନ୍ତୁ ସେ ଭାବିଲା–‘‘ଯଦି ମୁଁ ଚାଲି ଯିବାକୁ ଚାହେଁ, ତାହାହେଲେ ଡାହାଣୀଟା କ୍ରୁଦ୍ଧ ହେବ ଏବଂ ମୋତେ ପଶୁ କରି ଆଜୀବନ ରଖିଦେବ । ମୁଁ ନସିକେୟାକୁ ଆଉ ଦେଖି ପାରିବି ନାହିଁ ।”

 

ଏଣେ ସାରସୀ ମଧ୍ୟ ନିଜର ସଙ୍ଗୀକୁ ଘେନି ଅତିଶୟ କ୍ଳାନ୍ତ ହୋଇ ପଡ଼ିଥିଲା । କ୍ରମେ କ୍ରମେ ସେ ତାକୁ ଘୃଣା କରିବାକୁ ଲାଗିଲା, କାରଣ ସେ ତାକୁ ଭଲ ପାଇଥିଲା । ଦିନେ ରାତିରେ ସେ ନିଜର ଲାଲ କୋମଳ ଶଯ୍ୟାରୁ ଉଠିପଡ଼ି ହାତରେ ଦଣ୍ଡଟା ଧରି ବାହାରକୁ ଚାଲିଗଲା ଏବଂ ସେଥିରେ ଟେଲିମେକାସର ହୃତପିଣ୍ଡ ଉପରେ ଆଘାତ କଲା, କିନ୍ତୁ ଟେଲିମେକାସର ଦେହର କୌଣସି ପରିବର୍ତ୍ତନ ହେଲା ନାହିଁ । କାରଣ ସେତେବେଳେ ସେ ନିଜର ପ୍ରେମିକା ନସିକେୟାର କଥା ଭାବୁଥିଲା ଏବଂ ତାହାର ହୃଦୟ ପ୍ରେମରେ ପରିପୂର୍ଣ୍ଣ ଥିଲା ।

 

ଡାହାଣୀଟା ତୀକ୍ଷଣ କଣ୍ଠରେ ଚିତ୍କାର କରିବାକୁ ଲାଗିଲା, “ଚାଲିଯାଅ ! ଚାଲିଯାଅ !’’

 

ଟେଲିମେକାସ୍ ନିଜର ନୌକା ଖଣ୍ଡିକ ଘେନି ପୁଣି ସମୁଦ୍ର ପଥରେ ଯାତ୍ରା କଲା । ତୃତୀୟ ଥରର ଝଡ଼ ତାକୁ ନେଇ ଅଳସମାନଙ୍କର ଦ୍ଵୀପରେ ପକାଇଦେଲା । ସେଠାର ଅଧିବାସୀମାନେ ମାର୍ଜିତ–ରୁଚି, ବୁଦ୍ଧିମାନ, ଧୀର ଓ ନମ୍ର । ସେମାନଙ୍କର ରାଜା ଟେଲିମେକାସକୁ ଖାଇବା ପାଇଁ ଗୋଟିଏ ପଦ୍ମ ଫୁଲ ଦେଲେ ।

 

ସେହି ତରୁଣ ବୀର କହିଲା–‘‘ମୁଁ ସେଟା ଖାଇବି ନାହିଁ । କାରଣ ସେଟା ହେଉଛି ବିସ୍ମୃତିର ଫୁଲ । ମାତ୍ର ମୁଁ ସବୁ ମନେ ରଖିବାକୁ ଇଛା କରେ ।”

 

ରାଜା ଉତ୍ତର ଦେଲେ–‘‘ତଥାପି ବିସ୍ମୃତି ହେଉଛି ମହାକଲ୍ୟାଣକର । ଏହି ଫୁଲଟିକୁ ସାଧୁବାଦ ଦେଉଛି । ସେଟା ହିଁ ହେଉଛି ଆମ୍ଭମାନଙ୍କର ଏକମାତ୍ର ଖାଦ୍ୟ । ଆମ୍ଭେମାନେ ବେଦନା, ଦୁଃଖ, ବାସନା-କାମନା ଏବଂ ଯେଉଁସବୁ ବୃତ୍ତି ଅସୁଖୀ ମଣିଷକୁ ପୀଡ଼ା ଦିଏ ସେ ସବୁ କିଛି ଜାଣୁ ନାହିଁ; କିନ୍ତୁ ଆମ୍ଭେମାନେ ଏହି ସ୍ୱର୍ଗୀୟ ଫୁଲଟି ଖାଇବା ପାଇଁ କାହାକୁ ଜୋର ଜବରଦସ୍ତି କରୁ ନାହିଁ-।”

 

ଟେଲିମେକାସ୍ ଯେତିକି ଖାଦ୍ୟ ପଦାର୍ଥ ତାହାର ଭଙ୍ଗା ଜାହାଜରୁ ବଞ୍ଚାଇ ପାରିଥିଲା ତାହା ଖାଇ କେତେ ସପ୍ତାହ କଟାଇଦେଲା । ତା ପରେ ଦ୍ଵୀପଟିରେ ଖାଦ୍ୟୋପଯୋଗୀ କୌଣସିଫଳ ବା ପଶୁ ନ ଥିବାରୁ ସେ ସମୁଦ୍ରର ଗେଣ୍ଡା ଶାମୁକା ଓ ମାଛ ଖାଇ ଯେତେ ଦୂର ପାରିଲା ଶରୀର ଧାରଣ କରିବାକୁ ଲାଗିଲା ।

 

ଦିନେ ସେ ଅଳସମାନଙ୍କର ରାଜାଙ୍କୁ ପଚାରିଲା–“ଏହା କ’ଣ ସତ ଯେ, ମଣିଷ ଯାହାକୁ ସବୁଠାରୁ ବେଶି କାମନା କରେ ବା ଯାହା ତାହାକୁ ସବୁଠାରୁ ବେଶି ପୀଡ଼ା ଦେଇଥାଏ, ପଦ୍ମ ଫୁଲଟି ତାହାର କଥା ବି ସେଥିରେ ଭୁଲାଇ ଦିଏ ?”

 

ରାଜା କହିଲେ–“ନିଃସନ୍ଦେହରେ ।”

 

ଟେଲିମେକାସ୍ କହିଲା–“ଫୁଲଟି ମୋତେ ନସିକେୟର କଥା କୌଣସି ମତେ ଭୁଲାଇ ଦେଇ ପାରିବ ନାହିଁ ।”

 

“ଖାଇ ଦେଖ ଥରେ ।”

 

“ଯଦି ବା ଖାଇ ଦେଖେଁ, ତାହାହେଲେ ତା’ର କାରଣ ଗୋଟାଏ କୁହୁକିନୀର କୌଶଳ ଯାହା ସମ୍ପନ୍ନ କରି ପାରି ନାହିଁ, ଏଟା ବି ତାହା ପାରିବ ନାହିଁ, ଏ ବିଷୟରେ ମୁଁ ଅତି ମାତ୍ରାରେ ନିଶ୍ଚିତ ।”

 

ସେ ଫୁଲଟି ଖାଇଦେଲା ଏବଂ ଶୋଇ ପଡ଼ିଲା ।

 

ମୁଁ କହିବାକୁ ଚାହେଁ, ସେ ଶାନ୍ତ ପଦ୍ମ-ଭୋଜୀମାନଙ୍କ ପରି ଜୀବନ ଧାରଣ କରିବାକୁ ଲାଗିଲା–ଯେଉଁମାନଙ୍କ ନିକଟରେ ବର୍ତ୍ତମାନ ହିଁ ସବୁ, ଯେଉଁମାନେ ଆଉ କିଛି ଆଶା କରନ୍ତି ନାହିଁ । ସେ କେବଳ ହୃଦୟର ଗଭୀରତାରେ ଯେମିତି ଗୋଟାଏ ପୁରୁଣା କ୍ଷତର ସ୍ମୃତି ଅନୁଭବ କରିବାକୁ ଲାଗିଲା । ତେବେ ସେଟା କ’ଣ ସେ କଥା ସେ ଠିକ୍ ଭାବରେ ଜାଣି ପାରିଲା ନାହିଁ । ଯେତେବେଳେ ତାହାର ନିଦ ଭାଙ୍ଗିଲା, ସେତେବେଳେ ସେ ଆଲସିନୋୟାସଙ୍କ ଝିଅର କଥା ପାସୋରି ନ ଥିଲା; କିନ୍ତୁ ନିଜର ଅଲକ୍ଷ୍ୟରେ ଏହିପରି ଭାବରେ କୋଡ଼ିଏଟି ବର୍ଷ ଗଡ଼ିଗଲା । ବିସ୍ମୃତିର କୁସୁମଟିର ମୋହିନୀକୁ ପରାସ୍ତ କରିବାପାଇଁ ତାହାର ପ୍ରେମକୁ ଏହି ସମୟଟା ଲାଗିଥିଲା-। ରାଜା ତାକୁ କହିଲେ–“ଏଟା ହିଁ ହେଉଛି ତୁମ ଜୀବନର ସବୁଠାରୁ ଭଲ ସମୟ ।”

 

କିନ୍ତୁ ଟେଲିମେକାସ୍ ତାହା ବିଶ୍ୱାସ କଲା ନାହିଁ । ସେ ସବିନୟରେ ତାହାର ଆଶ୍ରୟଦାତାଙ୍କ ଠାରୁ ବିଦାୟ ନେଲା ।

 

କେଉଁ କେଉଁ ସମୟରେ ପ୍ରୟୋଜନ ହେତୁ, କେଉଁ କେଉଁ ସମୟରେ ବା ନୂଆ ନୂଆ ସାମଗ୍ରୀ ଦେଖିବାର କୌତୂହଳରେ ସେ ସାଇରେନମାନଙ୍କର ଦ୍ଵୀପରେ ବା ସୂର୍ଯ୍ୟ ଦ୍ଵୀପରେ ବା ଲାସଟ୍ରିଗୋନୀମାନଙ୍କ ଦ୍ଵୀପରେ ଆହୁରି ଯେଉଁସବୁ ଦୁଃସାହସିକ କାମ କଲା, ସେ କଥା ଆପଣମାନଙ୍କୁ କହିବି ନାହିଁ, ଆଉ ଏହିସବୁ ବିପଦରୁ ତାକୁ ଉଦ୍ଧାର କରିବାରେ ଏବଂ ସବୁ ସ୍ଥାନରୁ ତାକୁ ହଟାଇ ନେଇଯିବାରେ ତାହାର ପ୍ରେମ ଯେ କେଡ଼େ ଗଭୀର ଥିଲା, ତାହା ବି ମୁଁ କହିବାକୁ ଚାହେ ନା ।

 

ଶେଷ ଝଡ଼ ତାକୁ ନେଇଗଲା ତାହାର ବାଞ୍ଛିତ ଦ୍ଵୀପ ଫନିସିୟାନମାନଙ୍କ ଦେଶର ନଦୀର ମୁହାଣକୁ–ସେ ଚଡ଼ାରେ ଉଠିଲା, ପାଖରେ ବଣ ଥିଲା । ସେ ବଣରୁ ପତ୍ର ସଂଗ୍ରହ କଲା, ଏବଂ ଉଲଗ୍ନ ଥିଲା ବୋଲି ସେଗୁଡ଼ିକରେ ସେ ନିଜର ଦେହ ଆଦୃତ କଲା । ତା ପରେ ସେ ଶୋଇ ପଡ଼ିଲା ।

 

ହଠାତ୍ ପାଣିର ଛଳ ଛଳ ଶବ୍ଦରେ ତାହାର ନିଦ ଭାଙ୍ଗିଗଲା । ଟେଲିମେକାସ୍ ଆଖି ଖୋଲି ଅନାଇଲା । ସେ ଦେଖି ପାରିଲା, କଳା-ପୋଷାକଧାରିଣୀ ଜଣେ ବୃଦ୍ଧା ମହିଳାର ତତ୍ତ୍ଵାବଧାନରେ କେତେ ଜଣ ପରିଚାରିକା ଲୁଗା କାଚୁଛନ୍ତି ।

 

ସେ ଉଠି ଠିଆ ହେଲା ଏବଂ ଖଣ୍ଡିଏ ପତ୍ରପୂର୍ଣ୍ଣ ଡାଳ ଦ୍ଵାରା ସଯତ୍ନରେ ନିଜର ନଗ୍ନତା ଢାଙ୍କି ସ୍ତ୍ରୀ ଲୋକଟି ଆଡ଼କୁ ଅଗ୍ରସର ହେଲା । ସ୍ତ୍ରୀ ଲୋକଟିର ଦେହ ସ୍ଥୂଳ ଓ କଦର୍ଯ୍ୟ । ତାହାର ମୁଣ୍ଡରେ ଯେଉଁ ଆବରଣ ଥିଲା ତା ମଝିରୁ ପାଚିଲା କେଶ ବାହାରି ପଡ଼ିଛି । ଏହା ସତ ଯେ ଏକ ସମୟରେ ସେ ସୁନ୍ଦରୀ ଥିଲା; କିନ୍ତୁ ଏକ୍ଷଣି ଆଉ ନୁହେଁ । ଟେଲିମେକାସ୍ ତାହା ନିକଟକୁ ଯାଇ ଆଶ୍ରୟ ପ୍ରାର୍ଥନା କଲା । ସେ କରୁଣା ବିଗଳିତ ଚିତ୍ତରେ ତାକୁ ଆଶ୍ଵାସନା ଦେଲା ଏବଂ ପରିଚାରିକାମାନଙ୍କ ଦ୍ଵାରା ତାକୁ କେତେ ଖଣ୍ଡ ଲୁଗା ଅଣାଇଦେଲା ।

 

ତା’ପରେ ସେ କହିଲା–‘‘ହେ ଅତିଥି, ବର୍ତ୍ତମାନ ଆପଣଙ୍କୁ ରାଜପ୍ରାସାଦକୁ ନେଇଯିବି ।”

 

ଟେଲିମେକାସ୍ ପଚାରିଲା–‘‘ଆପଣ କ’ଣ ରାଣୀ ?”

 

“ହେ ବିଦେଶୀ, ଆପଣଙ୍କର ଅନୁମାନ ସତ୍ୟ ।”

 

ତତ୍‌କ୍ଷଣାତ୍ ଟେଲିମେକାସ୍ ମନେ ମନେ ଖୁସି ହୋଇ କହି ପକାଇଲା–‘‘ସୁନ୍ଦରୀ ନସିକେୟାର ଜନନୀକୁ ଦେବତାମାନେ ଦୀର୍ଘଜୀବୀ କରନ୍ତୁ ।”

 

ରାଣୀ ଉତ୍ତର ଦେଲେ–‘‘ମୁଁ ତ ନସିକେୟା ! କିନ୍ତୁ ହେ ମାନନୀୟ ବୃଦ୍ଧ, ଆପଣ କେଉଁଥିପାଇଁ ଦୁଃଖ ଅନୁଭବ କରୁଛନ୍ତି ?”

 

ନିଜର ନୌକା ଖଣ୍ଡିକ ଶୀଘ୍ର ମରାମତି କରି ବୃଦ୍ଧ ଟେଲିମେକାସ୍ ସେଥିରେ ଚଢ଼ିଲା ଏବଂ ଆଉ ଥରେ ପଛକୁ ଫେରି ନ ଚାହିଁ ଖୋଲା ସମୁଦ୍ରରେ ଯାଇ ପଡ଼ିଲା ।

 

–ଜା ଇମାନୁୟେଲ ଚାର୍ଲସ ନଦିୟେ

☆☆☆

 

ଯଦି ଫେରି ଆସେ

 

ଅଗଷ୍ଟ, ୧୯୪୫ । ଫରାସୀ ଯୁଦ୍ଧବନ୍ଦୀମାନେ ଜର୍ମାନୀରୁ ଫେରୁ ଥାଆନ୍ତି । ରାତିର ନିସ୍ତବଧ ଗାଢ଼ ଅନ୍ଧକାର ଭେଦ କରି ସେହି ଗୋଟାଏ ରାତିରେ ବିଶେଷ ସାମରିକ ରେଳଗାଡ଼ିଟି ଧାଇଁଥାଏ । ତାରି ଗୋଟିଏ କୋଠରୀରେ ମୋର କାହାଣୀର ଆରମ୍ଭ । କାହାଣୀ କହିଲେ ଭୁଲ ହେବ, ଘଟଣାଟିଏ ତାହା ବରଂ ।

 

ଗାଡ଼ି ସୀମାନ୍ତ ପାର ହୋଇ ଆସିଲାଣି । ପାଞ୍ଚ ବର୍ଷ ପରେ ସୈନିକମାନେ ସ୍ଵଦେଶକୁ ଫେରି ଆସିଲେ । କ୍ଳାନ୍ତ ହେଲେ ସୁଦ୍ଧା ସେମାନେ ଉତ୍‌ଫୁଲ୍ଲ ଦିଶୁଥିଲେ । ଘର-ସଂସାରର କେତେ କଥା ସେମାନଙ୍କର ମନେ ପଡ଼ୁଥାଏ । ସବୁଠାରୁ ସେମାନଙ୍କର ବେଶୀ ମନେ ପଡ଼ୁଥାଏ ଗୋଟିଏ ହସ ହସ ମୁଖ–କାହାର ପ୍ରିୟାର, କାହାର ବା ପ୍ରଣୟିନୀର । ଦୀର୍ଘ ପାଞ୍ଚ ବର୍ଷ–ଗୋଟାଏ ଦୁଇଟା ଦିନ ନୁହେ । ଏତେ ଦିନ ବା ତାହାର କିପରି ବିତିଛି ? ଆଜି ବି କଣ ସେ ତାକୁ ସେମିତି ଭଲ ପାଇବ ? ପୁଣି କଣ ପୁରୁଣା ଦିନ ଭଳି ସଂସାରୀ ହୋଇ ଘର କରିବାକୁ ପଡ଼ିବ ? ଏହିପରି କେତେ କଥା ତାହାର ମନ ଭିତରେ ବାରମ୍ବାର ଖେଳି ଯାଉଥାଏ । କେହି ବା ଖୁବ୍ ଆଶାନ୍ୱିତ–ହସି ହସି ଗଡ଼ି ଯାଉଛି । କାହାକୁ ବା କିଞ୍ଚିତ୍ ପରିମାଣରେ ଉଦବିଗ୍ନ ଦେଖା ଯାଉଛି ।

 

ରେଳଗାଡ଼ିର ଯେଉଁ କୋଠରୀ କଥା କହୁଥିଲି ତାର ଗୋଟାଏ କୋଣ ଆଡ଼କୁ ବସିଛି ରେନୋଲିମାରୀ । ପେରିଗର୍ବର ଗୋଟିଏ ଛୋଟ ସହର ସାରଡ଼ିଲରେ ତାହାର ଘର । ବେଶ୍ ଲମ୍ବା, କିଞ୍ଚିତ୍ ରୋଗଣା ଚେହେରା, ଅଥଚ ଆଖି ଦୁଇଟି ଅତ୍ୟନ୍ତ ଉଜ୍ଜ୍ୱଳ ଓ ମୁଖ ମଣ୍ତଳଟି ମଧ୍ୟ ତତୋଧିକ ସତେଜ । ତା ପାଖରେ ବସିଥିବା ଲୋକଟି ସହିତ ସେ କଥାବାର୍ତ୍ତା କରୁଥିଲା ।

 

“ସାତୁନିନ, ତୁମେ କଣ ବିଭା ହୋଇଛ ?”

 

“କାହିଁକି ? ହଁ, ମୁଁ ବିଭା ହୋଇଛି–ଯୁଦ୍ଧର ଦୁଇ ବର୍ଷ ଆଗରୁ ।”

 

ହସହସ ମୁଖରେ ଖର୍ବକାୟ ଲୋକଟି ପକେଟରୁ ବାହାର କଲା ଖଣ୍ଡିଏ ତେଲ-ଦାଗ-ଲାଗିଥିବା ଛିଣ୍ଡା ମଇଳା ଫଟ ।

 

ସେ କହିଲା–“ଏହି ଦେଖ ମୋର ମାର୍ଥା ।”

 

“ବେଶ୍ ସୁନ୍ଦରୀ ତ । ଆଚ୍ଛା ଭାଇ, ଏହି ଯେ ତୁମେ ଫେରି ଯାଉଛ, ତୁମର ମନରେ କୌଣସି ଦୁର୍ଭାବନା ଜାତ ହେଉ ନାହିଁ ତ ।”

 

“ଦୁର୍ଭାବନା ! ବାହାରେ ! ଦୁର୍ଭାବନା କାହିଁକି ?”

 

“ଦୁର୍ଭାବନା–କାରଣ ଏମିତି ସୁନ୍ଦରୀ ନାରୀ; କାରଣ ଏତେ ଦିନ ହେଲା ସେ ଏକା ଥିଲା, କାରଣ ଆହୁରି କେତେ ଲୋକ ଅଛନ୍ତି ।”

 

“ନା ! ହସାଇଲ ଭାଇ ତୁମେ । ମୁଁ ଆଉ ମାର୍ଥା–ୟା ମଝିରେ ପୁଣି ଅନ୍ୟ ଲୋକ ? ଅସମ୍ଭବ । ଦୁଇଟି ବର୍ଷ ଆମର କି ସୁଖରେ ନ ବିତିଛି ! ତାପରେ ଯୁଦ୍ଧ ଲାଗିଗଲା; ମୋତେ ବି ଚାଲି ଆସିବାକୁ ପଡ଼ିଲା । କିନ୍ତୁ ଏହି ପାଞ୍ଚ ବର୍ଷ ଭିତରେ କେତେ ଚିଠି ସେ ନ ଲେଖିଛି ! ଯଦି ତାହା ଦେଖି ଥାଆନ୍ତା– ।”

 

“ଓଃ ! ଚିଠି–ଚିଠିରୁ କିଛି ଜଣା ପଡ଼େ ନାହିଁ । ମୁଁ ଯେଉଁସବୁ ଚିଠି ପାଇଛି ତାହାବି– । କିନ୍ତୁ ତଥାପି– ।”

 

“କାହିଁକି ? ତୁମେ କଣ ତାକୁ ବିଶ୍ଵାସ କର ନାହିଁ ?”

 

“ହଁ, ନିଶ୍ଚୟ ବିଶ୍ୱାସ କରେ । ଅନ୍ତତଃ ଅନ୍ୟ କାହା ଠାରୁ ବି କମ୍‍ ବିଶ୍ୱାସ କରେ ନାହିଁ । ଆଉ ବିବାହ ପରେ ଛଅ ବର୍ଷ କଟିଯାଇଛି, କେବେ ହେଲେ ଏତିକି ଟିକିଏ ଅସନ୍ତୋଷ ନ ଥିଲା ।”

 

“ତେବେ ?”

 

“ତେବେ ମୋର କିନ୍ତୁ ନିଜ ଉପରେ ବିଶ୍ୱାସ ନାହିଁ । ନିଜର ସୌଭାଗ୍ୟକୁ ମୁଁ ବୋଧ ହୁଏ ସୌଭାଗ୍ୟ ବୋଲି ମନେ କରି ପାରୁ ନାହିଁ । ମୋର ଖାଲି ମନେ ହୁଏ, ଏତେ ସୁଖ ମୋ ଭଳି ଜଣେ ହତଭାଗାର କପାଳରେ ଟେକି ନ ପାରେ । ହେଲେନ ଭଳି ସୁନ୍ଦରୀ, ବୁଦ୍ଧିମତୀ, ଶିକ୍ଷିତା ନାରୀ–ମୁଁ ତାହାର ଯୋଗ୍ୟ ନୁହେ । ତେଣୁ ଭାବୁଛି–ଯୁଦ୍ଧର ଗଣ୍ଡଗୋଳରେ କେତେ ଲୋକ ଆସିଛନ୍ତି । ସେମାନଙ୍କ ଭିତରୁ ଅନେକ ହୁଏତ ମୋ ଠାରୁ କେତେ ଭଲ । ଗାଆଁର ସବୁଠାରୁ ଭଲ ଝିଅଟି କଣ ଏଯାଏ ସେମାନଙ୍କର ନଜରରେ ନ ପଡ଼ି ରହିଥିବ ?”

 

“ବେଶ୍ ତ । ତାହା ହୋଇଥିଲେ ସେଥିରେ କ୍ଷତି କଣ ? ଯଦି ସେ ତୁମକୁ ଭଲ ପାଏ–-।”

 

“ନିଶ୍ଚୟ ସେ ମୋତେ ଭଲ ପାଏ । ଆଉ ଭଲ ପାଇବା କଥା କରୁଚ ? କିନ୍ତୁ ଥରେ ଭାବି ଦେଖ–ଗୋଟି ଗୋଟି କରି ପାଞ୍ଚୋଟି ବର୍ଷ କଟିଗଲା । ସାରଡ଼ିଲରେ ତାହାର ଆତ୍ମୀୟ ସ୍ୱଜନ କେହି ନାହାନ୍ତି । ସମ୍ପୂର୍ଣ୍ଣ ଏକା ତାକୁ ସେଠାରେ ରହିବାକୁ ହୋଇଛି । ଏପରି ଅବସ୍ଥାରେ– ।”

 

“ନା ଭାଇ, ତୁମେ ଭୁଲ କରୁଛ । ମୁଁ ଜୋର ଦେଇ କହିପାରେଁ, ତୁମେ ଭୁଲ କରୁଛ । ଯଦି ଆଉ କିଛି ହୋଇଥାଏ, ସେଥିରେ ବା କି ଯାଏ ଆସେ ? ଏଇ ଧର, ଯଦି ମୋତେ କେହି କହନ୍ତି ଯେ ମାର୍ଥା–I ତତକ୍ଷଣାତ୍ ମୁଁ ତାହାର ପାଟିରେ ହାତ ଦେଇଦେବି ଏବଂ କହିବି–ଦେଖ, ମାର୍ଥା ମୋର ସ୍ତ୍ରୀ । ଯୁଦ୍ଧ ସମୟରେ ସେ ବିଚାରୀ ଏକା ରହୁଥିଲା । ଏକ୍ଷଣି ଶାନ୍ତି ଫେରି ଆସିଛି । ଆମେ ବି ଫେରିଯିବା ଆମର ପୁରୁଣା ଜୀବନକୁ ।”

 

“ମୁଁ କିନ୍ତୁ ତାହା ପାରିବି ନାହିଁ । ଫେରିଯାଇ ଯଦି ଶୁଣେ ଯେ– ।”

 

“କଣ କରିବ ତାହାହେଲେ ? ତାକୁ ଖୁନ୍ କରିବ ?”

 

“ନା । ଖୁନ୍ କାହିଁକି କରିବି ? ତାକୁ ପଦେ ହେଲେ ବି ଖରାପ କଥା କହିବି ନାହିଁ । ମୁଁ ଖାଲି ଦୂରକୁ ଚାଲିଯିବି । ମୋର ଟଙ୍କା-ପଇସା, ଜମି-ବାଡ଼ି, ଘର-ଦ୍ଵାର, ସବୁ ତାକୁ ଦେଇଦେବି । କିଛି ବ୍ୟବସାୟ ମୋତେ ଜଣା ଅଛି । ତାକୁ ସମ୍ବଳ କରି ଅନେକ ଦୂରକୁ କେଉଁଠାକୁ ଚାଲିଯିବି । ନାମଟା ବଦଳାଇ ଦେଲେ କେହି ମୋତେ ଆଉ ଖୋଜି ପାଇବ ନାହିଁ । ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ଚାଲିଯିବି ।”

 

ରେଳଗାଡ଼ିରେ ଗୋଟାଏ ପ୍ରକାର ଗତିର କମ୍ପନରେ ସମସ୍ତଙ୍କ ଆଖିରେ ନିଦ ମାଡ଼ି ଆସିଲା । ବାହାରେ ନିର୍ଝୁମ ନିବିଡ଼ ରାତି । କୋଠରୀ ଭିତରେ ଖାଲି ଏକା ଚେଇଁ ରହିଲା ରେନୋ-

 

ଏଣେ ସରକାରୀ ଦପ୍ତରରୁ ଯେତେବେଳେ ସାରଡ଼ିଲର ମେୟରଙ୍କୁ ସମ୍ବାଦ ଦିଆ ହେଲା ଯେ, ରେନୋ ଲିମାରୀ ଅଗଷ୍ଟ ୨୦ ତାରିଖରେ ଆସି ପହଞ୍ଚିବ, ସେ ନିଜେ ରେନୋର ଘରକୁ ଗଲେ । ତାହାର ସ୍ତ୍ରୀ ସେତେବେଳେ ବଗିଚାରେ କାମ କରୁଥିଲା ।

 

ମେୟର ସେଠାରେ ପହଞ୍ଚି ତାକୁ କହିଲେ–“ଏକାନ୍ତ ସୁସମ୍ବାଦ, ମହାଶୟା । ଆପଣଙ୍କର ସ୍ୱାମୀ ୨୦ ତାରିଖରେ ଘରକୁ ଫେରି ଆସୁଛନ୍ତି । ମୁଁ ଅବଶ୍ୟ ଜାଣେ, କି ଅଭାବରେ ଆପଣଙ୍କୁ ଦିନ ବିତାଇବାକୁ ହେଉଛି । ଆମର ସମସ୍ତଙ୍କର ତ ସେହି ଏକ ଅବସ୍ଥା । ତଥାପି ଏମିତି ଗୋଟାଏ ଦିନରେ ଟିକିଏ କିଛି ବିଶେଷ ଆୟୋଜନ– ।”

 

“ହଁ, ନିଶ୍ଚୟ । ରେନୋ ଫେରି ଆସୁଛନ୍ତି । ଏମିତି ଦିନରେ– I ଆପଣ ୨୦ ତାରିଖ କହିଲେ ନା ? ଆଛା, କେତେବେଳେ ଆସି ପହଞ୍ଚିବେ ସେ ଆପଣ କହି ପାରିବେ ?”

 

“ବୋଧହୁଏ ଦିପହରେ ।”

 

“ଧନ୍ୟବାଦ ! ଶତ ଧନ୍ୟବାଦ ! କିପରି ଭାବରେ ଯେ ଆପଣଙ୍କୁ କୃତଜ୍ଞତା ଜଣାଇବି !”

 

ଅଗଷ୍ଟ ୨୦ ତାରିଖ । ଭୋର ହେଉ ନ ହେଉଣୁ ହେଲେନ ଉଠି ପଡ଼ିଲା । ରାତିରେ ତା ଆଖିକୁ ନିଦ ଆସି ନ ଥିଲା । ଆଜି ରେନୋ ଫେରି ଆସିବେ । କାଲି ଦିନଟା କଟିଛି ଘରଦ୍ଵାର ପରିଷ୍କାର କରିବାରେ । ଚଟାଣଟା ଭଲ କରି ଧୋଇଛି, ଝରକାର ପର୍ଦାରେ ନୂଆ ଫିତା ଦେଇଛି, ଭୋଜନ-ଟେବୁଲଟାକୁ ଘଷି ମାଜି ଏକବାରେ ଝକଝକ କରି ଦେଇଛି । ଖଣ୍ଡିଏ ପିନ୍ଧିବା ଭଳି ଜାମା ଖୋଜିବାରେ ତାହାର କିଛି ସମୟ ଯାଇଛି । ତଳେ ଅବଶ୍ୟ ରେଶମ ପିନ୍ଧିବା ଭଲ । କିନ୍ତୁ–ରେନୋ ସବୁଠାରୁ ବେଶୀ ପସନ୍ଦ କରେ–ସେହି ନୀଳ ଜଙ୍ଗଲୀ ଛିଟ ଜାମାଟି । ପୁରୁଣା ଜାମା । ତାକୁ ସେ ପିନ୍ଧି ଦେଖିଲା, କମରଟା ଖୁବ୍ ବେଶି ଢିଲା ହୋଇ ଯାଇଛି । ତାହାର ଦେହଟା ଶୁଖି ଯାଇଛି ନା, ସେଥିପାଇଁ । ଶେଷରେ ସେ ସ୍ଥିର କଲା ଯେ ତା ନିଜ ହାତରେ ତିଆରି କଳା ଜମାଟି ପିନ୍ଧିବ । ଗୋଟାଏ ରଙ୍ଗୀନ କଲାର ଓ ରଙ୍ଗୀନ ବେଲଟ ହେଲେ ତାକୁ ବେଶ୍ ମାନିବ । ଜାମାର ପର୍ବ ଶେଷ କରି ତାକୁ ଯିବାକୁ ପଡ଼ିଲା ଭଣ୍ଡାରୀ ଦୋକାନକୁ ରେନୋ ଯେ କୁଞ୍ଚିତ କେଶ ଭଲ ପାଏ । ରାତିରେ ଗୋଟାଏ ଜାଲ ପିନ୍ଧି ପକାଇଲା, ଯଦ୍ଵାରା କେଶ ପୁଣି ଅଡ଼ୁଆ ହୋଇ ନ ଯାଏ ।

 

ଖାଦ୍ୟ ସାମଗ୍ରୀ ଗୁଡ଼ିକ ମଧ୍ୟ ରେନୋର ପସନ୍ଦ ଅନୁଯାୟୀ ହେବା ଦରକାର । ଅବଶ୍ୟ ଯୁଦ୍ଧ ଫଳରେ ବଜାରରେ ଅନେକ ଜିନିଷ ମିଳୁ ନାହିଁ । ଅଣ୍ଡା ଘରେ ଅଛି । ଘର-କୁକୁଡ଼ାର ତଟକା ଅଣ୍ଡାରେ ତିଆରି ଆମଲେଟ ଦେଖିଲେ ରେନୋ ତାକୁ ପ୍ରଶଂସାରେ ପୋତି ପକାଏ । ଆଳୁ ଓ ମାଂସ । କାଲିଠୁଁ ଗୋଟାଏ କୁକୁଡ଼ା ସନ୍ତୁଳା ହୋଇ ରଖା ଯାଇଛି । କିନ୍ତୁ ଚକୋଲେଟ ? ନା, ଚକୋଲେଟ ନ ହେଲେ ଚଳିବ ନାହିଁ । ରେନୋ ତ ତାକୁ ସବୁଠାରୁ ବେଶି ପସନ୍ଦ କରେ । ସେ ଦିନ ତାହାର ଜଣେ ବନ୍ଧୁ ସତରେ କହୁଥିଲା ଯେ ପାଖ ଗାଁର ଗୋଟିଏ ଦୋକାନରେ ଚକୋଲେଟ ଲୁଚାଚୋରାରେ ବିକା ହେଉଛି । ତାକୁ ସେଠାକୁ ଯିବାକୁ ହେବ । ଆଠଟାରେ ବାହାରିଲେ ନଅଟା ଭିତରେ ସେ ସାଇକେଲରେ ନିଶ୍ଚୟ ଫେରି ଆସି ପାରିବ । ଖାଲି ରୋଷେଇର ଯାହା କିଛି ବାକି ରହିବ । ବର୍ତ୍ତମାନ ଜିନିଷପତ୍ରସବୁ ସଜାସଜି କରି ରଖି ଦେଇ ଗଲେ ଫେରି ଆସି ତୁରନ୍ତ ରୋଷେଇଟା ସାରି ଦେବ ।

 

ଟେବୁଲଟା ସଜା ଯାଉ । ଧଳା ଓ ଲାଲ ସୁତାରେ ଟେବୁଲ କନା ଉପରେ ଫୁଲ ପକା ହୋଇଛି–ସେହି ଯେଉଁ ଖଣ୍ଡିକ ବିବାହ ପରେ ପ୍ରଥମେ ସେମାନେ ବ୍ୟବହାର କରିଥିଲେ । ସେହି ଛବି ଅଙ୍କା ବାଇଗଣୀ ରଙ୍ଗର ପ୍ଲେଟଗୁଡ଼ାକ–ଯାହା ଦେଖିଲେ ରେନୋ ହସି ହସି ଗଡ଼ି ଯାଉଥିଲା । ଆଉ କିଛି ଫୁଲ । ହଁ, ସେ ଫୁଲ ଖୁବ୍ ଭଲ ପାଏ, ଆଉ ଏମିତି ଭାବରେ ଫୁଲ ସଜାଇବା କୁଆଡ଼େ ଆଉ କେହି ଜାଣନ୍ତି ନାହିଁ । ଫୁଲ ତୋଡ଼ାଟି ହେଲା ତିନି ରଙ୍ଗର–ଧଳାଡେଇଜି, ଲାଲ ପପି ଓ ସବୁଜ କର୍ଣ୍ଣଫ୍ଳାଓ୍ୟାର ।

 

ଏକ୍ଷଣି ବାହାରିବାକୁ ହେବ । ସାଇକେଲ ଧରି ହେଲେନ ବାହାରୁ ଝରକା ବାଟେ ଥରେ ଘରଟି ଦେଖିନେଲା । ହିଁ, ଠିକ୍ ହୋଇଛି । ଏତେ ଦିନ ପରେ ବିଚରା ରେନୋ ଘରକୁ ଫେରି ଆସୁଛି । ସେ ଆସି ଦେଖିବ, ସବୁ ଠିକ୍ ଆଗ ପରି ଅଛି । ଏତେ ଟିକିଏ ହେଲେ ବି ଏପଟ ସେପଟ ହୋଇ ନାହିଁ–ସବୁ କିଛି ହିଁ ତାହାର ମନ ମୁତାବକ ସଜା ହୋଇଛି । ଝରକା କତିକୁ ଆସିବାରୁ ଘରର ଦର୍ପଣରେ ତାହାର ଛବି ଦେଖା ଗଲା । ସେ ଟିକିଏ ରୋଗଣା ହୋଇ ଯାଇଛି ଅବଶ୍ୟ । କିନ୍ତୁ ଏକ୍ଷଣି ବି ତାକୁ ସୁନ୍ଦରୀ ତରୁଣୀ ବୋଲି କୁହା ଯିବ କି ?

 

ଆଠଟା ବାଜିଲା । ଆଉ ଡେରି ନୁହେଁ । ଆନନ୍ଦ ମନରେ ଗୋଟାଏ ଗୀତ ଗାଇ ଗାଇ ହେଲେନ ସାଇକେଲକୁ ପାଖ ଗାଁର ରାସ୍ତାରେ ଛୁଟାଇ ଦେଲା ।

 

ସାରଡିଲ ଛୋଟ ସହରଟିଏ । ତାର ଶେଷ ପ୍ରାନ୍ତର ଲିମାରୀର ଘର । ତେଣୁ ସେ ବାଟେ ଲୋକମାନଙ୍କରେ ଯାତାୟାତ ପ୍ରାୟ ନାହିଁ କହିଲେ ଚଳେ । ସେତେବେଳେ ସମୟ ବୋଧହୁଏ ସାଢ଼େ ଆଠଟା ହେବ । ସେହି ପଡ଼ାର ଜଣେ ଲୋକ ଦେଖିଲା ଯେ ରେନୋ ଧୀରେ ଧୀରେ ନିଜର ଘର ଆଡ଼କୁ ଚାଲିଛି ।

 

ବଗିଚାରେ ପହଞ୍ଚିଲା ମାତ୍ରେ ରେନୋ ଅନୁଚ୍ଚ କଣ୍ଠରେ ଡାକିଲା–“ହେଲେନ ।” କେହି ଜବାବ ଦେଲେ ନାହିଁ । ଏଥର ସେ ଖୁବ୍ ବଡ଼ ପାଟିରେ ଡାକିଲା– “ହେଲେନ”-“ହେଲେନ”-”ହେଲେନ” ।

 

କୌଣସି ଜବାବ ମିଳିଲା ନାହିଁ । ରେନୋର ମନରେ ଶଙ୍କା ଜାତ ହେଲା । ସେ ଆଉ ଟିକିଏ ଆଗେଇ ଗଲା । ସେଠାରୁ ଝରକା ବାଟେ ଘରର ଭିତରଟା ଦେଖାଯାଏ । ରେନୋ ଦେଖିଲା–ଭୋଜନ ଟେବୁଲ ସଜା ହୋଇଛି, ଦୁଇ ଜଣଙ୍କ ପାଇଁ । ତାହାର ମୁଣ୍ଡଟା ଯେମିତି ଘୂରାଇ ଦେଲା । ତୁରନ୍ତ କାନ୍ଥ ଧରି ପକାଇ ସେ ନିଜକୁ ସମ୍ଭାଳି ନେଲା । “ଓଃ ! ତାହାହେଲେ ସତରେ ସେ ସାଥୀ ଯୋଗାଡ଼ କରି ନେଲାଣି ।”

 

କିଛି କ୍ଷଣ ପରେ ହେଲେନ ଫେରି ଆସିଲା । ସେ ପଡ଼ାର ସେହି ଲୋକଟି ତାକୁ କହିଲା–“ଶୁଣୁଛ, ତୁମର ରେନୋକୁ ଦେଖିଲି ଖୁବ୍ ଜୋରରେ ଚାଲିଛି । କେତେ ଡାକିଲି, ସେ ଆଦୌ ଜବାବ ଦେଲା ନାହିଁ–ଦଉଡ଼ି ପଳାଇ ଗଲା ।”

 

ହେଲେନ କିଛି ବୁଝି ପାରିଲା ନାହିଁ । ସେ ଆବାକାବା ହୋଇ ପଚାରିଲା–“ଏଁ, ଦଉଡ଼ି ପଳାଇଗଲା ? କେଉଁ ଆଡ଼କୁ ଗଲା କହି ପାରିବ ?”

 

“ହେଲେ ତ ସେହି ଆଡ଼େ–ଥିବିୟାର୍ସ ଆଡ଼କୁ ହେବ ।”

 

ହେଲେନ ମେୟରଙ୍କ ଅଫିସ ଆଡ଼କୁ ଧାଇଁଗଲା । ତାଙ୍କୁ କହିଲା–“ରେନୋର ମନ ଭାରି ଗୁଡ଼ପୁଡ଼ିଆ । ସେ ଦେଖିଛି, ଦୁଇଜଣଙ୍କ ପାଇଁ ଭୋଜନ ଟେବୁଲ୍ ସଜା ହୋଇଛି । ତତକ୍ଷଣାତ୍ ତାହାର ମନରେ ସନ୍ଦେହ ଜାତ ହୋଇଛି । ସେ ତ ଜାଣେ ନା, ତାହାରି ଲାଗି ଏ ଆୟୋଜନ । ବଡ଼ ଏକଜିଦିଆ ସେ । କଣ କରି ପକାଇବ ସେ କିଏ ଜାଣେ । ଯେ କୌଣସି ମତେ ରେନୋକୁ ଖୋଜି ଫେରାଇ ଆଣିବାକୁ ହେବ ।” କିନ୍ତୁ ମେୟରଙ୍କୁ ତା ବିଷୟରେ କିଛି ଜଣା ନ ଥିଲା । ସେ ଥିବିୟାର୍ସକୁ ଲୋକ ପଠାଇଲେ । ସେଠାରେ ବି ରେନୋର ଦେଖା ମିଳିଲା ନାହିଁ । ପୋଲିସକୁ ଖବର ଦିଆଗଲା । ସେମାନେ ବି ତାକୁ ଖୋଜି ପାଇଲେ ନାହିଁ ।

 

ରାତିଟା ସାରା ଉଜାଗରରେ ହେଲେନ ଏକା ବସି ରହିଲା ସେହି ସଜା ହୋଇଥିବା ଟେବୁଲ ପାଖରେ । ଭୋର ବେଳର ଫୁଲ ରାତିର ଗରମରେ ଶୁଖି ଝଡ଼ି ପଡ଼ିଲା ।

 

ତିନି ବର୍ଷ ଗଡ଼ି ଗଲାଣି । ତଥାପି ହେଲେନ ପ୍ରତୀକ୍ଷା କରୁଛି ଆଜି ଯାଏ, ଯଦି ସେ ଫେରି ଆସେ ।

 

–ଆଁଦ୍ରେ ମରୁଆ

☆☆☆

 

ଦଉଡ଼ି

 

ମୋର ଜଣେ ବନ୍ଧୁ କହୁଥିଲେ, ମଣିଷର ଭୁଲ ଭଟକା ଏତେ ଅମାପ ଯେ ମନେ ହୁଏ ମଣିଷ ସହିତ ମଣିଷର ବା ବସ୍ତୁ ସହିତ ମଣିଷର ସମ୍ପର୍କ ଭଳି ତାହା ବିଚିତ୍ର । ଠିକ୍ ଯେତେବେଳେ ସେହି ଭୁଲଟା କଟିଯାଏ । ସେତେବେଳେ ଆମେ ସେହି ମଣିଷଟିକୁ ତାହାର ନିଜ ଭଳି, ଅର୍ଥାତ୍ ପ୍ରକୃତ ସ୍ୱରୂପରେ ଦେଖିବାକୁ ପାଉଁ, ଏବଂ ସେତେବେଳେ ଏକ ଅଦ୍ଭୁତ ଜଟିଳ ଅନୁଭୂତି ଆରମ୍ଭ ହୁଏ । ତାର କିଛି ଅଂଶ ହେଲା ଶୂନ୍ୟରେ ମିଳାଇ ଯିବା ଭୂତ ପ୍ରତି ଆକ୍ଷେପ ଓ ଅବଶିଷ୍ଟ ନିଜର ନୂତନ ପ୍ରକୃତ ରୂପ ଯୋଗୁଁ ବିସ୍ମୟ । କିନ୍ତୁ ପ୍ରକୃତିର ଏପରି ଏକ ବିଚିତ୍ର ଗତି ଅଛି ଯାହା କଦାପି ରୂପ ବଦଳାଏ ନାହିଁ, ଯାହା ଭୁଲ ବୁଝିବା କେବେ ସମ୍ଭବ ନୁହେଁ । ତାହା ହିଁ ହେଉଛି ଜନନୀର ବାତ୍ସଲ୍ୟ ପ୍ରେମ । ଯେମିତି ଉତ୍ତାପହୀନ ଆଲୋକର କଳ୍ପନା ଦୁଃସାଧ୍ୟ, ଠିକ୍ ସେମିତି ଏପରି କଳ୍ପନା ବି ପ୍ରାୟ ଅସମ୍ଭବ ଯେ ଜଣେ ଜନନୀର ଅନ୍ତରରେ ନିଜର ସନ୍ତାନ ପ୍ରତି ସ୍ନେହ ନାହିଁ । ଏହା କଣ ଖାଣ୍ଟି ସତ କଥା ନୁହେଁ କି, ଜଣେ ମାଆର ପ୍ରତ୍ୟେକ କାମ ଓ ତାହାର ପ୍ରତି କଥା କେବଳ ତାହାର ସନ୍ତାନକୁ କେନ୍ଦ୍ର କରି ଘୁରି ବୁଲେ ? ତଥାପି, ମୁଁ ତୁମକୁ ଗୋଟାଏ ଗପ ଶୁଣାଇବି, ଯେଉଁଥିରୁ ତୁମେ ସ୍ପଷ୍ଟ ବୁଝି ପାରିବ ଏହି ସହଜ କଥାଟି କି ରହସ୍ୟମୟ ଓ ଅଦ୍ଭୁତ ।

 

ତୁମେ ତ ଜାଣ, ଶିଳ୍ପୀ ହିସାବରେ ମୋର କର୍ତ୍ତବ୍ୟ ହେଉଛି ମୋ ଚାରିପଟେ ମଣିଷଙ୍କ ମୁଖ ଓ ତାଙ୍କର ପ୍ରତି ମୁଖ-ଭଙ୍ଗୀ ଲକ୍ଷ୍ୟ କରିବା । ଏହି ଦର୍ଶକର ଭୂମିକାରେ ଯେ କି ଆନନ୍ଦ ଅଛି ତାହା ଶିଳ୍ପୀମାନେ ହିଁ ଏକମାତ୍ର ଜାଣନ୍ତି, ଏବଂ ୟାରି ଭିତରୁ ଜୀବନର ଅର୍ଥ ଓ ତାର ଉଲ୍ଲାସ ଖୋଜି ବାହାର କରିପାରୁ କେବଳ ଆମେ ଶିଳ୍ପୀମାନେ । ଅନ୍ୟ ଲୋକର ଦୃଷ୍ଟିରେ ତାହା ଏମିତି ଯଥାର୍ଥ ପ୍ରାଞ୍ଜଳ ଓ ଅର୍ଥମୟ ହୋଇ ଧରା ପଡ଼େନାହିଁ । ଛାଡ଼, ଯେଉଁ ଗପଟା କହିବାକୁ ବସିଥିଲି, ତାହା କହେ ।

 

ସେତେବେଳେ ମୁଁ ସହର ଠାରୁ ଦୂରରେ ଯେଉଁ ଅଞ୍ଚଳରେ ଗୋଟାଏ ଘର ଭଡ଼ା ନେଇଥିଲି, ସେଠାରେ ପ୍ରଶସ୍ତ ଶୂନ୍ୟ ସ୍ଥାନରେ ଏଣୁତେଣୁ ବଡ଼ ଗଛ ସବୁ ଉଠି ଗୋଟାଏ ଘରକୁ ଆଉ ଗୋଟାଏ ପାଖ ଘର ଠାରୁ ବିଚ୍ଛିନ୍ନ କରି ରଖିଥିଲା । ସେଠାରେ ମୁଁ ଗୋଟିଏ ବାଳକକୁ ବିଶେଷ ଭାବରେ ଲକ୍ଷ୍ୟ କରୁଥିଲି, କାରଣ ତାହାର ଉତ୍ସାହୀ ଚପଳ ମୁଖ ମୋତେ ତା ପ୍ରତି ଆକୃଷ୍ଟ କରୁଥିଲା । ଅନ୍ୟ ସବୁ ମୁଖ ଠାରୁ ସେହି ମୁଖଟା ଥିଲା ସମ୍ପୂର୍ଣ୍ଣ ଅଲଗା ଓ ଭିନ୍ନ ଧରଣର । ସେ ଅନେକ ଥର ମୋ ଛବିର ମଡ଼େଲ ଭାବରେ କାମ କରିଥିଲା, ତାକୁ ମୁଁ ବିଭିନ୍ନ ପୋଷାକରେ ସଜାଇଛି । କେତେବେଳେ ଜିପସୀମାନଙ୍କର ପୋଷାକ ପିନ୍ଧାଇଛି, କେତେବେଳେ ଦେବଦୂତର, କେତେବେଳେ ଅବା ପୌରାଣିକ କାହାଣୀର ସେହି କିଉପୀଡ଼ର ପୋଷାକ । ମୁଁ ତାକୁ ଆଙ୍କିଛି ବଂଶୀ ହାତରେ, କଣ୍ଟାର ମୁକୁଟ ମଥାରେ, କ୍ରୂଶର ତୀକ୍ଷଣ କଣ୍ଟା ଓ ପ୍ରେମର ବର୍ତ୍ତିକା ଧାରଣ କରି । ଅବଶେଷରେ ସେ ମୋତେ ଏପରି ଭାବରେ ମୁଗ୍ଧ କଲା ଯେ ମୁଁ ବାଧ୍ୟ ହୋଇ ତାହାର ଗରିବ ବାପ ମାଆଙ୍କ ପାଖରୁ ତାକୁ ନେଇ ଆସିଲି, ନିଜ ପାଖରେ ରଖି ମଣିଷ କରିବି ବୋଲି । ମୁଁ ତାହାର ବାପ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲି, ମୁଁ ତାକୁ ଭଲ ପୋଷାକ ପିନ୍ଧିବାକୁ ଦେବି, ହାତ–ଖରଚ ଦେବି, ଏବଂ କୌଣସି ଅସମ୍ମାନଜନକ କାମ କରାଇବି ନାହିଁ, କେବଳ ମୋର ତୂଳୀଗୁଡ଼ିକୁ ସଜାଡ଼ି ଧୋଇ ରଖିବା ବା ବେଳେ ବେଳେ ଏଣୁତେଣୁ କିଛି କାମ ଛଡ଼ା । ତାପରେ ସତକୁ ସତ, ସେ ମୋର ଜୀବନ ମଧୁର କରି ଦେଲା । ତାହାର ଉପସ୍ଥିତ ଏମିତି ମାୟାମୟ ଥିଲା ଯେ ତାକୁ ଦେଖିଲେ ସବୁବେଳେ ମନେ ହେଉଥିଲା, ସେ ଘରେ ରହିଥିବାରୁ ସେ ଯେମିତି ସ୍ଵର୍ଗ ସୁଖ ଲାଭ କରୁଛି–ତା ନିଜର ସେହି ଘୃଣ୍ୟ କଦର୍ଯ୍ୟ ଗର୍ତ୍ତ ଠାରୁ ଏହି ଘରେ ଯଥେଷ୍ଟ ବେଶି ସୁଖ । ମଝିରେ ମଝିରେ, ସତ କହିବାକୁ ଗଲେ, ସେ ମୋତେ ବିସ୍ମିତ କରି ଦେଉଥିଲା । ସେତେବେଳେ ଏକ ରହସ୍ୟମୟ ବିଷାଦ ତାକୁ ବେଷ୍ଟନ କରି ରଖୁଥିଲା, ଏବଂ ମଧୁର ଖାଦ୍ୟ ସାମଗ୍ରୀ ପ୍ରତି ଗୋଟାଏ ଲୋଭ ତାକୁ ଗ୍ରାସ କରୁଥିଲା । ଦିନେ ସେ ଏମିତି ହେଲା ଯେ, ମୋ କଥାକୁ କାନ ନ ଦେଇ ସେ ପୁଣି ଚୋରି କରିବାରୁ, ବାଧ୍ୟ ହୋଇ ମୁଁ ତାକୁ ତାହାର ବାପ ମାଆଙ୍କ ପାଖରେ ଛାଡ଼ି ଦେଇ ଆସିବି ବୋଲି ଭୟ ଦେଖାଇଲି । ଏମିତି ଭୟ ତାକୁ ଆଗରୁ ଅନେକ ଥର ଦେଖାଇଛି । ଏହା ପରେ ମୋତେ କିଛି ଦିନ ସକାଶେ ନିଜର ବ୍ୟବସାୟ ସଂକ୍ରାନ୍ତରେ ସହରର ବାହାରକୁ ଚାଲିଯିବାକୁ ପଡ଼ିଲା ।

 

କିନ୍ତୁ ଜାଣ, ଫେରି ଆସି ଦାଣ୍ଡ ଦୁଆରଟା ଖୋଲି ଦେଲା ମାତ୍ରେ ଯେଉଁ ବିଭତ୍ସ ଦୃଶ୍ୟ ଆଗ ମୋ ଆଖିରେ ପଡ଼ିଲା ତାହା ହେଉଛି ମୋର ସେହି ବାଳକ ଓ ଜୀବନର ଖେଳ ସାଥୀ ମଣିଷଟି ବଦ୍ଧ ଘରର ଛାତରେ ଝୁଲୁଛି । ତାହାର ପାଦ ଚଟାଣ ଠାରୁ ଅଳ୍ପ ଟିକିଏ ଉପରେ ରହିଛି । ଗୋଟାଏ ଚୌକି ଚଟାଣରେ ଓଲଟି ପଡ଼ିଛି, ବୋଧହୁଏ କାମ ସାରି ଦେଇ ସେ ଗୋଇଠା ମାରି ସେଟାକୁ ଘୁଞ୍ଚାଇ ଦେଇଥିଲା । ତାହାର ମଥାଟା ମୋଡ଼ି ହୋଇ ଗୋଟାଏ ପଟକୁ ଢଳି ପଡ଼ିଛି, ମୁହଁଟା ଫୁଲି ଯାଇଛି, ଆଖି ପତା ମେଲା ହୋଇ ରହିଛି । ତାହାର ଭୟାଳୁ ଦୃଷ୍ଟିରେ ଗୋଟାଏ ତୀବ୍ର ଏକାଗ୍ରତା ଯେମିତି ଜୀବନକୁ ଗୋଟାଏ ନୂତନ ମାୟାରେ ବାନ୍ଧିଛି । ତୁମେ ନିଶ୍ଚୟ ବୁଝି ପାରୁଥିବ ଯେ ତାକୁ ସେଠାରୁ ଖସାଇ ନେଇ ଆସିବା ଏଡ଼େ ସହଜ କାମ ନୁହେଁ । ଗୋଟିଏ ହାତରେ ମୁଁ ତାହାର ଝୁଲୁଥିବା ଶୀତଳ ଶରୀରଟା ଜାବୁଡ଼ି ଧରିଲି ଏବଂ ଆର ହାତରେ ଦଉଡ଼ିଟା କାଟିବାକୁ ଚେଷ୍ଟା କଲି । କିନ୍ତୁ ସେତିକିରେ ସବୁ କଥା ଛିଡ଼ିଗଲା ନାହିଁ । କ୍ଷୁଦ୍ର ହତଭାଗାଟା ଏତେ ସରୁ ଦଉଡ଼ିରେ ନିଜର ବେକଟା ବାନ୍ଧି ଦେଇଥିଲା ଯେ ଦଉଡ଼ିଟା ତା ବେକର ନରମ ମାଂସ କାଟି ବସି ଯାଇଥିଲା । ତେଣୁ, ତା ବେକରୁ ଦଉଡ଼ିଟା କାଟି ବାହାର କରିବା ଲାଗି, ମୋତେ ଗୋଟାଏ ନୂଆ ଛୋଟ କଇଁଚି ବ୍ୟବହାର କରିବାକୁ ପଡ଼ିଥିଲା ।

 

ତୁମକୁ ଅବଶ୍ୟ ମୁଁ କହିବାକୁ ଭୁଲି ଯାଇଛି ଯେ ଇତି ମଧ୍ୟରେ ମୋତେ ଟିକିଏ ସାହାଯ୍ୟ କରିବା ଲାଗି ମୁଁ ମୋର ପ୍ରତିବେଶୀମାନଙ୍କୁ ଡାକିଥିଲି । କିନ୍ତୁ ସେମାନେ ସମସ୍ତେ ଏ ବିଷୟରେ ମୋତେ ସାହାଯ୍ୟ କରିବାକୁ ମନା କରିଦେଲେ । ସୁତରାଂ ମୋର ଧାରଣା ହେଲା ଯେ ସଭ୍ୟ ମଣିଷମାନଙ୍କର ବୋଧହୁଏ ଦଉଡ଼ି ଦେଇଥିବା ଲୋକମାନଙ୍କ ସମ୍ବନ୍ଧରେ କୌଣସି ଦାୟିତ୍ଵ ବୋଧ ନ ଥାଏ । ଛାଡ଼, ଅବଶେଷରେ ଡାକ୍ତର ଆସିଲେ, ସେ ଜଣାଇଦେଲେ ଯେ ବାଳକଟି ମାତ୍ର କେତେ ଘଣ୍ଟା ଆଗରୁ ପ୍ରାଣ ହରାଇଛି । ପରେ, ତାକୁ କବର ଦେବା ଲାଗି ତାହାର ପୋଷାକ ଖୋଲିବା ସମୟରେ ମୁଁ ଜାଣି ପାରିଥିଲି, ତାହାର ଶରୀର ଏତେ ଶକ୍ତ ହୋଇଯାଇଥିଲା ଯେ ଜାମାପଟା ଖୋଲିବା ମୋ ପକ୍ଷରେ ପ୍ରାୟ ଅସମ୍ଭବ ହୋଇ ଯାଇଥିଲା । ଅବଶେଷରେ ତାହାର ଦେହରୁ ପୋଷାକପତ୍ର ସବୁ କାଟି କରି କାଢ଼ିବାକୁ ହୋଇଥିଲା ।

 

ତୁମେ ତ ବୁଝି ପାରୁଥିବ, ମୋତେ ପୋଲିସ ଇନସପେକ୍ଟରଙ୍କୁ ଦୁର୍ଘଟଣାର ଖବରଟା ଦେବାକୁ ପଡ଼ିଥିଲା । ପୋଲିସ ଇନସପେକ୍ଟରଙ୍କର ସରୁ ଆଖିରେ ମୋତେ ନିଠେଇ କରି ଦେଖି କହିଲେ; “ଏଥିରେ ଯେମିତି ଅନ୍ୟ ରକମ କିଛିଥିଲା ଭଳି ମାଲୁମ ହେଉଛି !” –ଯଦିଚ ମୁଁ ଜାଣେ ଯେ ସେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ପେଶାଦାରୀ ସ୍ଵଭାବର, ଦୋଷୀ ଓ ନିର୍ଦୋଷୀ ଦୁହିଁଙ୍କ ମନରେ ଭୟ ଜାତ କରାଇବା ଉଦ୍ଦେଶ୍ୟରେ ଏ କଥାଟି କହିଥିଲେ ।

 

ସେହି ଭୟଙ୍କର କାମଟା ସେତେବେଳେ ବାକି ଥିଲା, ଏବଂ ସେହି ବିଷୟ ଚିନ୍ତା କଲା ମାତ୍ରେ ମୁଁ ପ୍ରଚଣ୍ଡ ଯନ୍ତ୍ରଣା ଅନୁଭବ କରିଥିଲି । କାମଟା ଥିଲା ତାହାର ବାପା–ମାଆକୁ ଏହି ଖବରଟି ଦେବା । ଏହି କଥା ଭାବିଲା ମାତ୍ରେ ମୋର ସମସ୍ତ ଶରୀରଟା ଶୀତଳ ହୋଇ ଯାଉଥିଲା-। ଅବଶେଷରେ ମୁଁ ଯଥେଷ୍ଟ ସାହସ ସଞ୍ଚୟ କଲି କିନ୍ତୁ, ୟା ଭିତରେ ଅଶ୍ଚର୍ଯ୍ୟ କଥାଟା କଣ ଜାଣ-? ଖବରଟା ଶୁଣି ସାରିଲା ପରେ ବି ତାହାର ମାଆ ତିଳେ ମାତ୍ର ବିଚଳିତ ହେଲା ନାହିଁ । ତାହାର ଆଖିରେ ଠୋପାଏ ହେଲେ ଲୁହ ମୁଁ ଦେଖିବାକୁ ପାଇଲି ନାହିଁ । ମୋତେ ବୋଧ ହେଲା, ତାହାର ଏହି ଅଦ୍ଭୁତ ଆଚରଣ ବୋଧହୁଏ ପ୍ରଚଣ୍ଡତମ ଶୋକର ଏକ ନିଦାରୁଣ ଅଭିବ୍ୟକ୍ତି, କିମ୍ବା ସେହି ଯେଉଁ ପ୍ରଚଳିତ କଥାଟା ଅଛି: “ତୀବ୍ରତମ ଦୁଃଖ ମଣିଷକୁ ମୂକ କରିଦିଏ ।” କିନ୍ତୁ ତାହାର ବାପ, ଦୀର୍ଘ ନିଶ୍ଵାସ ଛାଡ଼ି, କୌଣସି ପ୍ରକାରେ କହିଲା: “ଏହା ବରଂ ଭଲ ହୋଇଛି, ନୋହିଲେ ଶେଷକୁ ବିଚରାକୁ ଆହୁରି କେତେ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାନ୍ତା ।”

 

ଇତି ମଧ୍ୟରେ ମୁଁ ବାଳକଟିକୁ ଶୋଫାରେ ଆଣି ଶୁଆଇ ଦେଇଥିଲି । ଜଣେ ଚାକରକୁ ସାଙ୍ଗରେ ନେଇ, ମୁଁ ତାକୁ କବର ଦେବାର ବ୍ୟବସ୍ଥା କରୁଥିଲି, ଠିକ୍ ଏତିକି ବେଳେ ତାହାର ମାଆ ଆସି ମୋ ଘରେ ହାଜର ହୋଇଗଲା । ତା ପୁଅର ଶବ ଦେଖିବ ବୋଲି ସେ ମୋତେ କହିଲା । ମୁଁ ସେହି ମର୍ମାନ୍ତିକ ଦୃଶ୍ୟଟି ଦେଖିବାରେ ତାକୁ ସତରେ ବାଧା ଦେଇ ପାରିଲି ନାହିଁ, କାରଣ ମୋର ମନେ ହୋଇଥିଲା ଯେ ସେହି ଦେଖାଟା ହିଁ ହୁଏତ ତାହାର ସବୁ ଠାରୁ ବଡ଼ ବିଷଣ୍ଣ ସାନ୍ତ୍ୱନା । ତାପରେ ହଠାତ୍ ତା ପୁଅର ମୃତ୍ୟୁର ଜାଗାଟା ଦେଖାଇଦେବା ପାଇଁ ସେ ମୋତେ କହିଲା ।

 

“ନା, ନା, ସେଟା ଭାରି ଭୟାନକ, ଆପଣ ଦେଖି ପାରିବେ ନାହିଁ । ଦେଖିଲେ ବିଚଳିତ ହୋଇଯିବେ,” ମୁଁ ଜବାବ ଦେଲି ।

 

ମୁଁ ଚିତ୍କାର କରି ତାକୁ ବାଧା ଦେବାକୁ ଚେଷ୍ଟା କଲି, ଏବଂ ମୋ କଥା ସାରିଦେଇ ଚକିତରେ ସେହି ଅଭିଶପ୍ତ ନିଭୃତ,–ପ୍ରକୋଷ୍ଠ ଆଡ଼କୁ ଟିକିଏ ଚାହିଁଦେଲି । ମୋର ନଜର ପଡ଼ିଲା କ୍ଷଣି, ମୁଁ ଆତଙ୍କିତ ହୋଇଗଲି । ବିରକ୍ତି ଓ କ୍ରୋଧରେ ଦେଖିଲି, ଛାତରେ ପିଟା ଯାଇଥିବା କଣ୍ଟାଟାରେ ତେବେ ସୁଦ୍ଧା ଦଉଡ଼ିଟା ଝୁଲୁଛି । ତତକ୍ଷଣାତ୍ ମୁଁ ସେଠାକୁ ଧାଇଁଗଲି ଆତ୍ମହତ୍ୟାର ସେହି ମର୍ମାନ୍ତିକ ଘଟଣାର ଶେଷ ଚିହ୍ନ ସ୍ଵରୁପ ଦଉଡ଼ିଟାକୁ କାଟି ପକାଇବା ପାଇଁ, ସେଟା ଖୋଲି ଆଣି ଝରକା ବାଟେ ବାହାରକୁ ଫିଙ୍ଗି ଦେବାକୁ ବସିଛି ଠିକ୍ ସେତିକି ବେଳେ, ସେହି ଅଭାଗିନୀଟି ମୋର ହାତ ଚାପି ଧରିଲା, ଏବଂ ଏକ ଅସ୍ୱାଭାବିକ ସ୍ୱରରେ କହି ପକାଇଲା:

 

“ଓଃ ! ମହାଶୟ, ସେଟା ମୋତେ ଦିଅନ୍ତୁ ! ମୋ ପ୍ରତି ଟିକିଏ ସଦୟ ହୁଅନ୍ତୁ ! ଆପଣଙ୍କୁ ନିବେଦନ କରୁଛି !”

 

ତାହାର କଥା ମୋ କାନରେ ପଡ଼ିଲା କ୍ଷଣି ମୋତେ ଜଣା ଗଲା, ବୋଧହୁଏ ସେ ପାଗଳ ହୋଇ ଯାଇଛି ଏବଂ ତାହାର ଅପତ୍ୟ ସ୍ନେହ ଏକ୍ଷଣି ତା ପୁଅର ମୃତ୍ୟୁର ଅସ୍ତ୍ର ଉପରେ ପଡ଼ିଛି । ତାହା ନ ହେଲେ ସେହି ଦଉଡ଼ିଟାକୁ ଗୋଟାଏ ଭୟଙ୍କର ଅମୂଲ୍ୟ ସ୍ମୃତି ଚିହ୍ନ ହିସାବରେ ରଖିବାକୁ ବା ସେ କାହିଁକି ଚାହାନ୍ତା । ସେ ମୋ ହାତରୁ ଦଉଡ଼ି ଖଣ୍ଡିକ ଓ କଣ୍ଟାଟା ପ୍ରାୟ ଛଡ଼ାଇ ନେଇଗଲା ।

 

ତା ପରେ, ଅବଶେଷରେ, ସବୁ ଶେଷ ହୋଇଗଲା ! ମୋର ଆଉ କିଛି କରିବାକୁ ରହିଲା ନାହିଁ । ମୁଁ ମନ ପ୍ରାଣ ଦେଇ ପୂର୍ବାପେକ୍ଷା ଅଧିକ ଜୋରରେ ମୋ କାମ ଭିତରେ ବୁଡ଼ିଗଲି, ଏବଂ ପ୍ରାଣ ପଣେ ଚେଷ୍ଟା କରିବାକୁ ଲାଗିଲି ସେହି ଛୋଟ ଶୀତଳ ଶରୀରଟିର ସ୍ମୃତି ମୋ ମନରୁ ପଶୋରି ଦେବା ପାଇଁ । ତାହାର ବିଶାଳ ଭୟଙ୍କର ଦୃଷ୍ଟିଟା ଯେମିତି ମୋତେ ସଦା ସର୍ବଦା ପୋଡ଼ି ଜାଳି ଦେବାକୁ ଲାଗିଲା । ଏହି ଘଟଣାର କିଛି ଦିନ ପରେ, ମୁଁ ଗୋଛାଏ ଚିଠି ପାଇଲି । କେତେକ ସେହି କୋଠାର ଅନ୍ୟ ଭଡ଼ାଟିଆମାନଙ୍କ ଠାରୁ ଏବଂ ଆଉ କେତେକ ନିକଟବର୍ତ୍ତୀ ପ୍ରତିବେଶୀମାନଙ୍କ ଠାରୁ ଖଣ୍ଡିଏ ଏକ ତଲାରୁ, ଖଣ୍ଡିଏ ଦିତାଲାରୁ, ଖଣ୍ଡିଏ ତେତାଲାରୁ, ଏହିପରି ଭାବରେ ପ୍ରାୟ ପ୍ରତି ଡାଲାରୁ ଚିଠି ଆସିଛି–କାହାର କାହାର ଲେଖାର ଭଙ୍ଗୀ ଟିକିଏ ବଙ୍କା, କେହି ବା ତୀକ୍ଷଣ ବିଦ୍ରୂପ କରିଛି, କାହାର ଚିଠି ଭୁଲ ବନାନରେ ପୂରିଛି; କିନ୍ତୁ ପ୍ରତି ଚିଠିରେ ସେମାନେ ଏକମାତ୍ର ଅନୁରୋଧ ଜଣାଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ମୋ ଠାରୁ ସେହି ଅଭିଶପ୍ତ ଦଉଡ଼ିଟା ମାଗି ପଠାଇଛନ୍ତି । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା କ'ଣ ଜାଣ ? ପତ୍ର–ଲେଖକମାନେ ସମସ୍ତେ ପ୍ରାୟ ମହିଳା, କିନ୍ତୁ ସେମାନଙ୍କ ଭିତରୁ କେହି ହେଲେ, କୌଣସି ମତେ, ଅତି ନିମ୍ନ ଓ ସାଧାରଣ ଶ୍ରେଣୀର ନ ଥିଲେ । ମୁଁ ସେହି ଚିଠିସବୁ ରଖି ଦେଇଛି । ଦେଖିବାକୁ ଚାହିଁଲେ ମୁଁ ତୁମକୁ ତାହା ଦେଖାଇପାରେ ।

 

ସେହି ଚିଠିଗୁଡ଼ିକ ହସ୍ତଗତ ହେଲାରୁ, ମୋ ଉପରେ ସହସା ଆଲୋକପାତ ହେଲା, ଏବଂ ମୁଁ ବୁଝି ପାରିଲି, କାହିଁକି ସେହି ଦଉଡ଼ିଟା ମୋ ଠାରୁ ନେବା ଲାଗି ବାଳକଟିର ମାଆ ସେ ଦିନ ଏତେ ବ୍ୟସ୍ତ ହୋଇ ପଡ଼ିଥିଲା ଏବଂ କେଉଁ ଉପାୟରେ ସାନ୍ତ୍ଵନା ପାଇବା ପାଇଁ ସେ ଦରାଣ୍ଡି ହେଉଥିଲା ।

 

–ଶାର୍ଲ ବୋଦୟଲୋର

☆☆☆

 

ବସୁଧା

–୧–

 

ଗୋଟିଏ ଛୋଟ କୁଡ଼ିଆ । ଜୀର୍ଣ୍ଣଶୀର୍ଣ୍ଣ ହେଲେ ସୁଦ୍ଧା ସୁଖଶାନ୍ତିରେ ପରିପୂର୍ଣ୍ଣ । ଗଭୀର ରାତି । ଚୁଲିରେ କୋଇଲା ଜଳୁଛି । ଛାତର କଳା ବରଗା ଦେହରେ ତାର ରଙ୍ଗୀନ ଆଭା ପଡ଼ିଛି I ଘର ଭିତରେ ଆବଛା ଆଲୁଅରେ ଜିନିଷପତ୍ରସବୁ ଅପ୍ପଷ୍ଟ ଦେଖା ଯାଉଛି । କାନ୍ଥରେ ଜାଲଗୁଡ଼ିକ ଟଙ୍ଗା ହୋଇଛି । ଘରର ଏକ କୋଣରେ ଗୋଟିଏ ସେଲ୍‍ଫରେ ବାସନକୁସନସବୁ ରଖା ଯାଇଛି, ସେଥିରୁ ଟୁଂ ଟାଂ ଆବାଜ ଆସୁଛି I ଗୋଟିଏ ଖୁବ୍ ବଡ଼ ବିଛଣା ଉପରେ ମଶାରି ଟଣା ହୋଇଛି । ତା ପାଖରେ କେତୋଟି ପୁରୁଣା ବେଞ୍ଚ ଉପରେ ମସିଣା ପଡ଼ିଛି I ତାରି ଉପରେ ଆରାମରେ କୁଣ୍ଢାକୁଣ୍ଢି ହୋଇ ଶୋଇ ରହିଛନ୍ତି ପାଞ୍ଚୋଟି ପୁଅଝିଅ, ଠିକ୍ ନୀଡ଼ରେ ପକ୍ଷୀ-ଶାବକ ପରି । ବଡ଼ ବିଛଣା କଡ଼ରେ ଝରକା ଆଡ଼କୁ ମଥା ରଖି ଆଣ୍ଠୁ ମାଡ଼ି ବସି ରହିଛି ଏମାନଙ୍କର ମାଆ । ଏକାକିନୀ ସେ । ବାହାରେ ନୀଳ ସାଗର କ୍ଷୁବ୍‍ଧ ଫେନିଳ ଗର୍ଜନରେ କୁଦି ପଡ଼ୁଛି, ଚିତ୍କାର କରୁଛି ଏବଂ ଅବିରାମ କ୍ରୁଦ୍ଧ ପ୍ରଳାପରେ ମେଦିନୀ ଫଟାଇ ଦେଉଛି । ଏହି ସାଗର ବକ୍ଷରେ ତାହାର ସ୍ଵାମୀ ରହିଛି ।

 

ଶୈଶବରୁ ସେ ଧୀବର । ତାହାର ଜୀବନକୁ ବିରାଟ ଜଳରାଶି ସହିତ ଦୈନନ୍ଦିନ ଯୁଦ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତି ଦିନ ଯୋଗାଡ଼ କରିବାକୁ ହେବ ଖାଦ୍ୟ, ଧରିବାକୁ ହେବ ମାଛ-। ଶୀତ ଗ୍ରୀଷ୍ମ ଝଡ଼-ଝଞ୍ଜା ବ୍ରଜପାତରେ କେବେହେଲେ ତାହାର କମାଇ ନାହିଁ । ନୌକାରେ ଚାରୋଟି ପାଲ ଟାଙ୍ଗି ଦେଇ ସାଗର ବକ୍ଷରେ ତାକୁ ଏକାକୀ ଖଟିବାକୁ ପଡ଼େ, ଆଉ ଏଣେ ତାହାର ସ୍ତ୍ରୀ କୁଡ଼ିଆଟିରେ ରାତିରେ ଉଜାଗର ରହି ପୁରୁଣା ପାଲରେ ଢାଳି ପକାଏ, ଜାଲ ରଫ କରେ, ବନିଶୀଗୁଡ଼ାକ ଗୋଟାଇ ରଖେ ଏବଂ ତହିଁ ସଙ୍ଗେ ସଙ୍ଗେ ରୋଷେଇ ଉପରେ ବି ନଜର ରଖେ । ପାଞ୍ଚୋଟି ଯାକ ପିଲା ଶୋଇ ପଡ଼ିଲେ ସେ ଆଣ୍ଠୁ ମାଡ଼ି ଭଗବାନଙ୍କୁ ପ୍ରାର୍ଥନା କରେ–ଝଡ଼ ବର୍ଷା ଓ ଅନ୍ଧାର ଭିତରେ ତାହାର ସ୍ଵାମୀ ଯେମିତି ବିଜୟୀ ହୋଇ ଫେରି ଆସୁ । ଅତ୍ୟନ୍ତ କଠିନ ଏହି ଧୀବର-ଜୀବନ !

 

ବହୁ ଦୂରରେ ଗୋଟିଏ ଛୋଟ ଜାଗାରେ ମାଛ ପଡ଼ିବାର କଥା–ଅତି ଛୋଟ ଜାଗାଟିଏ–ଏହି ଦିଗହଜା ବିପୁଳ ଜଳରାଶି ବକ୍ଷରେ ଗୋଟିଏ ଅସ୍ଥିର ଅସ୍ପଷ୍ଟ ବିନ୍ଦୁ ! ଅଥଚ ଶୀତର ଅନ୍ଧକାରରେ ଦୁର୍ଯୋଗ ରାତିରେ ଏହାକୁ ଖୋଜି ବାହାର କରିବାକୁ ପଡ଼ିବ, ଅବଶ୍ୟ ପାଲର ଜୋରରେ ଓ ଜଳର ମର୍ଜି ବୁଝିସୁଝି । ଚାରିଆଡ଼େ ଗଡ଼ି ଗଡ଼ି ଧାଇଁ ଚାଲିଛି ଢେଉ ପରେ ଢେଉ, ହଲି ଦୋହଲି ଚାଲିଛି କମ୍ପମାନ ଅନ୍ଧକାରରେ–ଠିକ୍ ମରକତ-ମଣି-ଧାରୀ ବିରାଟ ସାପ ଭଳି ! ଟାଣି ହେଉଥିବା ପାଲ ଓ ଦଉଡ଼ି ବାରମ୍ଵାର ଗଁ ଗଁ ଚିତ୍କାର କରୁଛନ୍ତି । ଏଠାରେ, ଏହି ତୁହିନ ଜଳରାଶି ବକ୍ଷରେ ବସି ସେ ଭାବୁଥାଏ ନିଜର ସ୍ତ୍ରୀ ଜେନିର କଥା । ଏଣେ କୁଡ଼ିଆଟିର ଝରକାରେ ଅଶ୍ରୁ-ସଜଳ...ନୟନରେ ଚାହିଁ ରହି ଜେନି ଭାବୁଥାଏ ନିଜ ସ୍ୱାମୀର କଥା !

 

ନାନା କଥା ଭାବି ଭାବି ଶେଷରେ ସେ ଭଗବାନଙ୍କ ନିକଟରେ ଆକୁଳ ପ୍ରାର୍ଥନା କରେ-। ସମୁଦ୍ର–ଚିଲର ବିଦ୍ରୂପାତ୍ମକ କର୍କଶ ଚିତ୍କାରରେ ସେ ବ୍ୟଥିତ ହୋଇଯାଏ, ଏବଂ ତୀର-ଶୈଳର ଅଙ୍ଗରେ ତରଙ୍ଗାଘାତର ଗର୍ଜନରେ ତାହାର ବକ୍ଷ କମ୍ପିତ ହୁଏ । ଠିକ୍ ସେତିକି ବେଳେ ତା ମନ ଭିତରେ କେତେ ରକମ ଚିନ୍ତା ଖେଳି ଯାଏ–ଦାରିଦ୍ର୍ୟର କ୍ଳାନ୍ତକ୍ଳିଷ୍ଟ ଭାବନା । କି ଶୀତ କି ଖରାରେ, କେବେ ହେଲେ ତା ପୁଅଝିଅଙ୍କ ଗୋଡ଼କୁ ଜୋତା ଯାଏ ନାହିଁ, ଜୀବନରେ ସେମାନେ କେବେ ପାଉଁରୁଟି ଆଖିରେ ବି ଦେଖି ନାହାନ୍ତି–ଖାଲି ମଇଦା, ଆଉ ମଇଦା ! ହେ ଭଗବାନ ! ହେଇ ଯେ ପବନରେ ସଁ । ସଁ । ଶବ୍ଦ ଶୁଭୁଛି, ସମୁଦ୍ର ବି ହାତୁଡ଼ିର ହିଂସ୍ର ଆଘାତ ପରି ପ୍ରତିଧ୍ୱନି କରୁଛି ! ସେ ଥରିବାକୁ ଲାଗେ, ତାହାର ସର୍ବାଙ୍ଗ କମ୍ପୁଥାଏ । ହାୟରେ ହତଭାଗିନୀସବୁ, ସ୍ୱାମୀ ଯାହାଙ୍କର ଦୂର ସମୁଦ୍ରରେ ! “ଆମର ବାପ-ମା, ଭାଇ-ଭଉଣୀ ସମସ୍ତେ ରହିଛନ୍ତି କ୍ରୁଦ୍ଧ ସାଗର ମୁଖରେ !” କଥାଟା ଶୁଣିଲା ମାତ୍ରେ ଅନ୍ତରରେ ତାହାର ଭୟ ଜାତ ହୁଏ । ଜେନି, ବିଚରା ଜେନି ! ସ୍ୱାମୀ ତାହାର ଏକା, ଏହି ଦୁର୍ଯ୍ୟୋଗ ରାତିରେ କେହି ନାହିଁ ତା ପାଖରେ ! ପିଲାମାନେ ଏକ୍ଷଣି ଖୁବ ସାନ ! ହାୟରେ ହତଭାଗିନୀ ମାଆ ! ସେ ମନେ ମନେ କହୁଛି–‘‘ସେମାନେ ବଡ଼ ହୋଇଥିଲେ ଆଜି ମୋର ସ୍ୱାମୀକୁ ସାହାଯ୍ୟ କରିପାରି ଥାଆନ୍ତେ !” କି ଯେ ପାଗଳା କଥା ! ତା ପରେ ଦିନେ ଯେତେବେଳେ ସେହି ପୁଅମାନେ ଝଡ଼ର ସାଗର ଭିତରକୁ ତାଙ୍କ ବାପାଙ୍କ ସାଙ୍ଗରେ ଚାଲିଯିବେ, ସେତେବେଳେ ଏହି ମାଆଟି ପୁଣି ଛଳଛଳ ଆଖିରେ କହିବାକୁ ଲାଗିବ–‘‘ଆଜି ଯଦି ସେମାନେ ସେହି ସାନ ସାନ ପିଲା ହୋଇ ରହି ଥାଆନ୍ତେ !”

 

–୨–

 

ଜେନି ଦେହରେ ଖଣ୍ଡିଏ ଜାମା ବେଢ଼ାଇ ବତିଟିଏ ଧରି ବାହାରିଲା । ଗଲାବେଳେ ସେ ନିଜର ମନେ ମନେ କହୁଥିଲା–“ଏକ୍ଷଣି ତ ତାହାର ଫେରି ଆସିବାର ବେଳ । ଯାଏଁ, ଥରେ ଦେଖେଁ, ସମୁଦ୍ର ଶାନ୍ତ ହୋଇଛି କି ନା, ମାସ୍ତୁଲର ଅଗରେ ଜଳନ୍ତା ଆଲୁଅର ଚିହ୍ନ ଦେଖା ଯାଉଛି କି ନା !” ସେ ପଦାକୁ ଚାଲି ଆସିଲା । ତାହାର ଦୃଷ୍ଟିରେ କିଛି ପଡ଼ିଲା ନାହିଁ, ଖାଲି ଦିଗନ୍ତରେ ଦେଖା ଯାଉଥିଲା ଗୋଟାଏ ଝଲମଲ ଆଲୁଅର ରେଖା । ବର୍ଷା ହେଉଥିଲା–ମେଘୁଆ ରାତିରେ ଅନ୍ଧକାରାଚ୍ଛନ୍ନ ତୁଷାରପାତ । କୌଣସି ଘରର ଝରକାରେ କାଣିଚାଏ ହେଲେ ଆଲୁଅ ଦିଶୁ ନ ଥିଲା-

 

ଚାରିଆଡ଼େ ଖୋଜି ଖୋଜି ହଠାତ୍ ତାହାର ଆଖିରେ ପଡ଼ିଗଲା ଗୋଟାଏ ଭାଙ୍ଗି-ପଡ଼ିଥିବା କୁଡ଼ିଆ । ଆଲୁଅ ନାହିଁ, ନିଆଁର ଚିହ୍ନ ବର୍ଣ୍ଣ ନାହିଁ ! ପବନରେ ଦୁଆରର କବାଟ ଧଡ଼ଧଡ଼ ହେଉଛି, ଉଇଖିଆ ଚାଳ ପ୍ରାୟ ଭାଙ୍ଗି ପଡ଼ିବା ଉପରେ, ଠାଏ ଠାଏ ପଚା ନଡ଼ା ଖସିଯାଇ ପବନରେ ବାରମ୍ବାର ଉଠପଡ଼ ହେଉଛି ।

 

“ଏହି ଗରିବ ବିଧବାଟିର ଟିକିଏ ଖବର ବୁଝିବା ନିତାନ୍ତ ଦରକାର । ସେ ରୋଗରେ ପଡ଼ିଛି, ତାକୁ ସବୁ ଦିନ ମୋର ସ୍ୱାମୀ ଦେଖି ଆସିଛନ୍ତି । ଆଜି ସେ କେମିତି ଅଛି, ଟିକିଏ ବୁଝିଲେ ଭଲ ହୁଅନ୍ତା !”

 

ଦୁଆରରେ ଧକ୍‍କା ଦେଇ ସେ କାନ ପାତି ଠିଆ ହେଲା । କୌଣସି ସୋର ଶବ୍ଦ ନାହିଁ-। ସମୁଦ୍ରର ହେମାଳ ପବନରେ ଜେନିର ଦେହ କମ୍ପୁଥିଲା ।

 

“ବିଛଣାରେ ପଡ଼ିଛି ! ହାୟରେ ଅଭାଗିନୀ, ତାହାର ପିଲାମାନେ କଣ କରୁଥିବେ ! ଦୁଇଟି ପିଲା ! କେଡ଼େ ଗରିବ । ଘରେ ବି କୌଣସି ପୁରୁଷ ଲୋକ ନାହିଁ ।”

 

ସେ ପୁଣି ପାଟି କରି ଡାକିଲା–“ଶୁଭୁ ନାହିଁ କି, ଅପା ?”

 

ଚାରିଆଡ଼େ ନିସ୍ତବ୍ଧ, ନୀରବ ।

 

“ହାୟରେ ଭଗବାନ ! କି ନିଦ ୟାର ! ତାକୁ ଉଠାଇବା ଯେ ଗୋଟାଏ ବଡ଼ ସମସ୍ୟା-।”

 

ଦୁଆରଟା ହଠାତ୍ ଆପେ ଆପେ ଖୋଲିଗଲା । ସେ ଭିତରକୁ ପଶିଗଲା । ଘରର ନିଃଶବ୍ଦ ଅନ୍ଧକାର ହାତର ଲଣ୍ଠନରେ ଆଲୋକିତ ହୋଇଗଲା । ଚାଲୁଣି ପରି ଛାତରୁ ଅବିରାମ ପାଣି ଗଳୁଥିଲା । ଘରର ଗୋଟାଏ କୋଣରେ କଣ ଗୋଟାଏ ପଡ଼ିଥିଲା । ହଁ, ଜଣେ ସ୍ତ୍ରୀ ଲୋକ ମୋଡ଼ି ମାଡ଼ି ହୋଇ ଶୋଇ ରହିଥିଲା । ଖାଲି ପାଦ, ଆଖି ଦୃଷ୍ଟି ହୀନ ! ଦୁଇଟି ରକ୍ତହୀନ ଶୀତଳ ହାତ ବିଛଣା ଉପରେ ନିର୍ଜୀବ ଭାବରେ ପଡ଼ି ରହିଥିଲା । ଏଁ, ସେ ମରି ଯାଇଛି ! ଦିନେ ତ ସେ ଥିଲା ସୁଖୀ ମାଆ, ତାହାର ଶରୀରରେ ଥିଲା ଅତୁଳନୀୟ ରୂପ । ଆଜି ଜୀବନ-ଯୁଦ୍ଧର ଅବସନ ପରେ ଖାଲି ପଡ଼ି ରହିଛି ତାହାର କରୁଣ କଙ୍କାଳଟା !

 

ବିଛଣା ପାଖରେ ଦୁଇଟି ଶିଶୁ–ଗୋଟିଏ ପୁଅ, ଆଉ ଆରଟି ଝିଅ । ଝୁଲଣାରେ ଶୋଇଛନ୍ତି ସେମାନେ, ସ୍ୱପ୍ନରେ ହସୁଛନ୍ତି ଏବଂ ଖେଳୁଛନ୍ତି । ଆଉ ସମୟ ନାହିଁ ଜାଣି ପାରି ସେମାନଙ୍କର ମାଆ ନିଜ ଦେହରୁ ଜାମାଟା କାଢ଼ି ସେମାନଙ୍କ ଗୋଡ଼ ଉପରେ ଢାଙ୍କି ଦେଇଛି । ସେମାନେ ଟିକିଏ ଗରମ ପାଆନ୍ତୁ, ନିଜେ ତ ତାହାର ଦେହ ହେମାଳ ହୋଇ ଯାଇଛି, ମରଣ ଆଡ଼କୁ ସେ ଆଗେଇ ଯାଉଛି ।

 

ଜୀର୍ଣ୍ଣ ପୁରୁଣା ଝୁଲଣାରେ ସେମାନେ ଶୋଇ ପଡ଼ିଛନ୍ତି । କି ଗଭୀର ନିଦ୍ରା ! ଏକା ସାଙ୍ଗରେ ଦୁହେଁ କି ସୁନ୍ଦର ନିଶ୍ୱାସ ନେଉଛନ୍ତି ! କି ଶାନ୍ତ ଛୋଟ ଛୋଟ ମୁଖ ଦୁଇଟି ! ପିତାମାତାହୀନ ଏହି ଶିଶୁ ଦୁଇଟିର ନିଦ ଯେମିତି କୌଣସି ମତେ ଆଉ ଭାଙ୍ଗିବ ନାହିଁ ! ବାହାରେ ପ୍ରଚଣ୍ଡ ବର୍ଷା ହେଉଛି, ସମୁଦ୍ରରୁ ସର୍ବନାଶୀ ଇଙ୍ଗିତ ପରି ଆବାଜ ଆସୁଛି । ଭଙ୍ଗା ଛାତ ବାଟେ ଝରଝର ହୋଇ ପାଣି ଗଳୁଛି । ସେହି କଣା ବାଟେ ଠୋପାଏ ପାଣି ଆସି ମଲା ମାଆର ଆଖି ଉପରେ ପଡ଼ିଲା, ଯେମିତି ଠୋପାଏ ଲୁହ ପରି ଗଡ଼ି ଯିବାକୁ ଲାଗିଲା ।

 

–୩–

 

ସେହି ଘର ଭିତରେ କଣ କରୁଛି ଜେନି ? କି ଧନ ସେ ଲୁଚାଇ ନେଉଛି ତା ଜାମା ଭିତରେ ! ଏମିତି ଭାବରେ କମ୍ପୁଛି କାହିଁକି ତାହାର ଛାତି ? ଏମିତି ଅସ୍ଥିର ପଦରେ ସେ କାହିଁକି ଧାଇଁ ଯାଉଛି ନିଜର ଘର ଆଡ଼କୁ, ପଛକୁ ଟିକିଏ ଫେରି ଚାହିଁବାକୁ ବି ତାହାର ସାହସ ନାହିଁ ? ମଶାରି ଆଢ଼ୁଆଳରେ ନିଜର ବିଛଣା ଭିତରେ ସେ କଣ ଲୁଚାଇ ରଖିଲା ? କଣ ସେ ଚୋରି କରିଛି ?

 

ସେ ଘରକୁ ଫେରି ଆସିଛି । ପାହାଡ଼ର ଚୂଡ଼ାରେ ଆଲୁଅ ଦିଶିଲା । ଘରକୁ ପଶି ଆସି ସେ ବିଛଣା କତିରେ ମୋଡ଼ାଟି ଉପରେ ବସି ପଡ଼ିଲା । ତାହାର ମୁଖଟି ବିବର୍ଣ୍ଣ, ଯେମିତି ସେ ଅନୁଶୋଚନାରେ ପ୍ରପୀଡ଼ିତ ! ତକିଆ ଉପରେ ତାହାର ମଥାଟି ଝୁଲି ପଡ଼ିଛି । ମଝିରେ ମଝିରେ ସେ ନିଜ ମନେ ମନେ ଭଙ୍ଗା ଭଙ୍ଗା ସ୍ୱରରେ କଣ କହି ଯାଉଛି । ଆଉ ତେଣେ ବାହାରେ ହିଂସ୍ର ସମୁଦ୍ର ଭୟଙ୍କର ଚିତ୍କାର କରୁଛି ।

 

“ହତଭାଗା ସ୍ୱାମୀ ମୋର ! ହାୟ ଭଗବାନ, ଫେରିଲେ ସେ କଣ କହିବ ? ଆଗରୁ ତ କେତେ ବିପଦ ମୁଁ ପାର ହୋଇ ଆସିଛି । ଆଜି ଏ କଣ କଲି ମୁଁ ? ନିଜର ପାଞ୍ଚୋଟି ସନ୍ତାନର ଦାୟିତ୍ୱ ରହିଛି ମୋର କାନ୍ଧ ଉପରେ । ଏମାନଙ୍କ ବାପର ହାଡ଼ଭଙ୍ଗା ମେହେନତ କଥା କଣ କହିବି-! ତା ଉପରେ ଆଣି ପକାଇଲି ନୂଆ ଦାୟିତ୍ୱ ଏତେ ଦିନ ହେଲା ମୋର ସଂସାରରେ ଚାଲିଛି ଦୁର୍ଦ୍ଦଶା ! କିନ୍ତୁ ମୋର ସ୍ୱାମୀ, ସେ ବା କିପରି ଲୋକ ? ନା, ନା, ମୁଁ ଅନ୍ୟାୟ କରିଛି, ସେ ଫେରିଲେ ନିଶ୍ଚୟ ମୋତେ ବକିବ, ମୋତେ ମରିବ । କିନ୍ତୁ ସେ କଣ ସେମିତିକା ଲୋକ-? ନା, ନା ହେଇତ, ଦୁଆରଟା ହଲିଲା, ସେ ଆସିଲା ? ହାୟରେ, ତାହାର ଆସିବାରେ ମୋର ବା କାହିଁକି ଭୟ ହେଉଛି ?”

 

ଗଭୀର ଚିନ୍ତାରେ ସେ ବୁଡ଼ି ରହିଲା । ତାହାର ସର୍ବାଙ୍ଗ ଶୀତରେ ଥରୁଥିଲା । ବାହାରେ ବିଚିତ୍ର ଶବ୍ଦ ! ଚିତ୍କାର କରି ଉଡ଼ି ଯାଉଛି ସମୁଦ୍ର ଚିଲ, ତହିଁ ସଙ୍ଗେ ସଙ୍ଗେ ସମୁଦ୍ରର ଗର୍ଜନ ।

 

ଏତିକି ବେଳେ ଦୁଆରଟା ମେଲା ହୋଇଗଲା, ଘର ଭିତରକୁ ପଶି ଆସିଲା ସଫା ଆଲୁଅ । ଧୀବର ଆସି ଦୁଆର ମୁଁହରେ ଛିଡ଼ା ହୋଇଛି, ଜାଲରୁ ଥପ ଥପ ହୋଇ ପାଣି ନିଗିଡ଼ି ପଡ଼ୁଛି ଆନନ୍ଦରେ ସେ ହସି ହସି ଡାକିଲା–‘‘ଏହି ଯେ ଫେରି ଆସିଲା ତୁମର ଜାଲିଆ ।”

 

“ତୁମେ ।” ଜେନି ବି ଖୁସି ହେଲା । ଠିକ୍ ନୂତନ ପ୍ରଣୟିନୀ ପରି ସ୍ୱାମୀକୁ କୁଣ୍ଢାଇ ପକାଇ ତାହାର ମୁଖଟି ସ୍ୱାମୀର ଚଉଡ଼ ଛାତିରେ ଲୁଚାଇ ଦେଲା ।

 

“ହଁ, ହଁ, ମୁଁ, ତୁମରି ।” –ଆଲୁଅରେ ସ୍ପଷ୍ଟ ଭାବରେ ଫୁଟି ଉଠିଲା ତାହାର ସୁଖ-ତୃପ୍ତ ମୁଖଟି । ଜେନିର ଏତେ ଦିନର ପ୍ରିୟ ମୁଖ-କମଳଟି ।

 

“ଆଜି କିଛି ହେଲା ନାହିଁ ।”

 

“ସମୁଦ୍ରର ଅବସ୍ଥା କିପରି ଥିଲା ?

 

“ଭୟଙ୍କର ।”

 

“ମାଛ ?”

 

“ରଖ, ରଖ, ସେ କଥା ଆଉ ଭାବ ନାହିଁ । ତୁମକୁ ଯେ ମୋ ଛାତି ଉପରେ ଗୁଣି ପାଇ ପାରିଛି, ସେତିକି ମୋ ପକ୍ଷରେ ଯଥେଷ୍ଟ, ସେଥିରେ ମୁଁ ଖୁବ୍ ଖୁସି । ଆଜି କିଛି ପାଇଲି ନାହିଁ, ଜେନି ଜାଲଟା ଛିଡ଼ିବା ସାର ହେଲା ଖାଲି । ପବନରେ ଥିଲା ଆଜି ସଇତାନର କାରସାଦି । ଝଡ଼ର ମୁଁହରେ ଥରେ ମୋର ମନେହେଲା, ଡଙ୍ଗାଟା ବୋଧହୁଏ ଓଲଟି ପଡ଼ିଲା, ଦଉଡ଼ି ଛିଡ଼ିଗଲା ! ହଁ, ତୁମେ ଏତେ ବେଳ ଯାଏ କଣ କରୁଥିଲ ?”

 

ଅନ୍ଧାରରେ ବି ଜେନିର ଦେହରେ ଶିହରଣ ଖେଳିଗଲା । “ମୁଁ ?”–ବିବ୍ରତ ହୋଇ ତା ପାଟିରୁ ବାହାରିଲା–“କଣ ଆଉ କରିବି ? ନିତି ଯାହା କରେ–ସିଲାଇ କରୁଥିଲି, ସାଗରର ଗର୍ଜନ ଶୁଣୁଥିଲି । ମୋତେ ଯେଉଁ ଡର ମାଡ଼ୁଥିଲା ।”

 

“ହଁ, ଶୀତ ସମୟଟା ଭଲ ନୁହେଁ । ଛାଡ଼, ତୁମେ ଏକ୍ଷଣି ଆଉ ଚିନ୍ତା କର ନାହିଁ ।”

 

ବର୍ତ୍ତମାନ ଅବସ୍ଥାଟା ଏପରି ହେଲା ଯେ ଗୋଟାଏ କିଛି ମାରାତ୍ମକ କାର୍ଯ୍ୟ ଯେମିତି ଜେନି କରିବାକୁ ଯାଉଛି ଥରି ଥରି ସେ କହିଗଲା;–“ଜାଣ, ଆମର ପଡ଼ିଶାଟି ମରିଗଲା ! ବୋଧହୁଏ ରାତିରେ ମରିଛି, ତୁମେ ଦେଖି ଆସିବା ପରେ, ସାନ ସାନ ପିଲା ଦୁଇଟି ଛାଡ଼ି ଦେଇ ଯାଇଛି । ପୁଅଟି ଏବେ ଠିଆ ହେବାକୁ ଶିଖିଛି, ଆଉ ଝିଅଟି ଗୋଟେ ଦୁଇଟା କଥା କହି ପାରୁଛି ! ହତଭାଗିନୀ ମାଆଟା କି ଦୁର୍ଦ୍ଦିନରେ ପଡ଼ିଥିଲା !”

 

ଧୀବରର ମୁଖ ସ୍ଥିର ଗମ୍ଭୀର !

 

ଟୋପିଟା କାଢ଼ି ଗୋଟେ କୋଣକୁ ଫୋପାଡ଼ି ଦେଇ ମଥା କୁଣ୍ଡାଉ କୁଣ୍ଡାଉ ସେ କହିଲା–“ହାୟ ଭଗବାନ ! ନିଜର ତ ପାଞ୍ଚୋଟି ଅଛନ୍ତି, ୟାଙ୍କୁ ମିଶାଇଲେ ହେଲା ସାତ ! ଏହି ଦୁର୍ଦ୍ଦିନରେ ନିଜର ପେଟକୁ ତ ଦୁଇ ଓଳି ମୁଠାଏ ଅନ୍ନ ଜୁଟୁ ନାହିଁ । ଆଉ ଏକ୍ଷଣି ଉପାୟ ? କିନ୍ତୁ ମୁଁ ତ କୌଣସି ଅପରାଧ କରି ନାହିଁ । ଭଗବାନ ତ ସବୁ ଦେଖୁଛନ୍ତି, ସବୁ କରୁଛନ୍ତି । ମୋ ପରି ଇତର ଲୋକ ପକ୍ଷରେ ଏହିପରି ଦୁର୍ବୋଧ୍ୟ କଥା ସବୁ ବିଚାର କରି ଦେଖିବା ବଡ଼ କଠିନ । ଏହି ଶିଶୁଙ୍କ ଠାରୁ କାହିଁକି ଭଗବାନ ତାଙ୍କର ମାଆକୁ କାଢ଼ି ନେଲେ ? ଏ ଗହନ କଥା ବୁଝିବା ମଣିଷ ପକ୍ଷରେ ସତରେ ଅତିଶୟ କଠିନ । ଏମିତି ସର୍ବଜ୍ଞ ପଣ୍ଡିତ ବା ଦୁନିଆରେ କାହାନ୍ତି ? ଆହା, କି କଅଁଳ ସାନ ପିଲା ଦୁଇଟି ! ଶୁଣ ଜେନି, ଏକ୍ଷଣି ଯାଇ ସେମାନଙ୍କୁ ଏଠାକୁ ନେଇ ଆସ । ନିଦ ଭାଙ୍ଗିଲେ ସେମାନେ ନିଜର ମଲା ମାଆକୁ ଦେଖି ନିଶ୍ଚୟ ଡରିବେ । ଆମ ପିଲାଙ୍କ ସହିତ ସେମାନେ ବଡ଼ ହେବେ । ଆମ କେତୋଟିଙ୍କ ପକ୍ଷରେ ସେମାନେ ହେବେ ଦୁଇଟି ନୂଆ ଭାଇଭଉଣୀ ।

 

ଭଗବାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ଆମକୁ ଏମାନଙ୍କର ଭାର ନେବାକୁ ହେବ–ସେ ନିଜେ ଏଣିକି ବେଶୀ ବେଶୀ ମାଛ ଦେବେ । ଆଉ ମୋ କଥା କହୁଛ ? ଖାଲି ପାଣି ଟୋପାଏ ପିଇବାକୁ ପାଇଲେ ମୁଁ ଢେର୍ ଖୁସି ହେବି । ଏଥର ମୁଁ ଦୁଇ ଗୁଣ ମେହେନତ କରିବି । ଯାଅ, ତୁମେ ଶୀଘ୍ର ସେମାନଙ୍କୁ ନେଇଆସ । ବାଃ, ତୁମର ପୁଣି ଏ କଣ ହେଲା ? ଏଇଥି ପାଇଁ କଣ ତୁମେ ବିରକ୍ତ ହେଲ ? ମୋ କଥା ଅନୁସାରେ କାମ କରିବାକୁ ତ ତୁମେ କେବେ ହେଲେ ଦ୍ଵିଧା କର ନାହିଁ, ଆଜି ତୁମର କଣ ହେଲା ?”

 

ଜେନି ମଶାରିଟା ଟେକି ଦେଇ କହିଲା–‘‘ହେଇ ପରା ସେ ପିଲା ଦୁଇଟି ।”

 

–ଭିକ୍ଟର ହୁଗୋ

☆☆☆

 

ଶୈଶବ

 

ଭୋର ହେଲା କ୍ଷଣି ତାହାର ନିଦ ଭାଙ୍ଗିଗଲା । ସେ ଖିଲି ଖିଲି କରି ହସି ପକାଇଲା । ତା ବାପାଙ୍କ ଡରରେ ସେ ପୁଣି ଚୁପ୍ ହୋଇଗଲା । ସକାଳର ସୂର୍ଯ୍ୟ କିରଣ ଅଙ୍କା ବଙ୍କା ହୋଇ ପଡ଼ିଛି–ଝରକା କତିରେ । ଦେଖିବାକୁ ଖୁବ୍ ଭଲ ଲାଗେ ।

 

ଖୁବ୍ ଭୋର ବେଳେ ଦିନେ ବାହାରେ କୁକୁର ଓ ବିରାଡ଼ି କଜିଆ ଲାଗିଥିଲେ । ଜନ୍ ବିଛଣାରୁ ଉଠି ପଡ଼ିଲା, ଖାଲି ଗୋଡ଼ରେ ଚାଲିଲା, କିନ୍ତୁ ଦୁଆର ବନ୍ଦ । କିଛି ପରବ ଏ ନାହିଁ ! ଚୌକି ଉପରେ ଚଢ଼ି ଝଞ୍ଜିର ଖୋଲିବା କଷ୍ଟ ନୁହେଁ । କିନ୍ତୁ ସବୁ ଭଣ୍ଡୁର ହୋଇଗଲା, ସେ ଚୌକିରୁ ପଡ଼ିଗଲା । ମନେ ପଡ଼େ, ସେହି ଦିନ ବି ତାକୁ ବେତ ମାଡ଼ ଖାଇବାକୁ ହୋଇଥିଲା । ଆଜିକାଲି ପ୍ରାୟ ତାକୁ ମାଡ଼ ଖାଇବାକୁ ପଡ଼େ ।

 

ବୁଢ଼ା ବାପାଙ୍କ ସହିତ ସେ ଗୀର୍ଜା ଯିବାକୁ ଶିଖିଲା । ସେ ଯାଏ, କିନ୍ତୁ କିଛି ବୁଝି ପାରେ ନାହିଁ । ତାକୁ ଖାଲି ଟିକିଏ ବିରକ୍ତ ଲାଗେ । ଏଠାରେ ସେଠାରେ ଲୋକ ଯିବା ଆସିବା କରନ୍ତି, ସେମାନଙ୍କ କଥାବାର୍ତ୍ତା ଓ ଆଖିର ଚାହାଣି ଜନ୍ ଆଦୌ କିଛି ବୁଝି ପାରେ ନାହିଁ । ଏପରିକି ବୁଢ଼ା ବାପାଙ୍କ ମୁହଁ କିଛି କ୍ଷଣ ପାଇଁ ସେ ପାଶୋରି ଦିଏ । ସେମାନଙ୍କର ପ୍ରତିବେଶୀ ବୁଢ଼ୀ ଲେନାକୁ ବି ଚିହ୍ନି ହୁଏ ନାହିଁ । ସେ ବାହାରକୁ ଅନାଏ, ଉଡ଼ନ୍ତା ଚଢ଼େଇ ଦେଖେ କିମ୍ବା ବେତ ଚୌକିରେ ଗୋଟେ ଦୁଇଟା କଣା କରିବା ପାଇଁ ଫିକର ପାଞ୍ଚେ, ଆଉ ବୁଢ଼ା ବାପାଙ୍କ ଢିଲା ଜାମାକୁ ଧରି ଟାଣେ ।

 

ହଠାତ୍ ଏ କଣ ? କାହାର ଶବ୍ଦ ? ଅର୍ଗାନର ଆବାଜ ! ବାଜଣା ତାକୁ ଭାରି ଭଲ ଲାଗେ । ବୁଝି ନ ହେଉ ପଛକେ, ତଥାପି କେତେ ଭଲ । ସବୁ ବିରକ୍ତି ଧୋଇ ପୋଛି ହୋଇଯାଏ । ଉଡ଼ନ୍ତା ଚଢ଼େଇ ଯେମିତି ଆକାଶ ମଝିରେ ହଠାତ୍ ଡେଣା ମେଲିଦେଇ ନିଶ୍ଚଳ ହୋଇଯାଏ, ଠିକ୍ ସେହି ଭଳି ନିସ୍ତବଧ ହୋଇଯାଏ ଜନ୍ । ମୁହୂର୍ତ୍ତକ ଭିତରେ ତାହାର ମନେ ହୁଏ, ସେ ଖାଲି ସୁଖୀ ନୁହେଁ, ସ୍ୱାଧୀନ ମଧ୍ୟ । ତା ଆଖିକୁ ନିଦ ଆସିଯାଏ ।

 

ଅଥଚ ତାହାରି ବୁଢ଼ା ବାପା କିନ୍ତୁ ତା ଉପରେ ରାଗି ଯାଆନ୍ତି ।

 

ଘରେ ରହି ବି ତାହାର କେତେ କ’ଣ ମନେ ହୁଏ । ଘରର ଚଟାଣଟା ହେଉଛି ନଦୀ–ପଡ଼ିଥିବା କାର୍ପେଟ ଖଣ୍ଡିକ ନୌକା । ଯେମିତି ଟଳମଳ ହେଉଛି, ବୁଡ଼ିଯିବ ନା କ’ଣ ? ତା ମାଆକୁ ଦେଖି କହେ–ଆସ୍ତେ ପାର ହୋଇଯାଅ ମା, ପାଣିରେ ବୁଡ଼ି ଯାଅ ନାହିଁ । ଚଟାଣରେ ଲାଲ ଟାଇଲ ପକା ଯାଇଛି, ସେଟା ପୋଲ, ସେହି ପୋଲ ଉପରେ ଯାଅ, ନ ହେଲେ ବଡ଼ ମୁସ୍କିଲ ହେବ ।

 

ତା ମାଆ କିଛି ଶୁଣେ ନାହିଁ, ତେଣୁ ଜନ୍ ବିରକ୍ତ ହୁଏ । ବୁଡ଼ି ମରିଗଲେ ତାହାରି କେବଳ ମୁଣ୍ଡ ବଥାଇବ ସିନା, ନୌକା ଆଉ ଜଳର ନୁହେଁ । ଘରଟିକୁ ଗୋଟିଏ ପର୍ବତ ମନେ କରାଯାଇପାରେ ଲାଲ ଟାଇଲର ରାସ୍ତାଟିକୁ ଉପତ୍ୟକା ବୋଲି ଧରିବାକୁ ହେବ । ଗୋଟିଏ ହାତୀ ଗଳି ଯାଇପାରେ, ଏତିକି ଚୌଡ଼ା ଧରାଯାଉ ।

 

କେହି ତା କଥା ଶୁଣନ୍ତି ନାହିଁ । ଜନ୍ ବିରକ୍ତ ହୁଏ । ନ ଶୁଣନ୍ତୁ, କିଛି କ୍ଷତି ନାହିଁ । ହଠାତ୍ ତା ନିଜ ହାତ ଆଡେ଼ ତାହାର ନଜର ପଡ଼େ, ହାତର ନଖ ଆଡ଼େ । ଠିକ୍ ବେଶୀ ବୟସୀ ମଣିଷର ଯେପରି ନଖ ହୁଏ । ସେହିପରି ତାହାର ନଖ ହୋଇଛି, ହାତ ଗୋଡ଼ ମୁଁହ ଆଖି ଦାନ୍ତ ବାଳ–ସବୁ ଯେ ତାହାର ହୋଇଛି । ଖୁବ୍ ଆଶର୍ଯ୍ୟ ବୋଧ ହୁଏ । ବିସ୍ମୟରେ ବିସ୍ଫାରିତ ହୋଇଯାଏ ତାହାର ଦୁଇଟି ଆଖି ।

 

ବାପାମାଆଙ୍କୁ ଫାଙ୍କି ଦେଇ ସେ ବର୍ତ୍ତମାନ ଘରୁ ବାହାରକୁ ଯିବାକୁ ଶିଖିଛି । ସହରର ଶେଷ ସୀମାରେ ତାଙ୍କ ଘର । ଏହି ଠାରୁ ଆରମ୍ଭ ହୋଇଛି ପଡ଼ା ଗାଁ । ଯେତେ ଦୂରରୁ ଝରକା ଦେଖାଯାଏ–ଜନ୍ ବାଙ୍କର ଧାରକୁ ଚାଲି ଯାଏ, ଠିଆ ହୋଇ ଚାରି ଆଡ଼କୁ ଅନାଏ ।

 

ଏହି ଖଣ୍ଡିକ କାଠରେ କ'ଣ ହୋଇପାରେ ? ଗଛର ଶେଷ ଡାଳ ଖଣ୍ଡିକ ରାସ୍ତା କଡ଼ରେ କାହିଁକି ପଡ଼ି ରହିଛି ? ଏହା ଉପରେ ତ ଚଢ଼ି ବସି ହେବ । ଠିକ୍ ଘୋଡ଼ାରେ ଚଢ଼ିବା ଭଳି-। ଜନ୍ ବି ଚଢ଼ି ବସେ । କିନ୍ତୁ ସେହି ଘୋଡ଼ା ଉପରୁ ମଝିରେ ମଝିରେ ଖସି ପଡ଼ିବାକୁ ହୁଏ । ଧୂଳି କାଦୁଅରେ ହାତ ଗୋଡ଼ ତାହାର ମଇଳା ହୋଇ ଯାଏ । ଗୋଛାଏ ଲାଠି ପାଇଲେ ଜନ୍ ନିଜକୁ ଅର୍କେଷ୍ଟ୍ରା ବାଦକ ବୋଲି ମନେ କରେ । ଗଳା ଫଟାଇ ଗୀତ ଗାଏ, ସବୁଜ ବଣ ଜଙ୍ଗଲକୁ ନମସ୍କାର କରେ । ଲାଠିଟା ତାହାର ଯାଦୁ ଦଣ୍ଡ । ଯେମିତି ସେ ଯାଦୁ ଜଣେ । ଆକାଶ ଆଡ଼କୁ ଅନାଇ ସେ ମେଘକୁ ଆଦେଶ ଦିଏ । କିନ୍ତୁ ଏତେ ବଡ଼ ପାଜି ମେଘମାନେ ଯେ ତା କଥା ଶୁଣନ୍ତି ନାହିଁ । ସେ କହେ–ଡାହାଣ ଦିଗକୁ ଯାଅ, ମେଘ । କିନ୍ତୁ ମେଘମାନେ ବାମ ଦିଗକୁ ଚାଲି ଯାଆନ୍ତି-। ଏଥିରେ ତାହାର ରାଗ ହେବ ନାହିଁ ? ଖାଲି ରାଗ ନୁହେଁ, ଦୁଃଖ ବି ହୁଏ । ତା ପରେ ତତକ୍ଷଣାତ୍ ପୁଣି କଡ଼ା ଧମକ ଦେଇ ସେ ମେଘକୁ ବାମ ଦିଗକୁ ଯିବାକୁ କହେ । ଏଥର କିନ୍ତୁ ସେମାନେ ତା କଥା ଶୁଣନ୍ତି । ଶୁଣିବାକୁ ହେବ ତା ହାତରେ ଯାଦୁ ଦଣ୍ଡ, ସେ ତ ଆଉ ଯେମିତି ସେମିତି ଲୋକ ନୁହେଁ । ଗୋଟାଏ କଙ୍କି ଧରି ତାକୁ ଗୋଟାଏ ଠେକୁଆରେ ପରିଣତ କରିବାକୁ ଚେଷ୍ଟା କରି ପାରି ନାହିଁ ବୋଲି କ'ଣ ସେ ଯେମିତି ସେମିତି ଲୋକ ? କାହାଣୀରେ ଯାଦୁକରମାନେ କେତେ ଫୁଲକୁ ତ ସୁନା ରଥ କରି ଦେଇଛନ୍ତି, ସେ କଣ ଆଉ ପାରିବ ନାହିଁ ?

 

ଏହି ସବୁ ଖେଳ ମଝିରେ ବି ଏକ ସ୍ଵପ୍ନମୟ ଅନୁଭୂତି ତାକୁ ଚେତନାର ଜଗତ ଠାରୁ ବିଚ୍ଛିନ୍ନ କରି ଦିଏ । ସେ ସବୁ କିଛି ପାଶୋରି ପକାଏ–ମାଆ, ବାପା, ବୁଢ଼ା ବାପା, ଘର ଚାରି ପଟେ ଯାହା କିଛି ଦେଖିଛି ସବୁ । କିନ୍ତୁ ସେହି ବିସ୍ମୃତି ସାମୟିକ ।

 

ସନ୍ଧ୍ୟାବେଳେ ବୁଢ଼ା ବାପାଙ୍କ ସଙ୍ଗରେ ସେ ପ୍ରାୟ ବୁଲିଯାଏ । ଚାଷ ଜମି ଆଉ କ୍ଷେତ ଖମାର ପାଖ ଦେଇ ସେ ଯାଏ । ଫସଲର ଗନ୍ଧ ଆସି ଜନର ନାକରେ ବାଜେ । ପଡ଼ିଆରେ ଅଜସ୍ର କଙ୍କି ଉଡ଼ନ୍ତି ଆଉ ଅନେକ ଗୋରୁ ଚରନ୍ତି ।

 

ବୁଢ଼ା ବାପା କଥା କହନ୍ତି, ନୀତି କଥାର କାହାଣୀ । ହୁଏ ତ ସେ ଢୁଳାଇ ପଡ଼ନ୍ତି, ଦେବଦାରୁ ଗଛର ପତ୍ର ଛିଡ଼ାଇ ଜନ୍ କେତେବେଳେ ବୁଢ଼ା ବାପାଙ୍କ ମୁହଁ ଉପରକୁ ଫୋପାଡ଼ି ଦିଏ-। ଉଠି ପଡ଼ି ବୁଢ଼ା ବାପା ବୁଝି ପାରନ୍ତି ଯେ ସ୍ଵାଭାବିକ ଭାବରେ ଝଡ଼ିଲା ପତ୍ର ଉଡ଼ି ଆସିଛି, କେବେ କେବେ ବି ପୁଣି ଜନର ଦୁଷ୍ଟାମୀ ଧରି ପକାଇଛନ୍ତି ।

 

ଫେରିବା ବେଳେ କେତେ ବେଳେ ବି ଘୋଡ଼ାଗାଡ଼ି ପାଇ ଯାଆନ୍ତି । ବେକରେ ଘଣ୍ଟା ବନ୍ଧା ଥିବା ଘୋଡ଼ା–ଭଲ ଦୌଡ଼େ । ଟୁଂ ଟୁଂ ଅବାଜ ହୁଏ । ଘୋଡ଼ାର ଛାଇ ଦେଖିବାକୁ ବି ମନ୍ଦ ଲାଗେ ନାହିଁ । ଘୋଡ଼ା ସାଙ୍ଗରେ ପାଖା ପାଖି ଛାଇ ବି ଉର୍ଦ୍ଧ୍ୱ ଶ୍ଵାସରେ ଦୌଡ଼ୁଛି । ଆଚ୍ଛା, ସେ ଗୁଡ଼ାକ କଣ ? ଛାଇ ନା, କୌଣସି ପ୍ରକାର ପ୍ରାଣୀ ? ଜନ୍‍କୁ ଭୟ ଲାଗେ ।

 

ଜନ୍‍ର ବାପା ଚମତ୍କାର ମଣିଷ, ହିସାବରେ ଖୁବ୍ ଖରାପ ନୁହନ୍ତି । ମେଲକୟାର ନିଜେ ଏହିପରି ଅନ୍ତତଃ ଭାବି ଥାଆନ୍ତି । ବାପ, ପୁଅ, ସ୍ତ୍ରୀ–ଏମାନଙ୍କ ପ୍ରତି ଶ୍ରଦ୍ଧା ବା ମମତା ଅଛି–କିନ୍ତୁ ସେ କ'ଣ କରି ପାରନ୍ତି ? ନିଜର ଅର୍ଜିତ ଧନ ଅପବ୍ୟୟରେ ଯାଏ ବୋଲି ସେମାନଙ୍କର ସଂସାର ଦୁର୍ଦ୍ଦଶାର ଚରମ ସୀମାରେ ଆସି ପହଞ୍ଚିଛି–ଜନ୍ ତାହା ବୁଝି ବି ବୁଝି ପାରେ ନାହିଁ ।

ସଂସାରରେ ସେ ଏକମାତ୍ର ପିଲା ନୁହେଁ; ତାହାର ଆରନେଷ୍ଟ ଓ ରୁଡ଼ଲଫ ନାମରେ ଆହୁରି ଦୁଇଟି ଭାଇ ଅଛନ୍ତି । ସୁତରାଂ ତା ଭାଗ୍ୟରେ ଆଦର ଯତ୍ନ କିଛି ଜୁଟି ନାହିଁ ।

ମଝିରେ ମଝିରେ ଲୁଇସା ବି ଟଙ୍କା ରୋଜଗାର ପାଇଁ କୌଣସି ରାନ୍ଧୁଣୀ କାମ କରେ । ଏହିପରି ଗୋଟାଏ ଘରେ ସେ ଯେଉଁ ନିର୍ଯ୍ୟାତନା ସହିଥିଲା–ତାହା ଜନ୍‍ର ଆଜି ବି ସ୍ପଷ୍ଟ ମନେ ଅଛି ।

ଘଟଣା ସାମାନ୍ୟ । ସେହି ଘରୁ ପୁରୁଣା ଜାମା ପେଣ୍ଟ ନେଇ ଆସିଥିଲା ଲୁଇସା ଜନ୍ ପାଇଁ । ଜନ୍ ତାକୁ ପିନ୍ଧି ମାଆକୁ ଡାକି ଯିବାରୁ ହିଁ ସବୁ ବିପଦ ଆସି ପହଞ୍ଚିଲା । ସେହି ଘରର ପୁଅ ଝିଅଙ୍କର ପୁରୁଣା ଜାମା ପେଣ୍ଟ । ସେମାନେ ଜନ୍ ପ୍ରତି କରୁଣା ଦେଖାଇ ସେହି ଜାମା ପେଣ୍ଟ କଥା ପକାଇଲେ । ଖାଲି ସେତିକି ନୁହେଁ, ସେମାନେ ଦି ଭାଇ ଭଉଣୀ ଧକ୍କା ମାରି ତାକୁ ଭୂଇଁରେ ପକାଇ ଦେଲେ । ନିଜକୁ ରକ୍ଷା କରିବା ପାଇଁ ସେ ଟିକିଏ ମାତ୍ର ଚେଷ୍ଟା କରିବାରୁ, ସବୁ ଗୋଳମାଳ ଉପୁଜିଲା । ଘର ସାରା ପାଟିଗୋଳ ଖେଳେଇ ଗଲା । ରାନ୍ଧୁଣୀର ପୁଅ ତାଙ୍କ ପୁଅ ଝିଅକୁ ଆଘାତ କରିଛି । ଜନ୍ ପଳାଇଲା ନାହିଁ । ସେ ତ କୌଣସି ଅନ୍ୟାୟ କରି ନାହିଁ । ଅଥଚ କି ନିର୍ଯ୍ୟାତନ ସେହି ଦିନ ତା ଉପରେ ହୋଇ ନ ଥିଲା ! କେବଳ ସେ ନୁହେଁ, ତାହାର ମାଆ ବି ଅପମାନିତା ହୋଇଥିଲା । ଲୁଇସା କହିଲା–“କ୍ଷମା ମାଗ, ଜନ୍ ।”

 

ଜନ୍ ଆଶ୍ଚର୍ଯ୍ୟ ହୋଇଥିଲା,–କେଉଁଥି ପାଇଁ କ୍ଷମା ? ଅନ୍ୟାୟ ବିରୁଦ୍ଧରେ ସେ ପ୍ରତିବାଦ କରିଛି । ପୁଣି କ୍ଷମା ଭିକ୍ଷା କଣ ? କାହିଁକି ? ଧଇଁ ସଇଁ ହୋଇ ସେ ଘରକୁ ଆସିଲା । ଆସି ନିଭୃତ ଜାଗା ସିଡ଼ିର ଝରକା କତିରେ ନ ପହଞ୍ଚୁଣୁ ତାହାର ଦି ଆଖିରୁ ଝର ଝର ହୋଇ ଲୁହ ଗଡ଼ି ପଡ଼ିଲା-। ଅଥଚ କାହିଁକି ଯେ ସେ କାନ୍ଦୁଛି–ତାର କୌଣସି କୈଫିୟତ ଜନ୍‍ର ମନେ ନାହିଁ, କିନ୍ତୁ ତଥାପି ତାକୁ କାନ୍ଦିବାକୁ ପଡ଼ିଲା ।

 

ଛୋଟ ଛୋଟ ଏହି ସବୁ ଘଟଣା ଜନ୍ କ୍ରିଷ୍ଟଫରର ମନରେ କି ଗଭୀର ଦାଗ ରଖିଯାଏ-!

 

ସନ୍ଧ୍ୟା ସାତଟା ବେଳେ ଦିନେ ସେ ଦେଖିଲା, ତାହାର ବାପା ଟଳି ଟଳି ଆସିଲେ ଆଉ ଘରେ ବେହୋସ ହେଇ ପଡ଼ିଗଲେ । ଭୟରେ ଜନ୍‍ର ଦୁଇ ଚକ୍ଷୁ ବିସ୍ଫାରିତ ହୋଇଗଲା ।

 

ଜନ୍ ଡାକିଲା–“ବାପା, ବାପା–କଣ ହୋଇଛି ଆପଣଙ୍କର ?”

 

ଭୟାଳୁ ଚକ୍ଷୁରେ ମେଲକୟାର ଅନାଇଲେ–କି ସାଙ୍ଘାତିକ ହୋଇଛି ଆଖି ଦୁଇଟା, ଲାଲ୍ ଗୁଲାଲ । ଲୁଇସା ଆସି ସେହି ଯାତ୍ରାରୁ ଜନ୍‍କୁ ବଞ୍ଚାଇଲା ।

 

କିଛି ଦିନ ପରେ ଜନ୍‍ର ସ୍କୁଲକୁ ଯିବାକୁ ଇଚ୍ଛା ହେଲାନାହିଁ । ଶିକ୍ଷକ ବୋଧ ହୁଏ ଖୁବ୍ ମାଡ଼ ଦିଅନ୍ତି । କଡ଼ି କାଠରେ ନିତି ମାଛି ଜମା ହୋଇଥାନ୍ତି । ଜନ୍ ଊର୍ଦ୍ଧ୍ୱ ଦୃଷ୍ଟିରେ ଅନାଇ ତାହା ଦେଖେ, କିନ୍ତୁ ଶିକ୍ଷକଙ୍କର ତାହା ସହ୍ୟ ହୁଏ ନାହିଁ । ଜନ୍ ନିରୀହ ମଣିଷ, ନିରହଙ୍କାର, ସବୁବେଳେ ହସ ହସ ମୁଖ । ସୁତରାଂ ଜନ୍ ପ୍ରତି ରାଗିବାର ଅନେକ କାରଣ ଥିଲା ଶିକ୍ଷକଙ୍କର । ଦିନେ ଖୁବ୍ ଭଲ କରି ସେ ତାକୁ ମାଡ଼ ଦେଲେ ।

 

ଜନ୍ କୌଣସି ପ୍ରତିବାଦ ନ କରି ଛୁଟି ପରେ ଘରକୁ ଚାଲି ଆସିଲା । ମନ ଭିତରେ ସେ ପ୍ରତିଜ୍ଞା କରି ପକାଇଲା ଯେ, ସେ ଆଉ ସ୍କୁଲକୁ ଯିବ ନାହିଁ । ଏ କ୍ଷେତ୍ରରେ ବି ସେହି ଅନ୍ୟାୟ । ବାପ ମାଆ ତାକୁ ସ୍କୁଲକୁ ପଠାଇବା ପାଇଁ ଚେଷ୍ଟା କଲେ । ଜନ୍ ନିଜର ତୀବ୍ର ପ୍ରତିବାଦ ଜଣାଇଲା–“ମୁଁ ଯିବି ନାହିଁ ।” କାରଣ ପଚାରନ୍ତେ, ସେ ଚୁପ୍ ରହିଲା । ମେଲକୟାର ଏଥିରେ ଖୁବ୍ ରାଗି ଗଲେ ! ତାକୁ ମାଡ଼ ଦେଇ ଟାଣି ଟାଣି ସ୍କୁଲକୁ ନେଇ ଶିକ୍ଷକଙ୍କ ହାତରେ ସେ ତାକୁ ଦେଇ ଆସିଲେ । ଏଥର ଆହୁରି ବେଶୀ ନିର୍ଯ୍ୟାତନା ! ଜନ୍ ନିଜ ସ୍ଥାନରେ ବସି ଦୁଆତ ଭାଙ୍ଗି ଦେଲା, ବହି ଛିଡ଼ାଇ ପକାଇଲା । ତହୁଁ ଗୋଟିଏ ଅନ୍ଧକାର କୋଠରୀରେ ଶିକ୍ଷକ ଜନ୍‍କୁ ଅଟକାଇ ରଖିଲେ-। ସେଠାରେ ବସି ଜନ୍ ରୁମାଲରେ ନିଜର ବେକରେ ଫାଶ ପକାଇବାକୁ ଲାଗିଲା । ଦୁଇ ହାତରେ ଦୁଇ ପାଖରୁ ଟାଣିଲେ ଦମ ବନ୍ଦ ହୋଇଯାଇ ପାରେ । ସେ ଆତ୍ମହତ୍ୟା କରିବାକୁ ଚାହେଁ-

 

ଅତି ସୌଭାଗ୍ୟର କଥା ଯେ, ତତକ୍ଷଣାତ୍ ଶିକ୍ଷକ ତାକୁ ଛାଡ଼ି ଦେଲେ ।

 

ଜନ୍‍ର ଶରୀର ଦୁର୍ବଳ ନୁହେଁ, ଅଥଚ ମଝିରେ ମଝିରେ କୌଣସି ପ୍ରକାର ଭୟ ଆସି ତାକୁ କାବୁ କରିଦିଏ । ନିର୍ଜନ ଅନ୍ଧକାର ଘରକୁ ଗଲା ମାତ୍ରେ ତାହାର ଦେହ ଝିମି ଝିମି ହୁଏ । ଭୂତ ପ୍ରେତ ପରି କୌଣସି ଦାନବ ଯେମିତି ଜାଲ ପାତି ଜନର ପ୍ରତ୍ୟାଶାରେ ବସିଥାଏ ।

 

ଯେତେବେଳେ ରାତି ହୁଏ, କଳା କିଟିମିଟି ରାତି ତାକୁ ଖୁବ୍ ଡର ଲାଗେ । ବୁଢ଼ା ବାପାଙ୍କ ଘର ଠାରୁ ଯେଉଁଠୁ ସହର ଆରମ୍ଭ ହୋଇଛି, ସେଠାକୁ ଏକା ଯିବାକୁ ପଡ଼ିଲେ ହିଁ ଏହି ଭୟଟା ସବୁ ଠାରୁ ବେଶି ମାରାତ୍ମକ ହୋଇଯାଏ । ସନ୍ଧ୍ୟା ବେଳେ ରାସ୍ତାଟା ନିର୍ଜନ ହୋଇଯାଏ । ଚାରିଆଡ଼ ଖାଁ ଖାଁ ଗୋଡ଼ାଏ । ଦୂରର ଗଛ ଗୁଡ଼ିକ ଯେମିତି ଭୂତ ରାଜ୍ୟର ଲୋକ ଭଳି ମନେ ହୁଏ-। ଯେପରି ଜନ୍‍କୁ ଧରିବା ଲାଗି ସେମାନେ ଚୁପ୍ ଚାପ ଠିଆ ହୋଇଛନ୍ତି ।

 

କୌଣସି ଘରେ ଏକା ରହିବାକୁ ଜନ୍‍ର ଆଉ ସାହସ ହୁଏ ନାହିଁ । ସଦାବେଳେ ସବୁ ରକମ କାମ ଭିତରେ ସେ କୌଣସି ଏକ ଅଦୃଶ୍ୟ ଭୟର ଗନ୍ଧ ପାଇବାକୁ ଲାଗିଲା । ହୁଏତ ସେ ଏକା ବସି ବହି ପଢ଼ୁଛି, ତାହାର ମନେ ହେଲା କିଏ ଯେମିତି ଅଦୃଶ୍ୟ ଭାବରେ ତା ଚାରି ପଟେ ଘୂରିଗଲା । ରାତିରେ ତାହାର ଭୟ ସବୁ ଠାରୁ ବେଶୀ ବଢ଼େ ।

 

କିନ୍ତୁ ଏହି ଭୟ ବେଶୀ ଦିନ ତିଷ୍ଠିଲା ନାହିଁ । ସବୁ ମଣିଷଙ୍କ ପରି ସେହି ଭୟ ଯାଇ ଠିଆ ହେଲା ଏକ ଅଜଣା ଆଶଙ୍କାରେ । ଏହି ପୃଥିବୀରୁ ବିଲୋପ ହେବାର, ଶେଷ ହୋଇ ଯିବାର ଭୟ ସାଙ୍ଗରେ ଯାଇ ଜନ୍‍ର ସବୁ ଭୟ ମିଶିଗଲା । ମୃତ୍ୟୁ କି ବସ୍ତୁ ଏହି ମୃତ୍ୟୁ ?

 

ଦିନେ ଘରେ ଖେଳୁ ଖେଳୁ ଆଲମାରୀ ଭିତରେ ସେ ଦେଖିବାକୁ ପାଇଲା ଗୋଟିଏ ଛୋଟ ପିଲାର ପୁରୁଣା ଓ ଛିଣ୍ଡା ଡୋରିଆ ଫ୍ରକ୍ ଖଣ୍ଡିଏ । ଲୁଇସା କହିଲା–‘‘ଏ ସବୁରେ ହାତ ଦେବୁ ନାହିଁ । ତୋ ଆଗରୁ ତୋର ଯେଉଁ ଭାଇ ଆସିଥିଲା, ଏସବୁ ତାର ।”

 

“ସେ କେଉଁଠି ମା ?’’

 

“ସେ କେଉଁଠି କଣରେ ? ସେ ଆମକୁ ଛାଡ଼ି ଚାଲି ଯାଇଛି, ମରି ଯାଇଛି ।” ଲୁଇସାର ଗଳା ଭିଜି ଗଲା ।

 

ମରି ଯାଇଛି ! ମରି ଯିବାଟା କଣ ? କାହିଁ କେହି ତ ତା ପାଇଁ ହାଇଁ ପାଇଁ ହେଉ ନାହିଁ-! ତା ହେଲେ ମରିଗଲେ କେହି ମନେ ରଖନ୍ତି ନାହିଁ ! ସେ ମରିଗଲେ ବି ତ କେହି ତାକୁ ମନେ ରଖିବେ ନାହିଁ ? ଏପରିକି ତାହାର ମାଆ ବି ଭୁଲି ଯିବ ! ତା ହେଲେ ସେ ନିଜର ମୃତ୍ୟୁ ପାଇଁ ଆଗରୁ ଆଚ୍ଛା କରି ଥୋଡ଼ାଏ କାନ୍ଧି ପକାଉ । ତାହାର ମୃତ୍ୟୁ ପରେ ଯଦି କେହି ନ କାନ୍ଦନ୍ତି, ନ କାନ୍ଦନ୍ତୁ, କିନ୍ତୁ ସେ ତ ଏବେଠୁଁ ନିଜେ କିଛି କାନ୍ଦି ପାରିବ !

 

ଏହା ପରେ ଜନ୍‍ର ଜଣେ ସାଙ୍ଗ ମରିଗଲା । ମୃତ୍ୟୁର ଛବି ଯେମିତି ତା ପକ୍ଷରେ କେତେକ ପରିମାଣରେ ସ୍ପଷ୍ଟ ହୋଇ ପଡ଼ିଲା । ମୃତ୍ୟୁ କି ସାଙ୍ଘାତିକ, ଭାବିବାକୁ ଗଲା ମାତ୍ରେ ଜନ୍ ଯେମିତି କାତର ହୋଇପଡ଼େ ।

 

ବୁଢ଼ା ବାପାଙ୍କ ଠାରୁ ଜନ୍ ଗୋଟିଏ ପୁରୁଣା ଦର-ଭଙ୍ଗା ପିୟାନୋ ପାଇଥିଲା । ଏକା ନିର୍ଜନ ଘରେ ଟୁଲ୍ ଉପରେ ବସି ସେ ସେଟା ଟୁଂ ଟୁଂ କରି ବଜାଏ–ବାଜଣା କେତେବେଳେ ବେତାଳ ବା କେତେବେଳେ ତାଳରେ । ଜନ୍‍କୁ ଖରାପ ଲାଗେ ନାହିଁ । ତା ମନ ଭିତରେ ଏକ ନୂତନ ଦ୍ୟୋତନା ଆସି ଧକ୍କା ଦିଏ । ଜନ୍ ପିଆନୋର ସ୍ଵରକୁ ଖୁବ୍ ଭଲ ପାଏ । ସ୍ଵର ଗୁଡ଼ିକ ତାହାର ବନ୍ଧୁ, ତାହାର ସୁଖ ଦୁଃଖର–ସବୁ ପ୍ରକାର ସହାନୁଭୂତିର ବନ୍ଧୁ ସେମାନେ ।

 

ଦିନେ ମେଲକୟାର ଆବିଷ୍କାର କଲେ, ଜନ୍ ପିୟାନୋ ବଜାଏ । ବାଦକ ବଂଶର ପୁଅ, ତେଣୁ ତାକୁ ବାଜଣା ଶିଖାଇବା ଦରକାର ଭାବି ମେଲକୟାର ଶିକ୍ଷକତା ଆରମ୍ଭ କଲେ । କିନ୍ତୁ ମେଲକୟାରଙ୍କର ଶିକ୍ଷକତାରେ ଧୈର୍ଯ୍ୟ ନାହିଁ, ସେ ପୁଅଟିକୁ ଖୁବ୍ ବାଡ଼େଇବାକୁ ଲାଗିଲେ । ପିଠିରେ ବସିଲା ବିଧା, ଗାଲରେ ଚାପୁଡ଼ା ପରେ ଚାପୁଡ଼ା । ମୁହଁ ତଳକୁ କରି ଜନ୍ ଖୁବ୍ ଧକେଇଲା-। ଶେଷରେ ସେ କହିଦେଲା–‘‘ମୁଁ ଆଉ ଶିଖିବି ନାହିଁ, ବାପା !”

 

“କଣ ?” ମେଲକୟାର ଧମକାଇଲେ ।

 

“ମୁଁ ଆଉ ଶିଖିବାକୁ ଚାହେ ନା, ଏତେ ମାଡ଼ ଖାଇ ପାରିବି ନାହିଁ ମୁଁ ।”

 

“କଣ, ମାଡ଼ ଖାଇ ପାରିବୁ ନାହିଁ ! ମାଡ଼ରେ କଣ ହେଇଛି ଏକ୍ଷଣି । ଏଆଡ଼େ ଆ ।” ମେଲକୟାର ଜନ୍‍କୁ ଧରି ନେଇ ଆସିଲେ । ପ୍ରଚଣ୍ଡ ମାଡ଼ ଆରମ୍ଭ ହେଲା । ତା ପରେ କିଛି ଖାଇବାକୁ ନ ଦେବା ପାଇଁ ହୁକୁମ ଜାରି କରି ସେ ଜନ୍‍କୁ ଗୋଟିଏ ଅନ୍ଧାର କୋଠରୀ ଭିତରେ ଅଟକାଇ ରଖିଲେ ।

 

ଜନ୍‍ର କାନ୍ଦଣା ଶୁଖି ଯାଇଛି । ସମସ୍ତ ଚେତନାରେ କି ଭଳି ଗୋଟାଏ ଜ୍ଵାଳା ଅନୁଭୂତ ହେଉଥିଲା । ଜନ୍ ଭାବିବାକୁ ଲାଗିଲା–ତାହାର ବାପା ପଶୁ, ଏପରି ଏକ ପ୍ରକୃତ ପଶୁ ସେ ଆଉ କେଉଁଠି ଦେଖି ନାହିଁ । ସେ ତାଙ୍କୁ ଘୃଣା କରେ–ଦୁଷ୍ଟ, ପଶୁ, ଦୁର୍ବୃତ୍ତ, ନୃଶଂସ–ମରୁ ନାହିଁ !

 

ହଠାତ୍ ତାହାର ମନେ ହେଲା ଯେ ସେ ଅନ୍ଧକାର କୋଠରୀରେ ଏକା ରହିଛି । ଆକସ୍ମିକ ଭୟ ଆସି ଉପସ୍ଥିତ ହେଲା, ସହସା ସେ ଚଟାଣ ଉପରେ ପଡ଼ିଗଲା । ବାହାରୁ ବାପା ମା ଶବ୍ଦ ଶୁଣି ଦୌଡ଼ି ଆସିଲେ । ଲୁଇସ କାନ୍ଦିବାକୁ ଲାଗିଲା, ନିଜର ସ୍ୱାମୀଙ୍କୁ ତିରସ୍କାର କରିବାକୁ ଲାଗିଲା । ମେଲକୟାର ବି ଦୁଃଖିତ ହେଲେ ! ପୁଅ ଅଜ୍ଞାନ ହୋଇଗଲା ନା କଣ ?

 

କିନ୍ତୁ ସେ ସବୁ କିଛି ନୁହେଁ । ଜନ୍ ଖାଲି ପଡ଼ି ରହିଛି । ସେ ନିଜର ଭାଗ୍ୟକୁ ବିଶ୍ଳେଷଣ କରିବାକୁ ଲାଗିଲା । ଉପରୁ ନଦୀ ଭିତରକୁ ନିଜ ଦେହଟା ଫୋପାଡ଼ି ଦେଇ ପାରିଲେ–ତା ହେଲେ ଜବ୍‍ଦ କରା ହୁଅନ୍ତା; କିନ୍ତୁ ସେ ତାହା କଲା ନାହିଁ । ବାପା ତାକୁ ବନ୍ଦୀ ଅବସ୍ଥାରେ ରଖି ଯାଇଛନ୍ତି । ବାହାରୁ ଘର ବନ୍ଦ । କିଛି କରିବାର ନାହିଁ–ଖାଲି କାନ୍ଦିବା ଛଡ଼ା । ଗୋଟାଏ ମାଙ୍କଡ଼ସା ବୁଲି ବୁଲି ଜାଲ ବୁଣୁଛି–ସେ ତାହା ଦେଖିବାକୁ ଲାଗିଲା ।

 

ତଳେ ରାଇନ ନଦୀ, ତାଙ୍କ ଘରକୁ ଲାଗି ବହି ଯାଉଛି । ଉପରେ କଳା ଆକାଶ, ସେଠାରେ କେତେ ଶହ ତାରା ଝଟକୁଛନ୍ତି । ନଦୀ ତାଳେ ତାଳେ କଥା କହେ, ଦୌଡ଼ିଯାଏ । ଛୋଟ ପିଲାଙ୍କ ନିକଟରେ ନଦୀ ବି ଯେମିତି ଏକ ଜୀବନ୍ତ ପ୍ରାଣୀ–ସବୁ ପ୍ରକାର ପ୍ରାଣୀଙ୍କ ଠାରୁ ଶକ୍ତିଶାଳୀ, ସୁନ୍ଦର, ବିଚିତ୍ର । ଆଚ୍ଛା, ନଦୀ କେଉଁଠାକୁ ଯାଏ, କଣ ଚାହେ ? ସେ ଖୁବ୍ ସ୍ଵାଧୀନ ଭାବରେ ଯାଏ ତ । କେହି କଣ ତାକୁ ବାଧା ଦେଇ ପାରନ୍ତି ନାହିଁ ? ଦିନ ନାହିଁ, ରାତି ନାହିଁ, କି ଖରା, କି ବର୍ଷା–ନିଜର ସୁଖ ଦୁଃଖ ଯାହା ଥାଉନା କାହିଁକି, ନଦୀ ବହି ଚାଲିଛି ତ ଚାଲିଛି । ଜନ୍ ଯଦି ଏପରି ଭାବରେ ଚାଲି ପାରନ୍ତା, ନିଜ ଇଚ୍ଛାରେ, ଅବାଧ ଗତିରେ କୌଣସି ବାଧା ବନ୍ଧନ ମାନି,–କି ମଜା ନ ହୁଅନ୍ତା । ଘନ ଅରଣ୍ୟର ସବୁଜ ସୀମା ଛାଡ଼ି ହଳଦିଆ କ୍ଷେତର ବିସ୍ତୃତ ଆଲୋକ ଡେଇଁ, ଧୂସର ପାହାଡ଼ ଟପି–ଜୀବନର ସମସ୍ତ କ୍ଷେତ୍ରରେ ଯଦି ସ୍ଵାଧୀନ ଭାବରେ ଜନ୍ ଆଗେଇ ଯାଇପାରେ–ଯଦି ସ୍ୱାଧୀନ ଭାବରେ ବଞ୍ଚିପାରେ, ଯଦି ସେ ସ୍ଵାଧୀନ ହୋଇପାରେ–ଯଦି ମଣିଷ ହୋଇପାରେ–

 

ପୁଣି ଲୋପ ହୋଇଯାଏ ଏହିସବୁ ଚେତନା । ଚାରି ଦିଗର ସବୁ କିଛି ଛାୟା ଭଳି ମନେ ହୁଏ–ନଦୀ, ବନ, ସହର, ଘରଦ୍ଵାର–ସବୁ; ଧୂସରତାରେ ଯେମିତି ବୁଡ଼ି ଯାଏ । କାହାର ଛବି ତା ଆଖି ଆଗରେ ଭାସିଯାଏ, ଯେମିତି ଗୋଟିଏ ଛୋଟ ଗୁଲୁଗୁଲିଆ ଝିଅ ତାକୁ ଡାକୁଛି । ତାହାର ସୁନେଲି କେଶ ସକାଳୁଆ କଞ୍ଚା କିରଣରେ ଜଳୁଛି, ମିଠା ପବନରେ ଉଡ଼ୁଛି, ଓଠରେ ହସ । ତତକ୍ଷଣାତ୍ ଜନ୍ କ୍ରିଷ୍ଟଫରକୁ ଭାରି ଭଲ ଲାଗେ ତାହା । ପୁଣି ସହସା ଦେଖା ଯାଏ, ବିଷଣ୍ଣ ବଦନରେ ପିଲାଟିଏ ଠିଆ ହୋଇଛି; ଗରିବର ପିଲା ବୋଧ ହୁଏ, ଛିଣ୍ଡା ପୋଷାକରେ, ବେଦନାରେ ମୁଖଟି କଳା–ତା ଆଡ଼କୁ କରୁଣ ଦୃଷ୍ଟିରେ କାହିଁକି ଚାହିଁ ରହିଛି ?

 

ପୁଣି ସବୁ ଲିଭି ଯାଏ । କେବଳ ଶୂନ୍ୟ, ଧୂସର, ଫାଙ୍କା ଫାଙ୍କା । ଗୋଟାଏ ଦୁଃଖର ଭାବ ମନ ଭିତରେ ଜମି ରହିଥାଏ । ଫେର୍ ମନେ ପଡ଼ିଯାଏ ନଦୀ; ଦୌଡ଼ୁଛି ସମୁଦ୍ର ଆଡ଼କୁ, ସୂର୍ଯ୍ୟଙ୍କ ଆଡ଼କୁ । ସମୁଦ୍ର ନଦୀକୁ ମିଶାଇ ଦିଏ ନିଜ ଭିତରେ, ସୂର୍ଯ୍ୟ ଗରମ କରେ ନଦୀକୁ । ସଙ୍ଗୀତର ଶବ୍ଦ ଭାସି ଆସେ–କି ସୁନ୍ଦର ଛାନ୍ଦ, ପିୟାନୋର ମିଠା ଆବାଜ ! ସୋୟାଲୋ ପକ୍ଷୀ ଭଳି ଉଡ଼ିବାକୁ ଚାହେଁ ଜନ୍‍ର ମନ, ଚାରିଆଡ଼େ ଏତେ ଆନନ୍ଦ, ଏତେ ଗୀତ, ଏତେ ହସ ଖୁସି–ଉଡ଼ିଯାଉ ଜନ୍ ।

 

–ରମ୍ୟାଁ ରୋଲଁ

Image